ରାସ୍ତା ଭାଙ୍ଗୁଛି ରାସ୍ତାର ନିୟମ

ତୁଷାରକାନ୍ତ
ସମ୍ପ୍ରତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ନୂଆ କମିଶନର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ଦିଗରେ ଖୁବ୍‌ ଯତ୍ନବାନ୍‌ ହେଉଛନ୍ତି। ତେବେ ନିୟମ ମାନିବାକୁ ପ୍ରସ୍ତୁତ ନ ଥିବା ଜନସାଧାରଣ ଏ ଦିଗରେ କେତେଦୂର ସହଯୋଗ କରିବେ, ତାହା ସଂଶୟର ବିଷୟ। ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ସାଧାରଣତଃ ନିମ୍ନରେ ବର୍ଣ୍ଣିତ କାରଣଗୁଡ଼ିକ ଯୋଗୁ ହୋଇଥାଏ।
ଇଂଲିଶ ଭାଷାର ‘T’ ଅକ୍ଷର ଭଳି ଛକଗୁଡ଼ିକରେ ଗୋଟିଏ ପଟର ରାସ୍ତାରେ ସବୁବେଳେ ଗାଡ଼ି ଚାଲିବାକୁ ଅନୁମତି ଦିଆଯାଇଥାଏ। ଯେଉଁ ପଥଚାରୀମାନେ ସେହି ପଟେ ଚାଲିକରି ଆସିବାକୁ ଚାହାନ୍ତି ସେମାନେ ଭାରି ହଇରାଣ ହୁଅନ୍ତି। ଏଣୁ ‘T’ Square ଗୁଡ଼ିକରେ ପଥଚାରୀମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯିବା ଦରକାର। ପଥଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଜେବ୍ରାକ୍ରସ୍‌’ରେ ସବୁବେଳେ ଗାଡ଼ିଗୁଡ଼ିକ ଭଁ ଭଁ ହୋଇ ଇଞ୍ଜିନ ଚଳନ୍ତି ଅବସ୍ଥାରେ ଆଗପଛ ହେଉଥାନ୍ତି, ଯେଉଁଥିପାଇଁ ପଥଚାରୀମାନେ ରାସ୍ତା ପାରିହେବାକୁ ଅସୁବିଧାରେ ପଡ଼ନ୍ତି, ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ଲଭନ୍ତି। ଅନେକ ଜେବ୍ରାକ୍ରସ୍‌ରେ ଜଣେ ପଥଚାରୀ ଗୋଟିଏ ପଟର ରାସ୍ତା ପାରିହେବା ପରେ ହଠାତ୍‌ ଉଚ୍ଚା ଉଚ୍ଚା ଲୁହାବାଡ଼ର ସମ୍ମୁଖୀନ ହୁଅନ୍ତି ଓ ଅନ୍ୟପଟକୁ ଯିବାକୁ ସୁଯୋଗ ନ ଥାଏ, ଯଥା ରବୀନ୍ଦ୍ରମଣ୍ଡପ ପାଖ ଜେବ୍ରାକ୍ରସ୍‌। ପଥଚଲା ରାସ୍ତାଗୁଡ଼ିକରେ ସାଇକେଲ୍‌, ମୋଟରସାଇକେଲ, କାର୍‌ ଇତ୍ୟାଦି ଯିବା ସମ୍ପୂର୍ଣ୍ଣ ରୂପେ ବେଆଇନ ଓ ସେଥିପାଇଁ ଆର୍ଥିକ ଦଣ୍ଡର ବ୍ୟବସ୍ଥା ଅଛି। ଏହା ସତ୍ତ୍ୱେ ସେଗୁଡ଼ିକ ଗାଡ଼ି ପାର୍କିଂ ତଥା ଗାଡ଼ିର ଯାତାୟାତ ପାଇଁ ବ୍ୟବହୃତ ହେବା ଏକ ସାଧାରଣ ଘଟଣା। ଆମ ରାଜଧାନୀରେ ଟାଉନ୍‌ବସ୍‌ରେ ଯାତ୍ରୀମାନେ ଯିବା ପାଇଁ କେତେକ ରାସ୍ତାର ଭିତରପଟକୁ Bus-Bayମାନ ତିଆରି ହୋଇଛି, ଯେଉଁଠି ବସ୍‌, ଅଟୋ ଇତ୍ୟାଦିରେ ଲୋକେ ଉଠିବା କଥା। ଅଥଚ ଭୁଲରେ ସୁଦ୍ଧା ଟାଉନ୍‌ବସ୍‌, ଅଟୋ ଇତ୍ୟାଦି ସେଠାକୁ ପଶନ୍ତି ନାହିଁ। ସେଗୁଡ଼ିକ ସ୍ଥାନୀୟ ଜନତା/ବ୍ୟବସାୟୀମାନଙ୍କ ଗାଡ଼ି ରଖା ସ୍ଥାନ ରୂପେ ବ୍ୟବହୃତ ହୁଏ। ଦୁଇଚକିଆ ଗାଡ଼ି ଚଲାଇଲା ବେଳେ ମୋବାଇଲ୍‌ ଫୋନ୍‌ର ନମ୍ବର ଦବେଇବା ଓ କଥା ହେବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଅଥଚ ଏହା ଅବିଚାରିତ ଭାବେ ଚାଲୁ ରହିଛି। ବଡ଼ ବଡ଼ ଗାଡ଼ିର ମାଲିକମାନେ ଗାଡ଼ି ଚଲାଉଥିବା ବେଳେ ମୋବାଇଲ୍‌ ଫୋନ୍‌ରେ କଥା ହେବା ଓ ସିଟ୍‌ ବେଲ୍‌ଟ ନ ପିନ୍ଧିବା ଏକ ମାମୁଲି କଥା।
ନିୟମ ଅନୁଯାୟୀ ଯଦି ଜଣେ ରାସ୍ତା ବଦଳାଇ ଅପର ପଟ ରାସ୍ତାକୁ ଯିବା କଥା, ତା’ହେଲେ ବାମ କଡ଼ ରାସ୍ତାରେ ଯାଇ, ନିର୍ଦ୍ଧାରିତ ଛକରେ ବୁଲି ସେଠାକୁ ଯିବା କଥା। ଧରାଯାଉ ସଚିିବାଳୟ ପଛ ଓ ରାଜୀବ ଭବନ ମଝି ରାସ୍ତାରୁ ଯଦି ଜଣଙ୍କୁ ଭୁବନେଶ୍ୱର କ୍ଲବ୍‌କୁ ଯିବାକୁ ଅଛି, ତା’ହେଲେ ନିୟମ ମୁତାବକ ସେ ଏ.ଜି. ଛକକୁ ଆସି, ସେଠି ଡାହାଣ କଡ଼କୁ ବୁଲି, ବାମପଟେ ସେହି କ୍ଲବ୍‌କୁ ଯିବା କଥା। କିନ୍ତୁ ପ୍ରାୟ ଗାଡ଼ି ଓ ବଡ଼ବଡ଼ିଆଙ୍କ ଗାଡ଼ି ସେହି ରାସ୍ତାର ଶେଷରେ ଥିବା କଟ୍‌ରେ ପଶି, ଡାହାଣକଡ଼ ରାସ୍ତାରେ ଯାଇ କ୍ଲବରେ ପଶନ୍ତି, ଯଦ୍ଦ୍ବାରା କି ଏଜି ଛକରୁ ରାଜଭବନ ଛକକୁ ଯାଉଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଯିଏ ଯେଉଁଠି ପାରିଲେ ଗାଡ଼ି ବୁଲେଇ, ଭୁଲ୍‌ ରାସ୍ତାରେ ଯିବା ପ୍ରତ୍ୟେକ ମୁହୂର୍ତ୍ତର ଓ ପ୍ରତ୍ୟେକ ଇଞ୍ଚ ସ୍ଥାନର ବାସ୍ତବତା। ଟ୍ରାଫିକ୍‌ ଛକରେ ଟ୍ରାଫିକ୍‌ ପୋଲିସବାବୁ ଗୋଟିଏ ରାସ୍ତାର ଗତାଗତକୁ ବନ୍ଦ କରି, ଅନ୍ୟ ରାସ୍ତାର ଲୋକଙ୍କୁ ଯିବାକୁ ନିର୍ଦ୍ଦେଶ ଦେଉ ଦେଉ ବନ୍ଦ ରାସ୍ତାର ଅପେକ୍ଷାରତ ଗାଡ଼ି ଭିତରୁ କିଛି ଗାଡ଼ି ସାଏଁ କରି ପଳେଇବା ଏକ ଚିରାଚରିତ ଘଟଣା। ଯଦି ହେଲମେଟ୍‌ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ନ୍ତା ନାହିଁ, ତା’ହେଲେ ୧-୨%ଙ୍କୁ ଛାଡ଼ି ଆଉ କେହି ପିନ୍ଧନ୍ତେ ନାହିଁ। ଚାଳକମାନେ ହେଲମେଟ୍‌ ନ ପିନ୍ଧି ତାହାକୁ ପଛରେ ବସିଥିବା ନିଜର ସହଧର୍ମିଣୀ/ବାପାମାନଙ୍କୁ ଧରେଇବା ତଥା ସେମାନେ ବିନା ଆପତ୍ତିରେ ଧରିବା ଦେହରେ ନ ଯିବାରୁ, ୨/୩ ଥର ଏ ବାବଦରେ ସେମାନଙ୍କୁ ସେଇ କଥା କହିଥିଲି ଓ ‘ହଉ ବାବୁ, ନିଜ ରାସ୍ତା ଦେଖ’ ଟାପରା ଶୁଣିବାକୁ ପଡ଼ିଥିଲା। କେତେକ ସ୍ଥାନରେ ଦୁଇଟିକିଆ ରାସ୍ତାରେ ଥିବା ମଝି ଡିଭାଇଡର୍‌ରେ ଗଛ ଲଗାଯାଇଛି, ଯାହାର ଡାଳଗୁଡ଼ିକ ରାସ୍ତାକୁ ଝାମ୍ପି ରହୁଛି। ସେଥିଯୋଗୁ ରାସ୍ତା ବଦଳାଇବାକୁ ଥିବା କଟ୍‌ରେ ବୁଲିଲା ବେଳକୁ ଅନ୍ୟ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକ ଦୃଷ୍ଟିଗୋଚର ହେଉ ନାହିଁ ଓ ଧକ୍କା ହେଉଛି। ଏଭଳି କେତେକ ସ୍ଥାନ ଅଛି, ଯେଉଁଠି ନିୟମ ଭଙ୍ଗ ନ କଲେ ନ ଚଳେ, ଯଥା: ରୂପାଲି ଛକରୁ ଆସି ବାଣୀବିହାର ଛକଠାରୁ ବାଣୀବିହାର ଭିତରକୁ ଯିବା କଥା। ଏଥିପାଇଁ ଜଣଙ୍କୁ ଆଚାର୍ଯ୍ୟବିହାର ଦେଇ ଆସିବାକୁ ପଡ଼େ, ଯାହା ପାଳନ କରାଯିବା ସମ୍ଭବପର ହୁଏନି ଓ ଲୋକେ ଛକର ଫ୍ଲାଏ ଓଭର ତଳ ଦେଇ ଡାହାଣ କଡ଼ ରାସ୍ତାରେ ଯାଇ ବାଣୀବିହାର ଭିତରେ ପଶିଥାନ୍ତି। ଛକଗୁଡ଼ିକରେ ବାମକଡ଼ ରାସ୍ତାକୁ ବୁଲିବା ପାଇଁ ନିଷିଦ୍ଧ କରାଯାଇ ନାଲିବତି ଜଳୁଥିଲେ ମଧ୍ୟ ତାହା କଦାପି ପାଳିତ ହୁଏନାହିଁ। ଭୁବନେଶ୍ୱର ସିଆର୍‌ପି, ବାଣୀବିହାର ଛକ ତଥା କଟକର ମଧୁପାଟଣା ଛକରେ ବସ୍‌ଗୁଡ଼ିକ ବହୁ ସମୟ ରହି ଯାତ୍ରୀ ଉଠାନ୍ତି। ଫଳରେ ଟ୍ରାଫିକ୍‌ ଚଳନରେ ଅବ୍ୟବସ୍ଥା ସୃଷ୍ଟିହୁଏ।
ରାସ୍ତା ବଦଳେଇବା ପାଇଁ ଏପରି କିଛି କଟ୍‌ ରହିଛି ଯେଉଁଠିକି ଅଳ୍ପ କିଛି ବାଟ ଡାହାଣ କଡ଼ରେ ଯିବାକୁ ପଡ଼ିଥାଏ। ସର୍ଦ୍ଦାର ପଟେଲ ମାର୍ଗରେ ଦୁଇ ଏ.ଜି. କଲୋନୀ ମଧ୍ୟରେ ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ଥିବା କଟ୍‌ଟି ସେହି ଦୁଇ କଲୋନୀର ପ୍ରବେଶଦ୍ୱାର ସିଧାରେ ନ ରହି ଟିକେ ମନ୍ଦିର ଆଡ଼କୁ ଅଛି, ଯଦ୍ଦ୍ବାରା ଲୋକେ ରାସ୍ତା ବଦଳେଇବାକୁ କିଛି ବାଟ ଡାହାଣ ପଟେ ବାଧ୍ୟରେ ଯାଉଛନ୍ତି। ଏହିସବୁ ଅବ୍ୟବସ୍ଥା ସମ୍ପର୍କରେ ପୋଲିସ ବିଭାଗ ଓ କମିଶନରଙ୍କୁ ଭେଟି ଜଣାଇଥିଲେ ମଧ୍ୟ ଫଳ କିଛି ହୋଇନାହିଁ। ନୂଆ ପୋଲିସ କମିଶନରଙ୍କଠାରୁ ଅନ୍ତତଃ ଏଦିଗରେ ଆଖିଦୃଶିଆ ପ୍ରତିକାର ଆମେ ଆଶାକରିପାରିବା।
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri