ଲକ୍‌ଡାଉନ୍‌ ଓ ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳ

କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇମାସ ଧରି ଜାରି ରହିଥିବା ଲକ୍‌ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ, ଛୋଟ ଛୋଟ କୁଟୀର ଶିଳ୍ପ ସମସ୍ତଙ୍କ ଧନ୍ଦା ବନ୍ଦ। ଖାଇବାକୁ ନ ପାଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ବଡ଼ ବଡ଼ ଶିଳ୍ପକାରଖାନା ବି ସବୁ ବନ୍ଦ ପଡ଼ିଛି। ଦୀର୍ଘ ଦୁଇମାସ ହେବ ଶ୍ରମିକମାନଙ୍କ ହାତରେ କାମ ନାହିଁ। ରେଳ, ବସ୍‌ ଓ ସମସ୍ତ ପ୍ରକାର ଯାତାୟାତ ବ୍ୟବସ୍ଥା ବନ୍ଦ। ଘରକୁ ଫେରିବାକୁ ବି ଉପାୟ ନାହିଁ ପ୍ରବାସୀ ଶ୍ରମିକମାନଙ୍କ ପାଖରେ। ଲକ୍ଷ ଲକ୍ଷ ଶ୍ରମିକ ପୁଡ଼ାପୁଟୁଳି ବାନ୍ଧି ପିଲାଛୁଆଙ୍କୁ ଧରି ରାଜରାସ୍ତାରେ ଚାଲୁଛନ୍ତି। ଦେଶ ବିଭାଜନ ସମୟର ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି। ଦେଶର ଅର୍ଥନୀତି ପୂରା ନିଥର ପଡ଼ିଯାଇଛି। କରୋନା ଭୂତାଣୁ ଅପେକ୍ଷା ଲକ୍‌ଡାଉନ୍‌ ଲୋକମାନଙ୍କୁ ବେଶି ହଇରାଣରେ ପକେଇ ଦେଇଛି। ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ଉଜାଡ଼ି ଦେଇ ତାଙ୍କ ଅବସ୍ଥାକୁ ସଙ୍ଗିନ କରିଦେଇଛି ଲକ୍‌ଡାଉନ୍‌। ପ୍ରତିଦିନ ଏ ବିଷୟରେ ଅତ୍ୟନ୍ତ ଦୟନୀୟ ଘଟଣାମାନ ଶୁଣିବାକୁ ମିଳୁଛି ଗଣମାଧ୍ୟମରୁ।
କିନ୍ତୁ ଏହି ଲକ୍‌ଡାଉନ, ସହର ବଜାରଠାରୁ ଦୂରରେ ରହୁଥିବା ଆଦିବାସୀମାନଙ୍କୁ ବେଶି ପ୍ରଭାବିତ କରିପାରିନାହିଁ। ଓଲଟି ଏହି ଲକ୍‌ଡାଉନ୍‌ ସେମାନଙ୍କର ସଭ୍ୟତା ଓ ସଂସ୍କୃତିକୁ ପୁନଃସ୍ଥାପନା କରିବାରେ ଏକ ଆଶା ସଞ୍ଚାର କରିଛି ବୋଲି ସେମାନେ ବିଶ୍ୱାସ କରୁଛନ୍ତି। ଲକ୍‌ଡାଉନ୍‌ ଦେଶର ଅବଶିଷ୍ଟ ଅଞ୍ଚଳକୁ ଯେପରି ଭାବେ ଦୟନୀୟ ଅବସ୍ଥା ଭିତରକୁ ଠେଲି ଦେଇଛି, ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲା ମଧ୍ୟରେ ବ୍ୟାପ୍ତ ଥିବା ନିୟମଗିରି ପାହାଡ଼ରେ ରହୁଥିବା ଡଙ୍ଗରିଆ କନ୍ଧ ଓ ତା’ର ପାଦଦେଶରେ ରହୁଥିବା ତଳିଆ କନ୍ଧମାନଙ୍କ ଜୀବନକୁ ସେପରି ଭାବେ ପ୍ରଭାବିତ କରିପାରିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ଅର୍ଥନୀତି ଓ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ, ସେହି କନ୍ଧ ଆଦିବାସୀମାନେ ତାହାକୁ ଯୁଗ ଯୁଗ ଧରି କାମରେ ଲଗେଇ ଆସୁଛନ୍ତି ଓ ତା’ ଉପରେ ଜୀବନ ବଞ୍ଚୁଛନ୍ତି। ସେହି କନ୍ଧ ଆଦିବାସୀମାନେ ସ୍ଥାନୀୟତାର ଆଧାରରେ ଏକ ଆତ୍ମନିର୍ଭରଶୀଳ ବ୍ୟବସ୍ଥାରେ ପରସ୍ପରଙ୍କ ସହଯୋଗରେ ଏକ ଗୋଷ୍ଠୀଭିତ୍ତିକ ଜୀବନ ବଞ୍ଚୁଛନ୍ତି, ଯାହା ଆଜିର ସମୟରେ ଅନ୍ୟମାନଙ୍କ ପାଇଁ ଏକ ବତିଘର ସଦୃଶ।
ରାୟଗଡ଼ା ଜିଲାର ବିଷମ କଟକ ବ୍ଲକ୍‌ର ଟିକରପଡ଼ା ଗାଁର ଜଣେ ବୟସ୍କ କନ୍ଧ ଆଦିବାସୀ ରାଡ଼ିକା କୁହେ ଯେ, ଦୀର୍ଘ ଦିନ ହେଲାଣି ଲକ୍‌ଡାଉନ୍‌ ହୋଇଛି। ହେଲେ ଆମର ବେଶି କିଛି ଅସୁବିଧା ହୋଇନି। ଏହା ଭିତରେ ଆମକୁ କେବେ ବି ବଜାରକୁ ଯିବା ଭଳି ଆବଶ୍ୟକତା ପଡ଼ିନି। ଘରେ ଆମର ଅମଳ କରିଥିବା ଧାନ, ମାଣ୍ଡିଆ, କୋଶଳା, କାଙ୍ଗୁ ଅଛି, କାନ୍ଦୁଲ ଡାଲି ଅଛି, ଟୋଲ ତେଲ ଓ ରାଶି ତେଲ ବି ଅଛି। ଆମେ ଜଙ୍ଗଲରୁ ବରଡ଼ା ଶାଗ, ଗନ୍ଦିରି ଶାଗ, କନ୍ଦା, ବିଭିନ୍ନ ପ୍ରକାର କୋଳି ଓ ଫଳ ଆଦି ସଂଗ୍ରହ କରୁଛୁ ଓ ଖାଉଛୁ। ମୁଁ ଭାରି ଖୁସି ଯେ, ଏବେ ମୋ ପିଲାମାନେ ଅଯଥାରେ ସେ କୁର୍‌କୁରେ ଓ ମାଗି ଦିଗରେ ମନ ନ ବଳେଇ ଆମ ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ସ୍ବାତନ୍ତ୍ର୍ୟକୁ ଅନୁଭବ କରିପାରୁଛନ୍ତି। କେବଳ ଏଇ କରୋନା ଲକ୍‌ଡାଉନ୍‌ କ’ଣ, ବନ୍ୟା, ବାତ୍ୟା, ମରୁଡ଼ି ହେଲେ ବି ଆମର ସବୁ ଫସଲ ନଷ୍ଟ ହୋଇଯାଏ ନାହିଁ। କାରଣ ଆମେ ବିଭିନ୍ନ ପ୍ରକାର ଫସଲ ଯଥା ଶସ୍ୟ ଜାତୀୟ, ଡାଲି ଜାତୀୟ, ତୈଳବୀଜ, କନ୍ଦା, ପନିପରିବା ଆଦି ଏକାଧିକ କିସମର ଚାଷ କରିଥାଉ। ଗୋଟିଏ ନଷ୍ଟ ହେଲେ ଆଉ ଗୋଟିଏ ଅମଳ ହୋଇଯାଏ। ଯଦି ବି ଏମିତି କିଛି ପ୍ରାକୃତିକ ବିପର୍ଯ୍ୟୟରେ ସବୁକିଛି ନଷ୍ଟ ହୋଇଯାଏ, ତଥାପି ଆମ ପାଖରେ ଆମ ଜଙ୍ଗଲ ଅଛି। ସେଠାରୁ ଆମେ ବଞ୍ଚତ୍ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପାଇଯାଉ। ତା’ଛଡ଼ା ଆଜ୍ଞା, ଆମ ଗୋଷ୍ଠୀରେ ଆମେ କାହାକୁ ବି ଭୋକରେ ରହିବାକୁ ଦେଉନା। ଆମେ ସମସ୍ତେ ପରସ୍ପର ସହିତ ଆମ ଜିନିଷକୁ ବାଣ୍ଟିକୁଣ୍ଟି ଖାଉ। ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ଆମ ଗୋଷ୍ଠୀର ଦାୟିତ୍ୱ।
ପାଇକ ଡାକୁଲୁଗୁଡ଼ା ଗାଁର ଜଣେ ବୟସ୍କ କନ୍ଧ ମହିଳା ଆଲା ତୁଇକା କୁହନ୍ତି ଯେ, ଲକ୍‌ଡାଉନ୍‌ରେ ଆମକୁ ଟିକେ ବି ଅସୁବିଧା ହୋଇନି। ଆମେ ବେଶ୍‌ ହସଖୁସିରେ ଅଛୁ। ଆମର ବଞ୍ଚତ୍ବା ପାଇଁ ସବୁକିିଛି ଆମ ଘରେ ଅଛି ଓ ଯାହା ନାହଁି ତାହା ଆମକୁ ଆମ ଜଙ୍ଗଲ ଦେଉଛି। ଆମେ ଏବେ ଡଙ୍ଗର ଜମି କୋଡ଼ୁଛୁ। ଜୁନ୍‌ ମାସରେ ବିହନ ବୁଣିବୁ। କିନ୍ତୁ ଏହି ନୂଆ ରୋଗ କଥା ଶୁଣି ଆମେ ଟିକେ ଡରିଯାଇଛୁ। ଆମେ ଜାଣିଛୁ ଯେ, ଲୋକମାନେ ପ୍ରକୃତି ମା’ ପ୍ରତି ବେଶି ଅନ୍ୟାୟ କଲେ ବୋଲି ଏମିତି ସବୁ ନୂଆ ରୋଗ ଆସୁଛି। ପଦା ଦେଶର (ବାହାର) ଲୋକମାନେ ତ ନିଜ ଭାଇକୁ ବି ଭଲ ଆଖିରେ ଦେଖୁନାହାନ୍ତି। ଜଣେ ସେଇ ପାଖରେ ଖାଇବାକୁ ପାଉ ନ ଥିବା ବେଳେ ଆଉ ଜଣେ କେତେ କ’ଣ ଖାଉଛି। ସେ ପୁଣି ପ୍ରକୃତି ମା’ କଥା ବୁଝିବ କେମିତି! ବାହାରର ଲୋକମାନଙ୍କର ଲୋଭ ଓ ସମ୍ପତ୍ତି ଏକାଠି କରିବାର ମନୋବୃତ୍ତି ପ୍ରତି ଇଙ୍ଗିତ କରି କହୁଥିଲା ଆଲା। ଶୁଆ ହିକକା କୁହେ ଯେ, ଆମେ ପ୍ରକୃତି ମା’କୁ କେତେ କଷ୍ଟ ଦେଉଛୁ ବୋଲି ତା’ର ଫଳ ଭୋଗୁଛୁ। ଏ କରୋନା ବେମାରି ହିଁ ତା’ରି ଫଳ। ଆମର ଯେତିକି ଦରକାର ତା’ଠାରୁ ଅଧିକ ପ୍ରକୃତି ମା’ଠାରୁ ଶୋଷୁଛୁ। ମୁଁ ଭାବୁଛି, ଏହି ଲକ୍‌ଡାଉନ୍‌ ସେଇ ପଦାଦେଶର ଲୋକମାନଙ୍କୁ ଓ ଆମ କନ୍ଧ ଭେଣ୍ଡିଆମାନଙ୍କୁ (ଯେଉଁମାନେ ସେହି ସହରୀ ସଭ୍ୟତା ଦିଗରେ ମନ ବଳାଉଛନ୍ତି) ବି ଟିକେ ଭାବିବା ପାଇଁ ସୁଯୋଗ ଦେବ। ଆଲା ତୁଇକା ଆହୁରି କୁହେ ଯେ, କେବଳ ଗୋଟିଏ ଅସୁବିଧା ହେଉଛି, ଲକ୍‌ଡାଉନ୍‌ ଯୋଗୁ ଆମ ପଡ଼ିଶା ଗାଁର ଲୋକମାନେ ଆମ ଗାଁକୁ ଆସିପାରୁନାହାନ୍ତି। ଆମେ ଆମ ସମାଜର ଲୋକମାନଙ୍କ ସହିତ କଥାବାର୍ତ୍ତା କରିପାରୁନୁ। ବର୍ଷର ବାକି ସବୁ ସମୟରେ ଚାଷ କାମ ଥାଏ ବୋଲି ଏହି ସମୟରେ ଆମର ସବୁ ବାହାଘର ହୁଏ। ବନ୍ଧୁପରିଜନମାନେ ଆସନ୍ତି। ଆମେ ଦୁଃଖସୁଖ ହେଉ ଓ ବାହାଘର କାମ ବି ହୁଏ। ଏ ଲକ୍‌ଡାଉନ୍‌ ଯୋଗୁ ଆମର ସେସବୁ ଏବେ ବନ୍ଦ ହୋଇଯାଇଛି। ରାଡିକା ପୁଣି କୁହେ ଯେ, ଲକ୍‌ଡାଉନ୍‌ ଲୋକମାନଙ୍କୁ ଏକୁଟିଆ କରିଦେଇଛି। ଆମ ସମାଜରେ ଆମେ ସକାଳୁ ସଞ୍ଜ ଯାଏ ସବୁବେଳେ ମିଳିମିଶି ବଞ୍ଚୁ। ସକାଳୁ ସଲପ ପିଇବାଠୁ ଆରମ୍ଭ କରି, ଜଙ୍ଗଲ ଯିବା, ଜାଳେଣି କାଠ ସଂଗ୍ରହ କରିବା, ଗୋରୁ ଚରେଇବା, ଚାଷ ପାଇଁ ଜମି ସଜାଡ଼ିବା ଆଦି ସବୁକାମ ଆମେ ମିଳିମିଶି କରୁ। ସେ ଆହୁରି କୁହେ ଯେ, ଯାହା କେହି କରିପାରି ନ ଥିଲେ, ଏ କରୋନା ବେମାରି ଓ ଲକ୍‌ଡାଉନ୍‌ ତାହା କରିଦେଇଛି। ଆମ ଛୁଆମାନେ ଯେଉଁମାନଙ୍କ ମନ ଟିକିଏ ଏପଟ ସେପଟ ହେଉଥିଲା, ସେମାନେ ଏବେ ଅନୁଭବ କରିବାକୁ ଆରମ୍ଭ କରୁଛନ୍ତି ଯେ, ବଜାର ଧୋକା ଦେଇପାରେ କିନ୍ତୁ ଆମ ଜଙ୍ଗଲ କେବେ ଧୋକା ଦେବନି। ଏବେ ଆମ ଗାଁର ଭେଣ୍ଡିଆମାନେ ଜଙ୍ଗଲକୁ ଯିବା ଆରମ୍ଭ କଲେଣି ଓ ଆମ ସଭ୍ୟତା ସଂସ୍କୃତିର ମହତ୍ତ୍ୱକୁ ଅନୁଭବ କଲେଣି। ଏବେ ସେମାନଙ୍କର ଜଙ୍ଗଲ ସହିତ ଗୋଟେ ଭଲ ସମ୍ପର୍କ ହେବା ଆରମ୍ଭ ହେଲାଣି। ସେମାନେ ଆମ ଚିରସ୍ଥାୟୀ ବ୍ୟବସ୍ଥାକୁ ବୁଝିବା ଆମ ସମାଜ ପାଇଁ ବହୁତ ଭଲ। ଆମ ପରେ ସେମାନେ ଏହି ସମାଜର ଦାୟିତ୍ୱ ନେବେ।
କେବଳ ଆଲା, ରାଡ଼ିକା କି ଶୁଆମାନଙ୍କର କଥା ଇଏ ନୁହେଁ। ପ୍ରତ୍ୟେକ ଆଦିବାସୀ ଗାଁ ଯେଉଁଠି ବାହାରର ସଂସ୍କୃତି ପଶିପାରି ନାହିଁ, ସମସ୍ତଙ୍କର ମନର କଥା ଇଏ। ଆଜି ଲକ୍‌ଡାଉନ୍‌ ସମୟରେ ପୁଣି ଥରେ ପ୍ରମାଣିତ ହୋଇଗଲା, ଆମ ପାଖରେ ଆମ ଆଦିବାସୀ ଭାଇଭଉଣୀମାନଙ୍କର ଏମିତି ଏକ ବ୍ୟବସ୍ଥା ଅଛି, ଯାହା ଆଜିର ଆତ୍ମଘାତୀ ବଜାରବାଦୀ ବ୍ୟବସ୍ଥାର ଏକ ବିକଳ୍ପ ହୋଇପାରିବ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର,
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri