ପାଖେଇ ଆସୁଛି ପ୍ରଳୟ

ଅଭୟ ସୂତାର
ଏବେ ବିଶ୍ୱ ପରିବେଶରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିବେଶ ପ୍ରଦୂଷଣ ଯୋଗୁ ପୃଥିବୀ ପୃଷ୍ଠରୁ ଅନେକ ଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଗଲେଣି। ଯେଉଁମାନେ ରହିଛନ୍ତି, ସେମାନେ ପ୍ରଚଣ୍ଡ ଉତ୍ତାପ, ଖାଦ୍ୟ ଓ ପାଣି ଅଭାବରେ ଅସହ୍ୟ କଷ୍ଟ ଭୋଗ କରୁଛନ୍ତି। ବିଗତ ୧୦ ବର୍ଷ ଧରି ଏ ସମ୍ପର୍କରେ ବହୁ ଅନୁଧ୍ୟାନ ଓ ଆଲୋଚନା ହେବା ପରେ ଏବେ ଜାତିସଂଘ ତରଫରୁ ପୃଥିବୀର ସବୁ ଦେଶକୁ ଏ ବାବଦରେ ସୂଚନା ଦିଆଯାଇଛି।
ସୂଚନାର ସାରମର୍ମ ହେଲା, ବିଗତ ୧୯୯୫ ମସିହାରୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଉଛି। ଏପରି କି ମେରୁ ଅଞ୍ଚଳରେ ଉତ୍ତାପ ବୃଦ୍ଧି ଯୋଗୁ ବରଫ ତରଳି ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଏହି ପ୍ରକ୍ରିୟା ଯୋଗୁ ନିକଟ ଭବିଷ୍ୟତରେ ମାଳଦ୍ୱୀପ ଭଳି କେତେକ ଦ୍ୱୀପାଞ୍ଚଳ ରାଷ୍ଟ୍ର ବାଂଲାଦେଶ ଓ ଭାରତର ମୁମ୍ବାଇ ଆଦି ସହରରେ ସମୁଦ୍ର ଜଳ ପ୍ରବେଶ କରି ବିଶେଷ କ୍ଷତି ଘଟାଇବ। ଏଥିରେ ଅନେକ ଧନଜୀବନ କ୍ଷୟକ୍ଷତି ଓ ଜୀବଜନ୍ତୁଙ୍କ ପ୍ରାଣହାନି ଘଟିବା ସହିତ ପ୍ରାୟ ୫ ନିୟୁତ ଲୋକଙ୍କୁ ଅପସାରଣ କରି ଅନ୍ୟତ୍ର ଥଇଥାନ କରିବାକୁ ହେବ। ପୁଣି ସମୁଦ୍ର କୂଳେ କୂଳେ ଥିବା ବିସ୍ତୃତ ଅଞ୍ଚଳର ଲୁଣାଜଙ୍ଗଲ ପାଣିରେ ବୁଡିଯାଇ ନଷ୍ଟ ହେବ ଓ ସମୁଦ୍ର ପାଣିର ଉତ୍ତାପ ବୃଦ୍ଧି ଯୋଗୁ ଅନେକ ସାମୁଦ୍ରିକ ଜୀବଙ୍କର ପ୍ରାଣହାନି ଘଟିବ। ସାମୁଦ୍ରିକ ବାତ୍ୟା ପ୍ରଭାବରେ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ଅନେକ ଜୀବଜନ୍ତୁଙ୍କର ମୃତ୍ୟୁ ହେବ।
ଆଫ୍ରିକା ମହାଦେଶରେ ଏହି ପାରିବେଶିକ ବିପର୍ଯ୍ୟୟ ବିଶେଷ କ୍ଷୟକ୍ଷତି କରିବ। ପ୍ରିଟୋରିଆ ବିଶ୍ୱବିଦ୍ୟାଳୟର ଅନୁଧ୍ୟାନ ଅନୁସାରେ, ଉତ୍ତାପ ବୃଦ୍ଧି ଓ ବୃଷ୍ଟିପାତର ଅନିୟମିତତା ଯୋଗୁ ଏହି ମହାଦେଶରେ ଯଥାକ୍ରମେ ୨୫ ଓ ୪ ବିଲିୟନ ଡଲାର ମୂଲ୍ୟର ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇବ। ଏଥିସହିତ ପାଣିର ଘୋର ଅଭାବ ପଡିବ। ତେଣୁ ଅନେକ ବୃକ୍ଷଲତା ଓ ଜୀବଜନ୍ତୁ ବିଲୀନ ହେବେ। ପ୍ରାୟ ଛଅଲକ୍ଷ ବର୍ଗ କିଲୋମିଟର ଅଞ୍ଚଳର ଚାଷଜମି ଫସଲ ଉତ୍ପାଦନ ପାଇଁ ଅକାମୀ ହୋଇଯିବ। ଉଗାଣ୍ଡା, ତାଞ୍ଜାନିଆ ଓ କେନିଆର ଅନେକ ପର୍ବତମାଳାର ବରଫ ତରଳି ଯିବ ଓ ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବ। ଇଜିପ୍ଟ ଓ ଗିନିର ସମୁଦ୍ରକୂଳ ଅଞ୍ଚଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ଯୋଗୁ ବିଶେଷ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି ହେବ।
ଜାତିସଂଘର ବୈଜ୍ଞାନିକମାନେ କହନ୍ତି, ଆବହମାନ କାଳରୁ ହିମାଳୟ ପର୍ବତମାଳାରେ ଆଚ୍ଛାଦିତ ହୋଇ ରହିଥିବା ବରଫ ଏବେ ତରଳୁଛି ଓ ୨୦୩୫ ବେଳକୁ ସବୁ ବରଫ ତରଳିଯିବ। ଫଳରେ ହିମାଳୟରୁ ବାହାରିଥିବା ଗଙ୍ଗା ଓ ଯମୁନା ନଦୀରେ ଅଧିକ ଜଳ ପ୍ରବାହିତ ହୋଇ ବନ୍ୟା ବିତ୍ପାତ ଘଟିବ। ତା’ପରେ ଏହି ନଦୀ ଦୁଇଟି ଶୁଷ୍କ ହୋଇଯିବେ, କାରଣ ଏହି ନଦୀଗୁଡିକୁ ବର୍ଷା ଦିନ ପରେ ଆଉ ଜଳ ପ୍ରବେଶ କରିବ ନାହିଁ। ଏହାଫଳରେ ନଦୀ ଦୁଇଟିର ଅବବାହିକା ଅଞ୍ଚଳରେ ବାସ କରୁଥିବା ଲୋକମାନେ ଅଶେଷ ଜଳକଷ୍ଟ ଭୋଗ କରିବେ।
ହିମାଳୟରେ ବରଫ ତରଳିଯିବା ଯୋଗୁ ଉତ୍ତରଭାରତରେ ଶୀତଦିନିଆ ବୃଷ୍ଟିପାତ କମିଯିବ। ୨୦୨୦ ବେଳକୁ ଉତ୍ତର ଭାରତରେ ଆଉ ଶୀତଋତୁ ହେବ ନାହିଁ ଓ ସେ ସମୟରେ ଜାନୁୟାରୀ ମାସରେ ଉତ୍ତାପ ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ। ସେହିପରି ଜଳ ଓ ବର୍ଷାଭାବ ଯୋଗୁ ଗଙ୍ଗାନଦୀର ଉର୍ବର ଅବବାହିକା ଅଞ୍ଚଳ କାଳକ୍ରମେ ଅନୁତ୍ପାଦକ ଅଞ୍ଚଳରେ ପରିଣତ ହେବ। ବିଶେଷଜ୍ଞଙ୍କ ହିସାବ ଅନୁସାରେ, ଆସନ୍ତା ୩୦ ବର୍ଷ ମଧ୍ୟରେ ସେହି ଅଞ୍ଚଳରେ କୃଷି ଉତ୍ପାଦନ ୩୦ ଭାଗ କମିଯିବ। ଗୋଚର ଜମିସବୁ ଟାଙ୍ଗରା ପଡିଆ ପାଲଟି ଯିବେ ଓ ଖାଦ୍ୟାଭାବରୁ ୨୫ ପ୍ରତିଶତ ପ୍ରାଣୀସମ୍ପଦ ନଷ୍ଟହେବ।
ବୈଜ୍ଞାନିକଙ୍କ ମତରେ ଜଳାଭାବ, ଉତ୍ତାପ ବୃଦ୍ଧି ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁ ମଶାବଂଶ ବୃଦ୍ଧି ପାଇବ। ଏହାର ପ୍ରଭାବରେ ଡେଙ୍ଗୁ ଓ ମ୍ୟାଲେରିଆର ପ୍ରକୋପ ଅଧିକ ହେବ। ବନ୍ୟା ଓ ମରୁଡି ପ୍ରଭାବରେ କଲେରା ଓ ଝାଡା ରୋଗ ବ୍ୟାପକ ହେବ ଓ ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିବ। ବିଶ୍ୱର ଏହି ଉତ୍ତାପ ବୃଦ୍ଧି ଯୋଗୁ ଭାରତରେ ଏବେ ଅନେକ ପାରିବେଶିକ ବିପର୍ଯ୍ୟୟ ସୃଷ୍ଟି ହେଲାଣି। ବିଗତ ୧୦ ବର୍ଷ ମଧ୍ୟରେ ଉତ୍ତରପଶ୍ଚିମ ଅଞ୍ଚଳରେ କ୍ରମାଗତଭାବେ ମୂଷଳ ଧାରାରେ ବର୍ଷା ହେବା ଯୋଗୁ ଅନେକଥର ପ୍ରବଳ ବନ୍ୟାବିତ୍ପାତ ସୃଷ୍ଟି ହୋଇଛି। ସେହିପରି ପୂର୍ବାଞ୍ଚଳରେ ବର୍ଷାର ପ୍ରକୋପ ଅସାଧାରଣ ଭାବେ ବୃଦ୍ଧିପାଇଛି। ୨୦୦୫ ଜୁଲାଇ ୨୬ ଓ ୨୭ ତାରିଖରେ ମୁମ୍ବାଇ ସହରରେ ୯୪୪ ମିଲିମିଟର ବର୍ଷା ଯୋଗୁ ୧୦୦୦ ଲୋକଙ୍କର ପ୍ରାଣହାନି ଘଟିବା ସହିତ ପ୍ରାୟ ୧୭୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ପୂର୍ବ ବର୍ଷ ସୁରଟ ଓ ଶ୍ରୀନଗର (ଯେଉଁଠାରେ ବନ୍ୟା ହେବା କଥା ନୁହେଁ)ରେ ପ୍ରବଳ ବନ୍ୟାହୋଇ ଅଶେଷ କ୍ଷୟକ୍ଷତି ଘଟିଛି। ବଙ୍ଗୋପସାଗର ଓ ଆରବ ସାଗରରେ ଅନେକଥର ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। ଓଡ଼ିଶାରେ ୧୯୯୯ ମହାବାତ୍ୟା ଯୋଗୁ ନାହିଁ ନ ଥିବା କ୍ଷତି ଘଟିଥିଲା। ଓଡ଼ିଶାରେ ୨୦୦୦ରୁ ୨୦୧୫ ମଧ୍ୟରେ କ୍ରମାଗତ ଭାବେ ବୃଷ୍ଟିପାତର ହ୍ରାସ ଯୋଗୁ ମରୁଡି ହୋଇ ପ୍ରାୟ ୩୫ ନିୟୁତ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।
ବିଶ୍ୱତାପନର ପ୍ରଧାନ କାରଣ ହେଲା ବାୟୁମଣ୍ଡଳକୁ ସବୁଜଗୃହ ବାଷ୍ପ (ଅଙ୍ଗାରକାମ୍ଳ, ମିଥେନ୍‌, ନାଇଟ୍ରସ ଅକ୍ସାଇଡ ଇତ୍ୟାଦି)ର ନିର୍ଗମନ ଯାହା ଯୋଗୁ ଓଜୋନ ସ୍ତରରେ ଛିଦ୍ର ସୃଷ୍ଟି ହୋଇ ସୂର୍ଯ୍ୟଙ୍କର କିରଣ ସିଧାସଳଖ ପୃଥିବୀ ପୃଷ୍ଠକୁ ଆସି ଉତ୍ତାପ ବୃଦ୍ଧି କରୁଛି। ବ୍ୟାପକ ଶିଳ୍ପ ପ୍ରତିଷ୍ଠା, ତାପଜ ବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନ, ଯାନବାହନର ବୃଦ୍ଧି ଯୋଗୁ ସବୁଜଗୃହ ବାଷ୍ପର ନିର୍ଗମନ ହେଉଛି। ୧୯୯୨ ମସିହାରେ ସବୁଜଗୃହ ବାଷ୍ପର ନିର୍ଗମନକୁ ହ୍ରାସ କରିବା ପାଇଁ ହୋଇଥିବା ଶିଖର ସମ୍ମିଳନୀରେ ଅନ୍ତତଃପକ୍ଷେ ୧୯୯୦ ମସିହା ସ୍ତରକୁ ଆଣିବା ପାଇଁ ବିକଶିତ ଦେଶଗୁଡ଼ିକୁ ଅନୁରୋଧ କରାଯାଇଥିଲା। ମାତ୍ର ଆମେରିକା, ଯେକି କେବଳ ଏକ ତୃତୀୟାଂଶ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳକୁ ଛାଡୁଛି, ସେଥିପ୍ରତି ଏ ଯାଏ ଗୁରୁତ୍ୱ ଦେଇନାହିଁ। ଅଷ୍ଟ୍ରେଲିଆ ମଧ୍ୟ ଦ୍ୱିତୀୟ ସର୍ବାଧିକ ବାଷ୍ପ ନିର୍ଗମନର ଦେଶ ହୋଇଛି।
ସେହି ଦେଶଗୁଡ଼ିକର ବେପରୁଆ ମନୋଭାବ ଯୋଗୁ ଏବେ ସମଗ୍ର ବିଶ୍ୱ ଏହାର କୁପରିଣାମ ଭୋଗ କରିବାକୁ ବାଧ୍ୟ ହେଉଛି। ତେଣୁ ସେଥିପ୍ରତି ଜନ ସଚେତନତା ସୃଷ୍ଟି ହେବା ସହିତ ଜାତିସଂଘ ପକ୍ଷରୁ ସେହି ଦେଶଗୁଡ଼ିକ ଉପରେ ଚାପ ପ୍ରୟୋଗ ପାଇଁ ଭାରତ ସରକାର ଉଦ୍ୟମ କରିବା ଉଚିତ। ଦ୍ରୁତଗତିରେ ବିଗୁଡୁଛି ପରିବେଶ ଓ ପାଖେଇ ଆସୁଛି ପ୍ରଳୟ – ଏ କଥା ଯେତେଶୀଘ୍ର ଆମେ ବୁଝିଯିବା ସେତେ ଭଲ।
ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭଦ୍ରକ, ମୋ-୯୪୩୭୩୭୬୯୬୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri