ମାଂସରେ ରାକ୍ଟୋପାମାଇନ୍‌ର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ମୁଁ ଥରେ ‘କକ୍‌ଟେଲ ଅଫ୍‌ ଡ୍ରଗ୍ସ ଇନ୍‌ ମିଟ୍‌’ ବିଷୟରେ ଲେଖିଥିଲି। ସେଥିରେ ମୁଁ ଲେଖିଥିବା ଗୋଟିଏ ଡ୍ରଗ୍‌ ହେଉଛି ରାକ୍ଟୋପାମାଇନ୍‌। ମାଂସ ପାଇଁ ପାଳନ କରାଯାଉଥିବା ପ୍ରାଣୀମାନଙ୍କ ମାଂସପେଶୀ ବଢ଼େଇବା ଓ ଚର୍ବି କମେଇବା ପାଇଁ ତାଙ୍କ ଖାଦ୍ୟରେ ଏହି ରାକ୍ଟୋପାମାଇନ୍‌ ଔଷଧ ମିଶାଯାଏ। ପ୍ରାଣୀମାନଙ୍କୁ ୧୦ ପ୍ରତିଶତ କମ୍‌ ଖାଦ୍ୟ ଖାଇବାକୁ ଦେଲେ ମଧ୍ୟ ଏହି ଔଷଧ ସେମାନଙ୍କ ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଭାରତ ସମେତ ଆମେରିକା ଓ ଅନ୍ୟ ୨୭ଟି ଦେଶରେ ୮୦ ପ୍ରତିଶତ ଗୋରୁ, ଘୁଷୁରି ଓ ଟର୍କିଙ୍କୁ ରାକ୍ଟୋପାମାଇନ୍‌ (ଆର୍‌ଏସି) ଖାଇବାକୁ ଦିଆଯାଏ। ଅନ୍ୟ ଦେଶଗୁଡ଼ିକରେ ମେଣ୍ଢାଙ୍କୁ ମଧ୍ୟ ଏହା ଖୁଆଯାଏ। ପେଲିନ୍‌ ଫର୍‌ ସ୍ବାଇନ୍‌ ଏବଂ ଅପ୍ଟାଫ୍ଲେକ୍ସ ଫର୍‌ କ୍ୟାଟ୍‌ଲ ନାମରେ ପରିଚିତ ଉତ୍ପାଦରେ ଏହା ହେଉଛି ଏକ ସକ୍ରିୟ ଉପାଦାନ।
୨୦୧୩ରୁ ରୁଷିଆ ଓ ଚାଇନା ସମେତ ୧୬୦ଟି ଦେଶରେ ଏହି ଔଷଧକୁ ନିଷିଦ୍ଧ କରାଯାଇଛି। ଏପରି କି ଆମେରିକାରେ ଜନସାଧାରଣଙ୍କ ଚାପରେ ୟୁଏସ୍‌ଡିଏ ଗୋମାଂସ ଓ ଘୁଷୁରିମାଂସ ଉପରେ ଏକ ନୂଆ ଲାବେଲ ‘No ractopamine a beta-agonist growth promotant’କୁ ଅନୁମତି ଦେଇଛି। ୨୦୦୯ ୟୁରୋପୀୟ ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷଙ୍କ ମତାମତକୁ ଭିତ୍ତି କରି ୟୁରୋପୀୟ ସଂଘର ୨୮ଟି ଦେଶରେ ଏହାକୁ ନିଷିଦ୍ଧ କରାଯାଇଛି। କେବଳ ୨୭ଟି ଦେଶରେ ଏହି ଔଷଧ ଏବେ ବି ଚାଲୁଛି।
ଭାରତରେ ରାକ୍ଟୋପାମାଇନ୍‌ ପ୍ରବଳ ମାତ୍ରାରେ ବ୍ୟବହାର ହେବା ସହ ଆମ ଦେଶ ପୂର୍ବ ୟୁରୋପ, ପୂର୍ବ ଏସିଆ ଓ କେନ୍ଦ୍ରୀୟ ଆମେରିକାକୁ ଏହା ଶତପ୍ରତିଶତ ରପ୍ତାନି କରୁଛି। ଗୋରୁ, ଘୁଷୁରି ଓ କୁକୁଡ଼ା ଖାଦ୍ୟରେ ମିଶାଇବା ପାଇଁ ଏହାକୁ ପାଉଡର ଆକାରରେ ବିକ୍ରି କରାଯାଉଛି। ଆମେରିକାର ଜଣେ ଆଇନ ଛାତ୍ର, ଯେ କି ବାୟୋକେମିଷ୍ଟ୍ରି ମଧ୍ୟ ଅଧ୍ୟୟନ କରିଛନ୍ତି, ସେ ଆମେରିକାରେ ରାକ୍ଟୋପାମାଇନ୍‌ର ନିୟାମକ ଅନୁମୋଦନ ବିଷୟରେ ଯାଞ୍ଚ କରୁଥିବା ଏକ ସଂସ୍ଥାରେ ଇଣ୍ଟର୍ନଶିପ୍‌ ପାଇଁ ଆବେଦନ କରିଥିଲେ। ଏହି ସମୟରେ ସେ ମୋ ଲେଖା ପଢ଼ିବାକୁ ପାଇଲେ। ତା’ପରେ ସେ ଗବେଷଣା ସଂସ୍ଥାର ଉପଲବ୍ଧି ମୋ ପାଖକୁ ପଠାଇଲେ, ଯାହାଦ୍ୱାରା ମୁଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବି। ସେ ପ୍ରଦାନ କରିଥିବା ତଥ୍ୟ ମୁଁ ତଳେ ଲେଖୁଛି:
୨୦୧୪ରେ ଦଳେ ଗବେଷକ ରାକ୍ଟୋପାମାଇନ୍‌ ଉପରେ ଗବେଷଣା କରିଥିଲେ। ଏହି ଗବେଷକ ଦଳ ମେଥାମ୍ଫେଟାମାଇନ୍‌ ପ୍ରତି ଆସକ୍ତି ଉପରେ ଅଧ୍ୟୟନ କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜାଣିବାକୁ ପାଇଲେ ଯେ ମେଥ୍‌ ଓ ରାକ୍ଟୋପାମାଇନ୍‌ ଭିତରେ ଖୁବ୍‌ ସାଦୃଶ୍ୟ ଅଛି। ଏହି ଗବେଷଣାରୁ ଜଣାପଡ଼ିଲା ଯେ ରାକ୍ଟୋପାମାଇନ୍‌ ଟିଏଏଆର୍‌ଆଇ ନାମକ ଏକ ସେଲ୍‌ ରିସେପ୍ଟରକୁ ସକ୍ରିୟ କରେ, ଯାହା ମେଥ୍‌ର ପ୍ରାଥମିକ ରିସେପ୍ଟର। ମେଥାମ୍ଫେଟାମାଇନ୍‌ ହେଉଛି ଏକ ଶକ୍ତିଶାଳୀ ଆସକ୍ତିକାରକ ଉତ୍ତେଜକ, ଯାହା କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥାକୁ ବିଗାଡ଼ିଦିଏ। ଏହାର କଥାବାର୍ତ୍ତାରେ ପ୍ରଚଳିତ ନାମଗୁଡ଼ିକ ହେଉଛି ବ୍ଲୁ, କ୍ରାଇଷ୍ଟାଲ, ଆଇସ୍‌, ମେଥ୍‌ ଓ ସ୍ପିଡ୍‌। ଲୋକମାନେ ଏହାକୁ ଧୂମପାନରେ ବ୍ୟବହାର କରନ୍ତି, ବଟିକା ଆକାରରେ ଖାଆନ୍ତି, ନାକରେ ଶୁଙ୍ଘନ୍ତି ଏବଂ ପାଣି ବା ଆଲ୍‌କୋହଲରେ ମିଶାଇ ଇଞ୍ଜେକ୍ସନ ନିଅନ୍ତି। ମେଥାମ୍ଫେଟାମାଇନ ମସ୍ତିଷ୍କରେ ଥିବା ଡୋପାମାଇନ ନାମକ ପ୍ରାକୃତିକ ରାସାୟନିକର ପରିମାଣକୁ ବଢ଼ାଇଦିଏ। ଡୋପାମାଇନ ଆମ ଶରୀରର ଗତି, ମୋଟିଭେଶନ ଏବଂ ପ୍ରଶଂସନୀୟ ବ୍ୟବହାର ପ୍ରଦର୍ଶନ କରିବାରେ ସାହାଯ୍ୟ କରେ। ଏହି ଡ୍ରଗ୍‌ ସେବନ କଲେ ମସ୍ତିଷ୍କର ରିଓ୍ବାର୍ଡ ଏରିଆରେ ଡୋପାମାଇନର ସ୍ତର ବୃଦ୍ଧି ପାଇବା ଫଳରେ ବ୍ୟକ୍ତି ସେହି ଅନୁଭୂତି ପୁଣି ପାଇବାକୁ ଇଚ୍ଛା କରେ। କମ୍‌ ପରିମାଣର ମେଥାମ୍ଫେଟାମାଇନ ସେବନ କଲେ ମଧ୍ୟ ଶାରୀରିକ କାର୍ଯ୍ୟକଳାପରେ ସକ୍ରିୟତା ବୃଦ୍ଧି ପାଏ, ଭୋକ କମିଯାଏ, ଶ୍ୱାସକ୍ରିୟା ଦ୍ରୁତ ହୁଏ, ହୃତ୍‌ସ୍ପନ୍ଦନ ଦ୍ରୁତ ଅଥଚ ଅନିୟମିତ ହୁଏ ଏବଂ ରକ୍ତଚାପ ଓ ଶରୀରର ଉତ୍ତାପ ବୃଦ୍ଧି ପାଏ। ଏହା ଫଳରେ ରାୟ ଦେବା ଓ ନିଷ୍ପତ୍ତି ନେବା ମଧ୍ୟ ବଦଳିଯାଇପାରେ, ଅର୍ଥାତ୍‌ ବ୍ୟବହାର ବିପଦପୂର୍ଣ୍ଣ ହୋଇପାରେ। ଏହାର ଦୀର୍ଘକାଳୀନ ପ୍ରଭାବ ଆମ ଚିନ୍ତନ, ବୋଧ, ଶିକ୍ଷାଗ୍ରହଣ ଓ ମନେରଖିବା ଆଦିକୁ ପ୍ରଭାବିତ କରେ, ଓଜନ କମେଇଦିଏ ଏବଂ ପ୍ରବଳ ଦାନ୍ତ ସମସ୍ୟା (ମେଥ୍‌ ମାଉଥ୍‌) ସୃଷ୍ଟି କରେ। ଏଥିସହ ଦେହ କୁଣ୍ଡେଇ ହୁଏ, ଆମ୍ପୁଡ଼ିବା ଦ୍ୱାରା ଚର୍ମରେ ଘାଆ ହୋଇଯାଏ, ଉଦ୍‌ବିଗ୍ନତା ପ୍ରକାଶ ପାଏ, ମସ୍ତିଷ୍କର ଗଠନ ଓ କାର୍ଯ୍ୟରେ ପରିବର୍ତ୍ତନ ଘଟେ। ଏହାଦ୍ୱାରା ସ୍ମୃତିଶକ୍ତି ହ୍ରାସ ଘଟେ, ଶୋଇବାରେ ସମସ୍ୟା ହୁଏ, ବ୍ୟକ୍ତି ହିଂସ୍ର ହୋଇଉଠେ, ଦୁଃସ୍ବପ୍ନ ଦେଖେ, ପାଗଳାମି ପ୍ରକାଶ ପାଏ ଏବଂ ତା’ଠାରେ ଅନେକ ଅଜବ ବ୍ୟବହାର ଦେଖିବାକୁ ମିଳେ।
ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଥରେ ମେଥାମ୍ଫେଟାମାଇନ ବ୍ୟବହାର କରିଛି, ତା’ଠାରେ ପାର୍କିନ୍‌ସନ୍‌ଙ୍କ ରୋଗ (ସ୍ନାୟୁରୋଗ ବିଶେଷ ଯାହାଦ୍ୱାରା ବ୍ୟକ୍ତିର ଗତିଶୀଳତା ପ୍ରଭାବିତ ହୁଏ) ହେବାର ଅଧିକ ସମ୍ଭାବନା ଥାଏ। ମେଥାମ୍ଫେଟାମାଇନର ମାତ୍ରାତିରିକ୍ତ ସେବନ (ଓଭରଡୋଜ୍‌) ଅନେକ ସମୟରେ ଷ୍ଟ୍ରୋକ୍‌, ହୃଦ୍‌ଘାତ ବା ଅଙ୍ଗପ୍ରତ୍ୟଙ୍ଗରେ ସମସ୍ୟାର କାରଣ ହୁଏ। ମେଥାମ୍ଫେଟାମାଇନ ହେଉଛି ଅତିମାତ୍ରାରେ ଆସକ୍ତିକାରକ।
ତେବେ ମୁଁ ମେଥ୍‌ ବିଷୟରେ କାହିଁକି କହୁଛି? କାରଣ ରାକ୍ଟୋପାମାଇନ୍‌ ସେହି କାମ କରୁଛି। ୨୦୧୪ରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ରାକ୍ଟୋପାମାଇନ୍‌ରେ ସେହିସବୁ ଗୁଣ ରହିଛି ଯାହା ମେଥ୍‌ରେ ଦେଖିବାକୁ ମିଳିଥାଏ। ରାକ୍ଟୋପାମାଇନ୍‌କୁ ଖାଦ୍ୟରେ ମିଶାଗଲେ ତାହା ରକ୍ତରେ ଯାଇ ମାଂସପେଶୀରେ ପହଞ୍ଚେ ଓ ତା’ର ସମସ୍ତ ପ୍ରତିକ୍ରିୟା ଦେଖାଏ। ବୈଜ୍ଞାନିକମାନଙ୍କର ଏହି ନିଷ୍କର୍ଷ ପ୍ରତି ପ୍ରାଣୀ କଲ୍ୟାଣ କର୍ମୀ, ମାଂସାହାରୀ ଜନସାଧାରଣ, ବୈଜ୍ଞାନିକ ସମୁଦାୟ ଏବଂ ନୀତିନିର୍ଦ୍ଧାରକମାନେ ଆଗ୍ରହାନ୍ବିତ ହେବା କଥା।
ଆମେ ଯେତେବେଳେ ଏକ ଔଷଧ ସେବନ କରୁ ସେତେବେଳେ ଆମେ ଆଶା କରୁ ଯେ ଏହା ଯେଉଁ କାମ କରିବ ବୋଲି ଦାବି କରାଯାଇଛି, ତାହା ଯେପରି ସେହି କାମ କରେ ଏବଂ ଆମ ରୋଗ ଭଲ କରିଦିଏ। କିନ୍ତୁ ରାକ୍ଟୋପାମାଇନ୍‌ ଆମର ଅଧିକ କ୍ଷତି କରେ, ଯାହା ସେ କରିବ ବୋଲି ଦାବି କରାଯାଇ ନ ଥାଏ। ଟିଏଏଆର୍‌ଆଇ ହେଉଛି ଟ୍ରେସ୍‌ ଆମାଇନ୍‌ ଆସୋସିଏଟେଡ୍‌ ରିସେପ୍ଟର। ଏହା ଆମର ସ୍ନାୟୁତନ୍ତ୍ର ଏବଂ ରୋଗନିରୋଧକ ବ୍ୟବସ୍ଥାକୁ ପ୍ରଭାବିତ କରେ। ଟିଏଏଆର୍‌ଆଇ ହେଉଛି ଆମ୍ଫେଟାମାଇନ୍‌, ଡୋପାମାଇନ୍‌ ଓ ମେଥାମ୍ଫେଟାମାଇନ୍‌ ପାଇଁ ଏକ ବଡ଼ ରିସେପ୍ଟର। ରାକ୍ଟୋପାମାଇନ୍‌ ସେବନ ଦ୍ୱାରା ଘୁଷୁରିମାନଙ୍କଠାରେ ହାଇପରଆକ୍ଟିଭିଟି, ଅଙ୍ଗଗୁଡ଼ିକରେ କମ୍ପନ, ହୃତ୍‌୍‌ସ୍ପନ୍ଦନ ବୃଦ୍ଧି ଏବଂ ଅଙ୍ଗଭଙ୍ଗ ପରି ସମସ୍ୟା ଦେଖାଯାଏ। କଲରାଡୋ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ପ୍ରଫେସର ଟେମ୍ପଲ ଗ୍ରାଣ୍ଡିନ୍‌ କହିଛନ୍ତି ଯେ, ଗୋରୁଙ୍କୁ ରାକ୍ଟୋପାମାଇନ୍‌ ଦେଲେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଅନମନୀୟ, ଘାଆଯୁକ୍ତ ହୋଇଯାଏ, ଗୋଡ଼ ଛୋଟା ହୋଇଯାଏ ଏବଂ ତାପଚାପ (ହିଟ୍‌ ଷ୍ଟ୍ରେସ୍‌) ବୃଦ୍ଧି ପାଏ। ଏଥିସହ ତା’ଠାରେ ଅସ୍ଥିରତା, ପାଟି ଓ ମୁହଁର ମାତ୍ରାଧିକ ଚଳନ ଏବଂ ଆକ୍ରମଣାତ୍ମକ ବ୍ୟବହାର ଦେଖିବାକୁ ମିଳେ।
ସେଥିପାଇଁ ୨୦୦୨ରେ ଔଷଧ ନିର୍ମାତାମାନଙ୍କୁ ରାକ୍ଟୋପାମାଇନ୍‌ ଉପରେ ଏକ ଚେତାବନୀ ଲେଖିବାକୁ ୟୁଏସ୍‌ଡିଏ ନିର୍ଦ୍ଦେଶ ଦେଇଥିଲା। ପ୍ରାଣୀମାନଙ୍କ ସ୍ବାସ୍ଥ୍ୟ ଉପରେ ରାକ୍ଟୋପାମାଇନ୍‌ର ଗୁରୁତର ପ୍ରତିକୂଳ ପ୍ରଭାବ ରହିଛି। ତେଣୁ ଏପରି ପ୍ରାଣୀ ମାଂସ ଖାଉଥିବା ମଣିଷଠାରେ ମଧ୍ୟ ଅନେକ କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ୟୁରୋପୀୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ରାକ୍ଟୋପାମାଇନ୍‌ ମଣିଷଠାରେ ହୃତ୍‌ସ୍ପନ୍ଦନ ବୃଦ୍ଧି ଓ ହୃଦ୍‌ରୋଗ ସୃଷ୍ଟି କରିଥାଏ। ମେଥ୍‌ ଡ୍ରଗ୍‌ ସେବନ କଲେ ମଣିଷଠାରେ ଯେଉଁ ସମସ୍ୟା ସୃଷ୍ଟି ହୁଏ ରାକ୍ଟୋପାମାଇନ୍‌ ଖାଇଥିବା ପ୍ରାଣୀ ମାଂସ ସେବନ କଲେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ। ତେଣୁ ପ୍ରାଣୀମାନଙ୍କୁ ଏହି ଡ୍ରଗ୍‌ ଦିଆଯିବା ଉଚିତ କି? ଯଦି ସରକାର ଏହାକୁ ରୋକି ନ ପାରୁଛନ୍ତି, ଆମେ ନିଜର ଭଲ ପାଇଁ ସେ ସବୁ ମାଂସ ନ ଖାଇବା ଭଲ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?