ସମ୍ପାଦକୀୟ/ଉପହାର ଲୋଭ

ସମ୍ପାଦକୀୟ/ଉପହାର ଲୋଭ

ଉପହାର ଦିଆଯାଏ କାହିଁକି? ସେହି ମର୍ମରେ ଅଧିକ ଭାବିଲେ ପିଲାଙ୍କୁ ଚକୋଲେଟ କିମ୍ବା ବଡ଼ଙ୍କୁ ଉପଢ଼ୌକନ ବା ଉପହାର ଦେବାର ଏକମାତ୍ର କାରଣ ବା ଲକ୍ଷ୍ୟ ହେଉଛି ସେହି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ଖୁସି କରାଇବା। ଚକୋଲେଟ୍‌ ପାଇ ପିଲା କାନ୍ଦିବା ବନ୍ଦ କରି ନୀରବ ହୋଇଯାଏ କିମ୍ବା ପାଠ ପଢ଼ିବାକୁ ମଙ୍ଗେ। ଅନୁରୂପ ଭାବେ ବଡ଼ମାନଙ୍କୁ ଉପହାର ଦେଇ ସନ୍ତୁଷ୍ଟ କରାଇବା ପଛରେ କାର୍ଯ୍ୟସିଦ୍ଧିର ଅସଲ ଚିନ୍ତା ନିହିତ ଥାଏ। ମଣିଷ ଭିତରେ ଏଭଳି ମାନସିକତା କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀର ଇତିହାସରୁ ଦେଖିବାକୁ ମିଳିଛି। ଏଥିରୁ ଖିଅ ଟାଣିଲେ ବୁଝିବା ସହଜ ହୋଇଯାଏ ଯେ, ଉପକୃତ ହେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ଉପହାରକୁ ମାଧ୍ୟମ ଭାବେ ବ୍ୟବହାର କରିଥାଏ। ଭାରତ ଭଳି ଦୁର୍ନୀତିଗ୍ରସ୍ତ ଦେଶରେ କାମ ହାସଲର ସର୍ବୋତ୍କୃଷ୍ଟ ପନ୍ଥା ହେଉଛି ଉପହାର, ଯାହାର ଅନ୍ୟନାମ କୁହାଯାଇପାରେ ଲାଞ୍ଚ। ଏହି ଲାଞ୍ଚକୁ ନେଇ ଅନେକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଆଲୋଚନା ହୋଇସାରିଛି। ଯେତେ ଚେଷ୍ଟା କଲେ ମଧ୍ୟ ମଣିଷ ଚରିତ୍ରରୁ ଲୋଭକୁ ଦୂର କରିବା ଅତ୍ୟନ୍ତ କଷ୍ଟକର। ସେଥିପାଇଁ ଭାରତ ଭଳି ଦେଶରେ କେହି କୌଣସି ଭାଗ ଛାଡ଼ିବାକୁ ଚାହାନ୍ତି ନାହିଁ। ଯେଉଁମାନେ ବ୍ୟକ୍ତିର ଏହି ଲୋଭକୁ ଚିହ୍ନି ତାହାକୁ ଉପଯୋଗ କରିପାରନ୍ତି, ସେମାନେ ହେଲେ ଲାଞ୍ଚଦାତା ଏବଂ ଯେଉଁମାନେ ଏହିସବୁ ଉପହାରକୁ ଗ୍ରହଣ କରିଥାନ୍ତି, ସିଏ ହେଲେ ଲାଞ୍ଚୁଆ। ଯେହେତୁ ଏ ଦେଶରେ ସରକାର ହେଉଛନ୍ତି ସବୁଠାରୁ ଧନୀ ଓ ବୃହତ୍‌ ସଂସ୍ଥା, ସେଥିପାଇଁ ସରକାରଙ୍କ ବିଭିନ୍ନ ଅଙ୍ଗରେ କାର୍ଯ୍ୟ କରୁଥିବା ପ୍ରଭାବଶାଳୀ ବ୍ୟକ୍ତି ନିଜ କାମ ପାଇଁ ଦରମା ଓ ଅନ୍ୟାନ୍ୟ ସୁବିଧା ବ୍ୟତୀତ ପାଉଣା ଖୋଜିଥାନ୍ତି। ତାଙ୍କ ଭିତରୁ ଅନେକେ ଏପରି ଅଛନ୍ତି, ଯେଉଁମାନେ ସିଧାସଳଖ ଅର୍ଥ ଗ୍ରହଣ କରିଥାଆନ୍ତି। ଅପରପଟରେ ଧରପଗଡ଼ ସହିତ ଟଙ୍କାକୁ ଗଚ୍ଛିତ ରଖିବା ସମସ୍ୟା ହୋଇପଡ଼ିଥିବାରୁ କେତେକେ ଲାଞ୍ଚ ନେବାର ପଦ୍ଧତି ବଦଳାଇ ଦେଲେଣି। ଅର୍ଥାତ୍‌ ସେମାନେ ସିଧାସଳଖ ଅର୍ଥ ନ ନେଇ ଉପହାର ନେବାକୁ ପସନ୍ଦ କରୁଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ, ସରକାରୀ କର୍ମଚାରୀ ଯଦି କାର୍ଯ୍ୟସ୍ଥଳରେ ଉପହାର ଗ୍ରହଣ କରନ୍ତି, ତାହାକୁ ‘ଉପହାର ସଂଗ୍ରହାଳୟ’ରେ ଜମା କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏ ନେଇ ଏକ ପ୍ରସ୍ତାବ ଆଣୁଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା ଲାଗୁ ହେଲେ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଫିସରଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ସରକାରଙ୍କ ନିୟମ ମାନିବାକୁ ବାଧ୍ୟ ହେବେ। କିନ୍ତୁ ପ୍ରଶ୍ନ ଉଠୁଛି, ଏସବୁ ତଦାରଖ କିଏ କରିବେ ଏବଂ ନିଷ୍ପତ୍ତି ନେବାର କର୍ତ୍ତୃପକ୍ଷ କିଏ ହେବେ। ଏଥିସହିତ କେଉଁ ଉପହାର ସରକାରୀ ପଦବୀ ପାଇଁ ମିଳିଛି ଏବଂ କେଉଁ ଉପହାର ପାରିବାରିକ ସମ୍ପର୍କରୁ ଆସିଛି, ତାହାର ବିଶ୍ଳେଷଣ କରିବା ଅସମ୍ଭବ ହୋଇପଡ଼ିବ। ପରିସ୍ଥିତି ଏଭଳି ଉପୁଜିପାରେ ଯେ, ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ବିରୋଧରେ ସରକାରଙ୍କୁ ମାମଲା ଦାଏର କରି କଚେରିରେ ଦୀର୍ଘକାଳ ଲଢ଼ିବାକୁ ପଡ଼ିପାରେ। ଏଠାରେ ଏକ ଉଦାହରଣ ମନକୁ ଆସୁଛି। ଧରାଯାଉ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ପାଖରେ ୩୦ କୋଟି ଟଙ୍କାର କାର୍ଯ୍ୟ ପାଇଁ ଟେଣ୍ଡର ପଡ଼ିଛି। ସେହି ଅଫିସର ବିଭିନ୍ନ ଆଳ ଓ ଆଲୋଚନା ମାଧ୍ୟମରେ ଟେଣ୍ଡର କାହାକୁ ଦେବେ ନିଷ୍ପତ୍ତି ନେବାର ପରିସ୍ଥିତି ସୃଷ୍ଟି କରିପାରନ୍ତି। ଅର୍ଥାତ୍‌ ତାଙ୍କ ସହ ଯାହାଙ୍କ ସେଟିଂ ହୋଇଯିବ ସେହି ଅନୁଯାୟୀ ଭିତିରିଆ ଚୁକ୍ତି ହୋଇପାରେ। ଏଠାରେ ଟେଣ୍ଡର ପାଇବାକୁ ଥିବା ବ୍ୟକ୍ତି ସମ୍ପୃକ୍ତ ଅଧିକାରୀଙ୍କୁ ସିଧାସଳଖ ଉପହାର ନ ଦେଇ ତାଙ୍କ ଶ୍ୱଶୁରଙ୍କୁ ଖଣ୍ଡେ ଜମି ଦେଇପାରନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ଜମି ସେହି ଅଧିକାରୀଙ୍କ ସ୍ତ୍ରୀଙ୍କୁ ତାଙ୍କ ପିତା ଉପହାର ଦେଇଦେଲେ ତାହା ଅଧିକାରୀଙ୍କୁ ଉପହାର ଦିଆଗଲା ବୋଲି ବିବେଚିତ ହୋଇପାରିବ ନାହିଁ। କିନ୍ତୁ ପରୋକ୍ଷରେ ଏଭଳି ଉପହାର ସେହି ଅଧିକାରୀ ଉପଭୋଗ କରିଥାନ୍ତି। ଏହିଭଳି ଅନେକ କ୍ଳୀଷ୍ଟ ବିଷୟ ଆସିପାରେ ଯାହାର ସରକାରୀ ପ୍ରୋସିକ୍ୟୁଶନ ପ୍ରମାଣ କରିବା ଅସମ୍ଭବ ହେବ।
୨୦୧୫ ମସିହାରେ କେନ୍ଦ୍ର ସରକାର ସର୍ବଭାରତୀୟ ସେବା (ଚରିତ୍ର) ନିୟମରେ ସଂଶୋଧନ ଆଣିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ସରକାରୀ ଅଧିକାରୀ ୫୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଉପହାର କାର୍ଯ୍ୟକ୍ଷେତ୍ରରେ ପାଇଲେ ସେହି ବିଷୟରେ ସରକାରଙ୍କୁ ଜଣାଇବେ। ଏଥିରେ ଗାଡ଼ିଭଡ଼ା, ରହିବା, ଖାଇବା ଆଦି ଅନ୍ତର୍ଭୁକ୍ତ କରାଯାଇଥିଲା। ପୂର୍ବରୁ ଏଭଳି ଉପହାରର ସୀମା ରହିଥିଲା ୧୦୦୦ ଟଙ୍କା। ୨୦୧୫ର ୫୦୦୦ ଟଙ୍କିଆ ନିଷ୍ପତ୍ତି ପରେ କେତେ ସରକାରୀ କର୍ମଚାରୀ ଏହାର ସଦୁପଯୋଗ କରିଛନ୍ତି, ତାହାର ତଥ୍ୟ ସରକାରଙ୍କ ତରଫରୁ ଅଦ୍ୟାବଧି ପ୍ରକାଶ କରାଯାଇନାହିଁ। ଏବର ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟରେ ଯେଉଁ ଉପହାର ପାଇବେ ସେଗୁଡ଼ିକୁ ଉପହାର ସଂଗ୍ରହାଳୟରେ ଜମା କରିବେ। ପରବର୍ତ୍ତୀ ସମୟରେ ସେଥିରୁ ରାଜସ୍ବ ସଂଗ୍ରହ କରାଯାଇପାରିବ। ଏ ସଂକ୍ରାନ୍ତ ନିୟମାବଳୀ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ତିଆରି ସରିଲାଣି। ଅଧିକାରୀଙ୍କ ଉପରେ ସରକାର ଏଭଳି ନିୟମ ଲାଗୁ କରିବା ବେଳେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଉଦାହରଣ ଦିଆଯାଇଛି। କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପାଉଥିବା ଉପହାରକୁ ‘କୋଷ ଘରେ’ ସାଇତା ରଖାଯାଉଛି। ତେବେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଏଭଳି ନିୟମ ଲାଗୁ କରାଗଲେ, ସେମାନେ ଏହାକୁ ସ୍ବତଃ ପ୍ରକାଶ କରିବାକୁ ଆଗେଇ ଆସିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ଦେଖାଯାଇଛି ବ୍ୟକ୍ତିବିଶେଷର ଚରିତ୍ର ସୁଧାରିବା ଲାଗି କୌଣସି ଆଇନ, ନିୟମ ବା ଦଣ୍ଡ କାମ ଦେଇ ନ ଥାଏ। ଏଭଳିସ୍ଥଳେ ସରକାରୀ ଅଧିକାରୀଙ୍କ ସାଧୁତା ଗୁରୁତ୍ୱ ବହନ କରିଥାଏ। ସରକାର ନିୟମ କରି କାର୍ଯ୍ୟସ୍ଥଳରେ ସରକାରୀ ଅଧିକାରୀ ପାଉଥିବା ଉପହାରକୁ ‘ଉପହାର ସଂଗ୍ରହାଳୟ’କୁ ପଠାଇ ଦେଇପାରନ୍ତି। କିନ୍ତୁ ଅଧିକାରୀଙ୍କ ବ୍ୟକ୍ତିଗତ ଲୋଭ ହଟାଇବା କଷ୍ଟକର। ସେଥିପାଇଁ ଏଭଳି ନିୟମ ସୃଷ୍ଟି କରାଗଲେ ଯେଉଁ କ୍ୱଚିତ୍‌ ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ସରକାରୀ କର୍ମଚାରୀ ଅଛନ୍ତି, ସେମାନେ ମଧ୍ୟ ଭୟଭୀତ ହୋଇ ବାସ୍ତବତାକୁ ଲୁଚାଇବାକୁ ଚେଷ୍ଟା କରିବେ। ଅର୍ଥାତ୍‌ ଅବାସ୍ତବ ନିୟମ ସୃଷ୍ଟି କଲେ ତାହା ପ୍ରଶାସନରେ ବାଧା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri