ରହସ୍ୟମୟ କରୋନା

ବୈକୁଣ୍ଠନାଥ ମିଶ୍ର

ପୃଥିବୀରେ ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁଆଜି ପର୍ଯ୍ୟନ୍ତ ବିଶ୍ୱବାସୀଙ୍କୁ ନାନା ବିପତ୍ତିର ସମ୍ମୁଖୀନ ହେବାକୁ ପଡିଛି। ବିପତ୍ତିମାନଙ୍କର ସୃଷ୍ଟି ଓ ସ୍ଥିତିକୁ ଦେଖି ଏହାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ଯଥା ଦୈବୀକୃତ ଓ ମାନବକୃତ। ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଭୂକମ୍ପ ଓ ମହାମାରୀ ଇତ୍ୟାଦି ଦୈବୀକୃତ ହୋଇଥିବାବେଳେ ଯୁଦ୍ଧ, ଗୋଷ୍ଠୀ ସଂଘର୍ଷ, ଧାର୍ମିକ ବିଦ୍ୱେଷ ଜନିତ ଗଣହତ୍ୟା ଓ ସନ୍ତ୍ରାସବାଦୀ ଆକ୍ରମଣ ସାଧାରଣତଃ ମାନବକୃତ ବୋଲି ବିବେଚିତ ହୁଏ। ସେ ଦୈବୀକୃତ ହେଉ ଅବା ମାନବକୃତ ବିପର୍ଯ୍ୟୟ ଯେ ମାନବ ସଭ୍ୟତା ପ୍ରତି ଏକ ବୃହତ୍‌ ଆହ୍ବାନ, ଏଥିରେ ଦ୍ୱିମତ ନାହିଁ। କୌଣସି ନା କୌଣସି ରୋଗ ଅନେକ ସମୟରେ ମହାମାରୀର ରୂପଧାରଣ କରି ହଜାର ହଜାର ଲୋକଙ୍କୁ ମୃତ୍ୟୁର ଶୀତଳ କୋଳକୁ ଟାଣିନିଏ। ରୋଗ ଦୈବୀକୃତ ହେଲେ ମଧ୍ୟ ଏହାର ବ୍ୟାପ୍ତି ଓ ପ୍ରସାର ପଛରେ ଲୁଚିଥାଏ ବିଶୃଙ୍ଖଳିତ ମାନବୀୟ ଆଚରଣ। ଖାଦ୍ୟ ପେୟରେ ଅସଂଯମତା, ନିତ୍ୟ ନୈମିତ୍ତିକ କର୍ମ ସମ୍ପାଦନରେ ନୀତିହୀନତା, ଗୁଜବ, ଅପପ୍ରଚାର ଓ ଅନ୍ଧିବିଶ୍ୱାସରେ ଗଭୀର ଆସ୍ଥା ସ୍ଥାପନ ଇତ୍ୟାଦି। ଏହି ପର୍ଯ୍ୟାୟରେ କେତୋଟି ରୋଗ ହେଲା ୧୯୧୮ର ସ୍ପାନିଶ୍‌ ଫ୍ଲୁ, ଯେଉଁଥିରେ ମୃତ୍ୟୁସଂଖ୍ୟା ୪ କୋଟିରୁ ଊର୍ଦ୍ଧ୍ୱ। ୧୯୫୭ର ଏସିଆନ୍‌ ଫ୍ଲୁ ଯେଉଁଥିରେ ମୃତ୍ୟୁସଂଖ୍ୟା ପ୍ରାୟ ୧୫ ଲକ୍ଷ। ଏତଦ୍‌ବ୍ୟତୀତ ଇବୋଲା, ଏଚ୍‌ଆଇଭି, ସାର୍ସ ଓ ସ୍ବାଇନଫ୍ଲୁ ଏବଂ କରୋନା। ଏସବୁ ରୋଗ ମଧ୍ୟରୁ କୌଣସି ଗୋଟିଏ ବି ଭାରତରୁ ସୃଷ୍ଟ ନୁହନ୍ତି।
