କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଶନିବାର ଗିରଫ କରିଛି। ସେଠୀଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚାଲିଥିବା ଘନ ଘନ ଚଢ଼ାଉ ବେଳେ ଆଖି ଖୋସି ହୋଇଯିବା ଭଳି ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି।
ତଦନ୍ତ ସମୟରେ ଯନ୍ତ୍ରୀଙ୍କର ମୋଟ ୪୯ଟି ପ୍ଲଟ୍ ଠାବ କରାଯାଇଛି, ଯେଉଁଥିରୁ ୧୭ଟି ବେନାମୀ ପ୍ଲଟ୍ ବୋଲି ଜଣାପଡ଼ିଛି। ଏହାଛଡ଼ା ୨ଟି ସୁଦୃଶ୍ୟ ଫ୍ଲାଟ୍ (ଗୋଟିଏ ବେନାମୀ) ମଧ୍ୟ ଜବତ ହୋଇଛି। କୋରାପୁଟ ଅଞ୍ଚଳରେ ପ୍ରାୟ ୧୪ ଏକର ଜମି ଉପରେ ଗଢ଼ିଉଠିଥିବା ୩ଟି ବିଶାଳ ଫାର୍ମ ହାଉସର ସନ୍ଧାନ ପାଇଛି ଭିଜିଲାନ୍ସ। ଚଢ଼ାଉ ବେଳେ ପ୍ରାୟ ୯୪୦ ଗ୍ରାମ ସୁନା ଏବଂ ଅଢ଼େଇ କେଜି (୨.୫ କିଲୋଗ୍ରାମ) ରୁପା ଅଳଙ୍କାର ଜବତ କରାଯାଇଛି। ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ମିଳିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୬୦ ଲକ୍ଷ ୯୨ ହଜାର ଟଙ୍କାର ଜମା ରାଶି ଥିବା ସୂଚନା ମିଳିଛି। ଏହାସହ ଗୋଟିଏ ବେନାମୀ ଚାରିଚକିଆ ଗାଡ଼ିକୁ ମଧ୍ୟ ଭିଜିଲାନ୍ସ ନିଜ ହେପାଜତକୁ ନେଇଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ନିଜର ବୈଧ ଆୟଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ରଖିଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ସମ୍ପତ୍ତିର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହୋଇପାରେ। ଏହି ବେଆଇନ ସମ୍ପତ୍ତି ସାମ୍ରାଜ୍ୟ ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

