ବାୟୁ ପ୍ରଦୂଷଣର ବିଷମ ପରିଣତି

ଡ. ଦେବାନନ୍ଦ ବେଉରା
ପରିବେଶର ଅନ୍ୟତମ ଅଙ୍ଗ ବାୟୁମଣ୍ଡଳ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ମଧ୍ୟରେ ପୃଥିବୀକୁ ଘେରି ରହିଛି। ବିଭିନ୍ନ ବାଷ୍ପର ଆନୁପାତିକ ମିଶ୍ରଣର ପରିପ୍ରକାଶ ହେଉଛି ବାୟୁମଣ୍ଡଳ। ଜୀବର ବଞ୍ଚିବାରେ ସହାୟକ ବାୟୁମଣ୍ଡଳ କ୍ରମଶଃ ସଂହାରକ ସାଜୁଛି। ତା’ର କାରଣ ବାୟୁର ବିଶୁଦ୍ଧତା କମୁଛି ଓ ପ୍ରଦୂଷଣ ବଢ଼ୁଛି। ବାୟୁମଣ୍ଡଳରେ ବିଷାକ୍ତ ତଥା କ୍ଷତିକାରକ ଉପାଦାନର ମାତ୍ରା ବଢିଯିବା ଦ୍ୱାରା ଏହାର ମାନ କମୁଛି। ଫଳରେ ଏହା ବ୍ୟବହାର ଅନୁପଯୁକ୍ତ ହେବା ସହିତ ନାନା ରୋଗ ସୃଷ୍ଟି ଓ ସଂକ୍ରମଣର କାରକ ସାଜୁଛି। ମଣିଷ ସହିତ ଅନ୍ୟ ଜୀବଜନ୍ତୁ, ଗଛଲତା ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର କାରଣ। ପରିବେଶରେ ପ୍ରତିଟି ବାଷ୍ପର ପରିମାଣ ଓ ବିଶୁଦ୍ଧତା ବଜାୟ ରଖିବାରେ ଅନ୍ୟ ଜୀବଜନ୍ତୁ ଓ ଗଛଲତାଙ୍କର ଭୂମିକା ରହିଥିଲା ବେଳେ କେବଳ ମଣିଷ ଏହାକୁ ପ୍ରଦୂଷିତ କରିଚାଲିଛି। ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ବାର୍ଷିକ ପ୍ରାୟ ୪.୨ ନିୟୁତ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ପ୍ରଦୂଷିତ ବାୟୁର ପରିବ୍ୟାପ୍ତି ଏତେ ଅଧିକ ଯେ ପ୍ରାୟ ୯୧ ପ୍ରତିଶତ ଲୋକ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଦ୍ୱାରା ସ୍ଥିରୀକୃତ ବାୟୁର ମାନଠାରୁ ନିମ୍ନମାନର ସ୍ଥାନରେ ବସବାସ କରିବାକୁ ବାଧ୍ୟ ହେଉଛନ୍ତି।
ବିଭିନ୍ନ ପ୍ରକାର ପରିବେଶୀୟ ପ୍ରଦୂଷଣ ସହିତ ବାୟୁ ପ୍ରଦୂଷଣ ବିଷୟରେ ଆଜିର ପିଢି ଭଲଭାବରେ ପରିଚିତ। ବିଦ୍ୟାଳୟର ପାଠ୍ୟଖସଡା ବା ବିଶ୍ୱବିଦ୍ୟାଳୟସ୍ତରୀୟ ଗବେଷଣା ହେଉ ବା ବର୍ଷତମାମ ପାଠଚକ୍ର, ଆଲୋଚନାଚକ୍ର କିମ୍ବା ସଚେତନତା ଶିବିର ସବୁଠି ପରିବେଶ, ପରିସଂସ୍ଥା ଓ ପ୍ରଦୂଷଣକୁ ନେଇ ଚର୍ଚ୍ଚା। ମାତ୍ର ବାସ୍ତବ କ୍ଷେତ୍ରରେ ତାହା ପ୍ରତିଫଳିତ ହେବା ପରି ମନେହୁଏନି। ନ ହେଲେ ଦିଲ୍ଲୀ, ବେଜିଂ ସମେତ ବିଶ୍ୱର ବଡବଡ ସହର ବାୟୁ ପ୍ରଦୂଷଣରେ ତ୍ରାହି ତ୍ରାହି ଡାକୁ ନ ଥାନ୍ତେ। ଆମେ ସଚେତନ ହୋଇଥିଲେ ମୁଣ୍ଡପିଛା ଦୁଇତିନିଟା ଗାଡି ଚଢୁ ନ ଥାନ୍ତେ, ଦିଓ୍ବାଲିରେ ବାଣ ଫୁଟାଉ ନ ଥାନ୍ତେ କି ପଲିଥିନ ଜାଳି ପରିବେଷ୍ଟନୀକୁ ପରିଷ୍କାର ରଖିବାର ଅମୂଳକ କାର୍ଯ୍ୟ କରୁ ନ ଥାନ୍ତେ। ବାୟୁ ପ୍ରଦୂଷଣର କୁପ୍ରଭାବ ନା ହଠାତ୍‌ ପ୍ରତିଫଳିତ ହୁଏ ନା ବାୟୁର ମାନ ସବୁସ୍ଥାନରେ ସବୁବେଳେ ମପାଯାଏ। ଏହି ମର୍ମରେ ବାୟୁ ପ୍ରଦୂଷଣର ପରିଣତି ବିଷୟକ ସଚେତନତାକୁ ନେଇ ସାଧାରଣ ଜନତା ସହମତ ହୋଇପାରନ୍ତି ନାହିଁ। ସେଥିପାଇଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବା କାର୍ଯ୍ୟାବଳୀରୁ ବିରତ ରହିପାରନ୍ତି ନାହିଁ। ଯଦି ଭାରତର ରାଜଧାନୀ ଦିଲ୍ଲୀ କଥା ଦେଖିବା ଏହା ବିଶ୍ୱର ଷଷ୍ଠ ପ୍ରମୁଖ ପ୍ରଦୂଷିତ ମହାନଗରୀ ଭାବେ ପରିଗଣିତ। ୨୦୧୪ ମେ’ରେ ଡବ୍ଲ୍ୟୁଏଚ୍‌ଓ ଦିଲ୍ଲୀକୁ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବେ ଘୋଷଣା କରିଥିଲା। ଏଠାରେ ବର୍ଷକୁ ପ୍ରାୟ ଦଶ ହଜାର ଲୋକ ବାୟୁ ପ୍ରଦୂଷଣଜନିତ ରୋଗରେ ଅକାଳ ମୃତ୍ୟୁବରଣ କରିଥାନ୍ତି। ଏମିତି ଆମ ଦେଶରେ ଏକାଧିକ ମହାନଗରୀ, ସହର ତଥା ସ୍ଥାନ ଅଛି ଯେଉଁଠି ବାୟୁ ପ୍ରଦୂଷଣ ମାତ୍ରାର ଚିତ୍ର ସ୍ପଷ୍ଟ ହୁଏନାହିଁ କିମ୍ବା ଜନତା ସଚେତନ ନ ଥାନ୍ତି। ବିଶ୍ୱସ୍ତରରେ ମଧ୍ୟ ସେହି ସମାନ କଥା।
ଧୂଳି, ଧୂଆଁ, ଅତି ସୂକ୍ଷ୍ମକଣିକା ଏବଂ କିଛି ବିଷାକ୍ତ ବାଷ୍ପ ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାନ୍ତି। ଏମାନଙ୍କ ଉତ୍ପତ୍ତିର ଉତ୍ସମାନ ହିଁ ବାୟୁ ପ୍ରଦୂଷଣକୁ ପ୍ରୋତ୍ସାହିତ କରିଥାନ୍ତି। ଶିଳ୍ପ, ଗାଡିମୋଟର, ଟ୍ରାଫିକ, ସଡକ ଧୂଳି, ଖଣିଖାଦାନ, ପରିବହନ ଇତ୍ୟାଦିରେ ବୃଦ୍ଧି ବାୟୁମଣ୍ଡଳର ମାନକୁ ନିମ୍ନକୁ ଟାଣିଚାଲିଛି। କଳକାରଖାନା, ଗାଡିମୋଟରରେ ଇନ୍ଧନ ଭାବେ ବ୍ୟବହୃତ କୋଇଲା, ପେଟ୍ରୋଲ, ଡିଜେଲ ଆଦି ଜୀବାଶ୍ମ ଜାଳେଣିରୁ ନିର୍ଗତ ସଲଫର ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ ତଥା ନାଇଟ୍ରୋଜେନ ଅକ୍ସାଇଡ ଦ୍ୱାରା ବାୟୁମଣ୍ଡଳ ବିଶେଷଭାବେ ପ୍ରଦୂଷିତ ହୋଇଥାଏ। ଆଧୁନିକ କୃଷି ପଦ୍ଧତିରେ ବ୍ୟବହୃତ ରାସାୟନିକ ସାର, ଔଷଧ, କୀଟନାଶକ ବହୁଳତା କାରଣରୁ ଆମୋନିଆ ଭଳି ବିପଦପୂର୍ଣ୍ଣ ଗ୍ୟାସ ପ୍ରଚୁରମାତ୍ରାରେ ବାୟୁମଣ୍ଡଳରେ ମିଶୁଛି। ଖଣି ଖନନ, ଖଣିଜ ପରିବହନ ସମୟରେ ପ୍ରଚୁରମାତ୍ରାରେ ଧୂଳି ଏବଂ ରାସାୟନିକ ପଦାର୍ଥ ବାୟୁରେ ମିଶି ଏହାକୁ ପ୍ରଦୂଷିତ କରୁଛି। ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଗାଡିମୋଟର ସଂଖ୍ୟା ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ସହର ବଜାରରେ ସବୁବେଳେ ଲାଗିରହିଛି ଟ୍ରାଫିକ ଜାମ୍‌। ଅନେକ ସମୟ ଧରି ଷ୍ଟାର୍ଟରେ ଥାଇ ରାସ୍ତା ଉପରେ ଗାଡିମୋଟର ଛିଡା ହୋଇ ରହୁଛି କିମ୍ବା ଅତି ନିମ୍ନ ବେଗରେ ଗତି କରୁଛି, ଯାହା ଅଧିକ ବିଷାକ୍ତ ବାଷ୍ପ ଛାଡି ବାୟୁ ପ୍ରଦୂଷଣ କରୁଛି। ସେହିପରି କଚ୍ଚା ରାସ୍ତାରେ ପରିବହନ ପାଇଁ ଅଧିକ ମାତ୍ରାରେ ଧୂଳି ଉଡି ବାୟୁରେ ମିଶୁଛି। ଶସ୍ୟ ଅମଳ ପରେ କ୍ଷେତରେ ନଡା କିମ୍ବା ଡମ୍ପିଂୟାର୍ଡ ବା ଘରୋଇ ବର୍ଜ୍ୟବସ୍ତୁ ଜଳାଇବା ଦ୍ୱାରା ପ୍ରଚୁର ଧୂଆଁ ସହିତ ସୂକ୍ଷ୍ମକଣିକା ବାୟୁରେ ମିଶୁଛି। ଫଳରେ ବାୟୁମଣ୍ଡଳରେ ଭାସମାନ ସୂକ୍ଷ୍ମ କଣିକା (ଏସ୍‌ପିଏମ୍‌)ର ମାତ୍ରା ବଢି ବାୟୁ ପ୍ରଦୂଷିତ ହେଉଛି। ବାୟୁ ପ୍ରଦୂଷଣକାରୀ ଏ ଯେଉଁ କେତୋଟି ପ୍ରମୁଖ ଉତ୍ସ ଓ ଉପାଦାନ କଥା କୁହାଗଲା ତାହା ମୁଖ୍ୟତଃ ମଣିଷର କାର୍ଯ୍ୟକଳାପ ସହିତ ସଂଯୋଜିତ। ଯେଉଁଠି ମଣିଷର ଏସବୁ କାର୍ଯ୍ୟକଳାପକୁ ଉନ୍ନତି ଓ ଆଧୁନିକତାର ମାପକାଠି ବୋଲି ଧରି ନିଆଯାଉଛି ସେପରି ସ୍ଥଳେ ବାୟୁ ପ୍ରଦୂଷଣ କମିବ କେମିତି? ବାୟୁ ପ୍ରଦୂଷଣ ନିଃଶ୍ୱାସପ୍ରଶ୍ୱାସ, ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ସାଙ୍ଗକୁ କର୍କଟ ରୋଗ ଭଳି ଅନେକ ପ୍ରକାରର ଶାରୀରିକ ଜଟିଳତା ବୃଦ୍ଧି କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ଅମ୍ଳବୃଷ୍ଟି, ଓଜୋନ ସ୍ତର ଅବକ୍ଷୟ ଆଦି ପରିବେଶୀୟ ପ୍ରତିକୂଳ ପ୍ରଭାବ ସୃଷ୍ଟିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବାୟୁ ପ୍ରଦୂଷଣ। ଏହାଦ୍ୱାରା ମଣିଷ ଯେ ଖାଲି ଭୋଗୁଛି ତାହା ନୁହେଁ, ପଶୁପକ୍ଷୀ, ଗଛଲତା କ୍ରମଶଃ ବିଲୁପ୍ତି ପଥରେ ଅଗ୍ରସର ହେଉଛନ୍ତି।
ବାୟୁ ପ୍ରଦୂଷଣ ପରି ସମସ୍ୟାର ସମାଧାନ ପନ୍ଥା ମଣିଷ ପାଖରେ ଅଛି ଏବଂ ଏହା ସମ୍ଭବ ମଧ୍ୟ। ଆମେ ଆମର ଚିନ୍ତାଧାରା, କାର୍ଯ୍ୟକଳାପ ଏବଂ ଜୀବନଶୈଳୀରେ ବଡ଼ଧରଣର ପରିବର୍ତ୍ତନ ଆଣିବାର ବେଳ ଆସିଛି। ବିଳାସମୟ ଜୀବନରେ ଶକ୍ତି, ଇନ୍ଧନ, ବୈଦ୍ୟୁତିକ ଉପକରଣର ବ୍ୟବହାରକୁ କମ୍‌ କରିବାକୁ ପଡିବ। ବ୍ୟକ୍ତିଗତ ଗାଡିମୋଟର ସଂଖ୍ୟା କମାଇ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆପଣେଇବାର ମାନସିକତା ଉଦ୍ରେକ କରିବାକୁ ପଡିବ। ତା’ହେଲେ ଜୀବାଶ୍ମ ଜାଳେଣି ଖର୍ଚ୍ଚ କମିବ, ଟ୍ରାଫିକ ସମସ୍ୟା ସମାଧାନ ହୋଇ ଧୂଳିଧୂଆଁରୁ ମୁକ୍ତି ମିଳିବ। ବିଜୁଳି ଶକ୍ତିର ସଂରକ୍ଷଣ ତଥା ଶୃଙ୍ଖଳିତ ବ୍ୟବହାର କରିପାରିଲେ ତାପଜ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପ୍ରଚୁର କୋଇଲା ଜଳି ଯେଉଁ ବାୟୁ ପ୍ରଦୂଷଣ ହେଉଛି ତାହା କମିପାରିବ। ଏହା ସହିତ କମ୍‌ ବିଜୁଳି ଖର୍ଚ୍ଚ କରୁଥିବା ବୈଦ୍ୟୁତିକ ଉପକରଣ ଏବଂ ବଲ୍‌ବ ବ୍ୟବହାରକୁ ଅଗ୍ରାଧିକାର ଦିଆଯିବା ଦରକାର। ତେବେ ଶକ୍ତି ସଞ୍ଚୟକାରୀ ରେଫ୍ରିଜରେଟର, ଏୟାରକଣ୍ଡିଶନର ମିଳୁଛି ବୋଲି ଗୋଟିଏ ଜାଗାରେ ଦୁଇ-ତିନୋଟି ବ୍ୟବହାର କରିବା କେତେ ଯୁକ୍ତିଯୁକ୍ତ? ଯଥାସାଧ୍ୟ ଖୋଲା ଡ୍ରେନକୁ ଆବରଣଯୁକ୍ତ କରାଯିବା ଦରକାର, ଯେଉଁଥିରୁ ବାହାରୁଥିବା କଠିନ ଆବର୍ଜନା ସମୟକ୍ରମେ ଶୁଖି ଧୂଳି ଉଡାଇଥାଏ। ଘରୋଇ, ମ୍ୟୁନିସିପାଲ ଆବର୍ଜନା ସହିତ କୃଷିକ୍ଷେତ୍ରର ଶସ୍ୟ, ନଡାକାଠି ସବୁକୁ ନ ଜାଳି ଉପଯୁକ୍ତ ପ୍ରଣାଳୀରେ ଲ୍ୟାଣ୍ଡଫିଲ କରାଯାଇପାରେ। ଶୁଷ୍କ ଆବର୍ଜନା, ବାଲି, ଖଣିଜ ପଦାର୍ଥ ପରିବହନକୁ ଆବରଣଯୁକ୍ତ କଲେ ତଦ୍ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣ କମିଯିବ। ଖଣିଖାଦାନ, କଳକାରଖାନା ଅଞ୍ଚଳର କଚ୍ଚା ରାସ୍ତା ଉପରେ ନିୟମିତ ପାଣି ସିଞ୍ଚନ ବ୍ୟବସ୍ଥା ହେବା ଆବଶ୍ୟକ। ଏମିତି ଛୋଟବଡ ଅନେକ ଦିଗ ରହିଛି ଯାହାର ପ୍ରତିକାରାତ୍ମକ ଉପଚାର କରିପାରିଲେ ବାୟୁ ପ୍ରଦୂଷଣ ପରି ଜୀବନନାଶକ ସମସ୍ୟାକୁ ପ୍ରଶମିତ କରାଯାଇପାରିବ। ଏହି ଦିଗରେ ଜନସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହା ବିଶ୍ୱ ପରିବେଶ ଦିବସରେ ‘ବାୟୁ ପ୍ରଦୂଷଣ’ ବିଷୟ ଉପରେ ଧ୍ୟାନ ଆକର୍ଷଣ କରାଯାଇଛି।
ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୮୬୧୨୧୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri