ଅଣ୍ଡା ଓ ହୃଦ୍‌ରୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମ ରକ୍ତରେ ଥିବା କୋଲେଷ୍ଟରୋଲ ହେଉଛି ଏକ ପ୍ରକାର ଚର୍ବି ପରି ଉପାଦାନ। ଏହା ଆମ ଶରୀର ଦ୍ୱାରା ଉତ୍ପନ୍ନ ହୁଏ (ଯକୃତ ଦ୍ୱାରା ୭୫%)। ଅବଶିଷ୍ଟ ଆସେ ଆମ ଖାଦ୍ୟରୁ। କୋଲେଷ୍ଟରୋଲ ଆମ ଶରୀରର ପ୍ରତ୍ୟେକ କୋଷରେ ଥାଏ ଏବଂ ଖାଦ୍ୟ ହଜମ କରିବାରେ, ଭିଟାମିନ୍‌ ଡି ସୃଷ୍ଟି କରିବାରେ, କୋଷ ପ୍ରଚାର ନିର୍ମାଣ କରିବାରେ ଏବଂ କେତେକ ହର୍ମୋନ ତିଆରି କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ଥିଲେ ବି ଅଧିକ କୋଲେଷ୍ଟରୋଲ ଆମ ଧମନୀକୁ କ୍ଷତି ପହଞ୍ଚାଇଥାଏ ଏବଂ ହୃଦ୍‌ରୋଗ ସୃଷ୍ଟି କରେ।
ଆମ ରକ୍ତରେ ଥିବା କୋଲେଷ୍ଟରୋଲ ଆପେ ଆପେ ଗତି କରେ ନାହିଁ। ଏହା ପ୍ରୋଟିନ ସହ ବାନ୍ଧିହୋଇ ରକ୍ତସ୍ରୋତରେ ଗତି କରେ। ଲିପୋପ୍ରୋଟିନ୍‌ ମୁଖ୍ୟତଃ ଦୁଇପ୍ରକାର: ଉଚ୍ଚ ସାନ୍ଦ୍ରତାବିଶିଷ୍ଟ ଲିପୋପ୍ରୋଟିନ୍‌ (ଏଚ୍‌ଡିଏଲ୍‌) ଓ ନିମ୍ନ ସାନ୍ଦ୍ରତାବିଶିଷ୍ଟ ଲିପୋପ୍ରୋଟିନ୍‌ (ଏଲ୍‌ଡିଏଲ୍‌)। ଏଚ୍‌ଡିଏଲ୍‌ କୋଲେଷ୍ଟରୋଲକୁ ଆମ ଧମନୀରୁ ବାହାର କରି ପୁଣି ଯକୃତରେ ନେଇ ପହଞ୍ଚାଇଦିଏ। ଏଲ୍‌ଡିଏଲ୍‌ କୋଲେଷ୍ଟରୋଲକୁ ଖରାପ କୋଲେଷ୍ଟରୋଲ କୁହାଯାଏ କାରଣ ଏହା କୋଲେଷ୍ଟରୋଲକୁ ଆଣି ରକ୍ତବାହିନୀ ବା ଧମନୀରେ ଛାଡ଼ିଦିଏ। ଅତିରିକ୍ତ ଏଲ୍‌ଡିଏଲ୍‌ କୋଲେଷ୍ଟରୋଲ ରକ୍ତନାଳୀ କାନ୍ଥରେ ଜମା ହୋଇ ପ୍ଲାକ୍‌ ବା ଫଳକ ସୃଷ୍ଟି କରେ। ଏହି ପ୍ଲାକ୍‌ ଧମନୀର ବାଟ ବନ୍ଦ କରିଦେଇପାରେ। ଫଳରେ ତା’ ଭିତରଦେଇ ଆଉ ସୁବିଧାରେ ରକ୍ତପ୍ରବାହ ହୋଇପାରେ ନାହିଁ, ଯାହାଦ୍ୱାରା ହୃଦ୍‌ଘାତ ଓ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ। ଉଚ୍ଚମାତ୍ରାର କୋଲେଷ୍ଟରୋଲ ଥିଲେ ବି ସାଧାରଣତଃ ତା’ର ଲକ୍ଷଣ ବାହାରକୁ ଜଣାପଡ଼େ ନାହିଁ। ଫଳରେ ହଠାତ୍‌ ହାର୍ଟ ଆଟାକ୍‌ର ବିପଦ ଦେଖାଦେଇପାରେ। ଏହାର ଗୋଟିଏ ଲକ୍ଷଣ ହେଉଛି ଆପଣଙ୍କ କର୍ନିଆ (ଆଖିର ସ୍ବଚ୍ଛପଟଳ)ରେ ଚର୍ବିର ଧୂସର-ଧଳା ରେଖା ଦେଖାଯାଏ। ଆପଣଙ୍କ ବୟସ ଯଦି ୪୦ରୁ କମ୍‌ ତେବେ ଏହା ବିପଜ୍ଜନକଭାବେ ଅତି ଉଚ୍ଚମାତ୍ରାର କୋଲେଷ୍ଟରୋଲର ସୂଚନା ଦିଏ।
ବଂଶାନୁକ୍ରମିକ ଗୁଣ ଭାବେ ଆପଣଙ୍କ ଧମନୀରେ ଅଧିକ କୋଲେଷ୍ଟରୋଲ ଜମା ହୋଇପାରେ। ଏପର୍ଯ୍ୟନ୍ତ ଆମ ପରିବାରରେ କେହି ହୃଦ୍‌ଘାତରେ ମରିନାହାନ୍ତି। କିନ୍ତୁ ମୋ ଆଖିରେ ଈଷତ୍‌ ହଳଦିଆ ମିଶା ଧଳା ପ୍ୟାଚ୍‌ ଦେଖିବାକୁ ମିଳୁଛି, ଯାହା ମୋର ଅତିରିକ୍ତ କୋଲେଷ୍ଟରୋଲର ସୂଚନା ଦିଏ। ଏହା ମୋର ୪୦ରୁ ୫୦ ବର୍ଷ ବୟସ ଭିତରେ ଜମା ହୋଇଛି। ପ୍ରୌଢ଼ ବୟସରେ ଏହା ହୁଏ ଏବଂ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶି ଦେଖାଯାଏ। ମୋ ମାଆ ଓ ଜେଜେମାଆଙ୍କ ଆଖିରେ ବି କୋଲେଷ୍ଟରୋଲର ଲକ୍ଷଣ ଦେଖାଯାଇଥିଲା। ମୁଁ କମ୍‌ ତେଲଯୁକ୍ତ ନିରାମିଷ ଖାଦ୍ୟ ଖାଇବା ସହ ନିୟମିତ ବ୍ୟାୟାମ କରୁଥିଲେ ମଧ୍ୟ ମୋ ଶରୀରରେ ଅଧିକ କୋଲେଷ୍ଟରୋଲ ସୃଷ୍ଟି ହୋଇଛି। ଏକ ପରିବର୍ତ୍ତିତ ଜିନ୍‌ ଯୋଗୁ ବଂଶଗତ ଭାବେ ଏହି ସମସ୍ୟା ଦେଖାଦେଇଥାଏ। ଏହା ୫୫ ବର୍ଷ ବୟସ ପୂର୍ବରୁ ହୃଦ୍‌ରୋଗ ସୃଷ୍ଟି କରେ। କିନ୍ତୁ ମୁଁ ସେ ବୟସ ଅତିକ୍ରମ କରିସାରିଲିଣି। ମାଆବାପାଙ୍କଠାରୁ ଜେନିଟିକ୍‌ ମ୍ୟୁଟେଶନର ଅଧିକାରୀ ହୋଇଥିଲେ ୧୨% ମହିଳାଙ୍କଠାରେ ୫୦ ବର୍ଷ ବୟସ ପୂର୍ବରୁ ହୃତ୍‌ପିଣ୍ଡରେ ରକ୍ତସଞ୍ଚାଳକ ଧମନୀରେ ରୋଗ ହୁଏ ଏବଂ ୭୪% ମହିଳାଙ୍କଠାରେ ଏହା ୭୪ ବର୍ଷ ପରେ ହୁଏ। ପ୍ରାୟ ୮୫% ପ୍ରଭାବିତ ପୁରୁଷଙ୍କ କ୍ଷେତ୍ରରେ ୬୦ ବର୍ଷ ବୟସ ପୂର୍ବରୁ ହୃଦ୍‌ଘାତ ହୁଏ। କିନ୍ତୁ ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମ ଦ୍ୱାରା ଏହାକୁ ରୋକାଯାଇପାରେ। ବୟସ୍କଙ୍କଠାରେ ପ୍ରତି ଡେସିଲିଟର ରକ୍ତ ପିଛା ୨୦୦ ମିଲିଗ୍ରାମ୍‌ରୁ କମ୍‌ କୋଲେଷ୍ଟରୋଲ ରହିବା ଉଚିତ। ୨୦୦ରୁ ୨୩୯ ମିଲିଗ୍ରାମ୍‌ ଭିତରେ ହେଲେ ବିପଦର ସୀମାରେ ପହଞ୍ଚିଗଲା ଏବଂ ୨୪୦ ମିଲିଲିଟର ବା ତା’ଠୁ ଅଧିକ ହେଲେ ବିପଜ୍ଜନକ ଭାବେ ତାହା ଅତି ଉଚ୍ଚମାତ୍ରା ବୋଲି ବୁଝିବାକୁ ହେବ। ଏଲ୍‌ଡିଏଲ୍‌ କୋଲେଷ୍ଟରୋଲ ୧୦୦ ମିଗ୍ରା/ଡେଲିରୁ କମ୍‌ ରହିବା ଉଚିତ। ୧୦୦ରୁ ୧୨୯ ଭିତରେ ରହିଲେ ସୁସ୍ଥସବଳ ଲୋକଙ୍କ ପାଇଁ ଗ୍ରହଣୀୟ। କିନ୍ତୁ ହୃଦ୍‌ରୋଗ ସମ୍ଭାବନା ଥିବା ଲୋକଙ୍କ ପାଇଁ ବିପଦ ସଙ୍କେତ। ୧୩୦ରୁ ୧୫୯ ଭିତରେ ରହିଲେ ବିପଦର ସୀମାକୁ ଆସିଗଲା ଏବଂ ୧୬୦ରୁ ୧୮୯ ମିଗ୍ରା/ଡେଲି ଭିତରେ ରହିଲେ ବିପଜ୍ଜନକଭାବେ ଉଚ୍ଚମାତ୍ରା ବୋଲି ବୁଝିବାକୁ ହେବ। ଏଚ୍‌ଡିଏଲ୍‌ କୋଲେଷ୍ଟରୋଲର ସ୍ତର ୬୦ ମିଲିଗ୍ରାମ୍‌ରୁ ଅଧିକ ହେବା ଉଚିତ। କିନ୍ତୁ ପ୍ରତି ଡେସିଲିଟର ରକ୍ତ ପିଛା ୪୦ ମିଲିଗ୍ରାମ୍‌ରୁ କମ୍‌ ରହିଲେ ତାହା ହୃଦ୍‌ରୋଗର କାରଣ ହୋଇପାରେ।
କୋଲେଷ୍ଟରୋଲ କେବଳ ପ୍ରାଣିଜ ଖାଦ୍ୟ ଯଥା ଅଣ୍ଡା, କ୍ଷୀର, ଲହୁଣି, ଛେନା, ମାଂସ, ମାଛ, କୁକୁଡ଼ାମାଂସ ଏବଂ ପାମୋଲିନ୍‌ ଓ ନଡ଼ିଆତେଲ ପ୍ରଭୃତି ହାଇଡ୍ରୋଜେନେଟେଡ୍‌ ତୈଳରୁ ଆସେ। ଯେଉଁମାନେ ମାଛ, ମାଂସ, ଅଣ୍ଡା ପ୍ରଭୃତି ଖାନ୍ତି, ସେମାନଙ୍କଠାରେ କୋଲେଷ୍ଟରୋଲ ଅଧିକ ଥାଏ। ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଆମ ଯକୃତ କୋଲେଷ୍ଟରୋଲର ପରିମାଣ ବଢ଼ାଇଦିଏ। ଏଲ୍‌ଡିଏଲ୍‌ କୋଲେଷ୍ଟରୋଲର ପରିମାଣ ବୃଦ୍ଧି ପାଇଲେ ହୃଦ୍‌ରୋଗ ଓ ଡାଇବେଟିସ୍‌ର ଆଶଙ୍କା ଅଧିକ ରହେ।
ଖାଦ୍ୟ ସହ କୋଲେଷ୍ଟରୋଲ ପରିମାଣର କିପରି ସମ୍ପର୍କ ରହିଛି ତାହା ଉପରେ ହାଓ୍ବାର୍ଡ ହେଲ୍‌ଥ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁସବୁ ଖାଦ୍ୟ ଖରାପ କୋଲେଷ୍ଟରୋଲର ମାତ୍ରା କମାଇବାରେ ସାହାଯ୍ୟ କରେ ସେଗୁଡ଼ିକ ମଧ୍ୟରେ ଅଛି: ଓଟ୍‌, ବାର୍ଲି, ଗୋଟା ଶସ୍ୟ, ବିନ୍‌, ବାଦାମ ପ୍ରଭୃତି ମଞ୍ଜି, ସୂର୍ଯ୍ୟମୁଖୀ ତେଲ, ଫଳ (ସେଓ, ଅଙ୍ଗୁର, ଷ୍ଟ୍ରବେରୀ, କମଳା ପ୍ରଭୃତି), ସୋୟାବିନ୍‌ ଓ ତନ୍ତୁବହୁଳ ଖାଦ୍ୟ (କୌଣସି ପ୍ରାଣିଜ ଖାଦ୍ୟରେ ତନ୍ତୁ ନ ଥାଏ)। ଚର୍ବିଜାତୀୟ ଖାଦ୍ୟ ଖାଇବା କମାଇଦେଲେ ଆମର କୋଲେଷ୍ଟରୋଲର ସ୍ତର ଠିକ୍‌ ରହେ। କିନ୍ତୁ ଯେଉଁସବୁ ଖାଦ୍ୟରେ ସାଚୁରେଟେଡ୍‌ ଫ୍ୟାଟ୍‌ (ମାଂସ, କ୍ଷୀରଜାତ ଖାଦ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ପ୍ରଭୃତି) ବା ଟ୍ରାନ୍ସ ଫ୍ୟାଟ୍‌ (କେତେକ ଭଜା ହୋଇଥିବା ଓ ପ୍ରକ୍ରିୟାକୃତ ଖାଦ୍ୟ) ଅଛି ତାହାକୁ ବର୍ଜନ କରନ୍ତୁ। ଅତିରିକ୍ତ ଓଜନ (ମେଦବହୁଳତା) ମଧ୍ୟ ଏଲ୍‌ଡିଏଲ୍‌ କୋଲେଷ୍ଟରୋଲର ସ୍ତର ବଢ଼ାଇବାରେ ସାହାଯ୍ୟ କରେ।
ଅନ୍ୟ ଯେଉଁସବୁ କାରଣ ପାଇଁ କୋଲେଷ୍ଟରୋଲର ମାତ୍ରା ବୃଦ୍ଧି ପାଇପାରେ ସେଗୁଡ଼ିକ ମଧ୍ୟରେ ଅଛି: ଡାଇବେଟିସ୍‌ (ଏହା ବି ଏକ ଜୀବନଶୈଳୀଜନିତ ରୋଗ), ଯକୃତ ଓ ବୃକ୍କ ରୋଗ, ପଲିସିଷ୍ଟିକ୍‌ ଓଭାରୀ ସିଣ୍ଡ୍ରୋମ୍‌ ଓ ଷ୍ଟେରଏଡ୍‌।
