ପରିବେଶକୁ ସଜାଡ଼ିବା ପ୍ରୟାସ

ଡ. ବିଜୟ କେତନ ପଟ୍ଟନାୟକ
ଗତ ମେ ୩ ତାରିଖରେ ଶ୍ରୀକ୍ଷେତ୍ର ପୁରୀ ନିକଟରେ ଭୂମିପାତ ହେବା ଅବସରରେ ମହାବାତ୍ୟା ଫନୀ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସବୁଠାରୁ ଅଧିକ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପରିବେଶ। ସମ୍ପୂର୍ଣ୍ଣ ଭାବେ ଉଜୁଡିଯାଇଛି ପ୍ରାକୃତିକ ସବୁଜିମା। ରାସ୍ତା ପାର୍ଶ୍ୱରେ, ଗାଁଗଣ୍ଡା ସହରବଜାରରେ ଏବଂ ଜଙ୍ଗଲରେ ଲକ୍ଷ ଲକ୍ଷ ଗଛ ଭୂପତିତ ହୋଇଛି। ଫନୀ ବିଶେଷ ଭାବେ ରାଜ୍ୟର ପୁରୀ, ଖୋର୍ଦ୍ଧା ଓ କଟକ ଜିଲାର ପରିବେଶକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛି। କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ମଧ୍ୟ ଆଂଶିକ କ୍ଷୟକ୍ଷତି ଘଟିଛି।
ଭୁବନେଶ୍ୱରଠାରେ ଅବସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣାଗାର ପରିସର ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ପଦାର୍ଥବିଜ୍ଞାନ ପ୍ରତିଷ୍ଠାନ, ଆଇଆଇଏମ୍‌ଟି (ପୂର୍ବାଞ୍ଚଳ ଗବେଷଣା କେନ୍ଦ୍ର), ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ରାଜ୍ୟ ଉଦ୍ୟାନ ବିଭାଗ ପରିସର, ଔଷଧୀୟ ଉଦ୍ୟାନ, ସ୍ମୃତିବନ, ଜୟଦେବବାଟିକା, ନନ୍ଦନକାନନ ଓ ଫରେଷ୍ଟ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ ଏବଂ ମଧୁସୂଦନ ପାର୍କ ଆଦି ବୁଲି ଦେଖିବା ଅବସରରେ ମନେହେଲା, ଯେପରି ଫନୀ ତାଣ୍ଡବରେ ବିବର୍ଣ୍ଣ ହୋଇଯାଇଥିଲା ପ୍ରକୃତିର ସବୁଜିମା।
ଏବେ ବର୍ଷାଋତୁ ଆସିଯାଇଛି। ଚାରାରୋପଣ କରିବାର ପ୍ରକୃଷ୍ଟ ସମୟ। ସାରା ରାଜ୍ୟରେ, ବିଶେଷକରି ଏହି ତିନୋଟି ଜିଲାରେ ଉଜୁଡିଯାଇଥିବା ପରିବେଶକୁ ସଜାଡିବା ନିମନ୍ତେ ରାଜ୍ୟ ବନ ବିଭାଗ ପ୍ରୟାସ ଆରମ୍ଭ କରିଛି। ଆମେ ସମସ୍ତେ ଜାଣୁ ଘରଟିଏ ଭାଙ୍ଗିଗଲେ ଛଅମାସ କିମ୍ବା ବର୍ଷେ ଭିତରେ ନୂଆ ଘରଟିଏ ତୋଳିଦେଇ ହେବ। କିନ୍ତୁ ଗଛଟିଏ ଉପୁଡିଗଲେ ଠିକ୍‌ ସେହିପରି ଗଛଟିଏ ଉତାରିବାକୁ ଅତି କମ୍‌ରେ ପନ୍ଦରରୁ କୋଡିଏ ବର୍ଷ ଲାଗିଯିବ। ଗଛଗୁଡିକ ପ୍ରାପ୍ତବୟସ୍କ ହେବା ପାଇଁ ଏହାଠାରୁ ଅଧିକ ସମୟ ମଧ୍ୟ ଲାଗିଯାଇପାରେ।
ରାଜ୍ୟ ବନ ବିଭାଗର ଆକଳନ ମୁତାବକ ଜଙ୍ଗଲ ଓ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଉପୁଡି ଯାଇଥିବା ବୃକ୍ଷ ସଂଖ୍ୟା ପ୍ରାୟ ୯ ଲକ୍ଷ, ଜଙ୍ଗଲ ବାହ୍ୟ ଅଞ୍ଚଳରେ ନଷ୍ଟ ହୋଇଥିବା ବୃକ୍ଷ ୫ ଲକ୍ଷ, ସହରାଞ୍ଚଳ ଓ ପଥପାର୍ଶ୍ୱ ବନୀକରଣରେ ନଷ୍ଟ ହୋଇଯାଇଥିବା ବୃକ୍ଷ ୭.୯୦ ଲକ୍ଷ ଓ ସର୍ବମୋଟ ପ୍ରାୟ ୨୨ ଲକ୍ଷ ବଡ ଗଛ ଉପୁଡି ପଡିଛି। ଏହା ବ୍ୟତୀତ ବେସରକାରୀ ଜମିରେ ନଷ୍ଟ ହୋଇଥିବା ବୃକ୍ଷକୁ ବିଚାରକୁ ନେଲେ ଏହି ସଂଖ୍ୟା ୨୫ ଲକ୍ଷକୁ ଟପିଯିବ। ପୁରୀ ସନ୍ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ସଂସ୍କୃତ ବିଶ୍ୱବିଦ୍ୟାଳୟ ଯେଉଁଠି ଫନୀ ବାତ୍ୟା ଭୂପୃଷ୍ଠରେ ପ୍ରବେଶ କରିଥିଲା, ସେଠାରେ ଥିବା ସମସ୍ତ ଗଛ ଧରାଶାୟୀ ହୋଇଛି। ଏହି ଗଛଗୁଡିକ ମଧ୍ୟରେ ଝାଉଁ, ୟୁକାଲିପଟାସ ଓ ଆକାଶିଆ ଆଦି ରହିଛି। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଲଗାଯାଇଥିବା ଗଛଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଚଳିତ ବର୍ଷ ରାଜ୍ୟ ବନ ବିଭାଗ ଫନୀ ପ୍ରଭାବିତ ଅଞ୍ଚଳରେ ଉପକୂଳବର୍ତ୍ତୀ ତଥା ସମୁଦ୍ର ତଟବର୍ତ୍ତୀ ବନୀକରଣ ମିଶନ ନାମରେ ଏକ ୬ ବର୍ଷିଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିନିମନ୍ତେ ୧୮୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୬ ବର୍ଷରେ ହେବାକୁ ଥିବା ମୋଟ ୬୦୦୦ ହେକ୍ଟର ତଟବର୍ତ୍ତୀ ଇଲାକାରେ ଝାଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟରୁ ୨୦୧୯-୨୦ରେ ୪୫୦ ହେକ୍ଟର ଜମିରେ ପ୍ରାୟ ୮୦,୦୦୦ ଗଛ ଲଗାଯିବାର ପ୍ରସ୍ତାବ ରହିଛି। ରାଜ୍ୟରେ ବାରମ୍ବାର ଘଟୁଥିବା ବାତ୍ୟା ପ୍ରକୋପକୁ ହ୍ରାସ କରିବାରେ ଝାଉଁ ଓ ହେନ୍ତାଳ ବନ ପ୍ରାକୃତିକ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିଥାଏ। ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟରେ ସ୍ଥାନୀୟ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତାରେ ୫୦ ଲକ୍ଷ ଚାରା ଲଗାଯିବାର ପ୍ରସ୍ତାବ ରହିଛି।
ବାତ୍ୟା ପରେ ପରେ ରାଜ୍ୟ ବନ ବିଭାଗର ଅନ୍ୟ ଏକ କାର୍ଯ୍ୟକ୍ରମ ଏଥର ବିଶେଷ ଭାବେ ଦୃଷ୍ଟି ଆକର୍ଷଣ କରିଛି। ତାହା ହେଉଛି ଅଧା ଉପୁଡି ପଡିଥିବା କିମ୍ବା ଅଧାରୁ ଭାଙ୍ଗିଯାଇଥିବା ଗଛଗୁଡିକୁ ପୂରାପୂରି କାଟି ନ ଦେଇ ତାକୁ କିପରି ପୁନଃ ସଂସ୍ଥାପନ କରି ଜୀବନ୍ୟାସ ଦିଆଯାଇପାରିବ, ସେ ଦିଗରେ ଉଦ୍ୟମ କରାଯାଇଛି। ବାତ୍ୟା ପରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୮୦୦୦ ଭଙ୍ଗା ଗଛକୁ ଛିଡା କରାଯାଇଥିବା ବେଳେ, ପୁରୀରେ ୪୦୦୦ ଏବଂ କଟକରେ ୨୦୦୦ ଏବଂ ଅନ୍ୟତ୍ର ୧୦୦୦, ଏହିପରି ୧୫୦୦୦ ଗଛକୁ ଜୀବନ୍ୟାସ ଦିଆଯାଇପାରିଛି। ଏପରିକି ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଜମିରେ ମଧ୍ୟ କିଛି ଗଛ ଅଧା ଉପୁଡି ପଡିଥିଲେ ସେଗୁଡିକୁ ପୁନର୍ବାର ଠିଆକରି ବଞ୍ଚେଇବା ପାଇଁ ବନ ବିଭାଗ ସହାୟତାର ହାତ ବଢାଇଛି। ଏହା ବ୍ୟତୀତ ବାତ୍ୟା ପ୍ରଭାବିତ ୩ଟି ଜିଲାରେ ୧୨୦ କିଲୋମିଟର ପଥପାର୍ଶ୍ୱ ବନୀକରଣ, ସଘନ ବନୀକରଣ ୧୦୦ ହେକ୍ଟର ଏବଂ ସହରାଞ୍ଚଳରେ ମଧ୍ୟ ବନୀକରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ବନ ବିଭାଗର ସୂଚନା ମୁତାବକ, ରାଜ୍ୟ ବାହାରୁ ୮୦,୦୦୦ ବାତ୍ୟା ପ୍ରତିରୋଧକ ଚାରା ଆଣି ଲଗାଇବାର ପ୍ରୟାସ ମଧ୍ୟ ଜାରି ରହିଛି। ଏଠି ପ୍ରଶ୍ନ ଉଠିପାରେ ବାତ୍ୟା ପ୍ରତିରୋଧକ ଗଛ କ’ଣ। ମୋ ମତରେ ଯେଉଁ ଗଛଗୁଡିକ ଶୀଘ୍ର ଶୀଘ୍ର ବା ଚଞ୍ଚଳ ବଢିଯାଏ, ସେଗୁଡିକ ମଟକା ବା ନହନହକା ହୋଇଥାଏ। ୟୁକାଲିପଟାସ, ଆକାଶିଆ, ଚାକୁଣ୍ଡା, କୃଷ୍ଣଚୂଡା, କଦମ୍ବ ଏହାର ଉଦାହରଣ। ସାମାନ୍ୟ ବାତ୍ୟାରେ ଏହି ଗଛଗୁଡିକ ଭାଙ୍ଗିପଡେ। ବାତ୍ୟା ବା ପବନର ତୀବ୍ରତା ସହ୍ୟ କରିପାରୁଥିବା ଗଛଗୁଡିକ ହେଉଛି କରଞ୍ଜ, କୁସୁମ, ନିମ୍ବ, ବଉଳ, ଆମ୍ବ, ପଣସ, ଜାମୁ, କୋଚିଲା, ଛତିଆନ, ବର, ଅଶ୍ୱତ୍ଥ, ଶିରୀଶ, ମେହଗାନି, ଅସନ, ପାହାଡି ଶିଶୁ, ଫାଶି, ତେନ୍ତୁଳି, ବାଉଁଶ ଇତ୍ୟାଦି। ପଥପାର୍ଶ୍ୱ ବୃକ୍ଷରୋପଣ ସମୟରେ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବଉଳ, ଅଶୋକ, ଛତିଆନ, ନିମ୍ବ, ଶିଶୁ ଆଦି ଚାରା ଲଗାଯାଇପାରେ। ତଟବର୍ତ୍ତୀ ଇଲାକାରେ ବା ଉପକୂଳ ବାଲିଆମାଟିରେ ଝାଉଁ, ହେନ୍ତାଳ ଓ ପୋଲାଙ୍ଗ ଆଦି ଗଛ ବାତ୍ୟାର ପ୍ରଭାବକୁ ପ୍ରତିହତ କରିବା ସହିତ ଉପକୂଳ ଅଞ୍ଚଳର ଚାଷଜମି, ଗ୍ରାମ, ବାସଗୃହ ତଥା ଗ୍ରାମାଞ୍ଚଳର ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁରକ୍ଷା ଦେଇପାରିବ। ଉଜୁଡା ପରିବେଶକୁ ସଜାଡିବା ପାଇଁ ପ୍ରଯତ୍ନ କରିବା ଅବସରରେ ବନ ବିଭାଗ ଏହିସବୁ ଗଛ ଲଗାଇବା ଦିଗରେ ଯତ୍ନବାନ ହେବା ଉଚିତ।
୫୭, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri