ନେବି ଯାହା, ନ ଦେବି ତାହା

ସେଦିନ ନାନୀ ଘରେ ପହଞ୍ଚିଲା ବେଳକୁ ସେ ଘରେ ନଥାଏ। ତା’ ଝିଅ କହିଲା ବୋଉ ଯାଇଛି ପଡୋଶୀ ଘରକୁ। ନାନୀ ଆସିଲା। ବିରକ୍ତି ଓ କ୍ରୋଧରେ ନାକପୁଡା ତା’ର ଫୁଲି ଉଠୁଥାଏ। କ’ଣ ହୋଇଛି ବୋଲି ପଚାରିଲାରୁ, କହିଲା ବେଶି ବଡଲୋକିଆଣୀ ଦେଖେଇ ହେଉଛି। ଦେଖୁନୁ, ଏମାନେ ନୂଆକରି ଆମ ଆପାର୍ଟମେଣ୍ଟକୁ ଆସିଲେ ଯେ, ଗଲା ରବିବାର ତାକୁ ଆମ ଘରକୁ ଡାକିଥିଲି। ନିଜେ ପକୁଡି ଛାଣି ଛେନାପୋଡ ଦୋକାନର ୁଆଣି ଭଲକରି ଚା ଜଳଖିଆ ଖୁଆଇ ବିଦା କରିଥିଲି। ଗଲାବେଳେ କହି ଯାଇଥିଲା ମାଡାମ ଆମ ଘରକୁ ଆସିବେ। ଆଜି ଯାଇଥିଲି ଯେ ଦେଢଘଣ୍ଟା ବସିଲି, ଅଥଚ ଚା କପେ ବି ମତେ ଯାଚିଲା ନାହିଁ। ମୁଁ କିଛି ନ କହି ଚା ପିଇବାରେ ମନ ଦେଲି। କିଛି ସମୟ ରଗ ରଗ ସିଂ ସିଂ ହୋଇ ଶେଷରେ ନାନୀ ନିଜ ଚା’ ପିଇବା ଆରମ୍ଭ କଲା। ମୁଁ କହିଲି ,ନାନୀ ତୁ କ’ଣ ତାଙ୍କୁ ଚା, ପକୁଡି ଓ ଛେନାପୋଡ ଦେଇଥିଲୁ ସେ ତତେ ତାହା ଫେରାଇବେ ବୋଲି? ନାଇଁ ତା’ ତ ନୁହେଁ, ମାତ୍ର ଅତି କମରେ ଚା କପେ ପାଇଁ ତ ସେ କହି ପାରିଥାନ୍ତା। ନାନୀର ଅସନ୍ତୋଷକୁ ସନ୍ତୋଷତାରେ ବଦଳାଇବାର ଚେଷ୍ଟାରେ କହିଲି ହୋଇପାରେ ତାଙ୍କର କୌଣସି ଅସୁବିଧା ଥାଇପାରେ। ଚା, ଜଳଖିଆରେ ଆପ୍ୟାୟିତ କରିବାଟା ତାଙ୍କ ପାଇଁ ଭଦ୍ରାମିର ପରିଭାଷା ନ ହୋଇ ଥାଇପାରେ। ତେବେ ସେ ଯା ହେଉ ତୁ ପରା ନିଜେ କହୁ, ଅତିଥି ହେଉଛନ୍ତି ଦେବତା, ଘରକୁ ଆସି ଦାନା ଟିକେ ମୁହଁରେ ନ ଦେଇ ଗଲେ ପାପ ହେବ। ସେଥିପାଇଁ ପା ତୁ ଏଇ ଝରକା ଉପରେ ଗହମ ଓ ଚାଉଳ ଇତ୍ୟାଦି ରଖିଥାଉ, କାଉ ଓ ପାରା ମାନେ ଆସି ନିରାଶ ହୋଇ ଫେରିବେ ନାହିଁ କହି। ଆଉ ଆଜି ତୋ ଆଖିରେ ତୋ ପଡିଶା ଅଭଦ୍ରାମି କଲେ ବୋଲି ତୁ ବି ପ୍ରତ୍ତ୍ୟୁତ୍ତରରେ ସେହି ଅଭଦ୍ରାମି ତାଙ୍କୁ ଫେରେଇବୁ?
ଏତେବେଳ ଧରି ସବୁକଥାକୁ ଚୁପଚାପ ହୋଇ ଶୁଣୁଥିବା ଝିଆରୀଟି କହିଲା, ନାଇଁ ମ ମାଉସୀ ବୋଉ, ଏମିତି କହୁଛି ରାଗରେ ନା ସେ କ’ଣ ଏମିତି କରିପାରିବ। ସେ ତ ଲୋକଙ୍କୁ ଡାକି ହାକି, ତା’ ହାତରନ୍ଧା ଖୁଆଇ ଆନନ୍ଦ ପାଏ। ହସିଦେଇ ନାନୀ ରନ୍ଧାଘରକୁ ଯାଉ ଯାଉ କହିଲା, ହଉ ହଉ, ମୋ ପ୍ରଶଂସା ସେତିକି ଥାଉ। ପ୍ରକୃତରେ ଏହିପରି ଘଟଣା ପ୍ରାୟ ଆମ ସହ ଘଟେ। ଆମେ ନେଉ ଯାହା, ଠିକ ତାହା ଫେରେଇଦେବା ପାଇଁ ଇଚ୍ଛା ପ୍ରକାଶ କରୁ। କେହି ଆମକୁ ମୁରୁକି ହସଧାରେ ଦେଲେ, ଆମେ ବି ତାକୁ ହସଟିକେ ଫେରେଇଦେଉ। ଆଉ ପାଦେ ଆଗକୁ ଯାଇ ଆମେ ତା’ର କୁଶଳ ମଙ୍ଗଳ ଜିଜ୍ଞାସା ତ କରିପାରନ୍ତେ। କେହି ଆମକୁ ନମସ୍କାର କଲେ ପ୍ରତ୍ତ୍ୟୁତରରେ ଆମେ ବି ତାକୁ ଶୁଖିଲା ନମସ୍କାର ଦେଉ। ଟିକିଏ ବଢିଯାଇ, ତା’ର କଲ୍ୟାଣ କାମନା ତ କରିପାରନ୍ତେ। ଠିକ ସେହିପରି କେହି ଗାଳିଦେଲେ, ଆଗପଛ କିଛି ନ ବିଚାରି, ଆମେ ତାକୁ ଦବେଇବା ପାଇଁ ଆଉ ଚଢାଗଳାରେ ତାକୁ ଗାଳିଦେବା ଆରମ୍ଭ କରିଦେଉ। ଏପରି କି ବିବାହ, ବ୍ରତ ଆଦିରେ କିଏ କ’ଣ ଉପହାର ଦେଲା, ତାହାକୁ ଆମେ ଟିପିରଖି, ତା’ ଘରେ ମାଙ୍ଗଳିକ କାର୍ଯ୍ୟ ଅବସରରେ, ଖାତା ଦେଖି ଯାହା ଦେଇଛି ତାହା ହିଁ ଫେରଉ। ଆମେ ଭୁଲିଯାଉ ସେ ତା’ ସକ୍ଷମ ଅନୁସାରେ ଦେଇଥିଲା। ଆମେ ଆମ ସକ୍ଷମତା ଅନୁଯାୟୀ ଦେବା ଉଚିତ । ଆମେ ଭୁଲିଯାଉ ପାଞ୍ଚବର୍ଷ ତଳେ ସେ ଦେଇଥିବା ଶହେ ଟଙ୍କାଟି ବର୍ତ୍ତମାନ ହଜାରେ ଟଙ୍କା ସହ ସମାନ ବୋଲି। ଏ ତ ଗଲା ମଧ୍ୟମ ଧରଣର ମନୁଷ୍ୟମାନଙ୍କ କଥା। ଏମାନଙ୍କଠାରୁ ଦଶ ପାହାଚ ତଳେ ଥିବା ଅଧମମାନେ ବହିଟିଏ ମାଗିନେଇ ଫେରେଇବାକୁ ଭୁଲି ଯାଆନ୍ତି। ଅନେକ ଥର ମନେପକାଇଲା ପରେ ଯଦି ବା ଫେରାନ୍ତି ବହିଟିର ମଲାଟ ଝୁଲି ପଡିଥାଏ। ବହି ମଧ୍ୟରୁ ଦଶ ବାର ପୃଷ୍ଠା ଉଭାନ ହୋଇଯାଇଥାଏ। ଏମାନେ ପଡୋଶୀଘର ଗଛରୁ ଫୁଲ ଓ ଫଳ ଖାଇବା ପାଇଁ ଆଗଭର ତ ହୁଅନ୍ତି, ମାତ୍ର ଶୁଖିଲା ପତ୍ରଟିଏ ଉଡି ଆସିଥିଲେ କଜିଆ କରିବାକୁ ଅଣ୍ଟାରେ କାନି ଗୁଡେଇଦିଅନ୍ତି। ଏହିପରି ବ୍ୟକ୍ତିମାନେ ଯେତେବେଳେ ଭଡାଟିଆ ସାଜନ୍ତି, ଘଲ ମାଲିକଟି ପ୍ରମାଦ ଗଣେ। ଆଉ ଯଦି ସରକାରୀ କ୍ୱାର୍ଟରରେ ରହନ୍ତି ତେବେ ଏହି ଅଧମମାନେ ଅଧମତମ ପାଲଟିଯାଇ ଗଲା ବେଳକୁ ସ୍ବିଚବୋର୍ଡଠାରୁ ଆରମ୍ଭ କରି କବାଟ ଝରକା ଇତ୍ୟାଦି ତାଡିନେବା ପାଇଁ ଉଚିତ ମଣନ୍ତି।
ଏଇ ତ ଈଶ୍ୱରଙ୍କ ସୃଷ୍ଟିର ବିଚିତ୍ରତା। ପାଞ୍ଚ ମନ ଓ ପଚିଶ ପ୍ରକୃତି। ତେବେ ଉତ୍ତମମାନଙ୍କ କଥା ସବୁଠାରୁ ନିଆରା। ସେମାନେ ଯାହା ନିଅନ୍ତି, ଯାହା ପାଆନ୍ତି, ତାହା ଫେରାଇଲା ବେଳକୁ ତାଙ୍କ ପ୍ରକୃତିଗତ ମହାନତା ଯୋଗୁ ସେଥିରେ ମିଶି ଯାଇଥାଏ ସାମାନ୍ୟ ମଧୁରତା। ନେଇଥିବେ ଚିରା ବହିଟିଏ, ଫେରିଲା ବେଳକୁ ସିଲେଇକରି ସୁନ୍ଦର ଭାବେ ମଲାଟ ମଡେଇ ଦେଇଥିବେ। ଯେଉଁଠି ରହିବେ ଘର ଓ ପରିବେଶର ଯତ୍ନ ନେଇ ତା’ର ସୌନ୍ଦର୍ଯ୍ୟ ବଢାଇଦେବେ। ଏହା ହିଁ ତ ମାନବର ମାନବିକତା। ଉତ୍ତମ ମଧ୍ୟମ ଓ ଅଧମ, ପ୍ରତ୍ୟେକେ ନିଜ ନିଜ ଅନ୍ତର୍ନିହିତ ଗୁଣାବଳୀର ପରିଚୟ ନିଜ କାର୍ଯ୍ୟ ପ୍ରଣାଳୀରେ ଦର୍ଶାଇବେ ନିଶ୍ଚୟ। ଗଛକୁ ପଥର ଫୋପାଡିଲେ ସେ ସୁମିଷ୍ଟ ଫଳ ଦିଏ। ମାଟିକୁ କଷଣ ଦେଲେ ସେ ଭଲ ଫସଲ ଉପୁଯାଏ। ଚନ୍ଦନ ଘୋରିଲେ ମହକ ଦିଏ। ସର ମନ୍ଥିଲେ ଘିଅ ବାହାରେ। ସାଧୁଙ୍କୁ ହେୟ ଜ୍ଞାନ କଲେ ବି ତାଙ୍କ ନିକଟରୁ ଆଶୀର୍ବାଦ ବର୍ଷା ହୁଏ। ଏକଥା ନିରାଟ ସତ, ନିକଟରେ ଯାହା ଥିବ ଆମେ ତାହା ହିଁ ତ ପ୍ରତିଦାନରେ ଦେଇପାରିବା। ତେବେ ଆମ ନିକଟରେ ଅଛି କ’ଣ ତାହା ହିଁ ଚିନ୍ତନର ବିଷୟ। କିନ୍ତୁ ଅଧମରୁ ଉତ୍ତମ ହେବାର ସମ୍ଭାବନା ପାଇଁ ଈଶ୍ୱର ସମସ୍ତଙ୍କୁ ସୁଯୋଗ ଦିଅନ୍ତି ତାହା କ’ଣ କମ୍‌ ଆଶ୍ୱାସନାର ବିଷୟ।
ନଦୀରେ ତର୍ପଣ କରୁଥିବା ସାଧୁ ମହାତ୍ମା ଭାସିଯାଉଥିବା କଙ୍କଡା ବିଛାଟିଏ ଦେଖି ତାକୁ ଉଠାଇ ଆଣିଲା ବେଳକୁ ସେ ନିଜ ନାହୁଡରେ ତାଙ୍କ ହାତକୁ ଦଂଶନ କଲା। ସାଧୁ, ଯନ୍ତ୍ରଣାରେ ହାତ ଛାଟିଦେଲେ। ବିଛାଟି ପାଣିରେ ପଡିଯିବାରୁ ପୁଣି ତାକୁ ଉଠାଇ ଆଣିଲେ ତପସ୍ବୀ। ସେ ଫେର୍‌ ଦଂଶିଲା। ପ୍ରାୟ ସାତ ଆଠଥର ଦଂଶିତ ହେଲା ପରେ ସାଧୁ ବିଛାଟିକୁ ମାଟି ଉପରେ ଛାଡିବାକୁ ସକ୍ଷମ ହେଲେ। ନିକଟରେ ଥିବା ଶିଷ୍ୟଟି ପଚାରିଲେ, ବାବା! ସେ ଆପଣଙ୍କୁ ଏତେ ଥର ବିନ୍ଧିଲା ଅଥଚ ଆପଣ…। ସାଧୁ ହସି କହିଲେ-ବାବୁରେ, ତା’ର ସ୍ବଭାବ ତ ସେ ଛାଡିଲା ନାହିଁ। ମୋର ବା ମୁଁ କାହିଁ ଛାଡିବି?

ଛନ୍ଦା ମିଶ୍ର
୩ଆର/୬, ବିଜେବି ନଗର,
ମୋ-୯୪୩୭୪୫୩୬୧୦,
chhandamishra74@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri