ମରିଯାଉଥିବା ନଦୀ

ରୁଦ୍ର ପ୍ରସନ୍ନ ରଥ
କାହିଁ କେଉଁ ଅନାଦି କାଳରେ ନଦୀକୂଳରେ ରୂପ ନେଇଥିଲା ମଣିଷ ସଭ୍ୟତା। ବାରଆଡେ ବୁଲୁଥିବା ମଣିଷ ନଦୀକୁ ହିଁ ସାଥିକରି ନେଇଥିଲା ନିଜେ ବଞ୍ଚିବା ଓ ବଢ଼ିବା ପାଇଁ। ଆଉ ସେବେଠୁ ନଦୀ ଯେ ମଣିଷ ସଭ୍ୟତାର ସାବଲୀଳ ଜୟଯାତ୍ରାର ସାକ୍ଷୀ ରହିଛି ତାହା ନୁହେଁ ବରଂ ସେ କ୍ରମବର୍ଦ୍ଧିଷ୍ଣୁ ସଭ୍ୟତାର ମେରୁଦଣ୍ଡ ପାଲଟିଛି। ନଦୀର ଦକ୍ଷତାକୁ ଭରସା କରି ଆଉ କ୍ଷମତାକୁ ଆୟୁଧ କରି ମଣିଷ ନିଜର ପ୍ରଭୂତ ଉନ୍ନତି କରିଛି। ଏଇଠି ମଣିଷ ହାତଗୋଡ ଧୋଇଛି, ଗାଧୋଇଛି ଆଉ ପାଣି ନେଇ ବିଲରେ ମଡାଇ ଚାଷ କରିଛି। ତା’ର କଳକାରଖାନାର ଗର୍ଜନ ହେଉ ବା ସବୁଜ କ୍ଷେତରେ ଲହଡି ଭାଙ୍ଗୁଥିବା ଫସଲ ଏ ସବୁ ସମ୍ଭବ ହୋଇଛି କେବଳ ନଦୀ ଯୋଗୁ। ନଦୀ ଆଉ ମଣିଷର ଏହି ପାରମ୍ପରିକ ସମ୍ପର୍କକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବର ୨୨ ତାରିଖରେ ଅନ୍ତର୍ଜାତୀୟ ନଦୀ ଦିବସ ପାଳନ କରାଯାଉଛି। ବିଶ୍ୱର ନଦୀଗୁଡ଼ିକ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ଏବଂ ଏଥିନେଇ ସମାଧାନର ବାଟ କାଢ଼ିବା ହେଉଛି ବିଶ୍ୱ ନଦୀ ଦିବସର ଉଦ୍ଦେଶ୍ୟ।
ନଦୀ ସହ ମଣିଷର ସମ୍ପର୍କ ବେଶ୍‌ ପୁରୁଣା। ସମୟ ସହ ତାଳ ଦେଇ ମଣିଷ ଆଗକୁ ଚାଲିଲା ବେଳେ ନଦୀ ସହ ଏହି ସମ୍ପର୍କର ସଂଜ୍ଞା ଏବଂ ସୀମା ବଦଳିଯାଇଛି। ଯାହାକୁ ଦିନେ ମଣିଷ ମା’ ବୋଲି ଡାକି ପୂଜା କରୁଥିଲା ସେହି ନଦୀ ଆଜି ପାଲଟିଯାଇଛି ସମ୍ବଳ। ନଦୀକୁ ଆଉ ନଦୀ ହୋଇ ରହିବାକୁ ଦିଆଯାଇନାହିଁ ବରଂ ଏହାକୁ ପରିଣତ କରିଦିଆଯାଇଛି ଗୋଟିଏ ପ୍ରବହମାନ ଗତିଶୀଳ ଯାନରେ। ଯାହାର କାମ ହେଉଛି ମଇଳା ବୋହିବ। ଆଜି ଦୁନିଆର ଅର୍ଦ୍ଧାଧିକ ନଦୀ ପ୍ରଦୂଷଣର ଶିକାର। କେଉଁଠାରେ ନଦୀରେ ମଣିଷ ଭସେଇ ଦେଉଛି ମୂର୍ତ୍ତି କିମ୍ବା ଶବ ତ ଆଉ କେଉଁଠି କଳକାରଖାନାର ପାଣି। ଗଙ୍ଗାଠାରୁ ଗୋଦାବରୀ ଯାଏ ସବୁ ପ୍ରମୁଖ ନଦୀର ପାଣି ଏବେ ପ୍ରଦୂଷିତ। କୁଢ଼କୁଢ଼ ମାତ୍ର ଥରଟିଏ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକ୍‌ ଆଉ କଳକାରଖାନାର କଳାପାଣିରେ ନଦୀ ଆଉ ନଦୀ ହୋଇ ନାହିଁ। ଅନେକ ଜାଗାରେ ଏହା ନାଳର ଭ୍ରମ ସୃଷ୍ଟି କରୁଛି।
ଆମ ଦେଶର ନଦୀଗୁଡ଼ିକୁ ଉଦାହରଣ ରୂପେ ନିଆଯାଉ। ଦକ୍ଷିଣଭାରତର ଅନ୍ୟତମ ପ୍ରମୁଖ ନଦୀ କାବେରୀ ନିଜ ପ୍ରବାହର ୪୦% ହରାଇ ସାରିଥିବା ବେଳେ କୃଷ୍ଣା ଓ ନର୍ମଦାର ଏହି ହାର ୬୦%। ଓଡ଼ିଶାର ମହାନଦୀ ନିଜ ପ୍ରବାହର ୯% ପାଖାପାଖି ହରାଇ ସାରିଲାଣି। ଗୋଦାବରୀ ଓ କୃଷ୍ଣା ନଦୀ ଯେଉଁ ସ୍ଥାନରୁ ବାହାରିଥିଲେ ସେହି ସ୍ଥାନରେ ୨୦୧୬ ମସିହାରେ ଶୁଷ୍କ ହୋଇଗଲେ। ୨୦୧୬ରେ ବିହାରରେ ଗଙ୍ଗା ଏପରି ଶୁଷ୍କ ହୋଇଗଲା ଯେ ଲୋକ ପାଦରେ ଚାଲି ଚାଲି ପାରି ହୋଇଗଲେ। ନର୍ମଦା ଗୁଜରାଟରେ ଏପରି ସ୍ଥିତିକୁ ଆସିଗଲାଣି ଯେ ସେ ସମୁଦ୍ରଠିଁ ପହଞ୍ଚତ୍ପାରୁନି। ଦେଶର ପବିତ୍ରତମ ନଦୀ କୁହାଯାଉଥିବା ଗଙ୍ଗା ସଂପୂର୍ଣ୍ଣ ପ୍ରଦୂଷିତ। ଯମୁନାର ଅବସ୍ଥା ବି ସେହିପରି। ମହାନଦୀ ଆଉ କାଠଯୋଡ଼ିରେ ମଧ୍ୟ ବର୍ଷସାରା ପାଣି ରହୁନାହିଁ। ନଦୀ ପ୍ରଦୂଷିତ ହେବାର ସିଧାସଳଖ ପ୍ରଭାବ ମଣିଷ ଉପରେ ପଡୁଛି। ପ୍ରଦୂଷିତ ନଦୀ ଜଳ ଯୋଗୁ ମାଛ ମରିଯାଉଛନ୍ତି ବା ମାଛ ରୋଗାକ୍ରାନ୍ତ ହେଉଛନ୍ତି, ଯାହାକୁ ଖାଇ ମଣିଷ ରୋଗଗ୍ରସ୍ତ ହେଉଛି। ମଣିଷ ନଦୀକୁ ଗୋଟିଏ ନିର୍ଜୀବ ଜଳଭାଗ ଭାବୁଥିବାରୁ ଏପରି ଘଟୁଛି। ଏହା ଭିତରେ ଯେ ଅନେକ ଜଳଚର ଜୀବ ଏବଂ ଉଦ୍ଭିଦଙ୍କର ଗୋଟିଏ ବିରାଟ ଦୁନିଆ ଅଛି, ମଣିଷ ତାହା ଜାଣି ମଧ୍ୟ ଅଜଣା ରହୁଛି।
ଅନେକ ଜାଗାରେ ମଣିଷ ନିଜର ଆବଶ୍ୟକତା ପାଇଁ ନଦୀ ଜଳକୁ ବିଭିନ୍ନ ସ୍ଥାନରେ ବାନ୍ଧି ରଖୁଛି, କେଉଁଠି ଡ୍ୟାମ୍‌ ତିଆରି କରି ତ ଆଉ କେଉଁଠି ନଦୀର ଦିଗ ବଦଳାଇ ଦେଇ। ଏସବୁ ଦ୍ୱାରା ନଦୀ ତା’ର ନିଜ ସ୍ବରୂପ ହରାଇ ବସୁଛି। କେତେବେଳେ ଅସମୟରେ ବନ୍ୟା ଆସୁଛି ତ ଆଉ କେତେବେଳେ ବର୍ଷସାରା ନଦୀ ଶୁଖିଲା ପଡୁଛି। ଇଟାଲୀର ସାରନୋ କୁହନ୍ତୁ କିମ୍ବା ନାଇଜେରିଆର ନାଇଜର ନଦୀ ଏ ସବୁ ଏବେ ପ୍ରଦୂଷିତ। ନଦୀ କେବଳ ପ୍ରଦୂଷିତ ହେଉନାହିଁ, ବିଷାକ୍ତ ବି ହେଉଛି। ଜମିରୁ କୀଟନାଶକ ନେଇ ଜଳଧାର ନଦୀକୁ ଆସୁଛି। ବୃକ୍ଷ ହ୍ରାସ ଦ୍ୱାରା ମାଟି ପଶିଆସି ନଦୀଗର୍ଭ ପୋତିହୋଇ ପଡୁଛି।
ନଦୀ ପୁଣି ବେଳେ ବେଳେ ପଶିଆସୁଛି ରାଜନୀତି ଭିତରକୁ। ନଦୀ ବନ୍ଧର ଉଚ୍ଚତା ବଢ଼ାଇବା ନେଇ ରାଜନୀତି ଚାଲୁଛି। ପାଣି ଛାଡିବାକୁ ନେଇ ହେଉଛି ହରତାଳ। ଅନେକ ସମୟରେ ରାଜ୍ୟ ରାଜ୍ୟ ଆଉ ଦେଶ ଦେଶ ମଧ୍ୟରେ ନଦୀକୁ ନେଇ ସମ୍ପର୍କ ତିକ୍ତ ହେଉଛି। ଏ ତିକ୍ତତାର ପରିଣାମ ଏତେ ଅଧିକ ଯେ କୁହାଯାଉଛି ତୃତୀୟ ବିଶ୍ୱଯୁଦ୍ଧ କେବଳ ପାଣି ପାଇଁ ହେବ। ଯେତେ ହରତାଳ, ଧର୍ମଘଟ କିମ୍ବା ନଦୀ ପାଇଁ କଳସୀ ଯାତ୍ରା କଲେ ମଧ୍ୟ ନଦୀକୁ ବଞ୍ଚାଇ ହେଉନାହିଁ। ନଦୀକୁ ଜୀବନ୍ତ ବୋଲି ଦେଖାଯାଉ ନ ଥିବାରୁ ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି। ପରିସ୍ଥିତି ଏପରି ହେଲାଣି ଯେ ନଦୀମାତୃକାର ଦେଶ ଭାରତ ଏବେ ପାଣି କିଣି ପିଉଛି।
ନଦୀ ଦିବସ ପରିପ୍ରେକ୍ଷୀରେ ନଦୀଗୁଡ଼ିକ ପ୍ରଦୂଷଣ, ଜଳଧାରଣ କ୍ଷମତା ହ୍ରାସ ଏବଂ ନଦୀ ଶୁଖିଯିବା ପରି ଯେଉଁ ଘଟଣା ଘଟୁଛି, ତାହା ଉପରେ ଗମ୍ଭୀର ହେବାର ଆବଶ୍ୟକତା ରହିଛି। ନଦୀକୁ କେବଳ ଜଳ ପାଇଁ ସମ୍ବଳ ବୋଲି ଭାବିବା କିମ୍ବା ନଦୀକୁ ପ୍ରବହମାନ ଡ୍ରେନ ବୋଲି ଭାବିବାର ଭୁଲ୍‌ ନ କରି ଏହାକୁ ମା’ ପରି ସମ୍ମାନ ଦିଆଯାଉ। ନଦୀକୂଳରେ ରହୁଥିବା ଲୋକଙ୍କୁ ଏହାର ରକ୍ଷଣାବେକ୍ଷଣରେ ସାମିଲ କରାଯାଉ। ନଦୀକୁ ପ୍ରଦୂଷିତ କରୁଥିବା ସଂସ୍ଥା ଏବଂ ଅନୁଷ୍ଠାନଗୁଡ଼ିକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ। ଏହା ଆଖ ପାଖରେ ଗଛ ଲଗାଯାଉ। ନଦୀର ସୁରକ୍ଷା ନିଶ୍ଚିତ କରିପାରିଲେ ହିଁ ମାନବ ସଭ୍ୟତାର ବିକାଶ ହୋଇପାରିବ ଅନ୍ୟଥା ଆଜି ମରିଯାଉଥିବା ନଦୀସବୁ ଆସନ୍ତାକାଲି ମାନବ ସଭ୍ୟତା ଧ୍ୱଂସର କାରଣ ହେବ।
(ଅନ୍ତର୍ଜାତୀୟ ନଦୀ ଦିବସ ୨୨ା୯ ଉପଲକ୍ଷେ)
ଧବଳଗିରି, ଯାଜପୁର ରୋଡ, ମୋ- ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri