ତୁର୍କୀ ଗଣତନ୍ତ୍ରର ବିଜୟ

ସିନାନ ଉଲ୍‌ଗେନ

ତୁର୍କୀରେ ମାର୍ଚ୍ଚ ୩୧ (ରବିବାର)ରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନର ଫଳାଫଳ ଅନେକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି। ମେଟ୍ରୋପଲିଟାନ, ଡିଷ୍ଟ୍ରିକ୍ଟ ମ୍ୟୁନିସିପାଲ, ପ୍ରୋଭିନ୍‌ସିଆଲ ଓ ମ୍ୟୁନିସିପାଲ କାଉନ୍‌ସିଲର ପାଇଁ ହୋଇଥିବା ଏହି ନିର୍ବାଚନରେ ତୁର୍କୀର ବିରୋଧୀ ଦଳ ବୃହତ୍‌ ବିଜୟ ହାସଲ କରିଛି। ଦେଶର ଘରୋଇ ରାଜନୈତିକ ଗତିଶୀଳତାକୁ ଏହା ପୁନଃରୂପ ଦେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ମୁଖ୍ୟ ବିରୋଧୀ ଦଳ ରିପବ୍ଲିକାନ ପିପୁଲସ୍‌ ପାର୍ଟି(ସିଏଚ୍‌ପି) ଜାତୀୟ ଭୋଟ୍‌ର ୩୭.୮% ହାସଲ କରିଛି। ତୁର୍କୀର ରାଷ୍ଟ୍ରପତି ରେସିପ ତଇପ ଏର୍ଦୋଗାନ ଓ ତାଙ୍କ ଶାସକ ଦଳ ଜଷ୍ଟିସ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ପାର୍ଟି (ଏକେପି) ପାଇଁ ବଡ଼ ଝଟ୍‌କା ହୋଇଛି। ଏକେପି ଏହି ନିର୍ବାଚନରେ ୩୫.୫% ଭୋଟ ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିଏଚ୍‌ପି ମେୟରମାନେ ବର୍ତ୍ତମାନ ତୁର୍କୀର ୮୧ଟି ପ୍ରଦେଶରୁ ୩୫ଟିରେ ଶାସନ କରିବେ। ଏହା ବ୍ୟତୀତ ମୋଟ ୫୩ ମିଲିୟନ ଜନସଂଖ୍ୟା ବିଶିଷ୍ଟ ୧୦ଟି ବୃହତ୍‌ ମେଟ୍ରୋପଲିଟାନରେ ମଧ୍ୟ ଏହି ଦଳ କ୍ଷମତାରେ ରହିବ। ଅନ୍ୟପକ୍ଷରେ ଏକେପି କେବଳ ୨୪ଟି ପ୍ରଦେଶର ୧୯.୫ ମିଲିୟନ ଲୋକଙ୍କର ପ୍ରତିନିଧିତ୍ୱ କରିବ।
ସିଏଚ୍‌ପିର ଅଭୂତପୂର୍ବ ବିଜୟ ପଛର ଏକ ପ୍ରମୁଖ କାରଣ ହେଉଛି ତୁର୍କୀର ଏବକାର ଅର୍ଥନୈତିକ ଅବନତି। ଶେଷରେ ଦୁର୍ବଳ ଭାବେ ବିବେଚିତ ମାକ୍ରୋଅର୍ଥନୈତିକ ନୀତିର ରାଜନୈତିକ ପରିଣାମକୁ ଏର୍ଦୋଗାନ ଏବଂ ଏକେପି ଏବେ ଅନୁଭବ କରୁଛନ୍ତି। ଏହି ନୀତି ମୁଦ୍ରାସ୍ଫୀତି ବଢ଼ାଇ ଦେଇଛି ଏବଂ ତୁର୍କୀ ମୁଦ୍ରାକୁ ଲଗାତର ଶକ୍ତ ଝଟ୍‌କା ଦେଇଆସିଛି, ଯାହା ଅଧିକାଂଶ ତୁର୍କୀବାସୀଙ୍କ କ୍ରୟ କ୍ଷମତା ହ୍ରାସ କରିଛି। ତୁର୍କୀର ମହାନଗର ନିଗମ ଅଞ୍ଚଳରେ ଏହା ଅଧିକ ଦୃଶ୍ୟମାନ; ଯେଉଁଠାରେ ଶ୍ରମିକମାନେ ବ୍ୟବସାୟିକ ବ୍ୟବସ୍ଥାରେ ଅଧିକ ଜଡ଼ିତ ରହିଛନ୍ତି। ଗଭୀର ଅର୍ଥନୈତିକ ମାନ୍ଦାବସ୍ଥା ହିଁ ଏକେପି ଭୋଟରମାନଙ୍କ ଆକ୍ରୋଶର କାରଣ, ଯାହା ପାଇଁ ମତଦାନ ହାର କମିଗଲା।
ଏହି ନିର୍ବାଚନରେ ତୁର୍କୀର ରାଜନୈତିକ ବିରୋଧୀ ନେତା ଭାବେ ଜଣାଶୁଣା ତଥା ଇସ୍ତାନବୁଲର ସିଏଚ୍‌ପି ମେୟର ଏକ୍ରେମ ଇମାମୋଗ୍ଲୁଙ୍କ ଉତ୍‌ଥାନ ତୁର୍କୀ ଗଣତନ୍ତ୍ରର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ୫୧% ଭୋଟ ପାଇ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ସେ ଏକେପି ପ୍ରାର୍ଥୀ ମୁରତ କୁରୁମଙ୍କୁ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। କୁରୁମଙ୍କ ପ୍ରଚାର ଅଭିଯାନରେ ଏର୍ଦୋଗାନ ସାମିଲ ହେବା, ମିଡିଆ ପ୍ରଚାର ଏବଂ ଅନ୍ୟ ସରକାରୀ ସୁବିଧାକୁ ବିଚାର କଲେ ଏକ୍ରେମଙ୍କ ବିଜୟ ଅତ୍ୟନ୍ତ ଭଲ ବୋଲି ସ୍ବୀକାର କରାଯାଇପାରେ। ବାସ୍ତବରେ, ଶାସକ ଏକେପି (ମୁଖ୍ୟତଃ ଏର୍ଦୋଗାନ)ଙ୍କ ଉପରେ ଇମାମୋଗ୍ଲୁଙ୍କ ଏହା ତୃତୀୟ ବିଜୟ। ପାଞ୍ଚ ବର୍ଷ ପୂର୍ବେ ସେ ଇସ୍ତାନବୁଲ ମେୟର ନିର୍ବାଚନରେ ପୂର୍ବତନ ଏକେପି ପ୍ରଧାନମନ୍ତ୍ରୀ ବିନାଲି ୟିଲଡିରିମଙ୍କୁ ୧୩,୦୦୦ ଭୋଟରେ ପରାସ୍ତ କରିଥିଲେ। ନିର୍ବାଚନର ଫଳାଫଳ ତଥା ଇମାମୋଗ୍ଲୁଙ୍କ ବିଜୟକୁ ସ୍ବୀକାର କରିବା ପାଇଁ ଏର୍ଦୋଗାନଙ୍କ ସରକାର ମନା କରିଦେଇଥିଲେ। ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ତାହାକୁ ପୁନର୍ବାର କରିବା ପାଇଁ ବାଧ୍ୟ କରିଥିଲେ। ହେଲେ ଇମାମୋଗ୍ଲୁ ପାଖାପାଖି ୮୦୦,୦୦୦ ଭୋଟରେ ଜିତିଥିଲା। ରବିବାର ଦିନ ଇମାମୋଗ୍ଲୁଙ୍କ ବିଜୟକୁ ୨୦୧୯ ସ୍ଥାନୀୟ ନିର୍ବାଚନର ଶେଷ ପର୍ଯ୍ୟାୟ ଏବଂ ୨୦୨୮ ଆଗାମୀ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ବୋଲି ବୁଝିବାକୁ ହେବ।
ନିକଟ ଭବିଷ୍ୟତରେ ତୁର୍କୀ ସମ୍ବିଧାନରେ ସଂଶୋଧନ ବଳରେ ୨୦୨୮ ପରେ ଏର୍ଦୋଗାନଙ୍କୁ ଦ୍ୱିତୀୟ ଥର ଶାସନ କରିବା ସକାଶେ କରାଯାଉଥିବା ପ୍ରୟାସରେ ଏହି ନିର୍ବାଚନ ପରିଣାମ ବାଧା ସୃଷ୍ଟି କରିପାରେ। ପ୍ରଥମଥର ପାଇଁ ଏକେପିର ହ୍ରାସ ପାଇଥିବା ରାଜନୈତିକ ସ୍ଥିତି ଏଭଳି ପଦକ୍ଷେପର ବୈଧତାକୁ କ୍ଷୁଣ୍ଣ କରିଛି। ସାମ୍ବିଧାନିକ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟରେ ରାଜନୈତିକ ଉତ୍ତରାଧିକାର ପ୍ରଶ୍ନ ଅଧିକ ଗୁରୁତ୍ୱ ବହନ କରେ। ଯଦି ଏର୍ଦୋଗାନ ରାଷ୍ଟ୍ରପତି ଭାବରେ ତାଙ୍କର ଶେଷ କାର୍ଯ୍ୟକାଳର ଦାୟିତ୍ୱ ବହନ କରୁଛନ୍ତି, ତେବେ ନିକଟରେ ସେ ଦେଇଥିବା ମନ୍ତବ୍ୟରେ ଏକ ଆଇନଗତ ସମ୍ଭାବନା (ତାଙ୍କ ରାଜନୈତିକ ନେତୃତ୍ୱକୁ କିଏ ବହନ କରିବେ) ଥିବା ମନେକରାଯାଉଛି।
ଏକେପିର ଉଲ୍ଲେଖନୀୟ ପରାଜୟ ଦେଶର ବହୁ ପୁରୁଣା ଅର୍ଥନୈତିକ ସମନ୍ବୟ କାର୍ଯ୍ୟକ୍ରମର ଭବିଷ୍ୟତ ଉପରେ କଳାବାଦଲ ଛାଇ ଦେଇଛି। ମେ ୨୦୨୩ରେ ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ପାର୍ଟିର ଘୋର ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଅଥନୈତିକ ସିଦ୍ଧାନ୍ତକୁ ଏକେପିର ଅନେକ ସଦସ୍ୟ ଦାୟୀ କରିବେ। ଏହା ନିଶ୍ଚିତ ଯେ, ଅତ୍ୟଧିକ ସୁଧ ହାର ବୃଦ୍ଧି ଏବଂ ରକ୍ଷଣଶୀଳ ଆର୍ଥିକ ନୀତି ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଏକେପି ଭୋଟରଙ୍କ ଅସନ୍ତୋଷର କାରଣ ହୋଇଛି। କିନ୍ତୁ ଏହି ପ୍ରତିକୂଳ ସ୍ଥିତି ଲାଗିରହିଛି ଏବଂ ଅତି କମ୍‌ରେ ଆଉ ୧୨-୧୮ ମାସ ପର୍ଯ୍ୟନ୍ତ ନିଶ୍ଚିତ ରହିବ। ଏହି କାରଣରୁ ଏକେପି ଏଭଳି ଦୁଃଖଦାୟକ ସ୍ଥିତିରୁ ରକ୍ଷା ପାଇବା ଲାଗି ଦଳ ମଧ୍ୟରେ ରାଜନୈତିକ ସମର୍ଥନ ହ୍ରାସକୁ ରୋକିବା ଉଚିତ।
ଗତ ବର୍ଷ ଅନୁଷ୍ଠିତ ରାଷ୍ଟ୍ରପତି ଏବଂ ସଂସଦୀୟ ନିର୍ବାଚନରେ ଏର୍ଦୋଗାନଙ୍କ ବିରୋଧରେ ଲଢୁଥିବା ସେତେବେଳର ସିଏଚ୍‌ପି ନେତା କେମାଲ କିଲିକଡାରୋଗ୍ଲୁଙ୍କୁ ବୃହତ୍‌ ବିରୋଧୀ ମେଣ୍ଟ ସମର୍ଥନ କରି ଆଶାନୁରୂପ ସଫଳତା ନ ପାଇଲା ପରେ ମାର୍ଚ୍ଚ ୩୧ରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନରେ ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀ ଦେଇଥିଲେ। ବିରୋଧୀ ନିୟନ୍ତ୍ରଣରେ ରହିଥିବା ଏବକାର ମେୟରମାନଙ୍କ ପାଇଁ ଏହା ପରାଜୟର ବିପଦ ବଢ଼ାଇ ଦେଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ନିଜ ନିର୍ବାଚନ କ୍ଷେତ୍ରରେ ସମସ୍ତ ବର୍ଗର ବିରୋଧୀ ଭୋଟରଙ୍କୁ ସିଧାସଳଖ ଆକର୍ଷିତ କରି ଏହି ବାଧାବିଘ୍ନକୁ ଅତିକ୍ରମ କରିଥିଲେ। ସେମାନଙ୍କ ପ୍ରଭାବୀ ପଦକ୍ଷେପଗୁଡ଼ିକୁ ଆଧାର କରି ଇମାମୋଗ୍ଲୁ ଓ ରାଜଧାନୀ ଅଙ୍କରର ବର୍ତ୍ତମାନର ସିଏଚ୍‌ପି ମେୟର ମନସୁର ୟାଭାଶ ନିଜ ଦଳ ବାହାରର ଭୋଟରଙ୍କୁ ଆକର୍ଷିତ କରିପାରିଛନ୍ତି। ଏହା ବିଶେଷକରି ଇମାମୋଗ୍ଲୁ ଓ ଅଧ୍ୟକ୍ଷ ଓଜଗୁର ଓଜେଲଙ୍କ ପରିଚାଳିତ ବିରୋଧୀ ଦଳ ସିଏଚପିକୁ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଆରାମରେ ନେତୃତ୍ୱ ଦେବା ସ୍ଥିତିରେ ରହିଛନ୍ତି।
ଶେଷରେ, ରବିବାରରେ ହୋଇଥିବା ନିର୍ବାଚନରେ ତୁର୍କୀ ଗଣତନ୍ତ୍ରର ପ୍ରକୃତ ବିଜୟ ହୋଇଛି ବୋଲି କୁହାଯାଇପାରେ। ତୁର୍କୀର ଭୋଟରମାନେ ପୁନର୍ବାର ବହୁଦଳୀୟ ଗଣତନ୍ତ୍ର ପ୍ରତି ଗଭୀର ନିଷ୍ଠା ବା ସମ୍ବନ୍ଧ ପ୍ରତିପାଦିତ କରିବା ସହ ଭବିଷ୍ୟତରେ ଗଣତାନ୍ତ୍ରିକ ପରିବର୍ତ୍ତନରେ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ବିଗତ ଏକ ଦଶନ୍ଧି ମଧ୍ୟରେ ଏହା ନିଃସନ୍ଦେହ ଯେ, ଦେଶ ଏର୍ଦୋଗାନଙ୍କ ଏକଚ୍ଛତ୍ରବାଦ ଶାସନ ଅଧୀନରେ ବହୁତ ପଛକୁ ଚାଲିଯାଇଛି। କିନ୍ତୁ ରବିବାର ଦିନ, ତୁର୍କୀମାନେ ଦର୍ଶାଇ ଦେଇଛନ୍ତି ଯେ, ଦ୍ୱିିତୀୟ ଶତାବ୍ଦୀରେ ପ୍ରବେଶ କରିଥିବା ତୁର୍କୀ ଗଣତନ୍ତ୍ର ଏବେ ବି ଗଣତାନ୍ତ୍ରିକ ଦୁନିଆରେ ସମ୍ପୂର୍ଣ୍ଣ ମଜଭୁତ ରହିଛି।
ତୁର୍କୀର ପୂର୍ବତନ କୂଟନୀତିଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?