ଯଦି ଆପଣ ତନ୍ତୁବହୁଳ ଖାଦ୍ୟ ଏବଂ ତଟକା ଫଳ ଓ ପନିପରିବା ଖାଉଥାନ୍ତି, ତେବେ ଆପଣଙ୍କ ଦେହରେ କୋଲେଷ୍ଟରୋଲ ନିୟନ୍ତ୍ରିତ ମାତ୍ରାରେ ରହିବ। ଶାରୀରିକ କାର୍ଯ୍ୟକଳାପ ମଧ୍ୟ ଆପଣଙ୍କ ଓଜନ ଠିକ୍‌ ରଖିବାରେ ସାହାଯ୍ୟ କରେ। ପ୍ରତିଦିନ ଏକଘଣ୍ଟା ବ୍ୟାୟାମ କଲେ ଓଜନ କମିବା ସହ ହୃତ୍‌ପିଣ୍ଡ ଠିକ୍‌ ରହେ। ଏହା ଏଲ୍‌ଡିଏଲ୍‌ କୋଲେଷ୍ଟରୋଲର ପରିମାଣକୁ କମାଇବା ସହ ଭଲ କୋଲେଷ୍ଟରୋଲର ପରିମାଣକୁ ବଢ଼ାଇବାରେ ସାହାଯ୍ୟ କରେ।
ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିର ପ୍ରତିଷେଧୀ ଔଷଧ ବିଭାଗ ଏବଂ ଶିକାଗୋର ଫେନ୍‌ବର୍ଗ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଗବେଷକମାନେ ୨୯,୦୦୦ ଲୋକଙ୍କ ଉପରେ ୧୭ ବର୍ଷରୁ ଅଧିକ କାଳ ଗବେଷଣା କରି ତାଙ୍କ ଗବେଷଣାର ଫଳାଫଳ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ ଅଣ୍ଡା ଖାଉଥିବା ଲୋକମାନଙ୍କଠାରେ ହୃଦ୍‌ରୋଗର ଆଶଙ୍କା ଅଧିକ ଥାଏ। କାରଣ ପ୍ରତ୍ୟେକ ଅଣ୍ଡାରେ ଥାଏ ୧୮୬ ମିଲିଗ୍ରାମ୍‌ କୋଲେଷ୍ଟରୋଲ। ଏହା ଆପଣ ଖାଦ୍ୟରେ ଦୈନିକ ଯେତିକି ଖାଇବା କଥା ତା’ଠୁ ୧୨୪% ଅଧିକ। ସପ୍ତାହକୁ ୩/୪ଟି ଅଣ୍ଡା ଖାଇଲେ ହୃଦ୍‌ରୋଗ ଆଶଙ୍କା ୩.୨% ଏବଂ ତଜ୍ଜନିତ ମୃତ୍ୟୁ ଆଶଙ୍କା ୪.୪% ବୃଦ୍ଧି ପାଏ। ଏହାଠାରୁ ଆଉ ଫାଳେ ଅଣ୍ଡା ଅଧିକ ଖାଇଲେ ହୃଦ୍‌ରୋଗ ଓ ତଜ୍ଜନିତ ମୃତ୍ୟୁ ଆଶଙ୍କା ୬ରୁ ୮% ବୃଦ୍ଧି ପାଏ। ତେବେ ସପ୍ତାହକୁ କେତୋଟି ଅଣ୍ଡା ଖାଇବା ନିରାପଦ? ଗୋଟିଏ ବି ଖାଇବା ନିରାପଦ ନୁହେଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri