ତସ୍ମୈ ଶ୍ରୀ ଶିଷ୍ୟବେ ନମଃ

ତୁଳସୀଦାସ ମିଶ୍ର

ପାଠ ନ ଜାଣିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷକ ଜଣେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ‘କହି ଦେଉଥାଏ ପରକୁ, ବାଟ ନ ଦିଶଇ ନିଜକୁ’ ଆପ୍ତ ବାକ୍ୟଟି ବୋଧହୁଏ ଏଇ ଗୁରୁଜୀଙ୍କ ପାଇଁ ତିଆରି ହୋଇଥିଲା। ଆପଣ ତ ନିଜେ ପାଠ ଭୁଲିଯାଇଛନ୍ତି, ଆପଣ ଅନ୍ୟମାନଙ୍କୁ ବାଟ କେମିତି ଦେଖେଇବେ? ଆଜ୍ଞା, ଆପଣ ହେଲେ ସେ ସ୍କୁଲର କିରାଣି, ଶିକ୍ଷକ, ପ୍ରଧାନ ଶିକ୍ଷକ ଇତ୍ୟାଦି। ମାନେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଏହା ଅର୍ଥ ହେଲା ଆପଣ ହିଁ ପିଲାଙ୍କୁ ସବୁ ବିଷୟ ପଢ଼ଉଥିବେ। ତା’ ହେଲେ ଇତିହାସ ଜ୍ଞାନରୁ ଆପଣ ଜାଣିବା କଥା ଯେ, ବେଶ୍‌ କେଇଜଣ ଶିକ୍ଷକ ଗଲା କିଛିବର୍ଷରେ ପରିକ୍ଷିତ ଦଣ୍ଡଧାରୀ ହେଲେ ବୋଲି ଶିଷ୍ୟକୁମାରମାନଙ୍କ ଦ୍ୱାରା ଶାପଗ୍ରସ୍ତ ବି ହେଲେ। ଆପଣ ସାମାଜିକ ବିଜ୍ଞାନର ଅନୁଭୂତି ଆଧାରରେ ଦଣ୍ଡମୁକ୍ତ ଶୈକ୍ଷିକ ପରିବେଶକୁ ନେଇ ସଦା ସଚେତନ ରହିବା କଥା। ରସାୟନ ବିଜ୍ଞାନରୁ ରସସିକ୍ତ ବକ୍ତବ୍ୟ ବିଷୟରେ ଶିଖିବା କଥା। ପଦାର୍ଥ ବିଜ୍ଞାନୀ ପରି କାହାକୁ ଅପଦାର୍ଥ କହିବାରୁ ବିରତ ରହିବା କଥା। ଆଉ ସାହିତ୍ୟକୁ ନେଇ ଯଦି ପୂର୍ବପାଠର ପୁନଃ ଆଲୋଚନା କରିବା ଆପଣଙ୍କୁ ମାଳମାଳ ଜ୍ଞାନ ମିଳିବ। ଆପଣ ଜାଣିବା କଥା ଯେ, ‘ଭାସି ଯା ମୋର କାଗଜ ଡଙ୍ଗା’ କବିତାର ‘ଯାଇଛି ସେ କାଳ, ଆସିଛିରେ ଏବେ ନୂଆ ବେଳ…’ ଆଜିର ସମୟ ପାଇଁ ପୂର୍ଣ୍ଣରୂପେ ପ୍ରଯୁଜ୍ୟ। ଇଏ ଆଜ୍ଞା ସେକାଳ ପଖାଳ ଖିଆ ନୁହେଁ, ଏ କାଳର ପିଜା, ଚାଉମିନ, କୋଲା, କୁର୍‌କୁରରେ ଖିଆ ପିଢି। ”ଆମେ ତ ଭାଗ୍ୟବାନ୍‌ ପିଲାରେ, ଆଉ କେ ଆମପରି ଥିଲାରେ’ ଗୀତ ବି ସେ ସମୟର ଭବିଷ୍ୟବାଦୀ କବି ଜଣକ ଏ ସମୟର ପିଲାମାନଙ୍କ ପାଇଁ ଲେଖିଥିଲେ। ଦିଲ୍ଲୀରୁ ପଲ୍ଲୀ ଯାଏ ସବୁଠି ପିଲାମାନେ କହୁଛନ୍ତି, ଉତ୍ତର ଖାତାରେ ତେତିଶ ଶତକଡା ମାର୍କ ଦୂରେଥାଉ, ମୂଳରୁ ପରୀକ୍ଷା ହିଁ କରନା। ଉପସ୍ଥାନକୁ ନେଇ ବି ଅଡି ବସନା। କାରଣ ଏହା ଦଣ୍ଡମୁକ୍ତ ଶିକ୍ଷାର ପରିପନ୍ଥୀ। ଛାତ୍ରୀଛାତ୍ରମାନେ ଚାହାନ୍ତି କେବଳ ଯଷ୍ଟି ନୁହେଁ, ଶିକ୍ଷକଙ୍କ ହାତରୁ ପରୀକ୍ଷା ଏବଂ ଉପସ୍ଥାନ ଖାତା ମଧ୍ୟ ଛଡ଼େଇ ନିଆଯାଉ। ଆଉ ପ୍ରଶାସନ ବି ସେମାନଙ୍କ ସାଙ୍ଗେ ଅନେକାଂଶରେ ଏକମତ। ବିନା ପରୀକ୍ଷାରେ ଯେଉଁମାନେ ଶ୍ରେଣୀ ଡେଇଁପାରିବେ ସେଇ ଛାତ୍ରୀଛାତ୍ରମାନେ ନିଜକୁ ‘ଆମେ ତ ଭାଗ୍ୟବାନ୍‌ ପିଲାରେ…’ କ’ଣ ପାଇଁ କହିବେନି?
ଶିକ୍ଷକ ସମାଜ ବୁଝିନେବା କଥା ଯେ, ଗୁରୁ-ଶିଷ୍ୟ ସମ୍ପର୍କ ଆଉ ସହଜ ମାନସାଙ୍କ ହୋଇକି ରହିନି। ଏବେ ତ କିନ୍ତୁ ଆଜ୍ଞା, ପରିବେଶକୁ ପରିଚ୍ଛନ୍ନ ରଖିବାକୁ ଏବଂ ଛାତ୍ରୀଛାତ୍ରମାନଙ୍କୁ ଏକତା ମନ୍ତ୍ରରେ ଅଭିମନ୍ତ୍ରିତ କରିବାକୁ ଚାହିଁ ଗୁରୁଜୀ ଜଣେ ଯଦି କହିବେ- ‘ନିଅ ପିଲେ, ଏ ଝାଡୁନେଇ ବିଦ୍ୟାଳୟ ପ୍ରାଙ୍ଗଣକୁ ସଫାକରି ଦିଅ’ ତ କଥା ସଇଲା। ସ୍ମାର୍ଟ ଫୋନ୍‌ ଯୁଗର କେହି ଜଣେ ଅଧୁଆମୂଳା ସୌଖୀନ ସାମ୍ବାଦିକ ଏହାର ଫଟୋ ଉଠାଇ ଭାଇରାଲ କରିଦେବ। ଆଉ ସେଦିନ ଯଦି ଦୈବାତ୍‌ ଖବର ମରୁଡ଼ି ପଡ଼ିଥାଏ, ଗଣମାଧ୍ୟମବାଲା ବି ଏଇ ଅଙ୍ଗାରକୁ ଫୁଙ୍କି ଫୁଙ୍କି ରାଜ୍ୟକୁ ଧୂଆଁମୟ କରିଦେବେ, ଯା’ ପଛରେ ଶିକ୍ଷକଙ୍କ ମହତ୍‌ ଉଦ୍ଦେଶ୍ୟ ମଳିନ ପଡ଼ିଯିବ। ଉପରମହଲରୁ ଜବାବ ତଲବ ବି ହୋଇପାରେ।
‘ଏ ତ କଳିକାଳ ରୀତି ବିପରୀତ ଭାଇରେ…’ ଅକ୍ଷୟ ମହାନ୍ତିଙ୍କର ଗୀତଟି ଆଜିର ସମୟ ପାଇଁ ବେଶ୍‌ ପ୍ରଯୁଜ୍ୟ। ଦେଖନ୍ତୁ ନା, ଏପଟେ ଛାତ୍ରଙ୍କ ବସ୍ତାନି ବୋଝ କମେଇବାକୁ ସମସ୍ତେ ଯତ୍ନବାନ। କିନ୍ତୁ ଶିକ୍ଷକମାନଙ୍କୁ ଶିକ୍ଷାଦାନ ଛାଡ଼ି ବାକି କାମ ଯଥା ମଧ୍ୟାହ୍ନଭୋଜନ, ନିର୍ବାଚନ, ଜନଗଣନା ଇତ୍ୟାଦିରେ ନିୟୋଜିତ କରି ଭ୍ରମିତ କରାଯାଉଛି। ଅଥଚ ତାକୁ ନେଇ କେହି ଚିନ୍ତିତ ନୁହନ୍ତି। ଏପଟେ ବେତନରେ ପାତରଅନ୍ତର କରି ଶିକ୍ଷକମାନଙ୍କୁ ହୀନସ୍ତା କରାହେଉଛି, ସେପଟେ ଟ୍ୟୁଶନ କରିବାକୁ ମନା କରାହେଉଛି। ଏପଟେ ଛାତ୍ରୀଛାତ୍ରଙ୍କୁ ଦଣ୍ଡଦେବା, ତାଗିଦ କରିବାକୁ ବାରଣ କରାହେଉଛି, ସେପଟେ କିନ୍ତୁ ଉପରିସ୍ଥଙ୍କ ପରିଦର୍ଶନ ସମୟରେ ପିଲେ ଯଦି ଠିକ୍‌ ଉତ୍ତର ନ ଦେଲେ, ନିମ୍ନମାନର ଶିକ୍ଷା ପାଇଁ ଶିକ୍ଷକଙ୍କୁ ଦାୟୀ କରାହେଉଛି।
ବେଳେବେଳେ ଲାଗେ, ସତେଯେମିତି ଆଜିର ଯୁଗରେ ସବୁ ଶିକ୍ଷକ ଜଣେ ଜଣେ ଅଭିମନ୍ୟୁ। ସପ୍ତରଥୀ ପରି ସାଂସଦ, ବିଧାୟକ, ପ୍ରଶାସକ, ଶିକ୍ଷା ଅଧିକାରୀ, ଅଭିଭାବକ, ଛାତ୍ର ଏବଂ ଗଣମାଧ୍ୟମବାଲା ସେମାନଙ୍କୁ ଘେରି ଲହୁଲୁହାଣ କରିଚାଲିଛନ୍ତି। କିନ୍ତୁ ଆଉ ଏକ ଅପ୍ରିୟ ସତ ହେଲା, ନ୍ୟାଯ୍ୟ ଦାବି ହେଲେବି, ତୁହାକୁତୁହା ଆନ୍ଦୋଳନ କରି ଦୀର୍ଘକାଳ ଯାଏ ବିଦ୍ୟାଳୟରୁ ଦୂରେଇ ଏବଂ ବିଦ୍ୟାଦାନରୁ ବିରତ ରହି, ଆଜିର ଦିନରେ ଶିକ୍ଷକମାନେ ମଧ୍ୟ ବିବାଦୀୟ ହୋଇ ପଡ଼ିଛନ୍ତି। ପୁନଶ୍ଚ ସମୟ ଅନ୍ତରାଳରେ କେଇଜଣ ଶିକ୍ଷକଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ସାରା ଗୁରୁକୁଳକୁ ନିନ୍ଦିତ କରିଛି। ତେବେ ଯେତେବେଳେ ଚାରିତ୍ରିକ ଦୋଷତ୍ରୁଟି ପାଇଁ ନ୍ୟାୟାଧୀଶ, ରାଜନେତା, ପୋଲିସ, ସେନା, ସାମ୍ବାଦିକଙ୍କ ସମେତ ଅନ୍ୟ ବିଭାଗର ବ୍ୟକ୍ତିମାନେ ବି କାଠଗଡ଼ାରେ, ଆମେ କେବଳ ଶିକ୍ଷକମାନଙ୍କୁ କ’ଣ ପାଇଁ କୋଣଠେସା କରିବା ?
ଶିକ୍ଷକମାନେ ଯୁଗର ଆହ୍ବାନକୁ ଗୁରୁତ୍ୱ ଦିଅନ୍ତୁ। ‘ସା ବିଦ୍ୟା ଯା ବିମୁକ୍ତେୟ’ର ଆଧୁନିକ ବ୍ୟାଖ୍ୟା କରି ଛାତ୍ରୀଛାତ୍ରମାନଙ୍କୁ ପରୀକ୍ଷା ଏବଂ ଉପସ୍ଥାନର ଜଞ୍ଜାଳରୁ ମୁକ୍ତ କରନ୍ତୁ। ରଙ୍ଗନେତ୍ର ଏବଂ ବେତ୍ର ଦୃଷ୍ଟିରେ ଛାତ୍ରମାନଙ୍କୁ ଛିନ୍‌ଛତ୍ର ନ କରନ୍ତୁ। ବରଂ ସେମାନଙ୍କୁ ମଞ୍ଜୁବାଣୀରେ ମୋହିତ କରନ୍ତୁ। ‘ଅମୃତ ବିନୟ ବଚନ, କହି ତୋଷିବ ପ୍ରାଣୀ ମନ’- ଭାଗବତର ଏ ବାଣୀର ସଦୁପଯୋଗ କରି ରୁଷ୍ଟ ଅଭିଭାବକମାନଙ୍କୁ ତୁଷ୍ଟ ଏବଂ ହୃଷ୍ଟ କରନ୍ତୁ। ପରିବର୍ତ୍ତନର ଉତ୍ତୁଙ୍ଗ ଲହଡି ସାମ୍‌ନାରେ ନମିତ ହୋଇ ଜ୍ଞାନର ପରିଚୟ ଦିଅନ୍ତୁ। କାହିଁକି ନା ‘ନମନ୍ତି ଫଳିନୋ ବୃକ୍ଷାଃ ନମନ୍ତି ଗୁଣିନୋ ଜନାଃ।’
ଭୁବନେଶ୍ୱର, ମୋ- ୯୬୫୮୧୧୦୪୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

ଅସରପା ଓ ପିମ୍ପୁଡ଼ି

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ତାଲିକାରେ ୧୮ତମ ସ୍ଥାନରେ ଥିବା ଉଜ୍ଜ୍ୱଳ ଭୂୟାଁ କଲେଜିୟମ୍‌ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଅଭାବ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଥିଙ୍କ୍‌ ଟ୍ୟାଙ୍କ୍‌…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri