ନିଦ କାହିଁ

ରୁଦ୍ର ପ୍ରସନ୍ନ ରଥ

ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଯଦି ମଣିଷ ନିଜ ଜୀବନରେ ଆଉ କାହାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ ତାହା ହେଉଛି ନିଦ୍ରା। ମଣିଷ ଯେତେ ଧନୀ ହେଉ ବା ଗରିବ, ଭଦ୍ର ହେଉ ବା ଅଭଦ୍ର, ଶାନ୍ତ ହେଉ ବା କୁଟିଳ ଗୋଟିଏ ସୁନ୍ଦର ନିଦ ଆମ ସମସ୍ତଙ୍କର ଏକାନ୍ତ ଆବଶ୍ୟକ। ଆଉ ଜୀବନର ସର୍ବନିମ୍ନ ଆବଶ୍ୟକତା ଟିକକ ପୂରଣ କରିବା ପାଇଁ ମଣିଷ ପାରୁପର୍ଯ୍ୟନ୍ତ ଚେଷ୍ଟା କରେ। ଭଲ ଘର କରେ, ଦାମୀ ଖଟରେ ବିଦେଶୀ ଗଦି ବିଛାଏ। ବାତାନୁକୂଳିତ ଘରେ ନିଜ ଇଚ୍ଛା ଅନୁସାରେ ଆଲୁଅ ଲିଭାଇବା, ଜଳାଇବା ବ୍ୟବସ୍ଥା କରେ। ଶୋଇବା ଆଗରୁ ବହି ପଢେ। ଟିଭି ଦେଖେ। କିନ୍ତୁ ହାୟ ସମସ୍ତଙ୍କ ଭାଗ୍ୟରେ ନିଦ ନ ଥାଏ। ନିଦ୍ରାଦେବୀ ସମସ୍ତଙ୍କ ଆଖି ତଳକୁ ଓହ୍ଲାଇ ଆସନ୍ତି ନାହିଁ। ମଝି ରାତିଯାଏ କଡ଼ ଲେଉଟାଏ। ଖଟରୁ ଉଠିପଡି ଶୌଚାଳୟ ଯାଏ। ଶାନ୍ତ ରହିବାକୁ ଚେଷ୍ଟାକରେ। ଆଖି ବୁଜିକରି ନିଦ ସହ ସଂଘର୍ଷ କରେ। ହଁ ଆଉ କିଛି ସମୟ ପରେ ନିଦ ହୋଇଯିବାର ଆଶ୍ୱାସନା ନେଇ ଆଖିବୁଜେ। ପୁଣି ଉଠିପଡ଼ି ମୋବାଇଲ ଖେଳାଏ। କିନ୍ତୁ ହାୟ! ନିଦ୍ରାଦେବୀ ତାକୁ ଧରା ହିଁ ଦିଅନ୍ତି ନାହିଁ। ପାହାନ୍ତା ପହରରୁ ଉଠିପଡ଼ିଲା ବେଳକୁ ଆଖି ତଳ କଳା ପଡି ଯାଇଥାଏ। ଆଖି ଲାଲ ପଡିଥାଏ। ଘରେ ରହିବ ନା ବାହାରକୁ ବାହାରିବ ଏହି ହିସାବ କରୁ କରୁ ଦିନ ଅଧା ହୋଇଯାଏ। କେବଳ ଜଣେ ଅଧେ ନୁହେଁ ଅନେକ ଭାରତୀୟଙ୍କ ରାତି ଏବେ ବିନା ନିଦରେ କଟୁଛି। ଏ ସମସ୍ୟା ଏତେ ଭୟଙ୍କର ଯେ ବେଳକୁ ବେଳ ଏହା ଏକ ଜାତୀୟ ସମସ୍ୟା ରୂପେ ପରିଗଣିତ ହେଲାଣି। ରାତିରେ ଟିକିଏ ଶାନ୍ତିରେ ଶୋଇବା ପାଇଁ ଏବେ ଲୋକଙ୍କୁ କେତେ ଯେ କସରତ କରିବା ପାଇଁ ପଡୁଛି ତାହା କେବଳ ଅନୁଭବୀର ଅନୁଭବ ମାତ୍ର। ମଣିଷ ଭୌତିକ ଜଗତରେ ଯେତିକି ଆଗଉଛି ନିଦ ରାଇଜଠାରୁ ସେତିକି ପଛେଇ ଯାଉଛି। ଯଦି କେହି ପଚାରୁଛି କାଲି ରାତିରେ ନିଦ ହୋଇନି କି? ଆଖି କାହିଁକି ଲାଲ ପଡିଛି ତେବେ ତୁରନ୍ତ ଉତ୍ତର ଆସୁଛି, ନିଦ କାହିଁ?
ଭାରତରେ ନିଦ୍ରା ସଙ୍କଟ ଦିନକୁ ଦିନ ଘନଉଥିବା ବେଳେ ଏ ନେଇ କୌଣସି ସରକାରୀ ତଥ୍ୟ ଉପଲବ୍ଧ ନାହିଁ। ପ୍ରାୟ ପାଞ୍ଚବର୍ଷ ତଳେ ଏ ନେଇ ହୋଇଥିବା ଫିଲପ୍ସ ହେଲ୍‌ଥ କେୟାର ସର୍ଭେ ଅନୁସାରେ ଭାରତରେ ପ୍ରାୟ ୯୩% ଲୋକ ଉପଯୁକ୍ତଭାବେ ଶୋଇବାକୁ ପାଆନ୍ତି ନାହିଁ। ଏମାନେ ଆବଶ୍ୟକ ଦୈନିକ ୮ ଘଣ୍ଟା ଶୋଇବାକୁ ପାଆନ୍ତି ନାହିଁ। ପୁଣି ୭୩% ଲୋକ ରାତିରେ ଥରେରୁ ତିନି ଥର ଉଠିବାକୁ ବାଧ୍ୟ ହୁଅନ୍ତି। ଆଦୌ ଶୋଇ ନ ଥିବାରୁ ୧୧% ଲୋକ କାମରୁ ଛୁଟି ନିଅନ୍ତି ଏବଂ ୩୮% ଲୋକ ନିଜ କର୍ମସ୍ଥଳୀରେ ହିଁ ନିଜ ସହକର୍ମୀ ଶୋଇଥିବାର ଦେଖିଛନ୍ତି। ତେବେ ପାଦତଳୁ ମାଟି ଖସାଇଦେବା ପରି ତଥ୍ୟ ହେଉଛି ଯେ, ଉପଯୁକ୍ତଭାବେ ନିଦ ହେଉ ନ ଥିବାରୁ ପାଖାପାଖି ୩୩% ଭାରତୀୟ ବେଶ୍‌ ଭଲଭାବେ ଘୁଙ୍ଗୁଡି ମାରନ୍ତି। ଏହା ଏତେ ଜୋରରେ ଦୁଇଜଣ ଲୋକ କଥାବାର୍ତ୍ତା ହେଲେ ଯେତିକି ଶବ୍ଦ ଉପତ୍ନ୍ନହୁଏ ସେହିପରି କିମ୍ବା ତାହାଠାରୁ ଅଧିକ।
ଉପଭୋଗବାଦର ବୃହତ୍‌ ବୃଦ୍ଧି ଯୋଗୁ ମଣିଷ ଆଜିପାଇଁ ଚିନ୍ତାକରିବା ଛାଡି ଦେଇଛି। କାଲି କଥାକୁ ନେଇ ବେଶି ବ୍ୟସ୍ତ ହୋଇପଡୁଛି। ଆସନ୍ତାକାଲିକୁ ଭଲଭାବେ ବଞ୍ଚିବା ଚିନ୍ତାରେ ଭାବି ଭାବି ସେ ଖଟ ଉପରକୁ ଯାଉଛି ସତ ହେଲେ ଆଖିକୁ ନିଦ ଆସୁନି। ମୋବାଇଲ ଖେଳାଉ ଖେଳାଉ ନିଦ ପଳାଉଛି। ଦୋଷ ଦିଆଯାଉଛି ଖଟକୁ, ତକିଆକୁ, ଓଡ଼ଶକୁ। କିଛିବର୍ଷ ତଳେ ରାତି ନଅଟା ବେଳକୁ ନିଦ ମାଡି ଆସୁଥିଲା। ଖାଇବା ଯାଏ ଆଖି ଖୋଲି ରଖିବାକୁ ତର ରହୁ ନ ଥିଲା। ଖଟ ଉପରେ ପଡୁ ପଡୁ ହିଁ ନିଦ ଆସିଯାଉଥିଲା। ବଡିଭୋରରୁ ମଣିଷ ଉଠୁଥିଲା ସତେଜ ଆଖିରେ। କାକରଭିଜା ଘାସ, ନୂଆ କରି ଫୁଟିଥିବା ଫୁଲ, ଆଉ ପ୍ରଜାପତିକୁ ଦେଖି ଦିନ ଆରମ୍ଭ କରୁଥିଲା। ଫୁଲ ତୋଳିବା ଏବଂ ସକାଳର ପ୍ରାର୍ଥନା ଶୁଣିଲା ପରେ ଜଣାପଡୁଥିଲା ଯେ ସକାଳର ପୃଥିବୀଟା ଦିନଯାକ ପାଇଁ ଭଗବାନଙ୍କ ପାଖରେ ମୁଣ୍ଡନୁଆଇଁ କାମକୁ ଯିବାକୁ ପ୍ରସ୍ତୁତ ହେଉଛି। ହାୟ ଆଉ ବୋଧହୁଏ ସେ ସମୟ ଆସିବାର ନାହିଁ। ଏବେ ତ ଉଦିତ ସୂର୍ଯ୍ୟର ନରମ କିରଣ ଖାଇବା ପାଇଁ ଲୋକ ହିଁ ନାହାନ୍ତି। ପ୍ରାତଃଭ୍ରମଣ କରୁଥିବା କିଛି ବରିଷ୍ଠ ନାଗରିକଙ୍କୁ ଛାଡିଦେଲେ ଅନେକେ ତ ଏବେ ବି ଶୋଇବା ପାଇଁ ସଂଘର୍ଷରତ। ଉଦିତ ସୂର୍ଯ୍ୟର ରକ୍ତିମ ଆଭାକୁ ଦେଖିବ କିଏ? ବିଳମ୍ବରେ ଶୋଇବା ଏବଂ ମଧ୍ୟାହ୍ନ ବେଳକୁ ଉଠିବା ସତେ ଯେପରି ଏକ ଫ୍ୟାଶନ ପାଲଟିଲାଣି ଏବେ।
ନିଦ ନିରୁଦ୍ଦିଷ୍ଟ ହେଲା ପରେ ଏହା ଅନେକ ବିପଦକୁ ଟାଣି ଆଣୁଛି। ମୁଣ୍ଡବିନ୍ଧା, ଅଳସୁଆ ଲାଗିବା ସହ ଦେହହାତ ଘୋଳାବିନ୍ଧା ହେବା, କାମରେ ମନ ଲଗାଇବାରେ ସମର୍ଥ ନ ହେବା ତ ଆବଶ୍ୟକ ମାତ୍ରାରେ ନିଦ ନ ହେବା ଯୋଗୁ ଦେଖା ଦେଉଥିବା ସର୍ବନିମ୍ନ ବିପଦ। ତେବେ ଏହା ଏତେ ବଡ଼ ସମସ୍ୟା ହୋଇଥିବା ସତ୍ତ୍ୱେ ଭାରତୀୟମାନେ ଏ ନେଇ ଖୋଲାଖୋଲି ଭାବେ କଥା ହେବାକୁ ନାରାଜ। ବରଂ ଅନେକଙ୍କ ମତରେ କମ୍‌ ଶୋଇ କିମ୍ବା ଆଦୌ ନ ଶୋଇ କାମ କରିବାଟା ଗୋଟିଏ ବଡ଼ ବାହାଦୁରି। କେବଳ ୨% ନିଦ୍ରାହୀନତାରେ ପୀଡିତ ଭାରତୀୟ ହିଁ ଏ ନେଇ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଯାଆନ୍ତି।
ଯଦି ନିଦ ଆସୁନାହିଁ ତେବେ ଏ ନେଇ ଗୁରୁତ୍ୱର ସହ ଚିନ୍ତାକରିବାର ଆବଶ୍ୟକତା ରହିଛି। ମୋବାଇଲକୁ ଶୋଇବା ଘରୁ ବାହାର କରି ବହି ପଢିବା ପାଇଁ ଚିନ୍ତା କରିବା ଦରକାର। ପୁଣି ରାତିରେ ଶୀଘ୍ର ଖାଇଲେ ଓ ଦିନରେ କିଛି ଶାରୀରିକ ଶ୍ରମ କଲେ ନିଦ ଆସିବାରେ ବୋଧହୁଏ ବ୍ୟାଘାତ ଆସିବ ନାହିଁ। ପୁଣି ଯଦି ଏ ସବୁ ସତ୍ତ୍ୱେ ଆପଣଙ୍କୁ ନିଦ ଆସୁନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କିଏ ଜାଣେ ହୁଏତ ଏକ ରୋଗକୁ ଗୁରୁତର ହେବାକୁ ରକ୍ଷା କରିବାରେ ଆପଣଙ୍କ ଏହି ନିଷ୍ପତ୍ତି ସହାୟକ ହୋଇପାରେ।
ଧବଳଗିରି, ଯାଜପୁର ରୋଡ,
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri