ଭଲମଣିଷଙ୍କ ନିୟତି

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଏବେ ଏକ ବିଚିତ୍ର ପରିବେଶ ଆଉ ପରିସ୍ଥିତି ମଧ୍ୟରେ ଆଗେଇ ଚାଲିଛି ଏଇ ଦୁନିଆ। ଏଇଠି ଭଲ ମଣିଷଟିଏ ବାରମ୍ବାର ଅବହେଳିତ ତଥା ଅପମାନିତ ହୋଇ ଚାଲିଥିବା ବେଳେ, ‘ବିଷକୁମ୍ଭଂ ପୟୋମୁଖମ୍‌’ ପ୍ରକୃତିର କୁଟିଳ ମଣିଷମାନେ ପାଇ ଚାଲିଛନ୍ତି ସାମାଜିକ ପ୍ରତିଷ୍ଠା ଆଉ ସମ୍ମାନ। ଆଜିକାର ସମୟ ହେଉଛି ସ୍ବାର୍ଥସର୍ବସ୍ବ ମଣିଷମାନଙ୍କର, ପରଛିଦ୍ରାନ୍ବେଷଣକାରୀ ମାମଲତକାରମାନଙ୍କର। ‘ଅନାହୁତଃ ପ୍ରବିଶତି, ଅପୃଷ୍ଟୋ ବହୁ ଭାଷତେ’ ହେଉଛି ସେମାନଙ୍କର ମାନସିକତା। କମ୍‌ ଶୁଣିବେ, ବେଶି କଥା ହାଙ୍କିବେ। ଅଯଥାରେ ମୁଣ୍ଡ ପୂରେଇବେ ପରକଥାରେ। ସଜ ମାଉଁସରେ ଅଂଶେଇ ପକେଇ ପାରୁଥିବା ଏଇ ଅମଣିଷମାନେ ପ୍ରତିଟି ଘଟଣାକୁ ଏପରି ମାଲ୍‌ମସଲା ଦେଇ ବର୍ଣ୍ଣନା କରିବେ, ଯେପରିକି ସେମାନେ ହିଁ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ। ତା’ ଉପରେ ପୁଣି ଅବିଚାରିତ ଭାବେ ଦେଇଚାଲିଥିବେ ଏଣୁତେଣୁ ବାଜେ ମତ ଓ ମନ୍ତବ୍ୟ, ଯାହାର କିଛି ଆଦର୍ଶଗତ କି ସାମାଜିକ ଭିତ୍ତିଭୂମି ହିଁ ନଥିବ। ସେଥିରେ କାହାର ମାନସିକ ଏବଂ/ଅଥବା ପାରିବାରିକ କି ସାମାଜିକ ଜୀବନ ଉପରେ କି ପ୍ରକାର ପ୍ରଭାବ ପଡ଼ୁଛି, ସେସବୁ ବିଚାର କରିବାକୁ ସେମାନଙ୍କ ପାଖରେ କୋଉଠି ସମୟ ଅଛି ଯେ ସେମାନେ ଦେଖିବେ କି ଜାଣିବେ? ଏଇ ଟାଉଟରମାନେ ଆଜିକାଲି ଗାଅଁାଠୁ ସହର ସବୁଠି ମିଳିଯାଉଛନ୍ତି ବହୁ ପରିମାଣରେ, ଯେଉଁମାନଙ୍କ ଜୀବନାଦର୍ଶ ହିଁ ହେଉଛି ନେଗେଟିଭିଟି। ଏମିତି ଲୋକମାନଙ୍କ ଆଖିକୁ କେବେହେଲେ ଦେଖାଯାଏନାହିଁ ଭଲକଥା କି ଭଲକାମ କିଛି ହେଲେ। ଏମାନେ ସବୁ ହେଉଛନ୍ତି ଜଣେ ଜଣେ ବର୍ଣ୍ଣାନ୍ଧ, ଯାହାଙ୍କ ଆଖିକୁ ଦେଖାଯାଏ ନାହିଁ ସୁନ୍ଦର ପୃଥିବୀ। ଅନ୍ୟର ଜୀବନରେ ବିଷ ଗୋଳିଦେବା ଏମାନଙ୍କ ପାଇଁ ଏକ ସାଧାରଣ କଥା। ତାଙ୍କ କୁମନ୍ତ୍ରଣାର ଫଳଶ୍ରୁତି ହେଉଛି ଯାବତୀୟ ସାମାଜିକ ବିଭ୍ରାଟ। ଏମିତି ହୀନକର୍ମା ମଣିଷଠାରୁ ସମ୍ବେଦନା କି ସହାନୁଭୂତି ଆଶା କରିବା ବୃଥା। ଠିକେ ଠିକେ କହିବାକୁ ଗଲେ ମାନବିକତା ଏବଂ ମାନବ ଜାତି ପାଇଁ ଏମାନେ ସମସ୍ତେ ହେଉଛନ୍ତି ଶତ୍ରୁ। ଏମାନଙ୍କୁ ଭସ୍ମାସୁର କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆହୁରି ମଧ୍ୟ ଦ୍ୱେଷଦର୍ଶୀ ହୋଇ ଗଲେଣି ଆଜିକାର ଲୋକଙ୍କ ମଧ୍ୟରୁ ଅନେକେ। ସର୍ବାଧିକ କହିଲେ ବି ଅତ୍ୟୁକ୍ତି ହେବନାହିଁ। ସ୍ଥାନ-କାଳ-ପାତ୍ର କିଛି ହିଁ ଭେଦାଭେଦ ନରଖି ସଦାବେଳେ ସେମାନେ ଏମିତି ହେଉଥା’ନ୍ତି, ଯେମିତି ହୁଏ ମାଛି। ସେଇଠି ଅମୃତତୁଲ୍ୟ ଖାଦ୍ୟ ଦରବରେ ବସି ରସ ଆସ୍ବାଦନ କରୁଥିବ ମାଛି, ହେଲେ ସୁଯୋଗ ପାଇଲେ ଚଟାପଟ୍‌ ଉଡ଼ିଯାଇ ବସି ପଡ଼ିବ ଘାଆରେ। ଏଥିରୁ କି ସ୍ବର୍ଗୀୟ ସୁଖ ପାଏ ମାଛି? ତାହା କେବଳ ମାଛିକୁ ହିଁ ଜଣା। କିନ୍ତୁ ଆଜିକାଲି ଆମ ସମାଜରେ ଏମିତି ମାଛି ପ୍ରକୃତିର ମଣିଷମାନଙ୍କର ପ୍ରାବଲ୍ୟ ବେଶି। ନିଜର କୁଟିଳ ମାମଲତକାରୀ ବୁଦ୍ଧିବିଦ୍ୟାରେ ପରଘର ଭାଙ୍ଗିବାରେ ଖୁବ୍‌ ଓସ୍ତାଦ୍‌ ଏଇ ନରାଧମମାନେ। କୌରବର ଖାଇ ପାଣ୍ଡବର ମଙ୍ଗଳ ଚିନ୍ତା କରୁଥିବା ଜଣେ ଜଣେ ଘରଭଙ୍ଗା ଶକୁନି ଏମାନେ ସମସ୍ତେ। ଆପଣାର ନିହିତ ସ୍ବାର୍ଥ ସାଧନ ପାଇଁ ଏମାନେ ଅଚିରେ ଧ୍ୱସ୍ତବିଧ୍ୱସ୍ତ କରିଦେଇପାରନ୍ତି ଗୋଟିଏ ସୁଖଶାନ୍ତି, ଧନବୈଭବ ପରିପୂର୍ଣ୍ଣ ସମୃଦ୍ଧ ସାମ୍ରାଜ୍ୟକୁ, ସମୁନ୍ନତ ସଭ୍ୟତାକୁ, ମହାନ୍‌ ସଂସ୍କୃତିକୁ। ଏଇମାନେ ଦେଶ ଦୁନିଆରୁ ନିରନ୍ତର ନଷ୍ଟଭ୍ରଷ୍ଟ କରି ଚାଲିଥା’ନ୍ତି ଶାନ୍ତିମୈତ୍ରୀ, ସାମାଜିକ ସଂହତି ଓ ସୌହାର୍ଦ୍ଦ୍ୟ। ଲଜ୍ଜାର ବିଷୟ ହେଲା, ସଦାବେଳେ ମାନବ ସମାଜର ଆଗଧାଡ଼ିରେ ରହି ଆସୁଛନ୍ତି ଏଇ ଘରଭାଙ୍ଗୁ, ଦ୍ୱେଷଦର୍ଶୀ, ପରଶ୍ରୀକାତର ମଣିଷମାନେ, ଯେଉଁମାନଙ୍କ ଜୀବନର ଆଦର୍ଶ ହେଉଛି କେବଳ ଅନ୍ୟର ଅମଙ୍ଗଳ ତଥା ଅନିଷ୍ଟ ଚିନ୍ତା। ଧାନରୁ ଚାଉଳ ବାହାର କରିବା କି ଚାଉଳରୁ ଗୋଡ଼ି ବାଛି ବାହାର କରିବାଟା ଗୋଟେ ସାଧାରଣ କଥା। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଚାଉଳରୁ ମଧ୍ୟ ଧଡ଼ାଧଡ଼ ବାହାର କରିପକେଇବେ ମଞ୍ଜି। ଧିକ୍‌ ସେମାନଙ୍କ ପାରିବାପଣକୁ। ହଇହୋ ବାବୁ, ଚାଉଳରେ କ’ଣ ମଞ୍ଜି ଥାଏ? ସତ୍ୟାସତ୍ୟ, ଭଲମନ୍ଦ କିଛି ନ ଦେଖି କି ନପରଖି ଯେଉଁମାନେ ନିରନ୍ତର ଦେଇ ଚାଲିଥା’ନ୍ତି ପ୍ରତି ଘଟଣା/ଦୁର୍ଘଟଣା ଉପରେ କିଛିନା କିଛି ପ୍ରତିକୂଳ ମତ ଓ ମନ୍ତବ୍ୟ, ସେମାନେ ସବୁ ଗୋଟେ ଗୋଟେ ନାରକୀୟ କୀଟ। ଅନେକ ସମୟରେ ଏପରି ଦୁଃସ୍ଥ ମାନସିକତା ଅତିଶୟ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ସୁସ୍ଥ ସମାଜ ପାଇଁ। ହେଲେ ଏହା ଦେଖୁଛି କିଏ? ଏଇ ଶ୍ରେଣୀର ଅସାମାଜିକ ମଣିଷମାନଙ୍କ ଦୃଷ୍ଟିରେ ତ ସ୍ବୟଂ ସେଇମାନେ ହିଁ ଖାଣ୍ଟି ସୁନା, ପୂରାପୂରି ଚବିଶ କ୍ୟାରେଟ୍‌। ଆଉ ବାକି ସମସ୍ତେ ଚୋର ଖଣ୍ଟ ମିଛୁଆ ରାଧୁଆ। ଅନ୍ୟକୁ ଗାଳିମନ୍ଦ କରିବାଟା ସେମାନଙ୍କ ମୌଳିକ ଅଧିକାର ଯେମିତି। ଜଣେ ଭଲ ମଣିଷର ହୃଦୟକୁ ଖୁବ୍‌କଷ୍ଟ ଦେଇଥାଏ ନିନ୍ଦା, ଅପମାନ ତଥା ବଦନାମ ସୂଚକ ଅପଶବ୍ଦ ସବୁ। ଏପରିକି ତା’ର ମନୋବଳ ଭାଙ୍ଗି ଦେଇଥାଏ ଅତ୍ୟନ୍ତ ନିର୍ଦ୍ଦୟ ଭାବେ। ବେଳେବେଳେ ଗୋଟେ ଦୋଦୁଲ୍ୟମାନ ସ୍ଥିତିରେ ରହିବାକୁ ବାଧ୍ୟ ହୋଇଥାଏ ସତ୍‌ପଥର ପଥିକଟିଏ। କ’ଣ କରିବ/ନ କରିବ ସ୍ଥିର କରି ପାରେନାହିଁ ସେ। ଜଣେ ଭଲମଣିଷ ପାଇଁ ଏଇ ସ୍ଥିତି ସବୁଠୁ ଯନ୍ତ୍ରଣାଦାୟକ।
ଏହା ଅବଶ୍ୟ ସତ ଯେ ଆପଣା ଆପଣାର ନିଜସ୍ବ ଦୃଷ୍ଟିଭଙ୍ଗୀକୁ ନେଇ ଦୁନିଆକୁ ଦେଖିବାକୁ ଭଲ ପାଇଥାଆନ୍ତି ମଣିଷମାନେ, ଯାହା ହୋଇଥାଏ ମୁଖ୍ୟତଃ ସ୍ବାର୍ଥସର୍ବସ୍ବ ତଥା ଆତ୍ମକୈନ୍ଦ୍ରିକ। ଆପଣାର ଲକ୍ଷ୍ୟ ହାସଲରେ ସାମାନ୍ୟ କିଛି ଅସୁବିଧା ଦେଖାଦେଲେ କି ସ୍ବାର୍ଥରେ ଆଘାତ ଲାଗିଲେ, ସଙ୍ଗେସଙ୍ଗେ ଆରମ୍ଭ ହୋଇଯାଏ ତୁମ୍ବିତୋଫାନ, ନିନ୍ଦା ବଦନାମ। ଏହା ହିଁ ବଡ଼ଲଜ୍ଜାର ବିଷୟ। ହେଲେ ଏହା କାହାକୁ କହିବା? ନିନ୍ଦା ଅପମାନ ହେଉଛି ଭଲ ମଣିଷଙ୍କ ନିୟତି। ଅନେକ ମହାମନୀଷୀଙ୍କ ଜୀବନରେ ଏହା ହିଁ ନିଷ୍ଠୁର ଉପଲବ୍ଧି। କିନ୍ତୁ ଏହା ମଧ୍ୟ ସତ ଯେ ନିତିଦିନ ଭଲମନ୍ଦ, ନିନ୍ଦାସ୍ତୁତି, ଯଶ ଅପଯଶ ପ୍ରତିଟି ଆଚାର ବ୍ୟବହାରର ଠିକ୍‌ ହିସାବ ରଖୁଥାଏ କାଳ। ଧର୍ମନିକିତିରେ ତଉଲି ଦେଖୁଥାଏ ମଧ୍ୟ। ଉପଯୁକ୍ତ ସମୟରେ ଉପଯୁକ୍ତ ବିଚାର କରିବା ହେଉଛି ତାର ପରମଧର୍ମ। ତେଣୁ ନିନ୍ଦା କି ସ୍ତୁତି ପ୍ରତି ଦୃଷ୍ଟି ନ ଦେଇ, ଆପଣାର କର୍ମପଥରେ ଅବିଚଳିତ ଭାବେ ଆଗେଇଯିବା ହେଉଛି ବୁଦ୍ଧିମାନର କାର୍ଯ୍ୟ। ବାକି କଥା ସମୟ ହିଁ କହିବ।
ଭାରତୀ କୁଟୀର, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ମୋ: ୮୨୪୯୮୦୭୨୬୭


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri