ବିଦେଶୀ କିଏ

ଆଜି ଭାରତବର୍ଷ ଅଟୋଇମୁନୋ ରୋଗରେ ଆକ୍ରାନ୍ତ। ଏହା ଏଭଳି ଏକ ଅବସ୍ଥା, ଯେଉଁଥିରେ ନିଜର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା ସ୍ବୟଂ ସେହି ଦେହକୁ ବିନାଶ କରିଥାଏ। ଏହାଫଳରେ ଦେହର ବିଭିନ୍ନ ଅଙ୍ଗକୁ ଶତ୍ରୁ ଭାବି ନଷ୍ଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବା ଯୋଗୁ ସୁସ୍ଥ ଶରୀର ମଧ୍ୟ ଅତିଶୀଘ୍ର ଅସୁସ୍ଥ ହୋଇ ମୃତ୍ୟୁମୁଖୀ ହୋଇଯାଏ। ଉଦାହରଣ ସ୍ବରୂପ, କଶ୍ମୀର ଉପରେ ଲାଗୁ ହୋଇ ଆସିଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତି ଏବେ ଥମି ନ ଥିବାବେଳେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାରୁ ଅନ୍ୟ ଏକ ନିଆଁ ଲାଗିଛି। ଏନ୍‌ଆର୍‌ସିରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାଦ୍‌ ପଡ଼ିଥିବାରୁ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି। ଏହି ସଦ୍ୟ ତାଲିକା ପ୍ରକାଶ ପାଇବା ପଛରେ ଚିନ୍ତାଧାରା ଥିଲା ଯେ, ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା। ସେଥିପାଇଁ ୨୪ ମାର୍ଚ୍ଚ ୧୯୭୧କୁ କଟ୍‌ ଅଫ୍‌ ତାରିଖ ଭାବେ ରଖାଯାଇଥିଲା। ହେଲେ ଦେଖାଯାଇଛି, ତା’ ପୂର୍ବରୁ ଏହି ରାଜ୍ୟରେ ରହିଆସିଥିବା କେତେକ ବ୍ୟକ୍ତିଙ୍କ ନାମ ମଧ୍ୟ ତାଲିକାରେ ରହି ନାହିଁ। ସାଧାରଣରେ ଆଲୋଚନା ହେଉଥିଲା ଯେ, ବାଂଲାଦେଶରୁ ଆସିଥିବା ମୁସଲମାନ ଅନୁପ୍ରବେଶକାରୀଙ୍କୁ ବଛାଯାଇ ସେମାନଙ୍କୁ ତଡ଼ିଦେବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ହେଲେ ତାଲିକାକୁ ଦେଖିଲେ ପୂର୍ବ ପାକିସ୍ତାନରୁ ୧୯୬୦ରୁ ଆସି ରହିଥିବା ବହୁ ହିନ୍ଦୁ ମଧ୍ୟ ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଛନ୍ତି। ପିଢ଼ି ପରେ ପିଢ଼ି ସରକାରୀ ଜାଗା ପାଇ ଆସାମରେ ରହିଆସିଥିଲେ ମଧ୍ୟ ସେମାନଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇ ନାହିଁ। ଏପରି କି ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରିଥିବା ବିମଳ ଚୌଧୁରୀଙ୍କ ଭଳି ବ୍ୟକ୍ତିଙ୍କ ନାମ ଉକ୍ତ ତାଲିକାରେ ନାହିଁ। ଦେଶ ପାଇଁ ସଂଗ୍ରାମ କରିଥିବା ବ୍ୟକ୍ତିଙ୍କୁ ଆସାମ ଚିହ୍ନିବାରେ ଅକ୍ଷମ ରହିବା ଜଣାଇ ଦେଉଛି ଯେ ଏନ୍‌ଆର୍‌ସି ଠିକ୍‌ ଭାବେ ପ୍ରସ୍ତୁତ କରାଯାଇ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଏନ୍‌ଆରସି ସମ୍ପୂର୍ଣ୍ଣ ଭାବେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛି ବୋଲି ଜନସାଧାରଣଙ୍କୁ କୁହାଯାଉଛି। ଏହାର ଅର୍ଥ ହେଲା ଆଜିର ଭାରତୀୟ ନ୍ୟାୟାଳୟ, ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ସବୁଥିରେ ‘ବିଦେଶୀ’ ଠାବ କରି ବହିଷ୍କାର କରିବାର ମାନସିକତା ସୃଷ୍ଟି ହୋଇଛି। ଆଜି ବିଦେଶୀଙ୍କୁ ତଡ଼ିବା ବାହାନାରେ ଯେଉଁ କାର୍ଯ୍ୟ କରାଯାଉଛି, ତାହା ଏକ ବିକୃତ ଚିନ୍ତାଧାରା ବୋଲି ଅନ୍ୟ ଦେଶଗୁଡ଼ିକର ଇତିହାସରୁ ବୁଝାପଡୁଛି। ଏଠାରେ ସମସ୍ୟା ହେଉଛି, ସାଧାରଣ ଲୋକଙ୍କ ପାଇଁ ଇତିହାସ ସବୁବେଳେ ଏକ ଅସ୍ତ୍ର ସାଜିଥାଏ। ଇତିହାସକୁ ଧ୍ୱଂସ କରିଦେଇପାରିଲେ ମୁଷ୍ଟିମେୟ ଶାସକ ଗୋଷ୍ଠୀ ନିଜ ଆଧିପତ୍ୟ ବିସ୍ତାର କରିବା ସହଜ ହୋଇଥାଏ। ୟୁରୋପର ଇତିହାସକୁ ଦେଖିଲେ ଏହିଭଳି ବିଦେଶୀ ବିରୋଧୀ ନୀତି ଗତ ଶତାବ୍ଦୀରେ ଜର୍ମାନୀରେ ଜନ୍ମ ନେଇଥିଲା। ସେତେବେଳେ ଇହୁଦୀମାନଙ୍କୁ ଠାବ କରି ନିର୍ଯାତନା ଦିଆଯିବା ସହ ପରବର୍ତ୍ତୀ ସମୟରେ ଗଣହତ୍ୟା କରାଯାଉଥିଲା। ଏପରି କି କମ୍ୟୁନିଷ୍ଟ, ସମଲିଙ୍ଗୀ, ବିରୋଧୀ ଭଳି ବିଭିନ୍ନ ଆଖ୍ୟା ଦିଆଯାଇ ଜର୍ମାନ୍‌ ଲୋକଙ୍କୁ ମଧ୍ୟ ମାରିଦିଆଯାଉଥିଲା। ଏହି ପ୍ରକ୍ରିୟାର ସ୍ବାଭାବିକ ଅନ୍ତ ଘଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ା ସେହି ଯୁଦ୍ଧ ପରେ ଜର୍ମାନ୍‌ ଜାତି ବିଶ୍ୱ ଆଗରେ ଅବିଶ୍ୱାସର ପାତ୍ର ହେବା ଫଳରେ ସେହି ଦେଶ ତଳିତଳାନ୍ତ ହୋଇଯାଇଥିଲା। ଅବଶ୍ୟ ଏବେ ସେହି ଜାତିର ସଚେତନତା ବୃଦ୍ଧି ପାଇଥିବାରୁ ତାହା ୟୁରୋପର ସବୁଠାରୁ ଅଧିକ ସହନଶୀଳ ରାଷ୍ଟ୍ର ଭାବେ ନିଜକୁ ପୁନଃ ଆବିଷ୍କାର କରିଛି। ଏହାଫଳରେ ଜର୍ମାନୀରେ ଏବେ ସର୍ବାଧିକ ଶରଣାର୍ଥୀ ଆଶ୍ରୟ ନେଇପାରୁଛନ୍ତି ା ତେଣୁ ଆଜିର ପରିସ୍ଥିତିରେ ଇତିହାସକୁ ବିଶ୍ଳେଷଣ କରିବା ସକାଶେ ଅନେକ ଲୋକଙ୍କ ଅନିଚ୍ଛା ରହିଛି। କାରଣ ପୂର୍ବରୁ ଯାହା କୁହାଯାଇଛି, ଜନସାଧାରଣ ଯଦି ଇତିହାସ ଜାଣିବେ ତେବେ ସଚେତନତା ବୃଦ୍ଧି ପାଇବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଆରମ୍ଭ କରି ଭାରତର ସୁପ୍ରିମକୋର୍ଟ ବିଚାରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତ ହେଉଛି ଏକ ରାଷ୍ଟ୍ରରେ ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ସେଠାରେ ସ୍ଥାନ ମିଳିବା ଠିକ୍‌ ନୁହେଁ। ତେବେ ଭାରତର ଅଧିକାଂଶ ନାଗରିକଙ୍କୁ ଯାଞ୍ଚ କଲେ ସମ୍ଭବତଃ କ୍ୱଚିତ୍‌ ନିଜର ଭାରତୀୟତାର ପ୍ରମାଣ ଦେଇପାରିବେ। ଉଦାହରଣ ସ୍ବରୂପ ପାସ୍‌ପୋର୍ଟ, ଯାହାକି ସମସ୍ତଙ୍କ ପାଖରେ ନ ଥାଏ, ତାହା ନାଗରିକତ୍ୱର ପରିଚୟ ଦେଉନାହିଁ। ସେହିଭଳି ପାନ୍‌ କାର୍ଡକୁ ନକଲ କରାଯାଉଛି ବୋଲି କହି ତାହାକୁ ଏକପ୍ରକାର ଅକାମୀ କରିଦିଆଗଲାଣି। ତା’ ବଦଳରେ ବାଧ୍ୟବାଧକତା କରାଯାଇଥିବା ଆଧାର କେବଳ ଏକ ପରିଚୟପତ୍ର, ଯାହା ଜାତୀୟତାର ପ୍ରମାଣ ନୁହେଁ ବୋଲି ବିବେଚନା କରାଯାଉଛି। ଶହେ ବର୍ଷର ପୁରୁଣା ଜମିପଟ୍ଟା ବିଭିନ୍ନ ସମୟରେ ରାଜସ୍ବ ବନ୍ଦୋବସ୍ତ ଯୋଗୁ ବଦଳିଥିବାରୁ ତାହାକୁ ନେଇ ଜାତୀୟତାର ପ୍ରମାଣ ଦେବା ଅତ୍ୟନ୍ତ କଷ୍ଟକର। ସହରାଞ୍ଚଳରେ ବାସ କରୁଥିବା ଅନେକ ବ୍ୟକ୍ତି ଭଡ଼ା ଘରେ ରହୁଛନ୍ତି। ଭଡ଼ାଟିଆଙ୍କୁ ଅଧିକ ଦିନ ରଖିବାକୁ ଅମଙ୍ଗ ଘର ମାଲିକ ବିଭିନ୍ନ ସମୟରେ ଚୁକ୍ତିକୁ ଶେଷ କରିଦେଉଥିବାରୁ ତାହା ମଧ୍ୟ ଜାତୀୟତା ପ୍ରମାଣପତ୍ର ଭାବେ ଦେଖାଇ ହେବ ନାହିଁ। ସ୍କୁଲ, କଲେଜ ପ୍ରମାଣପତ୍ର ମଧ୍ୟ ବୈଧ ହୋଇପାରୁନାହିଁ। ଆସାମର ବିମଳ ଚୌଧୁରୀଙ୍କ ଉଦାହରଣ ଅନୁଯାୟୀ ଦେଶର ସେନାରେ ଆଜୀବନ ଚାକିରି କରିଥିବା ବ୍ୟକ୍ତି ମଧ୍ୟ ଜାତୀୟତା ପ୍ରମାଣ କରିପାରୁ ନାହାନ୍ତି। ଏହି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ଆମ ରାଜ୍ୟ ଓଡ଼ିଶାରେ ଯଦି ଏନ୍‌ଆର୍‌ସି ଲାଗୁ ହୁଏ, ତେବେ ଅଧିକାଂଶ ରାଜ୍ୟବାସୀ ନିଜର ସ୍ଥିତି ପ୍ରମାଣ କରିବା ପାଇଁ ଅସମ୍ଭବ ସମସ୍ୟାର ସମ୍ମୁଖୀନ ହେବେ। ଯଦି କେହି ଭାବୁଥାନ୍ତି ଯେ, ଓଡ଼ିଶାରେ ଏନ୍‌ଆର୍‌ସି ଲାଗୁହେଲେ କେବଳ କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବାଂଲାଦେଶୀ, ମାଲକାନଗିରି ଜିଲାର ଦଣ୍ଡକାରଣ୍ୟରେ ରହୁଥିବା ବାଂଲାଦେଶୀ ହିନ୍ଦୁ, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ ଆଦି ଉପକୂଳରେ ରହୁଥିବା ବଙ୍ଗାଳୀ ନାଗରିକ ବିଦା ହେବେ, ତାହା ଏକ ଭ୍ରମ। ଓଡ଼ିଶାର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକଙ୍କ ପାଖରେ ଜାତୀୟତାର ପ୍ରମାଣ ଦେବା ଲାଗି ଦଲିଲ୍‌ ନାହିଁ। ବିଶେଷକରି ଦୀର୍ଘବର୍ଷ ଧରି ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକର ଜନସାଧାରଣଙ୍କ ପୁରାତନ ନଥିପତ୍ର ନଷ୍ଟ କିମ୍ବା ହଜିଯାଇଛି। ସେମାନେ ନିଜର ମୂଳବାସିନ୍ଦାପଣିଆ ପ୍ରମାଣ ଦେଲାବେଳକୁ ନୟାନ୍ତ ହୋଇଯିବେ। ଏତେ ଅଧିକ ସଂଖ୍ୟାରେ ଲୋକଙ୍କୁ ଯେତେବେଳେ ଦେଶର ବ୍ୟବସ୍ଥା ‘ବିଦେଶୀ’ ଭାବେ ଠାବ କରିବ, ସେତେବେଳେ ‘ସ୍ବଦେଶୀ’ କିଏ ରହିବେ ତାହା ଦେଖିବାକୁ ବାକି ଅଛି।
ଏଠାରେ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ହିନ୍ଦୁ ପରିବାରର ଦୁଇ କିମ୍ବା ସର୍ବାଧିକ ତିନି ପୁରୁଷଙ୍କ ନାମ ମନେରହିଥାଏ, ଯାହାକି ପୂଜା ସମୟରେ ପୁରୋହିତ ଉଲ୍ଲେଖ କରିଥାନ୍ତି। ଯେଉଁଠାରେ ଅଧିକ ଆବଶ୍ୟକ ପଡ଼େ, ସେଠାରେ ପୁରୁଷଙ୍କ ପାଇଁ ଜଗନ୍ନାଥ ଏବଂ ମହିଳାଙ୍କ ପାଇଁ ଲକ୍ଷ୍ମୀ, ସରସ୍ବତୀ କୁହାଯାଇ ସ୍ବାହା କରାଯାଇଥାଏ। ଏହି ଗୋଟିଏ ବାସ୍ତବ ପରିସ୍ଥିତିରୁ ବୁଝାପଡୁଛି ଯେ, ଆମେ ଯେତେବେଳେ ନିଜ ପୂର୍ବପୁରୁଷଙ୍କ ନାମ ମନେପକାଇବାକୁ ଅସଫଳ ହେଉଛେ, ସେତେବେଳେ ଆମ ମଧ୍ୟରୁ କେତେଜଣ ଆଠ ଦଶ ପୁରୁଷ ଅମଳର ଦଲିଲ୍‌ ପ୍ରସ୍ତୁତ କରିପାରିବେ, ତାହା ବିଚାର୍ଯ୍ୟର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri