ରୋହିତଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଫେଭରାଇଟ୍‌ ବିବେଚିତ ହେଉଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୩୮ତମ ମ୍ୟାଚ୍‌ରେ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିବା ସହ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ଭାରତର ଏହି ପରାଜୟ ପାକିସ୍ତାନର ଚିନ୍ତା ବଢ଼ାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ଉଇକେଟ ହରାଇ ୩୩୭ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୦୬ ରନ କରି ପରାସ୍ତ ହୋଇଛି। ।ଇଂଲଣ୍ଡ ଏଥିସହିତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୩ ପରାଜୟ ସହ ୧୦ ପଏଣ୍ଟ ପାଇ ପାକିସ୍ତାନକୁ ହଟାଇ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପଟେ ଭାରତ ୭ଟି ମ୍ୟାଚ୍‌ ଖେଳି ୫ ବିଜୟ, ୧ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ତାଲିକାରେ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି। ୧୧୧ରନର ଶତକୀୟ ପାଳି ଖେଳିଥିବା ଇଂଲଣ୍ଡ ଓପନର ଜନ୍ନି ବେୟାରଷ୍ଟୋ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମଙ୍ଗଳବାର ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।
୩୩୮ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି ଭାରତ ଓପନର ଲୋକେଶ ରାହୁଲଙ୍କୁ ହରାଇ ଆରମ୍ଭରୁ ଝଟ୍‌କା ଖାଇଥିଲା। ଫିଲ୍ଡିଂ କଲାବେଳେ ଆହତ ହୋଇଥିବା ରାହୁଲ ୯ଟି ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲି ନ ପାରି କ୍ରିସ୍‌ ଓ୍ବକ୍ସଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପ୍ରଥମ ଉଇକେଟ ତାରକା ଓପନର ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଦେଖି ଚାହିଁ ବ୍ୟାଟିଂ କରିଥିଲେ ଓ ୧୫୪ ବଲରୁ ୧୩୮ ରନ କରି ସ୍ଥିତି ସମ୍ଭାଳିଥିଲେ। ତେବେ କୋହଲି ୭୬ ବଲରୁ ୭ ଚୌକା ସହ ୬୬ ରନକରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଲିଅମ ପ୍ଲଙ୍କେଟଙ୍କ ଲେନ୍ଥ ବଲ୍‌କୁ ଷ୍ଟିୟର କରିବାକୁ ଯାଇ ବ୍ୟାକ୍‌ଓ୍ବାର୍ଡ ପଏଣ୍ଟରେ ବଦଳ ଖେଳାଳି ଜେମ୍ସ ଭିନ୍ସଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରୋହିତ ଶର୍ମା ୧୦୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୦୨ ରନର ଶତକୀୟ ପାଳି ଖେଳି ଓ୍ବକ୍ସଙ୍କ ବଲ୍‌ରେ ଉଇକେଟକିପର ବଟଲରଙ୍କ ହାତରେ ଧରା ପଡିଥିଲେ। ସେ ଥାର୍ଡମ୍ୟାନ ଉପରେ ଦେଇ ମାରିବାକୁ ଚେଷ୍ଟା କରିଥିଲେ। ତେବେ ବଲ ବ୍ୟାଟ୍‌ର ଏଜ୍‌ ନେଇଥିଲା। ଏଥିସହିତ ବିଶ୍ୱକପ୍‌ରେ ରୋହିତ ତାଙ୍କର ତୃତୀୟ ଓ କ୍ୟାରିୟରର ୨୫ତମ ଦିନିକିଆ ଶତକ ହାସଲ କରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ପୂର୍ବରୁ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍‌ରେ ୩ଟି ଶତକ ଅର୍ଜନ କରି ରେକର୍ଡ କରିଥିଲେ। ଏହାପୂର୍ବରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୨୨ ଓ ପାକିସ୍ତାନ ବିପକ୍ଷରେ ୧୪୦ରନର ଶତକୀୟ ପାଳି ଖେଳିଥିଲେ। ଏହାପରେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ନବାଗତ ରିଷଭ ପନ୍ତ ୨୯ ବଲରୁ ୪ ଚୌକା ସହ ୩୨ ରନ କରି ପ୍ଲଙ୍କେଟଙ୍କ ବଲ୍‌ରେ ଜୋରଦାର ଶଟ୍‌ ଖେଳିବାକୁ ଯାଇ ସ୍କୋୟାର ଲେଗ୍‌ ବାଉଣ୍ଡାରୀହରେ ଓ୍ବକ୍ସଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ୩୩ ବଲରୁ ୪୧ ରନ ସଂଗ୍ରହ କରିଥିଲେ। ତେବେ ପାଣ୍ଡ୍ୟା ୩୩ ବଲରୁ ୪ ଚୌକା ସହ ୪୫ ରନ କରିଥିବା ବେଳେ ଛକା ମାରିବାକୁ ଯାଇ ପ୍ଲଙ୍କେଟଙ୍କ ବଲ୍‌ରେ ଭିନ୍ସଙ୍କୁ ଲଙ୍ଗ୍‌ଅନ୍‌ରେ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଧୋନୀ ୩୧ ବଲରୁ ୪ ଚୌକା ଓ ୧ ଛକା ସହ ୪୨, କେଦାର ଯାଦବ ୧୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ପ୍ଲଙ୍କେଟ ୩ ଓ ଓ୍ବକ୍ସ ୨ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଘରୋଇ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ଇଞ୍ଜୁରି କାରଣରୁ ୪ଟି ମ୍ୟାଚ୍‌ରୁ ବାଦ୍‌ ପଡିଥିବା ଜାସନ ରୟ ଏହି ମୁକାବିଲାରେ ପ୍ରତ୍ୟାବର୍ତ୍ତନ କରି ଦମ୍‌ ଦେଖାଇଛନ୍ତି। ଓପନିଂ ଯୋଡିରେ ରୟ ଓ ଜନ୍ନି ବେୟାରଷ୍ଟୋ ୧୩୩ ବଲରୁ ୧୬୦ ରନ ସଂଗ୍ରହ କରି ଦଳକୁ ଜବରଦସ୍ତ ଆରମ୍ଭ ପ୍ରଦାନ କରିଥିଲେ ଓ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ତେବେ ରୟ ୫୭ଟି ବଲ୍‌ ଖେଳି ୭ ଚୌକା ଓ ୨ ଛକା ସହ ଦ୍ରୂତ ୬୬ ରନ କରି ଚାଇନାମ୍ୟାନ କୁଲଦୀପଙ୍କ ବଲରେ ବଦଳ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଲଙ୍ଗ୍‌ ଅନ୍‌ରେ ଜାଡେଜା ଏହି ଅବିଶ୍ୱସନୀୟ କ୍ୟାଚ୍‌ ନେଇଥିଲେ ଓ ଭାରତକୁ ବ୍ରେକ୍‌ ଥ୍ରୁ ମିଳିଥିଲା। ଏହାପରେ ବେୟାରଷ୍ଟୋ ୧୦୯ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୬ ଛକା ସହ ୧୧୧ ରନର ଶତକୀୟ ପାଳି ଖେଳି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବଲ୍‌କୁ ଘୁରାଇ ମାରିବାକୁ ପ୍ରୟାସ କରିଥିଲେ। ତେବେ ବଲ୍‌ ଠିକ୍‌ଭାବେ ବାଉନ୍ସ କରି ନ ଥିବାରୁ ଡିପ୍‌ ପଏଣ୍ଟରେ ରିଷଭ ପନ୍ତ କ୍ୟାଚ୍‌ ନେଇ ତାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଏଥିସହ ବେୟାରଷ୍ଟୋ କ୍ୟାରିୟରର ଅଷ୍ଟମ ଦିନିକିଆ ଶତକ ହାସଲ କରିଥିଲେ। ଏକଦା ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୨୦୫ ରନ କରି ବେଶ୍‌ ଦୃଢ ସ୍ଥିତିରେ ଥିଲା ଆହୁରି ବଡ଼ ସ୍କୋର ହାସଲ କରିବ ବୋଲି ଆଶା କରାଯାଉଥିଲା ତେବେ ଏହି ସ୍କୋରରେ ବେୟାରଷ୍ଟୋ ଆଉଟ ହେବା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ସାମି ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ କୌଣସି ସୁଯୋଗ ନ ଦେଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଧିପତ୍ୟ ବିସ୍ତାରକରି ଖେଳିଥିଲେ। ଇନ୍‌ ଫର୍ମ ଜୋ ରୁଟ୍‌ ୫୪ଟି ବଲ୍‌ ଖେଳି ୨ ଚୌକା ସହ ୪୪ ରନ କରିଥିବା ବେଳେ ଫାଇନା ଲେଗ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଚତୁର୍ଥ ଉଇକେଟ ଯୋଡିରେ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସ ୬୩ ବଲରୁ ୭୦ ରନ ସଂଗ୍ରହ କରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଯାଇ ୧ ଚୌକା ଓ ୨ ଛକା ସହ ୮ ବଲରୁ ୨୦ ରନ କରି ସାମିଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ମାତ୍ର ୭ ରନ କରିଥିବା ବେଳେ ସାମିଙ୍କ ପଞ୍ଚମ ଶିକାର ହୋଇଥିଲେ। ସଶେଷରେ ଷ୍ଟୋକ୍ସଙ୍କ ପାଳି ପଡିଥିଲା। ଇନିଂସର ୨ଟି ବଲ୍‌ ବାକିଥିବା ବେଳେ ଷ୍ଟୋକ୍ସ ୬ ଚୌକା ଓ ୩ ଛକା ସହ ୫୪ ବଲରୁ ୭୯ ରନ କରିଥିବା ବେଳେ ଡେଥ୍‌ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ସିଧାସଳଖ ଫାଇନ ଲେଗ୍‌ରେ ଜାଡେଜାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଲିଅମ ପ୍ଲଙ୍କେଟ ୧ ଓ ଜୋଫ୍ରା ଆର୍ଚର ବିନା ସ୍କୋରରେ ଅପରାଜିତ ରହିଥିଲେ। ବୁମ୍‌ରା ଏକମାତ୍ର ବୋଲର ଭାବେ କଞ୍ଜୁସ୍‌ ବୋଲିଂ କରିଥିଲେ। ଗୋଟିଏ ମେଡେନ ନେବା ସହ ସେ ୪୪ ରନ ବ୍ୟୟ କରିଥିଲେ। ବୋଲିଂରେ ସାମି ସର୍ବାଧିକ ୫, ବୁମ୍‌ରା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri