ପଞ୍ଚମରେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ। ଜଣେ ଅପରାଜେୟ ନେତା ଭାବେ ସେ ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ପଞ୍ଚମ ଥର କ୍ଷମତାକୁ ଫେରି ରେକର୍ଡ ସୃଷ୍ଟି କରିଛନ୍ତି। ଦୀର୍ଘ ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ନବୀନଙ୍କ ଛବି ଅମଳିନ ରହିଛି। ପ୍ରଥମ ଥର ପାଇଁ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସହ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି) ଉଭୟ ଲୋକ ସଭା ଓ ବିଧାନ ସଭା ଆସନରେ ଜବରଦସ୍ତ ବିଜୟ ହାସଲ କରି ପୁଣି ଥରେ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ୨୦୧୪ ନିର୍ବାଚନ ତୁଳନାରେ ବିଜେଡିର ଭୋଟ ପ୍ରତିଶତ ହ୍ରାସ ପାଇଛି। ଗତ ନିର୍ବାଚନରେ ୨୧ଟି ଲୋକ ସଭା ଆସନରୁ ବିଜେଡିକୁ ୨୦ଟି ମିଳିଥିବା ବେଳେ ଚଳିତ ନିର୍ବାଚନରେ ୮ଟି ଆସନ ହରାଇବାକୁ ପଡିଛି। ସେହିପରି ବିଧାନସଭାରେ ଗତ ନିର୍ବାଚନରେ ବିଜେଡି ୧୧୭ଟି ଆସନ ହାତେଇବାରେ ସଫଳ ହୋଇଥିବା ବେଳେ ଚଳିତ ନିର୍ବାଚନରେ ୧୧୨ଟି ଆସନରେ ବିଜୟୀ ହୋଇଛି। ଏଥିସହ ଶାସକ ଦଳ ବିଧାନସଭାରେ ନିରଙ୍କୁଶ ସଂଖ୍ୟା ହାସଲ କରିବାରେ ସମର୍ଥ ହୋଇଛି।
ଖବର ଲେଖା ହେବା ଯାଏ ବିଜେଡିର ଆସ୍କା ଲୋକ ସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀ, ଯାଜପୁର ଲୋକ ସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ, ଜଗତ୍‌ସିଂହପୁର ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ସୁନ୍ଦରଗଡ ଲୋକ ସଭାର ଭାଜପା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବରଗଡ଼ ଲୋକ ସଭା ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ସେହିପରି ଭୁବନେଶ୍ୱର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ କଟକ ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ସପ୍ତଗିରି ଉଲାକା କୋରାପୁଟ ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି। ସେହିପରି ବିଧାନସଭାର ୧୪୬ଟି ଆସନରୁ ବିଜେଡି ୯୦ଟି ଆସନ ଜିତିଥିବାବେଳେ ୨୨ଟି ଆସନରେ ଆଗୁଆ ରହିଥିଲା। ସେହିପରି ଭାଜପା ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୩ଟି ଆସନରେ ଆଗୁଆ ରହିଥିବା ବେଳେ ୬ଟିରେ ବିଜୟୀ ହୋଇଛି। ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ରହିଛନ୍ତି। ତେବେ ଗଣନା ବାକି ଥିବାରୁ ଫଳାଫଳ ମିଳିବାରେ ବିଳମ୍ବ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ନିର୍ବାଚନରେ ବହୁ ହେଭିଓ୍ବେଟ ନେତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଛି। ଭାଜପା ବିଧାୟକ ଦଳ ନେତା କେ.ଭି ସିଂଦେଓ, ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ରାଧାରାଣୀ ପଣ୍ଡା, ଦାମୋଦର ରାଉତ, ଗୋବିନ୍ଦ ଦାସ ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ, ଦେବାଶିଷ ସାମନ୍ତରାୟ, ପ୍ରସନ୍ନ ଆଚାର୍ଯ୍ୟ, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ସରୋଜିନୀ ହେମ୍ବ୍ରମ ପ୍ରମୁଖ ପରାଜିତ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଅନନ୍ତ ସେଠୀ, ଚୀରଞ୍ଜୀବୀ ବିଶ୍ୱାଳ ପରାଜିତ ହୋଇଛନ୍ତି।
ଅନ୍ୟପକ୍ଷରେ ଏହି ନିର୍ବାଚନରେ ଭାଜପାକୁ ଯେପରି ଫାଇଦା ମିଳିବ ବୋଲି ଦଳୀୟ ନେତା ଆଶା କରିଥିଲେ, ସେହି ପରିମାଣରେ ତାହା ବାସ୍ତବ ରୂପ ନେଇପାରି ନାହିଁ। ଫଳରେ ରାଜ୍ୟରେ କ୍ଷମତାକୁ ଫେରିବା ଆଶା ମଉଳି ଯାଇଛି। ଯଦିଓ ଲୋକ ସଭା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କିଛି ମାତ୍ରାରେ କାମ କରିଛି, ବିଧାନସଭା କ୍ଷେତ୍ରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନାହିଁ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ ୧୨୦ ସମ୍ପୂର୍ଣ୍ଣ ଫେଲ ମାରିଛି। ଚଳିତ ନିର୍ବାଚନରେ ରାଜ୍ୟ ନେତୃତ୍ୱ ପୁଣି ଥରେ ପ୍ରଭାବହୀନ ପ୍ରମାଣିତ ହୋଇଛି। ଗତ ନିର୍ବାଚନରେ ଭାଜପା ବିଧାନସଭାରେ ୧୦ଟି ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ମାତ୍ର ୨୩ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଛି। ଲୋକ ସଭାରେ ଭାଜପା ୭ ଟି ଅଧିକ ସିଟ ପାଇବାରେ ସଫଳ ହୋଇଛି। ହେଲେ ବିଧାନସଭା ନିର୍ବାଚନ ଫଳାଫଳ ରାଜ୍ୟ ନେତୃତ୍ୱକୁ ବ୍ୟଥିତ କରିଛି। ତୃଣମୂଳ ସ୍ତରରେ ଭାଜପା ନିଜର ସ୍ଥିତି ଜାହିର କରିବାରେ ବିଫଳ ହେବାରୁ ଏଭଳି ସ୍ଥିତି ଭୋଗିବାକୁ ପଡିଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତିି। ତେବେ ଭାଜପା କଂଗ୍ରେସଠାରୁ ମୁଖ୍ୟ ବିରୋଧୀ ଦଳ ଆସନ ଛଡାଇ ନେବା କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା କଳାହାଣ୍ଡି ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ବେଳେ ନୂଆପଡାରେ ଭାଜପା ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହାକୁ ନେଇ ସେତେବେଳେ ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ବିଜୟ ତାଙ୍କର ପୁରୁଣା କ୍ଷତକୁ କିଛି ମାତ୍ରାରେ ଉପଶମ କରିଛି।
ଚଳିତ ନିର୍ବାଚନ ଫଳାଫଳ କଂଗ୍ରେସକୁ ବଡ଼ ଝଟକା ଦେଇଛି। ଦଳ ଉଭୟ ଲୋକ ସଭା ଓ ବିଧାନସଭାରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଲୋକ ସଭା ଆସନରେ ଦଳ ଖାତା ଖୋଲି ପାରି ନ ଥିବା ବେଳେ ବିଧାନସଭାରେ ମାତ୍ର ୯ଟି ଆସନ ପାଇବାରେ ସକ୍ଷମ ହୋଇଛି। ଦଳୀୟ କନ୍ଦଳ ଓ ନିର୍ବାଚନ ପରିଚାଳନାରେ ତ୍ରୁଟି ଯୋଗୁ କଂଗ୍ରେସକୁ ଏଭଳି ଦଶା ଭୋଗିବାକୁ ପଡିଛି ବୋଲି ଆଲୋଚନା ହେଉଛି। ୨୦୧୪ରେ ଦଳକୁ ୧୬ଟି ବିଧାନସଭା ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସେଥିରୁ ୭ଟି ଆସନ ହରାଇବାକୁ ପଡିଛି। ଏଥିଯୋଗୁ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତାରୁ ବଞ୍ଚିତ ହୋଇଛି। ଏପରିକି ରାଜ୍ୟରେ କଂଗ୍ରେସର ମଙ୍ଗ ଧରିଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପରାଜୟ ଦୁର୍ଦ୍ଦଶାରୁ ମଧ୍ୟ ବର୍ତ୍ତି ପାରିନାହାନ୍ତି। ତାଙ୍କର ପାରମ୍ପରିକ ଆସନ କେନ୍ଦୁଝରର ଘସିପୁରାରୁ କାଳେ ହାରିଯିବେ ସେଇ ଭୟରେ ସେ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ମାତ୍ର ଏ ଦୁଇଟିରୁ ସେ କୌଣସି ଗୋଟିଏ ଆସନରୁ ମଧ୍ୟ ବିଜୟୀ ହୋଇପାରି ନାହାନ୍ତି। ଦଳର ଏଭଳି ଦୁର୍ଦ୍ଦଶା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ପିସିସି ସଭାପତିଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ଦଳର ଏଭଳି ପ୍ରଦର୍ଶନକୁ ନେଇ କଂଗ୍ରେସ କର୍ମୀ ମହଲରେ ହାତାଶାଭାବ ଖେଳିଯାଇଛି।
ଭୋଟ ପ୍ରତିଶତକୁ ଯଦି ଦେଖାଯାଏ ତେବେ ୨୦୧୪ ନିର୍ବାଚନ ତୁଳନାରେ ଭାଜପାର ଭୋଟ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଜେଡିର ସାମାନ୍ୟ ହ୍ରାସ ହୋଇଛି। କଂଗ୍ରେସର ଭୋଟ ପ୍ରତିଶତ ଅତିମାତ୍ରାରେ ତଳକୁ ଖସିଯାଇଛି। ୨୦୧୪ରେ ଭାଜପାର ଭୋଟ ହାର ୨୧.୮୮ ପ୍ରତିଶତ ଥିବା ବେଳେ ଚଳିତ ନିର୍ବାଚନରେ ୧୬.୪୯ ପ୍ରତିଶତକୁ ବୃଦ୍ଧି ପାଇ ୩୮.୩୭ ପ୍ରତିଶତରେ ପହଞ୍ଚିଛି। ଭୋଟ ହାର ବୃଦ୍ଧି ପାଇଥିଲେ ମଧ୍ୟ ସେହି ଅନୁପାତରେ ଭାଜପାକୁ ବିଧାନସଭାରେ ଫାଇଦା ମିଳି ପାରି ନାହିଁ। ତେବେ ଭାଜପା କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ୪ଟି ପାଳି ଶାସନ କରିବା ପରେ ମଧ୍ୟ ବିଜେଡିର ଭୋଟ ହାରରେ ସେପରି ଆଖିଦୃଶିଆ ହ୍ରାସ ହୋଇନାହିଁ। ୨୦୧୪ରେ ବିଜେଡିକୁ ମୋଟ ୪୪.୭୭ ପ୍ରତିଶତ ଭୋଟ ମିଳିଥିବା ବେଳେ ଚଳିତ ନିର୍ବାଚନରେ ୪୨.୪୯ ପ୍ରତିଶତକୁ କମିଛି। ଦଳକୁ ପ୍ରାୟ ଦୁଇ ପ୍ରତିଶତ ଭୋଟ ହରାଇବାକୁ ପଡିଛି। ଏଥିଯୋଗୁ ବିଜେଡିକୁ ସେପରି କିଛି ବଡ ଧରଣର କ୍ଷତି ହୋଇ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଧୀରେ ଧୀରେ ରାଜ୍ୟରେ ସତ୍ତା ହରାଇବା ସ୍ଥିତିକିୁ ଚାଲିଆସିଛି। ଗତ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିଥିବା ଏହି ଦଳର ୨୦୧୪ରେ ଭୋଟ ହାର ୨୬.୩୮ ପ୍ରତିଶତ ଥିବାବେଳେ ଚଳିତ ନିର୍ବାଚନରେ ୧୩ ପ୍ରତିଶତ ତଳକୁ ଖସି ୧୩.୬୭ ପ୍ରତିଶତରେ ପହଞ୍ଚିଯାଇଛି। ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ଏହି ଜାତୀୟ ଦଳ ତୃତୀୟ ସ୍ଥାନକୁ ଖସି ଯାଇଛି। କଂଗ୍ରେସର ଭୋଟ ସିଧା ଭାଜପାକୁ ଯାଇଥିବା ବେଳେ ବିଜେଡିକୁ ପସନ୍ଦ କରୁଥିବା ମତଦାତା ନବୀନଙ୍କଠାରୁ ଏ ପର୍ଯ୍ୟନ୍ତ ମୁହଁ ମୋଡି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ପ୍ରାର୍ଥୀଙ୍କ ଡିଜିଟାଲ ପ୍ରଚାର ସମ୍ପର୍କରେ ତଥ୍ୟ ରଖିବାକୁ ଜିଲାପାଳଙ୍କୁ ଚିଠି

କଟକ,୫ା୫(ଶିଳ୍ପା ପ୍ରିୟଦର୍ଶିନୀ)ନିର୍ବାଚନ ସମ୍ପର୍କୀତ ଡିଜିଟାଲ ପ୍ରଚାର ଖବର ଗତ ୩୦ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସେହିଦିନ ଓଏସ୍‌ଡିର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର କିସ୍କୁ ୩୦ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri