ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ

କରୋନା ଭାଇରସ୍‌ ଭାରତରେ ୧୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୨୭ ଜଣଙ୍କ ଜୀବନ ନେଇଗଲାଣି। ଗତ କିଛି ଦିନ ମଧ୍ୟରେ ଏହା ଯେଭଳି ଭାବେ ବ୍ୟପିଛି, ଖୁବ୍‌ ଶୀଘ୍ର ଉତ୍କଟ ରୂପ ଧାରଣ କରିବାର ସବୁ ଆଶଙ୍କା ସୃଷ୍ଟି ହୋଇଗଲାଣି। ୨୮ ମାର୍ଚ୍ଚରେ ନୂଆଦିଲ୍ଲୀ ଓ ଉତ୍ତର ପ୍ରଦେଶ ସୀମାନ୍ତ କୌଶମ୍ବି ଅଞ୍ଚଳରେ ଅନେକ ହଜାର ଲୋକ ନିଜ ଗାଁକୁ ଯିବା ପାଇଁ ଭିଡ଼ କରି ବସ୍‌କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସେହିପରି ୨୯ ମାର୍ଚ୍ଚରେ କେରଳର କୋଟ୍ଟାୟାମ୍‌ ଜିଲାର ପଇପାଡ୍‌ରେ ଶହଶହ ଦେଶାନ୍ତରୀ ଶ୍ରମିକ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଖାଦ୍ୟ, ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି। ନିଜ ଭିଟାମାଟିକୁ ଫେରିଯିବା ସକାଶେ ସରକାର ଯାନ ଯୋଗାଇଦେବାକୁ ମଧ୍ୟ ସେମାନେ କହିଛନ୍ତି। ଗଣମାଧ୍ୟମରେ ଯେଉଁମାନେ ଉକ୍ତ ଭିଡ଼ର ଦୃଶ୍ୟ ଦେଖିଥିବେ ସେମାନେ ଅନୁମାନ ଲଗାଇପାରିବେ ଯେ, ସଂକ୍ରମଣ ବ୍ୟାପିବା ଲାଗି ପରିସ୍ଥିତି କିଭଳି ସୃଷ୍ଟି ହୋଇଯାଇଛି।
ବିଭିନ୍ନ ରାଜ୍ୟର ଲୋକେ କାର୍ଯ୍ୟ ଅନ୍ବେଷଣରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି। କେନ୍ଦ୍ର ସରକାର ଭାରତସାରା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବା ପରେ କାମଧନ୍ଦା ପୂରାପୂରି ବନ୍ଦ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ଦିଆଯାଇଥିବା ପ୍ୟାକେଜ ଅଧିକାଂଶଙ୍କ ନିକଟରେ ପହଞ୍ଚିପାରି ନାହିଁ। ଫଳରେ ଭୋକଉପାସରେ ଶ୍ରମିକମାନେ ଦିନ କାଟୁଛନ୍ତି। କାମ ମିଳିପାରୁଥିବା ସହରକୁ ଛାଡ଼ି ସେମାନେ ଗ୍ରାମାଭିମୁଖୀ କାହିଁକି ହେଉଛନ୍ତି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। କେତେକେ ସିଧାସଳଖ କହିଲେଣି ଯେ, କରୋନାରେ ମରିବା ପୂର୍ବରୁ ସେମାନେ ଅନାହାରରେ ମାରି ସାରିଥିବେ। କୌଣସି ବିଧିବଦ୍ଧ ଯୋଜନା କରା ନ ଯାଇ ଲକ୍‌ଡାଉନ୍‌ ଘୋଷଣା କରି ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଜନସାଧାରଣଙ୍କ କଲ୍ୟାଣ ଚାହୁଁଥିବା ସରକାର ପ୍ରଥମେ ପ୍ରାକ୍ଟିକାଲ ରୋଡ୍‌ମ୍ୟାପ୍‌ ବା ବାସ୍ତବ ନକ୍ସା ପ୍ରସ୍ତୁତ କରିବା ଉଚିତ ଥିଲା।
ଭାରତ ସରକାର ବାହାରେ ରହୁଥିବା ତା’ର ନାଗରିକଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଯାଇ ସେମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଇବାରେ ଲାଗିଛି। ୨୯ ମାର୍ଚ୍ଚରେ ଇରାନ୍‌ରୁ ୨୭୫ ଜଣଙ୍କୁ ଅଣାଯାଇ ରାଜସ୍ଥାନର ଯୋଧପୁରସ୍ଥିତ ଆର୍ମି ଓ୍ବେଲନେସ୍‌ କେନ୍ଦ୍ରରେ ରଖାଯାଇଛି। ଏହା ପୂର୍ବରୁ ସଂକ୍ରମିତ ଦେଶରୁ ଅନେକ ହଜାର ଭାରତୀୟଙ୍କୁ ଅଣାଯାଇସାରିଛି। କରୋନା ଭାଇରସ୍‌ ଦ୍ୱାରା ସ୍ଥାନୀୟ ସଂକ୍ରମଣ ଘଟିବା ପୂର୍ବରୁ ତାହା ବିଦେଶରୁ ଆସୁଥିବା ଲୋକଙ୍କ ମାଧ୍ୟମରେ ଆମଦାନି କରାଯିବା ମାରାତ୍ମକ ପାଲଟିଛି। ଅନ୍ୟ ଦେଶଗୁଡ଼ିକରେ ଯେତେବେଳେ ଏହି ଭୂତାଣୁ ବ୍ୟାପିଥିଲା, ସେତେବେଳେ ଭାରତ କଠୋର ନିଷ୍ପତ୍ତି ନେଇ ବିଦେଶରେ ଥିବା ନାଗରିକଙ୍କୁ ସେହିଠାରେ ରହି ଚିକିତ୍ସିତ ହେବା ଲାଗି ସବୁ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ ପରିସ୍ଥିତି ଆଜି ଗୁରୁତର ରୂପ ଧାରଣ କରି ନ ଥାନ୍ତା। ସମ୍ଭବତଃ ଓଡ଼ିଶା ହାଇକୋର୍ଟ ଏବର ସ୍ଥିତି ଆକଳନ କରି କହିଛନ୍ତି ଯେ, ଓଡ଼ିଶା ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଯାଇ ସେହିଠାରେ ହିଁ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଉ। ଶ୍ରମଜୀବୀଙ୍କ ପାଇଁ ଅସ୍ଥାୟୀ ରହଣିସ୍ଥଳରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିଶ୍ଚିତ ସ୍ବାଗତଯୋଗ୍ୟ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସରକାର, ଦିଲ୍ଲୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁସରଣ କରିବା ଦରକାର। ଏଥିସହିତ ବିଦେଶରେ ଥିବା ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଯେଭଳି ଚିନ୍ତିତ ରହିଛନ୍ତି, ନିଜ ଦେଶ ଭିତରେ ଯନ୍ତ୍ରଣା ଭୋଗୁଥିବା ଶ୍ରମିକମାନଙ୍କୁ ନିଜ ଅଞ୍ଚଳକୁ ପଠାଇବା ସକାଶେ ବ୍ୟବସ୍ଥା କରିପାରିଥିଲେ ସେମାନେ ଉପକୃତ ହୋଇପାରନ୍ତେ।
ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ବା ଏକପ୍ରକାର ଜାତୀୟ କର୍ଫ୍ୟୁ ଲଗାଯିବା ପରେ କରୋନା ଭୂତାଣୁ ସଂକ୍ରମଣ ଅନେକାଂଶରେ ରୋକାଯାଇପାରିବ ବୋଲି କୁହାଯାଉଛି। କିନ୍ତୁ ଏହି ଅବଧି ଶେଷ ହେବା ପରେ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ ଉଠିପାରେ। ଅଦ୍ୟାବଧି ଏହି ରୋଗ ପାଇଁ ଔଷଧ ବାହାରି ନାହିଁ। ଔଷଧ ବାହାରିଲେ ମଧ୍ୟ ଭାରତ ଭଳି ଜନବହୁଳ ଦେଶରେ ଏହାର ସୁଫଳ ତତ୍‌କ୍ଷଣାତ୍‌ ମିଳି ନ ପାରେ। ଭାରତରେ ଟେଷ୍ଟିଂ ପାଇଁ ଅଦ୍ୟାବଧି ସହଜ ଯନ୍ତ୍ର ବା ପଦ୍ଧତି ଆପଣାଯାଇପାରି ନାହିଁ। ଏଭଳି ସ୍ଥଳେ ବାସ୍ତବ ସଂକ୍ରମିତଙ୍କ ସଂଖ୍ୟା କେତେ ରହିଛି ଜାଣିବା କଷ୍ଟକର। ତେଣୁ ଟେଷ୍ଟିଂ ଭିତ୍ତିଭୂମି ଉନ୍ନତ କରାଯାଇ ଲୋକଙ୍କୁ କ୍ୱାରାନ୍‌ଣ୍ଟାଇନ୍‌ ବା ଏକାନ୍ତବାସ କରାଯାଇପାରିଲେ ସଂକ୍ରମଣକୁ ରୋକାଯାଇପାରନ୍ତା। କେବଳ ଲକ୍‌ଡାଉନ୍‌ ଭାଇରସ୍‌ ସଂକ୍ରମଣରୁ ଆମକୁ ରକ୍ଷା କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri