ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା
ଦେବଗୁରୁ ବୃହସ୍ପତି ଆଜି ଭୋର ୫ଟା ୧୭ରେ ବିଛାରାଶିରୁ ମୂଳା ନକ୍ଷତ୍ର ଧନୁ ରାଶିକୁ ଚଳିଛନ୍ତି। ଏହା ପୂର୍ବରୁ ସେ ୨୨ା୦୪ା୧୯ ରାତ୍ରି ୦୧ା୦୮ରେ ବକ୍ରଗତିରେ ଧନୁରୁ ବିଛାକୁ ଚଳିଥିଲେ। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରନ୍ତି। କିନ୍ତୁ ୪ ମାସ ପରେ ୨୯ା୦୩ା୨୦ରେ ସେ ଅତିଚାରରେ ଧନୁରୁ ମକରକୁ ଚଳିବେ। ତା’ପରେ ପୁଣି ବକ୍ରଗତିରେ ୩୦ା୦୬ା୨୦ରେ ଧନୁକୁ ଫେରିବେ। ବର୍ତ୍ତମାନ ଧନୁରାଶିରେ ଶନି ଓ କେତୁ ଅଛନ୍ତି। ସେଠାକୁ ବୃହସ୍ପତି ଆସି ଦୁଇ ପାପଗ୍ରହ ସହ ଅବସ୍ଥାନ କରି କି ଫଳ ଦେବେ ସେ ବିଷୟରେ ଜାଣିବା ପାଇଁ ଲୋକମାନଙ୍କର ଆଗ୍ରହ ରହିବା ସ୍ବାଭାବିକ।
ଶାସ୍ତ୍ରରେ ଅଛି- ଜନ୍ମରାଶିରେ ବୃହସ୍ପତି ଥିବାବେଳେ ରାଜା ରାମଙ୍କୁ ରାଜ୍ୟ ହରାଇ ବନବାସ ଦୁଃଖ ଭୋଗ କରିବାକୁ ପଡ଼ିଥିଲା। ତେଣୁ ଜନ୍ମବୃହସ୍ପତି ଅର୍ଥ, ସମ୍ପଦ, ରାଜ୍ୟ, ପଦପଦବୀ ନାଶ କରିଥାନ୍ତି। ସେହିପରି ବୃହସ୍ପତି ଜନ୍ମରାଶିରୁ ତୃତୀୟରେ ଥିବାବେଳେ ବାମନରୂପୀ ବିଷ୍ଣୁ ବଳିଙ୍କୁ ପାତାଳକୁ ଚାପିଥିଲେ। ବୃହସ୍ପତି ଚତୁର୍ଥରେ ଥିବାବେଳେ ରାବଣ, ଦ୍ୱାଦଶରେ ଥିବାବେଳେ ସଗର ରାଜା, ଦଶମରେ ମଧୁକୈଟଭ, ଅଷ୍ଟମରେ କୁରୁରାଜା ଓ ଷଷ୍ଠରେ ଥିବାବେଳେ କର୍ଣ୍ଣବଧ ହୋଇଥିଲା। ତେଣୁ ଜନ୍ମ, ୩ୟ, ୪ର୍ଥ, ୬ଷ୍ଠ, ୮ମ, ୧୦ମ ଓ ୧୨ଶ ବୃହସ୍ପତି ଅଶୁଭ ଫଳ ଦେଇଥାନ୍ତି। ବୃହସ୍ପତିଙ୍କର ଶୁଭ ସ୍ଥାନଗୁଡ଼ିକ ହେଉଛି ୨ୟ, ୫ମ, ୭ମ ଓ ୧୧ଶ। ଜନ୍ମରାଶିରୁ ଏହିସବୁ ବିଚାର ହୁଏ। କୃଷ୍ଣମୂର୍ତ୍ତିଙ୍କ ମତରେ ଲଗ୍ନରୁ ମଧ୍ୟ ବିଚାର ହୁଏ। ତା’ ଛଡ଼ା ଜ୍ୟୋତିଷଶାସ୍ତ୍ରରେ ଆଉ ଏକ ପାଠ ଅଛି ଯାହାର ନାମ ଅଷ୍ଟକବର୍ଗ ବିଚାର। ଲଗ୍ନ ଓ ଗ୍ରହଗୁଡ଼ିକର ପାରସ୍ପରିକ ସ୍ଥିତିକୁ ନେଇ ତାହା ବିଚାର କରାଯାଇଥାଏ। ବୃହସ୍ପତିଙ୍କ ଅଷ୍ଟକବର୍ଗରେ ଯଦି ସେ ଚାରୋଟିରୁ ଅଧିକ ଶୁଭବିନ୍ଦୁ ପାଇଥାନ୍ତି ତେବେ ଅଶୁଭ ବୃହସ୍ପତି ହେଲେ ବି ସେ ଶୁଭଫଳ ଦେବେ। ଶୁଭସ୍ଥାନସ୍ଥ ଗ୍ରହ ବି ଶୁଭଫଳ ଦେଇପାରନ୍ତି ନାହିଁ ଯଦି ସେ ନୀଚସ୍ଥ, ଅସ୍ତଂଗତ ବା ଅନ୍ୟ ପ୍ରକାରେ ଦୁର୍ବଳ ହୋଇଥାନ୍ତି କିମ୍ବା ତାଙ୍କର ବେଧ ସ୍ଥାନରେ ଅନ୍ୟ ଗ୍ରହ ଅବସ୍ଥାନ କରିଥାନ୍ତି। ବଳାବଳ, ଗ୍ରହବେଧ ଏବଂ ଅନ୍ୟ ଗ୍ରହମାନଙ୍କ ସହ ପାରସ୍ପରିକ ସମ୍ପର୍କ ବିଚାର ବିନା ଗୋଚର ବିଚାର ପୂର୍ଣ୍ଣାଙ୍ଗ ନୁହେଁ।
ଶାସ୍ତ୍ରରେ ଅଛି- ବୃହସ୍ପତି ଜନ୍ମରାଶିରୁ ଦ୍ୱିତୀୟରେ ଥିଲେ ଧନଧାନ୍ୟଭୋଗୀ କରାନ୍ତି, ନବମ ବା ପଞ୍ଚମରେ ଥିଲେ ସୁତ ଓ ଅର୍ଥଲାଭ କରାନ୍ତି, ସପ୍ତମରେ ଥିଲେ ବିପୁଳ ଲକ୍ଷ୍ମୀ (ଧନ ଓ ଐଶ୍ୱର୍ଯ୍ୟ)ର ଅଧିକାରୀ କରାନ୍ତି ଏବଂ ଏକାଦଶରେ ଥିଲେ ଉପରୋକ୍ତ ସବୁ ପ୍ରକାର ସୁଫଳ ଜାତକ ପାଇଥାଏ। ଅର୍ଥାତ୍‌ ଧନୁରାଶିସ୍ଥ ବୃହସ୍ପତି ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶିର ଗୋଚରରେ ଶୁଭଫଳ ପ୍ରଦାନ କରିବେ। ଏତଦ୍‌ଭିନ୍ନ ରାଶିମାନଙ୍କର ଅଶୁଭଫଳ ପ୍ରଦାନ କରିବେ। ମୋଟ ଉପରେ ବୃହସ୍ପତି ଜନ୍ମ ରାଶିରେ ରହିଲେ ଭୟ, ଦ୍ୱିତୀୟରେ ରହିଲେ ଧନଧାନ୍ୟ ଲାଭ, ତୃତୀୟରେ ଶରୀରପୀଡା, ଚତୁର୍ଥରେ ଧନହାନି, ଅପ୍ରିୟତା, ପଞ୍ଚମରେ ସନ୍ତାନସୁଖ ଓ ଧନସମ୍ପଦ ଲାଭ, ଷଷ୍ଠରେ ରୋଗ ଓ ଶତ୍ରୁବୃଦ୍ଧି, ସପ୍ତମରେ ଲକ୍ଷ୍ମୀପ୍ରାପ୍ତି, ସମ୍ମାନଲାଭ, ଅଷ୍ଟମରେ ସ୍ବାସ୍ଥ୍ୟ ଓ ସମ୍ପଦ ନାଶ, ନବମରେ ଧନଲାଭ, ଦଶମରେ ପ୍ରଣୟ ଭଙ୍ଗ, ପ୍ରୀତିନାଶ, ଏକାଦଶରେ ଧନ ଓ ସମ୍ମାନ ପ୍ରାପ୍ତି ଏବଂ ଦ୍ୱାଦଶରେ ବ୍ୟୟ ବୃଦ୍ଧି ଓ ଶରୀର କ୍ଳେଶ ପରି ଫଳ ପ୍ରଦାନ କରିଥାନ୍ତି। ଏହା ସାଧାରଣ ବିଚାର। ସମସ୍ତଙ୍କ କ୍ଷେତ୍ରରେ କାର୍ଯ୍ୟତଃ ଏହି ଫଳ ମିଳିବାର ଦେଖାଯାଉ ନାହିଁ। ତେଣୁ ଗୋଚରଫଳ ବିଚାରରେ ରହିଥିବା ଅନ୍ୟାନ୍ୟ ଦିଗଗୁଡ଼ିକୁ ମଧ୍ୟ ବିଚାରକୁ ନେବା ଉଚିତ।
ଗ୍ରହ କେଉଁ ରାଶିର କେଉଁ ନକ୍ଷତ୍ରକୁ ଚଳୁଛନ୍ତି ଏବଂ କର୍ତ୍ତାଙ୍କ ଜନ୍ମନକ୍ଷତ୍ର କ’ଣ ତାହା ଉପରେ ମଧ୍ୟ ସେ କେତେ ଶୁଭ ବା ଅଶୁଭ ଫଳ ଦେବେ ତାହା ନିର୍ଭର କରେ। ଏହା ଜାଣିବା ପାଇଁ ଏକ ସୂତ୍ର ଅଛି। ଗ୍ରହର ଚଳନ ନକ୍ଷତ୍ର ସଂଖ୍ୟା (ବର୍ତ୍ତମାନ ବୃହସ୍ପତିଙ୍କ ଚଳନ ନକ୍ଷତ୍ର ସଂଖ୍ୟା ୧୯), କର୍ତ୍ତାଙ୍କ ଜନ୍ମନକ୍ଷତ୍ର ସଂଖ୍ୟା ଓ ଜନ୍ମରାଶି ସଂଖ୍ୟାକୁ ମିଶାଇ ମିଶାଣଫଳକୁ ୮ ଦ୍ୱାରା ଭାଗ କରନ୍ତୁ। ଭାଗଶେଷ ୧ ରହିଲେ ପ୍ରୀତିଲାଭ, ୨ ରହିଲେ ତୀର୍ଥଦର୍ଶନ, ୩ ରହିଲେ ଲକ୍ଷ୍ମୀପ୍ରାପ୍ତି, ୪ ରହିଲେ ଦ୍ରବ୍ୟହାନି, ୫ ରହିଲେ ଦୁଃଖଲାଭ, ୬ ରହିଲେ ଭୂମି ଓ ଅର୍ଥଲାଭ, ୭ ରହିଲେ କଳହ ଓ ସମ୍ମାନହାନି ଏବଂ ଶୂନ ରହିଲେ ଶସ୍ତ୍ରାଘାତ।
ଗ୍ରହ ଚଳନ ସମୟରେ ଚନ୍ଦ୍ର କେଉଁ ରାଶିରେ ଅଛି ତାହା ମଧ୍ୟ ବିଚାର୍ଯ୍ୟ। ଯଦି ବୃହସ୍ପତି ଚଳନ ସମୟରେ କର୍ତ୍ତାଙ୍କ ଜନ୍ମରାଶିକୁ ଚନ୍ଦ୍ର ଶୁଭ ଥିବେ ତେବେ ବୃହସ୍ପତି ଶୁଭ ହୋଇଥିଲେ ପୂର୍ଣ୍ଣ ଶୁଭ ଏବଂ ଅଶୁଭ ହୋଇଥିଲେ ଅଧା ଅଶୁଭ ଫଳ ଦେବେ। ଚନ୍ଦ୍ର ଅଶୁଭ ହୋଇଥିଲେ ଶୁଭ ବୃହସ୍ପତି ଅଧା ଶୁଭ ଏବଂ ଅଶୁଭ ବୃହସ୍ପତି ପୂର୍ଣ୍ଣ ଅଶୁଭ ଫଳ ଦେବେ। ବର୍ତ୍ତମାନ ବୃହସ୍ପତିଙ୍କ ଚଳନ ସମୟରେ ଚନ୍ଦ୍ର ମକରରାଶିରେ ଅଛନ୍ତି। ସୁତରାଂ ମେଷ, ସିଂହ ଓ ବିଛା ରାଶିର ବୃହସ୍ପତି ଗୋଚରରେ ଶୁଭ ଏବଂ ଚଳନ ସମୟେ ଚନ୍ଦ୍ର ଶୁଭ ହେତୁ ଅତିଶୁଭ ଫଳ ପ୍ରଦାନ କରିବେ। ମିଥୁନ ଓ କୁମ୍ଭ ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଅଶୁଭ ହେତୁ ମଧ୍ୟମ ଶୁଭଫଳ ପ୍ରଦାନ କରିବେ। ବୃଷ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ରାଶିର ଗୋଚରରେ ଅଶୁଭ ମାତ୍ର ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। ତୁଳା ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ଅଶୁଭ କାରଣରୁ ଅତି ଅଶୁଭଫଳ ଦେବେ।
ଅଶୁଭ ବୃହସ୍ପତିଙ୍କ ପ୍ରତିକାର ପାଇଁ ଗୁଡ, ହଳଦୀଖଣ୍ଡ, ହଳଦିଆ ଧାନ, ହଳଦିଆ ବସ୍ତ୍ର, ଲୁଣ ଆଦି ଗ୍ରହବିପ୍ରଙ୍କୁ ଦାନ କରାଯାଏ। ଏତଦ୍‌ବ୍ୟତୀତ ବ୍ରହ୍ମଯଷ୍ଟି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିଜ ନାମ, ଗୋତ୍ରରେ ଅଭିମନ୍ତ୍ରିତ କରାଇ ୧୦୮ ଆହୁତି ପ୍ରଦାନ ପୂର୍ବକ ହୋମ କରାଇ ସ୍ତ୍ରୀଲୋକମାନେ ବାମ ଏବଂ ପୁରୁଷଲୋକମାନେ ଦକ୍ଷିଣବାହୁରେ ଧାରଣ କଲେ ଅଶୁଭଫଳ ହ୍ରାସ ପାଇଥାଏ।
ପ୍ରକୃତରେ ମଣିଷ ତା’ର କର୍ମ ଅନୁସାରେ ଫଳ ପାଇଥାଏ। ଗ୍ରହମାନେ କେବଳ ଅନୁପ୍ରେରିତ କରନ୍ତି। ଯେଉଁମାନେ ଇଷ୍ଟନିଷ୍ଠ ସେମାନେ ଖରାପ ଅନୁପ୍ରେରଣାର ବଶବର୍ତ୍ତୀ ହୁଅନ୍ତି ନାହିଁ କି ପରିବେଶରୁ ଖରାପ କିଛି ଗ୍ରହଣ କରନ୍ତି ନାହିଁ। ତେଣୁ ସେମାନେ ଗ୍ରହଦୋଷ (ଗ୍ରହଣ କରିବାର ଦୋଷ)ରେ ପୀଡ଼ିତ ହୁଅନ୍ତି ନାହିଁ। ଆଦର୍ଶନିଷ୍ଠ ହୁଅନ୍ତୁ, ସତ୍‌କର୍ମ କରନ୍ତୁ, ଅଶୁଭଗ୍ରହ ଦ୍ୱାରା କ୍ଷତିଗ୍ରସ୍ତ ହେବେ ନାହିଁ।
ମୋ- 7008960502, Email: dolagovinda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri