ଭଲମଣିଷଙ୍କ ନିୟତି

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଏବେ ଏକ ବିଚିତ୍ର ପରିବେଶ ଆଉ ପରିସ୍ଥିତି ମଧ୍ୟରେ ଆଗେଇ ଚାଲିଛି ଏଇ ଦୁନିଆ। ଏଇଠି ଭଲ ମଣିଷଟିଏ ବାରମ୍ବାର ଅବହେଳିତ ତଥା ଅପମାନିତ ହୋଇ ଚାଲିଥିବା ବେଳେ, ‘ବିଷକୁମ୍ଭଂ ପୟୋମୁଖମ୍‌’ ପ୍ରକୃତିର କୁଟିଳ ମଣିଷମାନେ ପାଇ ଚାଲିଛନ୍ତି ସାମାଜିକ ପ୍ରତିଷ୍ଠା ଆଉ ସମ୍ମାନ। ଆଜିକାର ସମୟ ହେଉଛି ସ୍ବାର୍ଥସର୍ବସ୍ବ ମଣିଷମାନଙ୍କର, ପରଛିଦ୍ରାନ୍ବେଷଣକାରୀ ମାମଲତକାରମାନଙ୍କର। ‘ଅନାହୁତଃ ପ୍ରବିଶତି, ଅପୃଷ୍ଟୋ ବହୁ ଭାଷତେ’ ହେଉଛି ସେମାନଙ୍କର ମାନସିକତା। କମ୍‌ ଶୁଣିବେ, ବେଶି କଥା ହାଙ୍କିବେ। ଅଯଥାରେ ମୁଣ୍ଡ ପୂରେଇବେ ପରକଥାରେ। ସଜ ମାଉଁସରେ ଅଂଶେଇ ପକେଇ ପାରୁଥିବା ଏଇ ଅମଣିଷମାନେ ପ୍ରତିଟି ଘଟଣାକୁ ଏପରି ମାଲ୍‌ମସଲା ଦେଇ ବର୍ଣ୍ଣନା କରିବେ, ଯେପରିକି ସେମାନେ ହିଁ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ। ତା’ ଉପରେ ପୁଣି ଅବିଚାରିତ ଭାବେ ଦେଇଚାଲିଥିବେ ଏଣୁତେଣୁ ବାଜେ ମତ ଓ ମନ୍ତବ୍ୟ, ଯାହାର କିଛି ଆଦର୍ଶଗତ କି ସାମାଜିକ ଭିତ୍ତିଭୂମି ହିଁ ନଥିବ। ସେଥିରେ କାହାର ମାନସିକ ଏବଂ/ଅଥବା ପାରିବାରିକ କି ସାମାଜିକ ଜୀବନ ଉପରେ କି ପ୍ରକାର ପ୍ରଭାବ ପଡ଼ୁଛି, ସେସବୁ ବିଚାର କରିବାକୁ ସେମାନଙ୍କ ପାଖରେ କୋଉଠି ସମୟ ଅଛି ଯେ ସେମାନେ ଦେଖିବେ କି ଜାଣିବେ? ଏଇ ଟାଉଟରମାନେ ଆଜିକାଲି ଗାଅଁାଠୁ ସହର ସବୁଠି ମିଳିଯାଉଛନ୍ତି ବହୁ ପରିମାଣରେ, ଯେଉଁମାନଙ୍କ ଜୀବନାଦର୍ଶ ହିଁ ହେଉଛି ନେଗେଟିଭିଟି। ଏମିତି ଲୋକମାନଙ୍କ ଆଖିକୁ କେବେହେଲେ ଦେଖାଯାଏନାହିଁ ଭଲକଥା କି ଭଲକାମ କିଛି ହେଲେ। ଏମାନେ ସବୁ ହେଉଛନ୍ତି ଜଣେ ଜଣେ ବର୍ଣ୍ଣାନ୍ଧ, ଯାହାଙ୍କ ଆଖିକୁ ଦେଖାଯାଏ ନାହିଁ ସୁନ୍ଦର ପୃଥିବୀ। ଅନ୍ୟର ଜୀବନରେ ବିଷ ଗୋଳିଦେବା ଏମାନଙ୍କ ପାଇଁ ଏକ ସାଧାରଣ କଥା। ତାଙ୍କ କୁମନ୍ତ୍ରଣାର ଫଳଶ୍ରୁତି ହେଉଛି ଯାବତୀୟ ସାମାଜିକ ବିଭ୍ରାଟ। ଏମିତି ହୀନକର୍ମା ମଣିଷଠାରୁ ସମ୍ବେଦନା କି ସହାନୁଭୂତି ଆଶା କରିବା ବୃଥା। ଠିକେ ଠିକେ କହିବାକୁ ଗଲେ ମାନବିକତା ଏବଂ ମାନବ ଜାତି ପାଇଁ ଏମାନେ ସମସ୍ତେ ହେଉଛନ୍ତି ଶତ୍ରୁ। ଏମାନଙ୍କୁ ଭସ୍ମାସୁର କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆହୁରି ମଧ୍ୟ ଦ୍ୱେଷଦର୍ଶୀ ହୋଇ ଗଲେଣି ଆଜିକାର ଲୋକଙ୍କ ମଧ୍ୟରୁ ଅନେକେ। ସର୍ବାଧିକ କହିଲେ ବି ଅତ୍ୟୁକ୍ତି ହେବନାହିଁ। ସ୍ଥାନ-କାଳ-ପାତ୍ର କିଛି ହିଁ ଭେଦାଭେଦ ନରଖି ସଦାବେଳେ ସେମାନେ ଏମିତି ହେଉଥା’ନ୍ତି, ଯେମିତି ହୁଏ ମାଛି। ସେଇଠି ଅମୃତତୁଲ୍ୟ ଖାଦ୍ୟ ଦରବରେ ବସି ରସ ଆସ୍ବାଦନ କରୁଥିବ ମାଛି, ହେଲେ ସୁଯୋଗ ପାଇଲେ ଚଟାପଟ୍‌ ଉଡ଼ିଯାଇ ବସି ପଡ଼ିବ ଘାଆରେ। ଏଥିରୁ କି ସ୍ବର୍ଗୀୟ ସୁଖ ପାଏ ମାଛି? ତାହା କେବଳ ମାଛିକୁ ହିଁ ଜଣା। କିନ୍ତୁ ଆଜିକାଲି ଆମ ସମାଜରେ ଏମିତି ମାଛି ପ୍ରକୃତିର ମଣିଷମାନଙ୍କର ପ୍ରାବଲ୍ୟ ବେଶି। ନିଜର କୁଟିଳ ମାମଲତକାରୀ ବୁଦ୍ଧିବିଦ୍ୟାରେ ପରଘର ଭାଙ୍ଗିବାରେ ଖୁବ୍‌ ଓସ୍ତାଦ୍‌ ଏଇ ନରାଧମମାନେ। କୌରବର ଖାଇ ପାଣ୍ଡବର ମଙ୍ଗଳ ଚିନ୍ତା କରୁଥିବା ଜଣେ ଜଣେ ଘରଭଙ୍ଗା ଶକୁନି ଏମାନେ ସମସ୍ତେ। ଆପଣାର ନିହିତ ସ୍ବାର୍ଥ ସାଧନ ପାଇଁ ଏମାନେ ଅଚିରେ ଧ୍ୱସ୍ତବିଧ୍ୱସ୍ତ କରିଦେଇପାରନ୍ତି ଗୋଟିଏ ସୁଖଶାନ୍ତି, ଧନବୈଭବ ପରିପୂର୍ଣ୍ଣ ସମୃଦ୍ଧ ସାମ୍ରାଜ୍ୟକୁ, ସମୁନ୍ନତ ସଭ୍ୟତାକୁ, ମହାନ୍‌ ସଂସ୍କୃତିକୁ। ଏଇମାନେ ଦେଶ ଦୁନିଆରୁ ନିରନ୍ତର ନଷ୍ଟଭ୍ରଷ୍ଟ କରି ଚାଲିଥା’ନ୍ତି ଶାନ୍ତିମୈତ୍ରୀ, ସାମାଜିକ ସଂହତି ଓ ସୌହାର୍ଦ୍ଦ୍ୟ। ଲଜ୍ଜାର ବିଷୟ ହେଲା, ସଦାବେଳେ ମାନବ ସମାଜର ଆଗଧାଡ଼ିରେ ରହି ଆସୁଛନ୍ତି ଏଇ ଘରଭାଙ୍ଗୁ, ଦ୍ୱେଷଦର୍ଶୀ, ପରଶ୍ରୀକାତର ମଣିଷମାନେ, ଯେଉଁମାନଙ୍କ ଜୀବନର ଆଦର୍ଶ ହେଉଛି କେବଳ ଅନ୍ୟର ଅମଙ୍ଗଳ ତଥା ଅନିଷ୍ଟ ଚିନ୍ତା। ଧାନରୁ ଚାଉଳ ବାହାର କରିବା କି ଚାଉଳରୁ ଗୋଡ଼ି ବାଛି ବାହାର କରିବାଟା ଗୋଟେ ସାଧାରଣ କଥା। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଚାଉଳରୁ ମଧ୍ୟ ଧଡ଼ାଧଡ଼ ବାହାର କରିପକେଇବେ ମଞ୍ଜି। ଧିକ୍‌ ସେମାନଙ୍କ ପାରିବାପଣକୁ। ହଇହୋ ବାବୁ, ଚାଉଳରେ କ’ଣ ମଞ୍ଜି ଥାଏ? ସତ୍ୟାସତ୍ୟ, ଭଲମନ୍ଦ କିଛି ନ ଦେଖି କି ନପରଖି ଯେଉଁମାନେ ନିରନ୍ତର ଦେଇ ଚାଲିଥା’ନ୍ତି ପ୍ରତି ଘଟଣା/ଦୁର୍ଘଟଣା ଉପରେ କିଛିନା କିଛି ପ୍ରତିକୂଳ ମତ ଓ ମନ୍ତବ୍ୟ, ସେମାନେ ସବୁ ଗୋଟେ ଗୋଟେ ନାରକୀୟ କୀଟ। ଅନେକ ସମୟରେ ଏପରି ଦୁଃସ୍ଥ ମାନସିକତା ଅତିଶୟ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ସୁସ୍ଥ ସମାଜ ପାଇଁ। ହେଲେ ଏହା ଦେଖୁଛି କିଏ? ଏଇ ଶ୍ରେଣୀର ଅସାମାଜିକ ମଣିଷମାନଙ୍କ ଦୃଷ୍ଟିରେ ତ ସ୍ବୟଂ ସେଇମାନେ ହିଁ ଖାଣ୍ଟି ସୁନା, ପୂରାପୂରି ଚବିଶ କ୍ୟାରେଟ୍‌। ଆଉ ବାକି ସମସ୍ତେ ଚୋର ଖଣ୍ଟ ମିଛୁଆ ରାଧୁଆ। ଅନ୍ୟକୁ ଗାଳିମନ୍ଦ କରିବାଟା ସେମାନଙ୍କ ମୌଳିକ ଅଧିକାର ଯେମିତି। ଜଣେ ଭଲ ମଣିଷର ହୃଦୟକୁ ଖୁବ୍‌କଷ୍ଟ ଦେଇଥାଏ ନିନ୍ଦା, ଅପମାନ ତଥା ବଦନାମ ସୂଚକ ଅପଶବ୍ଦ ସବୁ। ଏପରିକି ତା’ର ମନୋବଳ ଭାଙ୍ଗି ଦେଇଥାଏ ଅତ୍ୟନ୍ତ ନିର୍ଦ୍ଦୟ ଭାବେ। ବେଳେବେଳେ ଗୋଟେ ଦୋଦୁଲ୍ୟମାନ ସ୍ଥିତିରେ ରହିବାକୁ ବାଧ୍ୟ ହୋଇଥାଏ ସତ୍‌ପଥର ପଥିକଟିଏ। କ’ଣ କରିବ/ନ କରିବ ସ୍ଥିର କରି ପାରେନାହିଁ ସେ। ଜଣେ ଭଲମଣିଷ ପାଇଁ ଏଇ ସ୍ଥିତି ସବୁଠୁ ଯନ୍ତ୍ରଣାଦାୟକ।
ଏହା ଅବଶ୍ୟ ସତ ଯେ ଆପଣା ଆପଣାର ନିଜସ୍ବ ଦୃଷ୍ଟିଭଙ୍ଗୀକୁ ନେଇ ଦୁନିଆକୁ ଦେଖିବାକୁ ଭଲ ପାଇଥାଆନ୍ତି ମଣିଷମାନେ, ଯାହା ହୋଇଥାଏ ମୁଖ୍ୟତଃ ସ୍ବାର୍ଥସର୍ବସ୍ବ ତଥା ଆତ୍ମକୈନ୍ଦ୍ରିକ। ଆପଣାର ଲକ୍ଷ୍ୟ ହାସଲରେ ସାମାନ୍ୟ କିଛି ଅସୁବିଧା ଦେଖାଦେଲେ କି ସ୍ବାର୍ଥରେ ଆଘାତ ଲାଗିଲେ, ସଙ୍ଗେସଙ୍ଗେ ଆରମ୍ଭ ହୋଇଯାଏ ତୁମ୍ବିତୋଫାନ, ନିନ୍ଦା ବଦନାମ। ଏହା ହିଁ ବଡ଼ଲଜ୍ଜାର ବିଷୟ। ହେଲେ ଏହା କାହାକୁ କହିବା? ନିନ୍ଦା ଅପମାନ ହେଉଛି ଭଲ ମଣିଷଙ୍କ ନିୟତି। ଅନେକ ମହାମନୀଷୀଙ୍କ ଜୀବନରେ ଏହା ହିଁ ନିଷ୍ଠୁର ଉପଲବ୍ଧି। କିନ୍ତୁ ଏହା ମଧ୍ୟ ସତ ଯେ ନିତିଦିନ ଭଲମନ୍ଦ, ନିନ୍ଦାସ୍ତୁତି, ଯଶ ଅପଯଶ ପ୍ରତିଟି ଆଚାର ବ୍ୟବହାରର ଠିକ୍‌ ହିସାବ ରଖୁଥାଏ କାଳ। ଧର୍ମନିକିତିରେ ତଉଲି ଦେଖୁଥାଏ ମଧ୍ୟ। ଉପଯୁକ୍ତ ସମୟରେ ଉପଯୁକ୍ତ ବିଚାର କରିବା ହେଉଛି ତାର ପରମଧର୍ମ। ତେଣୁ ନିନ୍ଦା କି ସ୍ତୁତି ପ୍ରତି ଦୃଷ୍ଟି ନ ଦେଇ, ଆପଣାର କର୍ମପଥରେ ଅବିଚଳିତ ଭାବେ ଆଗେଇଯିବା ହେଉଛି ବୁଦ୍ଧିମାନର କାର୍ଯ୍ୟ। ବାକି କଥା ସମୟ ହିଁ କହିବ।
ଭାରତୀ କୁଟୀର, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର
ମୋ: ୮୨୪୯୮୦୭୨୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri