ମଦରୁ ମୁକ୍ତି କେବେ

ସୁଧିରାଜ ରାଉତ

ଏକ ଘରୋଇ ସ୍କୁଲର ସାଂସ୍କୃତିକ ଉତ୍ସବକୁ ଅତିଥି ହୋଇ ଯାଇଥାଏ। କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥାଏ। ଦୁଇଟି ଶିଶୁ ଖୁବ୍‌ ଦୁଷ୍ଟାମି କରୁଥାନ୍ତି। ସମସ୍ତଙ୍କ ବାରଣ ସତ୍ତ୍ୱେ ଦୌଡ଼ାଦୌଡ଼ିରେ ମାତିଥାନ୍ତି। ସେ ଦୁହିଁଙ୍କୁ ନିକଟକୁ ଡାକି କହିଲି, ତୁମେ ଦୁହେଁ ଘନିଷ୍ଠ ବନ୍ଧୁ। ବହୁଦିନ ପରେ ହଠାତ୍‌ ମିଶୁଛ। ବର୍ତ୍ତମାନ ମଞ୍ଚରେ କେହି ନାହାନ୍ତି। ସେଠାକୁ ଯାଇ ଅଭିନୟରେ ଏହା ଦେଖାଅ। ଦୁହେଁ ମଞ୍ଚକୁ ଯିବା ପାଇଁ ଦୁଇ ଭିନ୍ନ ଭିନ୍ନ ରାସ୍ତା ଦେଇ ପ୍ରବେଶ କଲେ ଏବଂ ଦୁହେଁ ଦୁହିଁଙ୍କୁ ଦେଖି ଖୁସିହେବାର ଅଭିନୟ ସହ ପରସ୍ପରକୁ କୋଳାଗ୍ରତ କରିବା ଦକ୍ଷ ଅଭିନେତାଙ୍କ ଅଭିନୟ ଭଳି ଲାଗୁଥିଲା। ଏହାପରେ ସେଇ ଦେବଶିଶୁଦ୍ୱୟ ମଞ୍ଚର ଏକ ପାର୍ଶ୍ୱକୁ ଚାଲିଯାଇ ବସିପଡ଼ି ବୋତଲ ଫିଟାଇ ମଦ ପିଇବାର ଅଭିନୟ କରିବା ଏବଂ ଏହାପରେ ନାତଗୋଇଠା ମରାମରି ହେବା ସହ ଦେଖଣାହାରୀଙ୍କ କରତାଳି ମୋତେ ସ୍ଥାଣୁ କରିଦେଇଥିଲା। ବଲବଲ ହୋଇ ସଭିଙ୍କୁ ଚାହିଁଲି। ସମସ୍ତେ ହସୁଥିଲେ। ସେଦିନ ରାତି ତମାମ ଶିଶୁ ଦୁଇଙ୍କର ସରଳ ଆଖି ମୋତେ ଶୁଆଇ ଦେଲାନାହିଁ। ଦୁଇ ଦେବଶିଶୁ ମନେହେଉଥିଲା ଦୁଇ ଦେବଦୂତ ହୋଇ ଆମ ସଭିଙ୍କୁ ଆଙ୍ଗୁଠି ଦେଖାଇ କହି ଦେଉଥିଲେ ଏ ଜାତିର, ଏ ଯୁବମାନସର, ଏ ସଭ୍ୟତାର ଗତି କୁଆଡ଼େ।
ଭୋ ଭୋ କାନ୍ଦିବାକୁ ଇଚ୍ଛା ହେଉଥିଲା, ପାଟି ଚିଲାଇ ମୋ ସହରର ସବୁଙ୍କୁ ଉଠାଇ ଦେବାକୁ ଇଚ୍ଛା ହେଉଥିଲା କିନ୍ତୁ କାହାକୁ କହିବି, କିଏ ଏଠି ଶୁଣିବ? ଏଠି ତ ଆଜି ରାଜାରୁ ପ୍ରଜାଯାଏ ମଦ ମାହାତ୍ମ୍ୟ ଗାନ କରୁଛନ୍ତି। ମଦକୁ ଆମ ଅର୍ଥନୀତିର ମେରୁଦଣ୍ଡ ମଣୁଛନ୍ତି। ଆଜି ଦେଶର ବହୁରାଜ୍ୟରେ ମଦ ବନ୍ଦ ହେବା ସତ୍ତ୍ୱେ ଓଡ଼ିଶାରେ କାହିଁକି ମଦର ବନ୍ୟା ଚାଲିଛି, ଉତ୍ତର କିଏ ଦେବ? ଏ ଦରିଦ୍ର ମାଟିରେ ବହୁ ଅର୍ଥ ମଦକୁ ଅର୍ଘ୍ୟରୂପେ କାହିଁକି ଅର୍ପଣ ହେଉଛି ଏହାର ଉତ୍ତର ଏ ମାଟିର ଜନମାନସ, ବୁଦ୍ଧିଜୀବୀ, ଶାସକ କେବେ ଖୋଜିବେ? ଏଇ କେତେ ସପ୍ତାହ ମଧ୍ୟରେ ମୋ କୁନି ସହରରେ ଯାହା ଘଟିଗଲା ତାହା ଏଇଭଳି- ରାତ୍ରି ବାରଟା ପରେ ଜଣେ ଲୋକ ଡାକ୍ତରଙ୍କ ଘରକୁ ରୋଗୀ ହୋଇ ଯାଇ ଛୁରି ଦେଖାଇ ସବୁ ସୁନା ଟଙ୍କା ଲୁଟି ନେଲା। ଜଣେ କଅଁଳ ଯୁବକ ଗଛରେ ଗାଡ଼ି ବାଡ଼େଇ ମରିଗଲା। ଆଉ ଏ ଶାନ୍ତ ଜାଗାରେ ଦିନ ଦି’ପହରେ ଖଣ୍ଡାକାତି ବୁଲିଲା। ଏ ଘଟଣାସବୁର ନାୟକ ଖଳନାୟକ ସମସ୍ତେ ଆକଣ୍ଠ ମଦ୍ୟପାନ କରିଥିଲେ।
କେବଳ ମୋ କୁନି ସହର ନୁହେଁ ଦଶହରା ଛୁଟିରେ ବହୁବର୍ଷ ପରେ ଗାଁକୁ ଯାଇଥିଲି, ଅନେକ ବାଲ୍ୟବନ୍ଧୁ ସହପାଠୀଙ୍କ ସହ ଦେଖାହେଲା। ବନ୍ଧୁମାନେ ମୋତେ ଠାକୁରାଣୀ ମନ୍ଦିର ପଛ ତୋଟାକୁ ଡାକିନେଇ ବୋତଲ ଖୋଲି ବଢ଼ାଇ ଦେଲେ। କହିଲି କେବେ ପିଇନାହିଁ। ଜଣେ ବନ୍ଧୁ ଅଭିଯୋଗ ସ୍ବରରେ କହିଲା- ”ଆମକୁ କ’ଣ ମଦୁଆ ଭାବିଲୁ?“ ଆଉ ଜଣେ ବନ୍ଧୁ କହିଲା ”ମଦ ଦୁଇ ଢୋକ ହଜମ କରିପାରୁନୁ, କି ମରଦ? ମାଇଚିଆଟା।“ ଆଉ ଜଣେ ପୁରାଣପଣ୍ଡିତ ଭଳି କହିଲା, ”ପୁରାଣରେ ଯେଉଁ ସୋମରସ ଦେବତାମାନେ ପାନ କରୁଥିଲେ, ତାହା ଆଉ କ’ଣ କି?“ ତିନିଦିନ ଗାଁରେ ରହିଲି। ମୋ ବୟସରୁ କମ୍‌ ଏଭଳି ଜଣେ ଯୁବକ ଦେଖିଲି ନାହିଁ ଯିଏ ମଦ ପିଏ ନାହିଁ। ଆଜି ସବୁ ଗାଁର ସବୁ କଲର୍ଭଟ, ତୋଟା, ନଈପଠା ମଦ ବୋତଲରେ ଭର୍ତ୍ତି, ଯେଉଁ ଗାଁରେ ଦିନେ ସପ୍ତମ ଶ୍ରେଣୀ ପଢ଼ିବା ଯାଏ ଗୋଟିଏ ମଦ୍ୟପ ଦେଖି ନ ଥିଲି। ଏହାପରେ ବାପାଙ୍କ ସହ ସହର ଚାଲିଗଲି। ଆଜି କେଇ ଦଶନ୍ଧି ମଧ୍ୟରେ ସେ ଗାଁର ହେଲା କ’ଣ? ଆଜି ତମାମ ଦେଶରେ ଯେଉଁ ହୃଦୟବିଦାରକ ଘଟଣାସବୁ ଘଟୁଛି, ଏ ଦେବଭୂମିରେ ମାନବ ନୁହେଁ ଦାନବ ମଧ୍ୟ ଲଜ୍ଜିତ ହେବେ। ଆଜି ଏ ଦେବଭୂମିରେ ବିବେକ ଓ ଆତ୍ମାକୁ ମାରି ମଦପିଶାଚର ଜୟଗାନ ଚାଲିଛି।
ପୁରାଣରେ ବର୍ଣ୍ଣନା ଅଛି କଳି ଯେବେ ପୃଥିବୀକୁ ପ୍ରବେଶ କଲା ମହାରାଜା ପରିକ୍ଷିତ ତାକୁ ବଧ କରିବାକୁ ବାହାରନ୍ତେ ସେ ପାଦତଳେ ପଡ଼ି ଅନୁନୟ ବିନୟ କଲା। ସେତେବେଳେ ରାଜା ତାକୁ ରହିବାକୁ ଯେଉଁ ତିନୋଟି ସ୍ଥାନ ଦେଲେ ସେଥି ମଧ୍ୟରୁ ପ୍ରଥମ ସ୍ଥାନ ମଦ। ମୋ ରାଜ୍ୟର ମଦବନ୍ୟା ମୋତେ କହୁଛି କଳି ତା’ କାଳପଞ୍ଝାରେ କଷିକି ଧରିଛି ଓଡ଼ିଶାକୁ। ଏଠି ମଦ ବିରୋଧରେ ସବୁ ଆନ୍ଦୋଳନ, ସବୁ ଧର୍ମଘଟ, ସବୁ ଗୁହାରି ପ୍ରାର୍ଥନା ଫସର ଫାଟିଛି। ଓଡ଼ିଶା ସରକାରଙ୍କ ଏସବୁ ବିରୋଧ, ଗୁହାରି ପ୍ରତି ସାମାନ୍ୟ ନିଘା ନାହିଁ। ଅର୍ଥ ବିଶାରଦ ଏଠି ବଖାଣୁଛନ୍ତି- ମଦରୁ ଓଡ଼ିଶାର ରାଜସ୍ବ ଆୟ ଅଧିକ। ଏହି ଆୟ ବିନା ଏ ଗରିବ ରାଜ୍ୟ ଚାଲିପାରିବ ନାହିଁ। ଯେଉଁ ରାଜ୍ୟର ମାଟି ତଳେ ଭରି ହୋଇ ରହିଛି କୁବେର ଭଣ୍ଡାର, ମାଟି ଉପରେ ସୁନା ଫଳାଇବା ଭଳି ଉର୍ବର ଜମି, ବିଶାଳ ସମ୍ଭାବନାର ସମୁଦ୍ରତଟ, ପର୍ଯ୍ୟଟନର ଅମାପ ସୁଯୋଗ, ସେଠି ମଦ ହିଁ ଅର୍ଥନୀତିର ମେରୁଦଣ୍ଡ ହୋଇ କେମିତି ଅଛି? ବିହାର, କେରଳ ଆମଠାରୁ ମଦରେ ବହୁ ଅଧିକ ଆୟ କରୁଥିବା ସତ୍ତ୍ୱେ ଏବଂ ସେମାନଙ୍କର ଆମଭଳି ବିକଳ୍ପ ସାଧନ କମ୍‌ ଥିବା ସତ୍ତ୍ୱେ ସେମାନେ ଯଦି ନିଜ ରାଜ୍ୟରୁ ମଦ ନିଷେଧ କରି ପାରିଲେ ଏ ପୌରାଣିକ ମହାଜାତି କାହିଁକି ଏହା କରିପାରିବ ନାହିଁ?
ସରକାର ଏଠି ଯୋଜନା ପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଦରିଦ୍ର ରାକ୍ଷସ ଏଠି ରାଜା ହୋଇ ରହିଛି, ଶିଶୁଟିଏ କହିଥିବା କାହାଣୀ ମନେପଡ଼ୁଛି- ଜଣେ ରାକ୍ଷସ ଥିଲା। ତାକୁ ପ୍ରସନ୍ନ କଲାରୁ ଯାହା କହିଲେ ସେ ଶୁଣିଲା। ହିଂସା ଛାଡ଼ିଦେ- ଆଜ୍ଞା ହଁ କହିଲା, ଲୋଭ ଛାଡ଼ିଦେ- ହଁ କହିଲା, ମିଛ ଛାଡ଼ିଦେ- ହଁ କହିଲା। କିନ୍ତୁ ମଦ ଛାଡ଼ିଦେ କହିବାରୁ କହିଲା- ମଦ ଛାଡ଼ିଦେଲେ ମୁଁ କ’ଣ ଆଉ ରାକ୍ଷସ ହୋଇ ରହିପାରିବି? ହିଂସା, କ୍ରୋଧ, ରାଗସବୁ ଛାଡ଼ିଥିଲେ ବି ମଦ ଟିକେ ପିଇଲେ ସବୁ ମୋ ପାଖକୁ ପୁଣି ଫେରି ଆସିବ। ମୋତେ ଲାଗୁଛି ଏ କାହାଣୀର ରାକ୍ଷସ ଭଳି ଓଡ଼ିଶାକୁ କବଳିତ କରିଥିବା ଦରିଦ୍ର ରାକ୍ଷସ କହୁଛି- ଯାହା ଯୋଜନା କରୁଛ କର ମୋର ମନା ନାହିଁ। ମଦ ଥିବା ଯାଏ ମୁଁ ଦରିଦ୍ର ରାକ୍ଷସ ଏ ସୁଜଳା ସୁଫଳା ଉତ୍କଳର ଅଧୀଶ୍ୱର ହୋଇ ରହିଥିବି। ଏକ ଆକଳନ କହେ କାଳିଆ ଯୋଜନା ଯେବେ ମିଳିଲା ସେହି ଦିନମାନଙ୍କରେ ସବୁଠାରୁ ଅଧିକ ମଦ ବିକ୍ରି ହୋଇଛି , ଏମିତି ସବୁ ଯୋଜନା ଏଠି ଫସର ଫାଟିଛି ଆଉ ମଦ ଏ ପବିତ୍ର ଭୂଇଁକୁ ପୌରୁଷହୀନ, ପ୍ରଗତିହୀନ ପଶୁ-ମଣିଷର ଚରାଭୂଇଁ କରିଛି।
ବିହାରରେ ଯେବେ ମଦ ଉପରେ କଟକଣା ଲାଗୁ ହେଲା ସେଠି ରହୁଥିବା ଜଣେ ବାନ୍ଧବୀ ଫୋନରେ ପ୍ରଶ୍ନ କଲା, ”ଓଡ଼ିଶାରେ ଏହା କେବେ ହେବ ଭାଇ?“ ବାନ୍ଧବୀର ଏ ପ୍ରଶ୍ନରେ ଲଜ୍ଜିତ ହୋଇ କିଛି ସମୟ ନୀରବ ରହି କାହାଣୀଟିଏ କହିଲି- ”ରାଜା ନିଜ ଇଷ୍ଟଦେବୀଙ୍କ ପାଖେ ବଳିଭୋଗ ନ ଚଢ଼ାଇବା ଯାଏ କିଛି ବି ଖାଉ ନ ଥିଲେ ଆଉ ପ୍ରତିଦିନ ଡଉଲ ଡାଉଲ କେତୋଟି ଖାସି ଇଷ୍ଟଦେବୀ ବଳି ରୂପେ ପାଉଥିଲେ। ବଳିକୁ ବିରୋଧ କରି କିଛି ସାଧୁସନ୍ଥ ରାଜାଙ୍କୁ ବଳି ବନ୍ଦ କରିବାକୁ ପ୍ରାର୍ଥନା କରୁଥିଲେ। କିନ୍ତୁ ରାଜାଙ୍କର ଏ ଆବେଦନ ପ୍ରତି ସାମାନ୍ୟ କର୍ଣ୍ଣପାତ ନ ଥିଲା। କିଛିବର୍ଷ ଅନ୍ତେ ରାଜାଙ୍କ ଦାନ୍ତ ସବୁ ଝଡ଼ିଗଲା ଆଉ ଖାଇ ହେଲାନି ବଳିଭୋଗ ରୂପୀ ମାଂସ ତରକାରୀ। ଏବେ ରାଜାଙ୍କୁ ଏହା ପ୍ରତୀତ ହେଲା ଯେ ବଳିପ୍ରଥା ଏକ ଘୃଣ୍ୟ ଓ ଅସଭ୍ୟ ପ୍ରଥା। ସେ ଘୋଷଣା କଲେ ମୋ ରାଜ୍ୟରେ ବଳିପ୍ରଥା ବନ୍ଦ ହେଲା। ମୋ ରାଜ୍ୟର ରାଜାମାନେ ତ ଏବେ ସକାଳୁ ମଦରେ ମୁହଁ ପଖାଳୁଛନ୍ତି। କେବେ ସେମାନଙ୍କ ମଦଦାନ୍ତ ଝଡିବ, ଯକୃତରୋଗରେ ପୀଡ଼ିତ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ମଦ ସେମାନଙ୍କୁ ଅରୁଚି ଲାଗିବ ଏହା ଏ ମାଟିର ଠାକୁର ଜଗନ୍ନାଥ ହିଁ ଜାଣନ୍ତି। ସେତେ ଦିନ ଆମ ସଭିଙ୍କୁ ଅପେକ୍ଷା କରିବାକୁ ହେବ।
ଇନ୍ଦ୍ରାବତୀ, ନବରଙ୍ଗପୁର, ମୋ – ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?