ମନୁଷ୍ୟ ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ସ୍ବତନ୍ତ୍ର। ସୃଷ୍ଟିକର୍ତ୍ତା କେବଳ ମନୁଷ୍ୟକୁ ବୁଦ୍ଧି, ଜ୍ଞାନ ଓ ବିବେକରେ ସ୍ବତନ୍ତ୍ର କରିନାହାନ୍ତି, ବରଂ ଶାରୀରିକ ଗଠନକୁ ମଧ୍ୟ ଅନ୍ୟଠାରୁ ପୃଥକ କରିଛନ୍ତି। ଅନ୍ୟ ସବୁ ପ୍ରାଣୀଙ୍କର ଶରୀର ଭୂମିସହ ସମାନ୍ତର ଭାବେ ଦଣ୍ଡାୟମାନ ଥିବାବେଳେ ମଣିଷ ଶରୀର ଆଲମ୍ବ ଭାବେ ଊର୍ଦ୍ଧ୍ୱାୟିତ। ପ୍ରକୃତି ମଣିଷକୁ ଶାକାହାରୀ ଭାବେ ଗଢ଼ି ତୋଳିଛି। ଆମିଷାଶୀ ପ୍ରାଣୀମାନେ ଜିହ୍ବା ସାହାଯ୍ୟରେ ଜଳପାନ କରୁଥିବାବେଳେ ମଣିଷ ପାଟିରେ ସିଧାସଳଖ ଜଳ ପାନ କରେ। ଆମିଷାଶୀ ପ୍ରାଣୀଙ୍କର ଉଭୟ ପାଟିରେ ଥିବା ଦୁଇଟି ବକ୍ରଦାନ୍ତ ମାଂସ ଛିଣ୍ଡାଇ ଖାଇବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ମଣିଷର ଦାନ୍ତର ଗଠନ ଅନୁସାରେ ସେ ନିରାମିଷାଶୀ ଶ୍ରେଣୀଭୁକ୍ତ ଜୀବ। ଆମିଷ ପୁଣି ପଶୁପକ୍ଷୀଙ୍କ କଞ୍ଚାମାଂସ ଭକ୍ଷଣ, ହୁଏତ ପ୍ରାକ୍‌ ଐତିହାସିକ ଯୁଗରେ ଆଦିମ ମଣିଷଠାରେ ଦୃଶ୍ୟ ହେଉଥିଲା। କିନ୍ତୁ ଅଗ୍ନିଦଗ୍ଧ ଜୀବ ମାଂସର ସ୍ବାଦୁ ଚାଖିଲା ପରେ କଞ୍ଚାମାଂସ ପ୍ରତି ସେ ବିତୃଷ୍ଣା ହେଲା। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଏବଂ ବିଶ୍ୱାସ କରିବାକୁ କଷ୍ଟ ହୁଏ ଯେ, ଆଜିର ଏକବିଂଶ ଶତାବ୍ଦୀରେ ନିଜକୁ ସଭ୍ୟ ଓ ଉନ୍ନତ ରାଷ୍ଟ୍ରର ଡିଣ୍ଡିମ ପିଟୁଥିବା ଚାଇନାରେ କଞ୍ଚାମାଂସ ଭକ୍ଷଣ ଏକ ସାଧାରଣ ଅଭ୍ୟାସ। ସମ୍ପ୍ରତି ବିଶ୍ୱରେ ଆତଙ୍କ ସୃଷ୍ଟିକରି ଥିବା ‘କରୋନା’ ଏକ ଭୂତାଣୁଜନିତ ରୋଗ, ଯାହା ବାଦୁଡ଼ି, ବଜ୍ରକାପ୍ତା ଭଳି ଜୀବମାନଙ୍କର କଞ୍ଚାମାଂସ ଭକ୍ଷଣର ପ୍ରତିଫଳନ ବୋଲି କୁହାଯାଉଛି। ଚାଇନାର ଉହାନ ପ୍ରଦେଶରେ ପ୍ରଥମେ ଏ ରୋଗ ମାନବ ଶରୀରରେ ପ୍ରକାଶିତ ହେଲା। ଉହାନର ଜଣେ ବରିଷ୍ଠ ଡାକ୍ତର ‘ଲିଓ୍ବାନା ଲିଆଙ୍ଗ୍‌’କରୋନା ଭୂତାଣୁକୁ ୨୦୧୯ ଡିସେମ୍ବର ୨୧ ତାରିଖରେ ଚିହ୍ନଟ କଲେ। କିନ୍ତୁ ଚାଇନା ସରକାର ତାଙ୍କୁ ବିଶ୍ୱାସ ନ କରି ଜଣେ ମିଥ୍ୟାବାଦୀ, ଗୁଜବ ସୃଷ୍ଟିକାରୀ ଓ ଆତଙ୍କ ସୃଷ୍ଟିକାରୀ ଭାବେ ଅଭିହିତ କରି ତାଙ୍କୁ କାରାରୁଦ୍ଧ କଲେ। ସେହି ପ୍ରସିଦ୍ଧ ଡାକ୍ତର ଜଣକ ଆଉ ଇହଧାମରେ ନାହାନ୍ତି। କରୋନାର କରାଳ କବଳରେ କବଳିତ ହୋଇ ସେ ମୃତ୍ୟୁବରଣ କଲେ। ଶୁଣାଯାଏ ଡାକ୍ତର ଲିଓ୍ବାନା କେବଳ ଏହି ଭୂତାଣୁକୁ ଠାବ କରି ନ ଥିଲେ ବରଂ ଏହି ରୋଗର ପ୍ରତିକାର ଓ ପ୍ରତିଷେଧକର ଉପାୟ ମଧ୍ୟ ଚିନ୍ତା କରିଥିଲେ। ହୁଏତ ସେ ଯଦି ଜୀବିତ ଥାନ୍ତେ ତେବେ କରୋନାର ବ୍ୟାପ୍ତିକୁ ରୋକିବା ସହଜ ସାଧ୍ୟ ହୋଇଥାନ୍ତା।
ସମଗ୍ର ବିଶ୍ୱ ଦୃଷ୍ଟିରେ ଚାଇନା ଏହି ଦୁଃଖଦ ମହାମାରୀ କରୋନା ନାଟକର ଖଳନାୟକ। ଆଶ୍ଚର୍ଯ୍ୟର କଥା ଯେ, ଚାଇନାର ଏକ ସୀମିତ ପରିସୀମା ମଧ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିଛି। କିନ୍ତୁ ୟୁରୋପ ଓ ଆମେରିକାରେ ଏହା ପ୍ରଳୟ ସୃଷ୍ଟି କରିଛି। ଆମେରିକା ଭଳି ଉନ୍ନତ ଓ ଶକ୍ତିଶାଳୀ ରାଷ୍ଟ୍ରର ଅହଂକାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ସ୍ବୟଂ ବିଷର୍ଣ୍ଣ ଓ ତାଙ୍କ ପ୍ରଶାସନ କିଂକର୍ତ୍ତବ୍ୟବିମୂଢ଼। ସଂଗୃହୀତ କେତୋଟି ତଥ୍ୟକୁ ଅନୁଧ୍ୟାନ କଲେ ମନରେ ଚାଇନା ପ୍ରତି ସନ୍ଦେହ ଜାତହୁଏ। କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନ୍‌ଠାରୁ ରାଜଧାନୀ ବେଜିଂ ଓ ସାଙ୍ଘାଇ ସହର ମଧ୍ୟରେ ଦୂରତା ଯଥାକ୍ରମେ ୧୨୦୦ ଓ ୮୦୦ କିଲୋମିଟର। ଚାଇନାର ଏହି ଦୁଇଟି ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟତଃ ଶୂନ। କିନ୍ତୁ ସେଠାରୁ ଆମେରିକା, ସ୍ପେନ୍‌ ଓ ଇଟାଲୀ ଯଥାକ୍ରମେ ୧୨ ହଜାର, ୧୦ ହଜାର ଓ ୯ ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ସେଠାରେ ସ୍ଥିତି ଉଦ୍‌ବେଗଜନକ। ଦ୍ୱିତୀୟତଃ ନର୍ଥ କୋରିଆ ଭଳି ଚାଇନାର ମିତ୍ର ଦେଶ ଓ ରୁଷରେ ଏହି ରୋଗର ସଂକ୍ରମଣ ନାହିଁ କହିଲେ ଚଳେ। କରୋନାର ବିପତ୍ତିସ୍ଥଳ ଚାଇନା ଓ ତା’ର ମିତ୍ର ରାଷ୍ଟ୍ରରେ ଏହାର ଭୟାବହତା ଦୃଶ୍ୟ ନୁହେଁ କାହିଁକି? ତେବେ କ’ଣ ଚାଇନାର ଏହା ଏକ ଷଡ଼ଯନ୍ତ୍ର? ଏହି ରୋଗର ପ୍ରତିକାର ଓ ପ୍ରତିଷେଧକ କ’ଣ ଚାଇନାକୁ ଜଣା ଅଛି, ଯାହା ସେ ଅନ୍ୟମାନଙ୍କୁ ଦେବାକୁ ଚାହୁଁନାହିଁ? ଉନ୍ନତ ତଥା ବିକଶିତ ଅର୍ଥନୀତି ସମ୍ପନ୍ନ ଦେଶମାନଙ୍କର ଅର୍ଥନୀତିକୁ ଭୂଲୁଣ୍ଠିତ କରି ଚାଇନା ଅଧିକ ବିତ୍ତଶାଳୀ, କ୍ଷମତାଶାଳୀ ଓ ସର୍ବେସର୍ବା ହେବାର ଆକାଂକ୍ଷା ପୋଷଣ କରୁନାହିଁ ତ? ବିଶ୍ୱ ସମୁଦାୟ ଏ ଦିଗ ପ୍ରତି ସଚେତନ ହେବାର ପ୍ରାଥମିକ ଆବଶ୍ୟକତାର ସମୟ ଉପଗତ ନୁହେଁ କି?
କେତେକ ଚିକିତ୍ସକ ଓ ଚିକିତ୍ସା ବିଜ୍ଞାନୀଙ୍କ ମତରେ ଭୂତାଣୁ ଜନିତ ରୋଗ କରୋନା ପୃଥିବୀରେ ନୂଆ ନୁହେଁ। ଫ୍ଲୁ ବିଶେଷଜ୍ଞ ଓଡ଼ିଆ ଡାକ୍ତର ହରେକୃଷ୍ଣ ପ୍ରଧାନ ମତ ଦିଅନ୍ତି ଯେ, ଆଜକୁ ୪୫ ଅର୍ଥାତ୍‌ ୧୯୭୫ ମସିହାରେ ବର୍ଷ ତଳେ କରୋନାଭୂତାଣୁ ପ୍ରଥମକରି କୁକୁଡ଼ା ଦେହରେ ଠାବ କରାଯାଇଥିଲା। ସେତେବେଳେ ଏହି ଭୂତାଣୁ କେବଳ କେତେକ ନିର୍ଦ୍ଦିଷ୍ଟ ପଶୁପକ୍ଷୀଙ୍କ ମଧ୍ୟରେ ସୀମିତ ଥିଲା। କ୍ରମେ ଜିନୀୟ ପରିବର୍ତ୍ତନ (ମ୍ୟୁଟେଶନ) ଚକ୍ରରେ ଏହା ୨୦୧୯ରେ ମାନବ ଶରୀରକୁ ସଂକ୍ରମିତ ହେବାର ସୁଯୋଗ ପାଇଲା। ମଣିଷ ଶରୀରରେ ସଂକ୍ରମଣ ସୃଷ୍ଟିକାରୀ ଭାଇରସ ସଂଖ୍ୟା ପୃଥିବୀରେ ସମୁଦାୟ ୧୩୧୪। ଏଗୁଡିକ ମଧ୍ୟରୁ ପ୍ରାୟ ୮୦୦ ପ୍ରଜାତିର ଭାଇରସ୍‌ ସାଙ୍ଘାତିକ ଓ ଅବଶିଷ୍ଟ ପ୍ରାୟତଃ ସାଧାରଣ, ଯେଉଁମାନେ ଜିନୀୟ ପରିବର୍ତ୍ତନ (ମ୍ୟୁଟେଶନ) ରହିତ। ଚାଇନାକୁ ସୃଷ୍ଟ ନୋଭେଲ କରୋନା ଭାଇରସ୍‌ ବାଦୁଡ଼ି ପ୍ରଭୃତି କିଛି କଞ୍ଚାମାଂସରୁ ମଣିଷ ଶରୀରକୁ ମ୍ୟୁଟେଶନ ମାଧ୍ୟମରେ ସଂକ୍ରମିତ ହୋଇ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ୪୫ ବର୍ଷ ତଳେ ଯଦିଓ ବୈଜ୍ଞାନିକମାନେ କରୋନା ଫ୍ଲୁର ପ୍ରତିଷେଧକ ଉଦ୍ଭାବନ କରିଥିଲେ, ତାହା କିନ୍ତୁ ନୋଭେଲ କରୋନା ଭାଇରସ ବିରୋଧରେ ଲଢ଼ିବାକୁ ସକ୍ଷମ ନୁହେଁ। ବର୍ତ୍ତମାନ ରୋଗୀ ଚିକିତ୍ସାକୁ ଚିକିତ୍ସକମାନେ ପ୍ରାଧାନ୍ୟ ଦେଉଥିବା ହେତୁ ପ୍ରତିଷେଧକ ବ୍ୟବସ୍ଥା ଚିନ୍ତା କରିବା ସମୟ ସାପେକ୍ଷ। କିନ୍ତୁ ଅଳ୍ପଦିନ ମଧ୍ୟରେ ଯେ ଏହି ରୋଗର ପ୍ରତିଷେଧକ ଉଦ୍ଭାବିତ ହେବ, ଏଥିରେ ସନ୍ଦେହ ନାହିଁ। ପ୍ରଥମେ ସଂକ୍ରମିତଙ୍କୁ ରୋଗମୁକ୍ତ କରିବା ସବୁ ରାଷ୍ଟ୍ରର ପ୍ରାଥମିକତା। ଯେହେତୁ କରୋନା ଭାଇରସର ସହସା ପ୍ରତିଷେଧକ ମଣିଷ ପାଖରେ ଏବେ ବି ଅପହଞ୍ଚ। ନିରାକରଣର ଏକ ମାତ୍ର ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା ଓ ସାମାଜିକ ଦୂରତା ରକ୍ଷା। ନିଜକୁ ଯେତେଦୂର ସମ୍ଭବ ଅନ୍ୟଠାରୁ ଦୂରେଇ ରଖିପାରିଲେ ଓ ବାରମ୍ବାର ହାତ ଧୋଇଲେ ଏବଂ ପରିଚ୍ଛନ୍ନତାକୁ ଆପଣେଇ ପାରିଲେ ସଂକ୍ରମଣକୁ ନିରୋଧ କରାଯାଇପାରିବ।
ଭାରତ ଓ ବିଶେଷକରି ଓଡ଼ିଶା କରୋନା ବିତ୍ପାତର ସମ୍ମୁଖୀନ ହୋଇ ସାରନ୍ତାଣି। କିନ୍ତୁ ପ୍ରଧାନମନ୍ତ୍ରୀ ସରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ବିଚକ୍ଷଣ ସଚେତନତା କରୋନାର ପ୍ରଖର ଗତିକୁ ବହୁ ମାତ୍ରାରେ ପ୍ରତିରୋଧ କରିବାରେ ସକ୍ଷମ ହୋଇଛି। ଏହା ଆମ ପାଇଁ ନିଶ୍ଚିତ ଭାବେ ଏକ ଆଶ୍ୱସ୍ତିର କଥା। ଏହି ସମୟ ଅତ୍ୟନ୍ତ ଜଟିଳ, କିନ୍ତୁ ଧୈର୍ଯ୍ୟର ସହ ସମସ୍ତ ନିର୍ଦ୍ଦେଶର ପରିପାଳନ ଦ୍ୱାରା ଆମେ ସୁରକ୍ଷିତ ରହିବା। ଅବଶ୍ୟ ସମାଜର ବହୁ ବର୍ଗର ଲୋକେ ଜୀବିକା ହରାଇ ଭୟଙ୍କର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ସମୂହ ସ୍ବାର୍ଥ ଦୃଷ୍ଟିରୁ ନିଜ ପାଇଁ କିଛି କଷ୍ଟ ସ୍ବୀକାର ଏକାନ୍ତ ଅପରିହାର୍ଯ୍ୟ। କରୋନା ଭୟାବହତା ଖୁବ୍‌ଶୀଘ୍ର ପୃଥିବୀରୁ ଅପସୃତ ହେଉ ଓ ବିଶ୍ୱବାସୀ ପୁଣିଥରେ ଅଣ୍ଟାସଳଖି ଠିଆ ହୁଅନ୍ତୁ ଈଶ୍ୱରଙ୍କ ନିକଟରେ ଏତକି ପ୍ରାର୍ଥନା।

ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri