‘ବନ୍ଦେ ମାତରମ୍‌’ର ସର୍ଜନଭୂମି

ଡ. ଭାଗ୍ୟଲିପି ମଲ୍ଲ
ଆମ ପୂର୍ବ ଓ ଆମବେଳର କଥା ମଧ୍ୟ। ସେତେବେଳେ ଟେଲିଭିଜନର ପ୍ରାଦୁର୍ଭାବ ନ ଥିଲା। ସକାଳ ହେଲେ ରେଡିଓ ଖୋଲିବା ଏକ ରୀତିମତ ଅଭ୍ୟାସ ଥିଲା। ସକାଳର ରେଡିଓରୁ ‘ବନ୍ଦେ ମାତରମ୍‌’ର ପ୍ରାଣଛୁଅଁା ସଙ୍ଗୀତ ସମଗ୍ର ଦିନକୁ ଯେମିତି ଶାନ୍ତ ଅଥଚ ଗତିଶୀଳ କରିଦେଉଥିଲା। ଏବେ ସେଇ ସୁମଧୁର ସଙ୍ଗୀତ କେବଳ ସ୍ବାଧୀନତା ଦିବସ ଅଥବା ସାଧାରଣତନ୍ତ୍ର ଦିବସରେ କାନରେ ପଡ଼ୁଛି।
‘ସୁଜଳାଂ ସୁଫଳାଂ ମଳୟଜ ଶୀତଳାମ୍‌ ଶସ୍ୟଶ୍ୟାମଳାମ୍‌ ମାତରମ୍‌…’ ମାତୃଭୂମି ପ୍ରତି ମମତ୍ୱବୋଧର ଏକ ସାର୍ବକାଳିକ ଉଦାହରଣ। ବେଳେବେଳେ ମନରେ ପ୍ରଶ୍ନ ଆସେ, ଯେଉଁ ସଙ୍ଗୀତର ପ୍ରତିବେଦନ ମନ ଓ ପ୍ରାଣକୁ ଏତେ ସ୍ବନ୍ଦିତ କରେ, ଯେଉଁ ଗୀତର ସୁର କାନରେ ବାଜିବା ମାତ୍ରେ ଦେହରେ ଶିହରଣ ଖେଳିଯାଏ, ଶହୀଦମାନଙ୍କ ଆମତ୍ବଳି କଥା ମନେ ପଡ଼ିଯାଏ, ଭାରତମାତାର ପାଦତଳେ ମଥା ଆପେ ଆପେ ନଇଁଯାଏ, ସେ ଗୀତର ପଲ୍ଲବନ କେଉଁଠୁ ହୋଇଥିବ? କେଉଁ ଭୂମିର ପାଣି, ପବନ, ଗଛ, ଲତା, ଫୁଲ, ମହକ ସ୍ରଷ୍ଟାର ପ୍ରାଣକୁ ଉଚ୍ଚାଟିତ କରିଥିବ?
ତାହା ଆମ ଭୂମି ଓଡ଼ିଶା। ଓଡ଼ିଶାର ଯାଜପୁର। ଜନ୍ମ ୧୮୮୨ ମସିହା, ସ୍ରଷ୍ଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତତ୍କାଳୀନ ଯାଜପୁର ସବ୍‌ଡିଭିଜନର ଡେପୁଟି ମାଜିଷ୍ଟ୍ରେଟ୍‌। କାଳଖଣ୍ଡ ୧୮୮୨ରୁ ୧୮୮୪। ଏହି ସମୟ ମଧ୍ୟରେ ବଙ୍କିମଚନ୍ଦ୍ର ଯାଜପୁରର ମାଟି, ପାଣି, ପବନ ସହ ଗୀତ ଗାଇଛନ୍ତି, ମିତ ବସିଛନ୍ତି। ସାଉଁଟି ନେଇଛନ୍ତି ଓଡ଼ିଶା ଭୂମିରୁ ମାତୃବନ୍ଦନାର ଆଦ୍ୟ ଓଁକାରକୁ। ଓଡ଼ିଶା ପାଲଟିଛି ବଙ୍କିମଙ୍କ ସର୍ଜନର ଭବ୍ୟଭୂମି।
ବଙ୍କିମଚନ୍ଦ୍ର ଯାଜପୁରରେ ଥିବାବେଳେ ୧୮୮୨ରେ ଲେଖିଛନ୍ତି ବିଖ୍ୟାତ ଉପନ୍ୟାସ ‘ଆନନ୍ଦମଠ’। ଏହି ଉପନ୍ୟାସରେ ଜାତୀୟତା ମନ୍ତ୍ରରେ ଉଦ୍‌ବୁଦ୍ଧ ଏହି କାଳଜୟୀ ସଙ୍ଗୀତ ‘ବନ୍ଦେ ମାତରମ୍‌’ ସ୍ଥାନିତ। ୧୮୯୮ରେ ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ରବୀନ୍ଦ୍ରନାଥ ଠାକୁରଙ୍କ କଣ୍ଠରେ ପ୍ରଥମେ ଯେତେବେଳେ ଏ ଗୀତ ପ୍ରତିଧ୍ୱନିତ ହୋଇଉଠିଛି, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ତତ୍କାଳୀନ ସମୟରେ ଏ ସଙ୍ଗୀତର ଚେତନା, ମାତୃଗୀତିକାର ଏ ଅଭିନବ ସ୍ବର ସଞ୍ଚରି ଯାଇଛି ପ୍ରତି ଭାରତୀୟ ପ୍ରାଣରେ। ରବୀନ୍ଦ୍ରନାଥଙ୍କ ପରେ ୧୯୦୧ ମସିହାରେ କଲିକତାର ଅନ୍ୟ ଏକ ଅଧିବେଶନରେ ଦକ୍ଷିଣ ଚରଣ ସେନ୍‌ ‘ବନ୍ଦେ ମାତରମ୍‌’କୁ ପାଞ୍ଚଥର ଗାଇଛନ୍ତି। କବି ସରଳାଦେବୀ ଚୌଧୁରାଣୀ ବନାରସ କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ୍‌ ଗାନକରି ଉପସ୍ଥିତ କର୍ମୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ, ୧୯୦୭ ମସିହାରେ ଭାରତବର୍ଷର ମୁକ୍ତି ଆନ୍ଦୋଳନକୁ ତୀବ୍ର କରିବାପାଇଁ ଏକ ‘ପତାକା’ର ପରିକଳ୍ପନା କରାଗଲା। ପତାକାର ମଝିରେ ଲେଖାଗଲା ‘ବନ୍ଦେ ମାତରମ୍‌’। ବିପ୍ଳବୀ ସଂଗ୍ରାମୀ ସୁଭାଷ ବୋଷଙ୍କର ବିପ୍ଳବର ଧ୍ୱନି ସାଜିଲା ବନ୍ଦେ ମାତରମ୍‌।
ସ୍ବାଧୀନତାର ବିଶାଳ ଶୋଭାଯାତ୍ରା ହେଉ, କି ସ୍ବାଧୀନତା ସଂଗ୍ରାମ ପାଇଁ ଉଦ୍ଦିଷ୍ଟ ସଭାସମିତି ହେଉ, ସବୁଠି ପ୍ରତିଧ୍ୱନିତ ହୋଇଉଠିଲା ବନ୍ଦେ ମାତରମ୍‌ର ସ୍ଲୋଗାନ। ଏ ସ୍ବରର ନିନାଦରେ ଥରିଉଠିଲା ବ୍ରିଟିଶ ସରକାରର ଛାତି। ଫଳତଃ ଏ ଗୀତ ଓ ସ୍ଲୋଗାନ୍‌କୁ ନିଷିଦ୍ଧ କରାଗଲା। ଏହାକୁ ଅମାନ୍ୟ କରୁଥିବା ଲୋକମାନଙ୍କୁ କାରାବରଣ କରିବାକୁ ପଡ଼ୁଥିଲା।
ଲାହୋରର ଆର୍ଯ୍ୟ ପ୍ରିଣ୍ଟିଂ ପ୍ରେସ୍‌ ଓ ଡେରାଡୁନର ଭାରତୀୟ ପ୍ରେସ୍‌ରେ ୧୯୨୯ ମସିହାରେ ‘କ୍ରାନ୍ତି ଗୀତାଞ୍ଜଳି’ ନାମକ ବହିଟିଏ ପ୍ରକାଶ ପାଇଲା। ବହିର ଏଗାର ନମ୍ବର ପୃଷ୍ଠାରେ ମାତୃବନ୍ଦନା ଶିରୋନାମାରେ ବନ୍ଦେ ମାତରମ୍‌ର ପ୍ରଥମ ଦୁଇପଦ ସ୍ଥାନ ପାଇଲା। ପରପୃଷ୍ଠାରେ ବହିର ଲେଖକ କାକୋରୀର ପ୍ରସିଦ୍ଧ ଦେଶପ୍ରେମୀ ପଣ୍ଡିତ ରାମପ୍ରସାଦ ବିସମିଲଙ୍କ ଦ୍ୱାରା ସଂଯୋଜିତ ଏହି ଗୀତର ଗଜଲ ଯୋଡ଼ି ହୋଇଗଲା।
କେବଳ ସେତିକି ନୁହେଁ, ଏ ସଙ୍ଗୀତର ସମ୍ମୋହନ ଶ୍ରୀଅରବିନ୍ଦଙ୍କ ଚେତନାକୁ ମଧ୍ୟ ଆନ୍ଦୋଳିତ କରିଛି। ସେ ପ୍ରକାଶ କରିଛନ୍ତି ପତ୍ରିକା ‘ବନ୍ଦେ ମାତରମ୍‌’। ୧୯୦୫ ବଙ୍ଗଭଙ୍ଗ ଆନ୍ଦୋଳନ ସମୟରେ ବନ୍ଦେ ମାତରମ୍‌ର ମନ୍ତ୍ର ହୋଇଛି ବଙ୍ଗଯୋଡ଼ଣର ଅଣୁଘଟକ, ବିପ୍ଳବର ବୀଜମନ୍ତ୍ର।
ଜୀତାୟତାର ମନ୍ତ୍ରରେ ଉଦ୍‌ବୁଦ୍ଧ ‘ବନ୍ଦେ ମାତରମ୍‌’ ଜାତୀୟ ସଙ୍ଗୀତ ହେବା ଉଚିତ ବୋଲି ଭାରତୀୟ ଜାତୀୟ କଂଗ୍ରେସରେ ମତ ପ୍ରକାଶ ପାଇଲା। ସେତେବେଳେ ଅର୍ଥାତ୍‌ ୧୯୫୦ ଜାନୁୟାରୀ ୨୪ରେ ସମ୍ବିଧାନ ସଭାରେ ପୌରୋହିତ୍ୟ କରୁଥାନ୍ତି ରାଜେନ୍ଦ୍ର ପ୍ରସାଦ। ମାତ୍ର ସେତେବେଳକୁ ରବୀନ୍ଦ୍ରଙ୍କ ‘ଜନ-ଗଣ-ମନ’ ଜାତୀୟ ସଙ୍ଗୀତର ମାନ୍ୟତା ପାଇସାରିଥିବାରୁ ଏହି ମତ ଆଉ ଆଗକୁ ଯାଇପାରିଲା ନାହିଁ। ମାତ୍ର ରାଜେନ୍ଦ୍ର ପ୍ରସାଦଙ୍କ ମନ୍ତବ୍ୟ ଥିଲା- ଶବ୍ଦ ଓ ସୁରକୁ ନେଇ ସଂଯୋଜିତ ଜନ-ଗଣ-ମନ, ଆମ ଜାତୀୟତାର ପ୍ରତୀକ ହୋଇଛି ସତ ମାତ୍ର ବନ୍ଦେ ମାତରମ୍‌, ଜାତୀୟତା ଗଢ଼ଣରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଭୂମିକା ନିର୍ବାହ କରିଛି, ତାହା ଜନ-ଗଣ-ମନର ଅନୁରୂପ ଅଭିବ୍ୟଞ୍ଜନା। ଏକଥା ଭାରତୀୟ ସମ୍ବିଧାନର Vol.XII, ୨୪ା୧ା୧୯୫୦ରେ ଲିପିବଦ୍ଧ ହୋଇଛି।
ତେବେ ‘ବନ୍ଦେ ମାତରମ୍‌’ର ଯେଉଁ ଦୁଇଟି ପଦକୁ ଆମେ ପ୍ରାୟତଃ ଗାଉ, ତାହା ବଙ୍କିମଚନ୍ଦ୍ରଙ୍କ ଲେଖନୀର ପ୍ରଥମ ଦୁଇଟି ପଦ। ଏହି ଦୁଇପଦ ପରେ ଆଉ ଚାରିପଦ ରହିଛି। ମାତ୍ର ସେଗୁଡ଼ିକରେ ହିନ୍ଦୁଦେବୀ ଦୁର୍ଗାଙ୍କର ସ୍ତୁତିଗାନର ସାମଞ୍ଜସ୍ୟ ଥିବାରୁ ମାତୃବନ୍ଦନାରୁ ସମ୍ଭବତଃ ବାଦ୍‌ପଡ଼ିଛି। ବଙ୍କିମଚନ୍ଦ୍ରଙ୍କର ଏହି କାଳଜୟୀ ଶବ୍ଦକୁ ସୁରରେ ସଜେଇଛନ୍ତି ଯଦୁନାଥ ଭଟ୍ଟାଚାର୍ଯ୍ୟ। ଯେଉଁ କାଳଜୟୀ ଜାତୀୟତାବାଦର ମନ୍ତ୍ରଧ୍ୱନି ସମଗ୍ର ଭାରତବର୍ଷର ସର୍ବକାଳୀନ ସ୍ପନ୍ଦନ ହୋଇରହିଛି ଓ ରହିଥିବ ଯାବତ୍‌ ଚନ୍ଦ୍ରାର୍କ, ତାହାର ସର୍ଜନଭୂମି ଆମ ଓଡ଼ିଶା, ଏହା ଓଡ଼ିଶା ବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ କମ୍‌ ଗୌରବର କଥା ନୁହେଁ।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?