ମୁଁ ତ ଅମୃତସାଗର ବିନ୍ଦୁ

ଡ. ପବିତ୍ର ସୁବୁଦ୍ଧି

ଜନ୍ମ ହୁଏତ ଜୀବନର ଆରମ୍ଭ ହୋଇପାରେ, କିନ୍ତୁ ମୃତ୍ୟୁ ଏହାର ପରିସମାପ୍ତି ନୁହେଁ। ଶରୀର ଅନ୍ତର୍ହିତ ହୋଇପାରେ, ମାତ୍ର ଆମତ୍ ପ୍ରକାଶର ଦୀପଶିଖା ନିର୍ବାପିତ ହୋଇପାରେନା। ଆମତ୍ା ଏକ ଅନିର୍ବାଣ ଦୀପଶିଖା। ମୃତ୍ୟୁ ଏକ ପ୍ରହେଳିକା। ଆଜକୁ ଅଢ଼େଇ ହଜାର ବର୍ଷ ତଳୁ ଅଥର୍ବ ବେଦରେ ଉତ୍କୀର୍ଣ୍ଣ ହୋଇ ରହିଛି ଏହି ଅଭୟବାଣୀ- ‘ମା ବିଭୈଃ, ନ ମରିଷ୍ୟସି’ ‘ଭୟ କରନାହିଁ, ତୁମେ ମରିବ ନାହିଁ।’ ଏହା ସତ୍ତ୍ୱେ ଏ ମଣିଷ ମୃତ୍ୟୁ ପ୍ରତି ଏତେ ପରାଙ୍‌ମୁଖ କାହିଁକି? ଶଙ୍କରଙ୍କ ପିତା ମୃତ୍ୟୁବରଣ କରିଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା- ସବୁ ଶେଷ ହୋଇଗଲା। ହଠାତ୍‌ ଶିଶୁ ଶଙ୍କରଙ୍କ ମୁହଁରୁ ଭାସି ଆସିଲା- ‘ଶେଷ ନା ଆରମ୍ଭ’? କଠୋପନିଷଦରେ ଜଣେ କିଶୋର ବାଳକ ହାତରେ ମୃତ୍ୟୁଦେବ ଯମଙ୍କର ଅସହାୟ ପରାଜୟ ଆଉ ଏକ ବଳିଷ୍ଠ ଦୃଷ୍ଟାନ୍ତ। ଋଷିପୁତ୍ର ନଚିକେତା ଯମଦ୍ୱାରରେ ଉପସ୍ଥିତ ହୋଇଛନ୍ତି ପିତା ବାଜଶ୍ରବାଙ୍କ ଆଦେଶରେ। ସାମ୍ନାରେ ମୃତ୍ୟୁ ଦେବଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ଜିଜ୍ଞାସୁ ନଚିକେତା। ତୃତୀୟ ବରର ପ୍ରଶ୍ନରେ ସ୍ତବ୍ଧ ହୋଇଯାଇଛନ୍ତି ଯମରାଜ। କେହି କେହି କହନ୍ତି ମୃତ୍ୟୁ ପରେ ଜୀବନ ରହେ, କେହି କେହି କହନ୍ତି ରହେ ନାହିଁ। ଏଥିରୁ କେଉଁଟି ସତ? ହେ ମୃତ୍ୟୁଦେବ। ମୋତେ ମୃତ୍ୟୁ ଓ ପରଲୋକର ରହସ୍ୟଜ୍ଞାନ ବତେଇଦିଅନ୍ତୁ। ଯମ କହିଲେ- ଏ ପ୍ରଶ୍ନ ଦେବତାଙ୍କୁ ମଧ୍ୟ ବିଚଳିତ କରିଛି। ତେଣୁ ହେ ନଚିକେତା। ତୁମେ ଏ ପ୍ରଶ୍ନର ଉତ୍ତର ଛାଡ଼ି ପାର୍ଥିବ ଜୀବନରେ ଯାହା ଶ୍ଲାଘ୍ୟ ଓ ଦୁର୍ଲଭ ତାହା ମାଗିପାର। ନଚିକେତା, କହିଲେ- ତାହା ତ ମୋତେ ଅବଶ୍ୟ ଦେଇପାରିବେ। ତେବେ ମୋ ଆଗରେ ଏବେ ଦଣ୍ଡାୟମାନ, କିନ୍ତୁ ସମୟକ୍ରମେ ଆପଣ ଏସବୁକୁ କବଳିତ ବି କରିବେ। ଏ ନଶ୍ୱର ଗୌରବରେ ମୋର ଲାଭ କ’ଣ? ଦୟା କରି ମୋତେ ଅମର ଜୀବନର ତତ୍ତ୍ୱ କୁହନ୍ତୁ। ଜଣେ ବାରବର୍ଷ ବାଳକର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆରମ୍ଭ ହେଲା ଉପନିଷଦ।
ଯମ କହିଲେ- ‘ହେ ପୁତ୍ର! ପ୍ରାକୃତିକ ପ୍ରକ୍ରିୟାରେ ସଂଜାତ ଶରୀରର ବିନାଶ ଅନିର୍ବାଯ୍ୟ ହେଲେ ମଧ୍ୟ ଆମତ୍ା ଅମର। ନା ଏହାର ମୃତ୍ୟୁ ଅଛି ନା ଜନ୍ମ ଅଛି। ଏହା ନିତ୍ୟ, ଶାଶ୍ୱତ, ସନାତନ। ମୃତ୍ୟୁରେ କେବଳ ସ୍ଥୂଳ ଶରୀର ଧ୍ୱଂସ ହୁଏ। ଆମତ୍ାର ନାଶ ହୋଇ ନଥାଏ। ଏହା ସୂକ୍ଷ୍ମରୁ ସୂକ୍ଷ୍ମତମ, ମହାନ୍‌ରୁ ମହାନତମ। ଏଣୁ ଜ୍ଞାନବାନ୍‌ ଆମତ୍ା କଦାପି ମରନ୍ତି ନାହିଁ। ସେ ଅଜର, ଅମର। ହନ୍ତା ଯଦି ମନେକରନ୍ତି ମୁଁ କାହାକୁ ହନନ କଲି ଅଥବା ହତବ୍ୟକ୍ତି ଯଦି ମନେକରନ୍ତି ମୁଁ ହତ ହେଲି, ତେବେ ଉଭୟଙ୍କୁ ସତ୍ୟ ସମ୍ବନ୍ଧରେ ଅନଭିଜ୍ଞ ବୋଲି ବୁଝିବାକୁ ହେବ। ଯେଉଁ ପୁରୁଷ କାଳ କବଳିତ ହେବା ପୂର୍ବରୁ ଏହି ବିଦ୍ୟା (ଆମତ୍ତତ୍ତ୍ୱ)କୁ ଜାଣିବାରେ ସକ୍ଷମ ହୋଇଥା’ନ୍ତି, ସେ ଜୀବନ୍ମୁକ୍ତ ହେବା ସହ ରୋଗ, ଶୋକ, ଜରା-ବ୍ୟାଧିକୁ ଦୂରୀଭୂତ କରି ପରମାନନ୍ଦ ପ୍ରାପ୍ତ ହୋଇଥା’ନ୍ତି। ଏହା ଆମତ୍ଜ୍ଞାନ। ବୃହଦାରଣ୍ୟକ ଉପନିଷଦରେ ଅତି କାବି୍ୟକ ଢଙ୍ଗରେ ଜୀବନ ବିବର୍ତ୍ତନର ଚିତ୍ର ପ୍ରଦାନ କରିଛନ୍ତି ଯାଜ୍ଞବଳ୍‌କ୍ୟ। ଜୋକ ଯେମିତି ଗୋଟିଏ ଘାସ ଅଗରୁ ଅନ୍ୟ ଗୋଟିଏ ଘାସ ଅଗକୁ ନିଜର ସମସ୍ତ ଶରୀରର ଭାରା ଦେଇ ଗତିକରେ, ସେହିପରି ମାନବ ଗୋଟିଏ ଜୀବନରୁ ଆଉ ଗୋଟିଏ ଜୀବନକୁ ଅବଲୀଳାକ୍ରମେ ନିଜର ସମସ୍ତ କର୍ମ ସଂସ୍କାରର ଭାର ବହନ କରି ଗତି କରୁଛି। ସ୍ବର୍ଣ୍ଣକାର ଯେମିତି ପୁରୁଣା ସୁନାକୁ ଅଗ୍ନିରେ ଦଗ୍ଧ କରି ଅନ୍ୟ ଏକ ଜାଜ୍ୱଲ୍ୟମାନ ରୂପ ପ୍ରଦାନ କରେ ଏବଂ ସର୍ପ ଯେମିତି ଜୀର୍ଣ୍ଣ କାତି ଫିଙ୍ଗି ନୂତନ କାନ୍ତି ଧାରଣ କରେ, ସେମିତି ମୃତ୍ୟୁରେ ମଣିଷର ନବକଳେବର ହୁଏ। ମୃତ୍ୟୁରେ ମଣିଷର କିଛି ହରାଏନି, ବରଂ ସତତ ନିତ୍ୟ ନୂତନତାକୁ ଅଭିବାଦନ କରେ।
ଆମେରିକାର କବି ଇମରସନଙ୍କ ‘ବ୍ରହ୍ମ’ ଶୀର୍ଷକ କବିତାରେ ଏକ ତତ୍ତ୍ୱ ସ୍ନିଗ୍ଧ ଓ ସରଳଭାବରେ ରୂପାୟିତ। ସେ କହନ୍ତି ମୃତ୍ୟୁ କାହିଁ? ମୁଁ ଅଛି, ଯାଉଛି ଏବଂ ପୁନଃ ପ୍ରତ୍ୟାବର୍ତ୍ତନ କରୁଛି। ଏକ ଦ୍ୱାରରୁ ବାହାରି ଅନ୍ୟ ଏକ ଦ୍ୱାରରେ ପ୍ରବେଶ ମାତ୍ର। ଅବ୍ୟକ୍ତରୁ ବ୍ୟକ୍ତ ଏବଂ ବ୍ୟକ୍ତରୁ ଅବ୍ୟକ୍ତ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଗଣନାରେ ଦିନ, ମାସ, ବର୍ଷର ସଂକୀର୍ଣ୍ଣ ହିସାବ ରଖି ମଣିଷ ଦୁଃଖୀ ହୋଇଥାଏ। ବସ୍ତୁତଃ ଯେତେବେଳେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ନାହିଁ, ଏହା ପୃଥିବୀର ସ୍ଥିତି ଓ ଗତିର ପରିଣତି ମାତ୍ର, ସେତେବେଳେ ଆମେ ଏକ ଅନନ୍ତ ଜୀବନ ଯାତ୍ରାକୁ ବରଣ କରିଛେ। ଏହା ମହାଯାତ୍ରା ଏକ ସଂପୂର୍ଣ୍ଣ ଜୀବନର କାହାଣୀ। ଏକ ନିତ୍ୟ ଉଦୟର ଲୀଳା। ଏକ ସଫଳ ଓ ସଂପୂର୍ଣ୍ଣ ଜୀବନର ମହାକାବ୍ୟ। ପୂର୍ଣ୍ଣତାରୁ ପୂର୍ଣ୍ଣକୁ ନେଲେ କ’ଣ ପୂର୍ଣ୍ଣତାର ପରିସମାପ୍ତି ଘଟେ? ଗ୍ରୀକ୍‌ ଦାର୍ଶନିକ ପ୍ଲୋଟିନସ ତାଙ୍କ ‘ଇନିଆଡ଼’ରେ ବି ଏହି ତତ୍ତ୍ୱର ଉତ୍‌ଥାପନ କରିଛନ୍ତି। ଯେପରି ସ୍ବତଃ ନିସ୍ୟନ୍ଦିନୀଂ ପ୍ରସ୍ରବଣ ତା’ର ସମସ୍ତ ପ୍ରବାହକୁ ନଦୀଗର୍ଭରେ ଢାଳି ଦେଇ ମଧ୍ୟ ନିଃଶେଷ ହୁଏନା, ଯେତିକି ସେତିକି ରହେ, ସେହିପରି ଅନୁକ୍ଷଣ ବହମାନ ଏ ଜୀବନ ନିର୍ଝରିଣୀ। ଜନ୍ମ-ମୃତ୍ୟୁ କେବଳ ବସ୍ତ୍ର ବଦଳେଇବା ଭଳି ଏକ ପ୍ରକ୍ରିୟା।
ମାତ୍ର ଅଠର ବର୍ଷର ଯୁବକ ଖୁଦିରାମ ବୋଷ। ଦେଶ ପାଇଁ କ୍ରାନ୍ତିକାରୀ କାର୍ଯ୍ୟ କରି ହସି ହସି ଫାଶିଖୁଣ୍ଟରେ ଝୁଲିଥିଲେ। ଫାଶୀ ଦେବା ପୂର୍ବରୁ ବ୍ରିଟିଶ୍‌ ଜେଲ ଅଧୀକ୍ଷକ ଖୁଦିରାମଙ୍କୁ ପ୍ରଶ୍ନ କଲେ-”ମାତ୍ର ଅଠର ବର୍ଷର ଯୁବକ ତୁମେ, ଆଗକୁ ଲମ୍ବା ଭବିଷ୍ୟତ ପଡ଼ିଛି, ଅଥଚ ଫାଶିଖୁଣ୍ଟକୁ ଯିବା ବେଳେ ଭୟଭୀତ ହେବା ପରିବର୍ତ୍ତେ ଆହ୍ଲାଦିତ ହେଉଛ କିପରି?“ ଖୁଦିରାମ କହିଲେ- ମୁଁ ଶରୀର ନୁହେଁ, ମୁଁ ଆମତ୍ା। ମୁଁ ଜାଣେ ଆମତ୍ାର ମୃତ୍ୟୁ ନାହିଁ। ଇଂରେଜ କବି ଜନ୍‌ଡନ୍‌ ତାଙ୍କ କାଳଜୟୀ କବିତା ‘ଡେଥ ବି ନଟ୍‌ ପ୍ରାଇଡ୍‌’ରେ ମୃତ୍ୟୁକୁ ଯେପରି ଭାବେ ଅପଦସ୍ଥ କରିଛନ୍ତି, ତା’ର ତୁଳନା ନାହିଁ। ସେ କହିଛନ୍ତି- ହେ ମୃତ୍ୟୁ! ତୋର ଅହଂକାର ମୂଲ୍ୟହୀନ। ଦେଖ୍‌! ତୁ ଯେଉଁ ସ୍ଥୂଳ କ୍ଷଣଭଙ୍ଗୁର ଶରୀରକୁ କବଳିତ କରୁ, ସେଥିରେ ତୋ’ର କିଛି ବାହାଦୁରି ନାହିଁ। ସ୍ଥୂଳଶରୀର ଧ୍ୱଂସରେ ଆମେ ଯେତେବେଳେ ମୁକ୍ତି ମାର୍ଗର ପାବଚ୍ଛ ଆରୋହଣ କରୁ ଏବଂ ମୁକ୍ତ ଆମତ୍ା ଆଲୋକ ରାଜ୍ୟରେ ବିଚରଣ କରେ, ସେହି ମୃତ୍ୟୁ ନିଜେ ହିଁ ମୃତ୍ୟୁବରଣ କରେ। ବସ୍ତୁତଃ ମୃତ୍ୟୁ ଲଭେ ଏ କ୍ଷଣଭଙ୍ଗୁର ଶରୀର। ମନ, ବୁଦ୍ଧି ଓ ଅହଂକାର ଇତ୍ୟାଦି ଉପାଧିର ବିଲୋପ ଘଟେ। କିନ୍ତୁ ଅନନ୍ତଜୀବନ ପ୍ରାପ୍ତିରେ ଆମେ ଉର୍ଜସ୍ବଳ ହୋଇଉଠୁ। ମୋହଗ୍ରସ୍ତ ପାର୍ଥତ୍ବ ଜୀବନର ସ୍ବପ୍ନଭଙ୍ଗ ହୁଏ ଏବଂ ଆମତ୍ସ୍ବରୂପରେ ଆମେ ନିଜକୁ ଆବିଷ୍କାର କରୁ।
ବାସ୍ତବରେ ମୃତ୍ୟୁହୀନ ଏ ଜୀବନ। କାରଣ ଚେତନାର ବିନାଶ ନାହିଁ। ପଦ୍ମପତ୍ରରେ ଜଳ ଭଳି ସଦା ଢଳ ଢଳ ଏ ଜୀବନ। ମଣିଷ ଏଯାଏଁ ନିଜକୁ ଚିହ୍ନିନାହିଁ। ତେଣୁ ସେ ନିଜକୁ ହିଁ ଖୋଜିବୁଲୁଛି ଜୀବନ ପରେ ଜୀବନ ବା ଜନ୍ମ ପରେ ଜନ୍ମ। ସ୍ଫିଙ୍କ୍‌ସ ବା ସିଂହାସୁରୀର କାହାଣୀ ଆପଣମାନଙ୍କର ସ୍ମରଣ ଥିବ ନିଶ୍ଚୟ। ସେ ଅଦ୍ଭୁତ ପ୍ରାଣୀ ପର୍ବତ ଶିଖରରେ ଥାଇ ପଥଚାରୀକୁ ପ୍ରଶ୍ନ କରେ-”କେଉଁ ଜୀବ ସକାଳେ ଚାରିପାଦରେ, ଦିନବେଳେ ଦୁଇପାଦରେ ଓ ସନ୍ଧ୍ୟାରେ ତିନିପାଦରେ ଚାଲେ?“ ଏ ପ୍ରଶ୍ନର ଉତ୍ତର କେହି ଦେଇପାରନ୍ତି ନାହିଁ। ସୂର୍ଯ୍ୟ ଅସ୍ତଯାଏ। ସିଂହାସୁରୀ ପଥିକକୁ ମାରିପକାଏ। ଦିନେ ସେହି ଭୟଙ୍କର ପଥ ଦେଇ ଯାତ୍ରା କରୁଥିଲେ ମହାବୀର ଓଡ଼ିପାସ୍‌। ସିଂହାସୁରୀ ଓଡ଼ିପାସ୍‌ଙ୍କୁ ସେହି ପ୍ରଶ୍ନ କରନ୍ତେ ସେ ଜବାବ ଦେଲେ- ”ତମର ପ୍ରଶ୍ନର ଉତ୍ତର ‘ମୁଁ ସ୍ବୟଂ’। ଅର୍ଥାତ୍‌ ମୁଁ ମଣିଷ ଜୀବନ ପ୍ରଭାତରେ ଦୁଇ ଗୋଡ଼ ଓ ଦୁଇହାତ ଯୋଗେ ହାମୁଡ଼ି ହାମୁଡ଼ି ଚାଲେ, ଦିନବେଳେ ଅର୍ଥାତ୍‌ ବୟସ ବଢ଼ିଲେ ଦୁଇଗୋଡ଼ରେ ଚାଲେ ଏବଂ ଜୀବନ ସନ୍ଧ୍ୟାରେ ଏକ ଯଷ୍ଟିର ଆଶ୍ରୟ ସହ ଅର୍ଥାତ୍‌ ତିନିଗୋଡ଼ରେ ଚାଲେ।“ ଓଡ଼ିପାସ୍‌ଙ୍କ ଏ ଉତ୍ତର ଶୁଣିବା ମାତ୍ରେ ସିଂହାସୁରୀ ପର୍ବତ ଶିଖରରୁ ଡେଇଁ ପଡ଼ି ମୃତ୍ୟୁବରଣ କଲା। ଏ କଥାର ମର୍ମ ହେଲା- ମଣିଷ ମରେ, ଯେହେତୁ ସେ ନିଜକୁ ଜାଣେନା। ଯେଉଁ ଦିନ ସେ ନିଜକୁ ଜାଣିବ, ସେହିଦିନ ମୃତ୍ୟୁ ହିଁ ମୃତ୍ୟୁବରଣ କରିବ।
ପାଠକେ! ଯିଏ ଆମତ୍ାରେ ବାସକରେ, ସେ ହିଁ ଅମର। ଆମତ୍ାର ଉପଲବ୍ଧି ହିଁ ଅମରତ୍ୱର ଉପଲବ୍ଧି। ମୁଁ ଅମୃତ। ମୁଁ ଅମୃତ। ସ୍ବଭାବ କବି ଗଙ୍ଗାଧରଙ୍କ ଭାଷାରେ ମୁଁ ତ ଅମୃତସାଗର ବିନ୍ଦୁ, ନଭେ ଉଠିଥିଲି ତେଜି ସିନ୍ଧୁ…। ଏଣୁ ଆସନ୍ତୁ ନିଜେ ନିଜକୁ ଚିହ୍ନିବା। ଆପଣା ଭିତରେ ଥିବା ମହାନ୍‌ ଅବସ୍ଥିତିକୁ ଅନୁଭବ କରିବା।
ପ୍ରାକ୍ତନ ପ୍ରାଧ୍ୟାପକ, ନୀଳମାଧବ କଲେଜ, କଣ୍ଟିଲୋ, ମୋ: ୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri