ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ
ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପରିଚାଳନା ଓ ସୂଚନା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତାହା ମଧ୍ୟ ଯଥାଯଥ ଭାବେ କାର୍ଯ୍ୟକାରୀ ହେଉଥିଲା। ଜଣେ ସାଧାରଣ ଲୋକ ବିଭାଗର ୱେବ୍‌ସାଇଟକୁ ଯାଇ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ତଥ୍ୟ ପାଇପାରୁଥିଲା। କେବଳ ଦେଶ ବା ରାଜ୍ୟର ସ୍ଥିତି ନୁହେଁ, ପ୍ରତ୍ୟେକ ପରିବାରର ତଥ୍ୟ ମିଳିପାରୁଥିଲା। ଜଣେ ଚାହିଁଲେ କାହାର ପାଇଖାନା ତିଆରି ହେଲାଣି, କାହାର ନାହିଁ ତାହା ଜାଣି ପାରୁଥିଲା। କାହାକୁ ପାଇଖାନା ପାଇଁ ରିହାତି ପଇସା ମିଳିଲା, କେବେ ମିଳିଲା ତାହା ସହଜରେ ଜାଣି ପାରୁଥିଲା। କେଉଁ ଗାଁର ପାଇଖାନା ସଂଖ୍ୟା କେତେ ଅଛି, କେଉଁ ମାସରେ କେତେ ପାଇଖାନା ତିଆରି ହେଲା ତାହା ଜଣେ ସହଜରେ ଜାଣି ପାରୁଥିଲା। ସେହିପରି ପାନୀୟ ଜଳ ସମ୍ବନ୍ଧିତ ପ୍ରାୟ ସମସ୍ତ ତଥ୍ୟ ୱେବ୍‌ସାଇଟ ମାଧ୍ୟମରେ ହାସଲ କରିବାର ବ୍ୟବସ୍ଥା ଥିଲା। ଖାଲି ଗାଁ ନୁହେଁ, ବସ୍ତିର ପାନୀୟ ଜଳ ସ୍ଥିତିର ସୂଚନା ମଧ୍ୟ ମିଳୁଥିଲା। କେତୋଟି ଓ କି କି ଜଳଉତ୍ସ ଅଛି ତାହା ଜଣେ ଜାଣିପାରୁଥିଲା। କେଉଁ ଜଳଉତ୍ସର ଜଳ ପରୀକ୍ଷା କେବେ ହୋଇଥିଲା ଓ ପରୀକ୍ଷଣରେ ବିଭିନ୍ନ ବ୍ୟାକ୍ଟେରିଆ ଓ ରସାୟନର ମାତ୍ରା କେତେ ଥିଲା ତାହା ୱେବ୍‌ସାଇଟରୁ ଉପଲବ୍ଧ ହେଉଥିଲା। ସେହି ତଥ୍ୟକୁ ଠୁଳକରି ଜଣେ ଚାହିଁଲେ ବିଭିନ୍ନ ବିଷୟରେ ତର୍ଜମା କରିପାରୁଥିଲା।
ଏବେ ଆଉ ସେହି ସ୍ଥିତି ନାହିଁ। ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ତତ୍କାଳୀନ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ସ୍ବଚ୍ଛ ଭାରତ ଅଭିଯାନରେ ପରିବର୍ତ୍ତିତ ହେଲା। ପ୍ରଥମ କିଛି ବର୍ଷ ପାଇଁ ଉଭୟ ପରିମଳ ଓ ପାନୀୟ ଜଳ ସମ୍ବନ୍ଧିତ ତଥ୍ୟ ୱେବ୍‌ସାଇଟରେ ପୂର୍ବ ଭଳି ରହିଲା। କିନ୍ତୁ ତା’ ପରେ ସେହି ବିଭାଗର ଉଭୟ ପରିମଳ ଓ ପାନୀୟଜଳ ୱେବ୍‌ସାଇଟ ମଇଳା ହେବା ଆରମ୍ଭ ହେଲା। ଲୋକଙ୍କଠୁ ତଥ୍ୟ ଲୁଚାଇବାର ପ୍ରକ୍ରିୟା ଆରମ୍ଭ ହୋଇଗଲା। ପ୍ରଥମେ ପାଳିପଡିଲା ସ୍ବଚ୍ଛ ଭାରତ (ଗ୍ରାମୀଣ) ସମ୍ବନ୍ଧିତ ୱେବ୍‌ସାଇଟର। ଏବେ ଜଣେ ସ୍ବଚ୍ଛ ଭାରତ ୱେବ୍‌ସାଇଟକୁ ଗଲେ ଅତି ବେଶିରେ ଭାରତରେ ଓ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶରେ କେତେ ପ୍ରତିଶତ ପାଇଖାନା ଲକ୍ଷ୍ୟ ହାସଲ ହୋଇଛି ସେତିକି ତଥ୍ୟ ପାଇବ। ଜିଲାଓ୍ବାରି ତଥ୍ୟ ପାଇବ ନାହିଁ। ଘର, ଗାଁ, ପଞ୍ଚାୟତର ତଥ୍ୟ ତ ଦୂରର କଥା। ଏବେ କେବଳ କେତେ ଗାଁ ବାହ୍ୟ ମଳମୁକ୍ତ ହେଲା ତାହାର ସଂଖ୍ୟା ହିଁ ମିଳିବ, ତାହାଠୁ ଅଧିକ କିଛି ନୁହେଁ। କେଉଁ ଗାଁ ବାହ୍ୟମଳମୁକ୍ତ ହେଲାଣି ତାହା ଜଣେ ଜାଣିବାର ସୁଯୋଗ ନାହିଁ।
ଏଯାଏଁ ପାନୀୟ ଜଳର ବିସ୍ତୃତ ତଥ୍ୟ ପ୍ରଦାନ କରୁଥିବା ୱେବ୍‌ସାଇଟ ଏବେ ସେହି ସମାନ ରାସ୍ତା ଧରିଛି। ଯେଉଁ ୱେବ୍‌ସାଇଟରୁ ପ୍ରତି ଉତ୍ସ, ପ୍ରତି ବସ୍ତିର ତଥ୍ୟ ମିଳୁଥିଲା ସେଠି ଏବେ କେବଳ କିଛି ମୋଟା ତଥ୍ୟ ହିଁ ମିଳୁଛି। ଉଦାହରଣସ୍ବରୂପ, ଏବେ କେବଳ ରାଜ୍ୟ ଓ ଜିଲାର କେତେ ପ୍ରତିଶତ ଲୋକଙ୍କୁ ପାଇପ ଜଳ ମିଳୁଛି ତାହାର ମୋଟ ସଂଖ୍ୟା ଓ ପ୍ରତିଶତ ହିଁ ଦିଆଯାଉଛି। ଆଗରୁ ଜଣେ ଚାହିଁଲେ ଗୋଟିଏ ଗାଁ ଓ ବସ୍ତିରେ କେତେ ଲୋକ ପାଇପ ଜଳ ପାଉଛନ୍ତି ତାହାର ତଥ୍ୟ ପାଇପାରୁଥିଲା। ସେହିପରି ଏବେ କେବଳ କେତୋଟି ଜଳଉତ୍ସର ପାଣି ପରୀକ୍ଷା ହୋଇଛି ଓ ତହିଁରୁ ମୋଟ କେତୋଟି ପ୍ରଦୂଷିତ ତାହାର ମୋଟ ସଂଖ୍ୟା ହିଁ ମିଳୁଛି। ପୂର୍ବରୁ ପ୍ରତି ଉତ୍ସର ତଥ୍ୟ ମିଳୁଥିଲା। ପାଣି କେବେ ପରୀକ୍ଷା ହୋଇଥିଲା ଓ ତାହାର ଫଳ କ’ଣ ମିଳିଥିଲା ତାହା ଜଣେ ଜାଣିପାରୁଥିଲା। ଏବେ କେଉଁ ଉତ୍ସର ଜଳ ପରୀକ୍ଷା ହୋଇଛି ଓ କେଉଁ ଉତ୍ସର ଜଳ ପ୍ରଦୂଷିତ ତାହା ଜଣେ ଜାଣିବା ଆଉ ସମ୍ଭବ ନୁହେଁ। ଏମିତି ଅନେକ ତଥ୍ୟ ଉଭୟ ୱେବ୍‌ସାଇଟରୁ ହଟାଇ ନିଆଯାଇଛି। ଅନ୍ୟ ଭାବରେ କହିଲେ ସାଧାରଣ ଲୋକଙ୍କୁ କିଛି ଅତି ଜରୁରୀ ତଥ୍ୟ ନ ଦେବାର ସମସ୍ତ ବନ୍ଦୋବସ୍ତ କରାହୋଇଛି।
ସାଧାରଣ ଲୋକଙ୍କଠାରୁ ଏହି ତଥ୍ୟ ଲୁଚାଇବାର କ୍ରମବର୍ଦ୍ଧମାନ ପ୍ରକ୍ରିୟା ଶାସନ ପ୍ରଣାଳୀ ପ୍ରତି ଅବିଶ୍ୱାସର ଅଙ୍ଗୁଳି ଦେଖାଇବା ପାଇଁ ବାଧ୍ୟ କରିଦିଏ। କାହିଁକି ସରକାର ଆଗରୁ ପ୍ରଦାନ କରୁଥିବା ତଥ୍ୟ ଏବେ ପ୍ରଦାନ କରୁନାହାନ୍ତି ସେହି ପ୍ରଶ୍ନ ସମସ୍ତେ କରିବା ସ୍ବାଭାବିକ। କ’ଣ ଏମିତି ରହସ୍ୟ ଅଛି ଯେ ସରକାର ପାନୀୟ ଜଳ ଭଳି ଏକ ଗୁରୁତର ପ୍ରସଙ୍ଗରେ ଲୋକଙ୍କୁ ତଥ୍ୟ ଲୁଚାଇବା ଆରମ୍ଭ କରିଛନ୍ତି? ସୁପ୍ରିମ୍‌କୋର୍ଟ ଭାରତୀୟ ସମ୍ବିଧାନର ଧାରା ୨୧କୁ ବ୍ୟାଖ୍ୟା କରି କହିଛନ୍ତି ଯେ, ଯେହେତୁ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ ତେଣୁ ସ୍ବଚ୍ଛ, ସୁରକ୍ଷିତ ଓ ପର୍ଯ୍ୟାପ୍ତ ଜଳ ଉପରେ ଲୋକଙ୍କ ମୌଳିକ ଅଧିକାର ରହିଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି ସେ ପିଉଥିବା ବା ପାଉଥିବା ପାଣିର ମାନ କ’ଣ ରହିଛି ତାହା ଜାଣିବାର ଅଧିକାର ରହିଛି। ସରକାର ସେହି ତଥ୍ୟ ପ୍ରଦାନ ନ କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଛନ୍ତି।
ତେବେ ସରକାର କାହିଁକି ତଥ୍ୟ ଲୁଚାଉଛନ୍ତି ତାହାକୁ ନେଇ ଆହୁରି ଅନେକ ପ୍ରଶ୍ନ ମନକୁ ଆସୁଛି। କ’ଣ ସରକାର ଲୋକଙ୍କୁ ଉନ୍ନତ ପାନୀୟ ଜଳ ଓ ପରିମଳ ସ୍ଥିତି ଯୋଗାଇବାର ଯେଉଁ ଢୋଲ ପିଟୁଛନ୍ତି ସେହି ଢୋଲରେ ବଡ଼ ବଡ଼ ଛିଦ୍ର ଅଛି? କ’ଣ ଗାଁ ବାହ୍ୟ ମଳମୁକ୍ତ ହୋଇଯାଇଛି ବୋଲି କରାହେଉଥିବା ଦାବିର ବାସ୍ତବତାକୁ ଢାଙ୍କିବାର ଏହା ଏକ ପ୍ରଯତ୍ନ? କ’ଣ ଯେଉଁ ମାତ୍ରା ଓ ମାନକର ପାନୀୟ ଜଳ ଯୋଗାଇଦିଆହେଉଛି ବୋଲି ଡିଣ୍ଡିମ ପିଟାହେଉଛି ବାସ୍ତବ ସ୍ଥିତି ତାହାଠୁ ଢେର ଭିନ୍ନ ଓ ସେଥିପାଇଁ ତଥ୍ୟ ଲୁଚାଇବାର ଏହି ବ୍ୟଗ୍ରତା? ‘ଉଜ୍ଜ୍ୱଳା’, ‘ଆୟୁଷ୍ମାନ ଭାରତ’, ‘ମୁଦ୍ରା’ ଭଳି ବଡ଼ ଯୋଜନାରେ ଆରମ୍ଭରୁ ହିଁ ପାରଦର୍ଶିତା ନାହିଁ। କିଏ ହିତାଧିକାରୀ ତାହା ଜାଣିବାର କିଛି ସୁଯୋଗ ନାହିଁ। କେବଳ କିଛି ମୋଟା ହିସାବ ଜଣେ ପାଇବ, ଯହିଁରୁ କିଛି ଅନୁଶୀଳନ କରିବା ସମ୍ପୂର୍ଣ୍ଣ ଅସମ୍ଭବ।
ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରର ଏହି ପଦ୍ଧତି ଦ୍ୱାରା ସମ୍ଭବତଃ ଅନୁପ୍ରାଣିତ ହୋଇଛନ୍ତି। ଏକଦା ଓଡ଼ିଶାର ‘ଇ-ଡେସ୍ପାଚ’ ବ୍ୟବସ୍ଥା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ସବୁଠାରୁ ଉତ୍କୃଷ୍ଟ ଥିଲା। ସରକାର କ’ଣ ଚିଠି କାହାକୁ ପଠାଉଛନ୍ତି ଲୋକେ ତାହା ଜାଣିପାରୁଥିଲେ। ଏବେ କିନ୍ତୁ ଦେଖାଯାଉଛି ଯେ ଅଧିକାଂଶ ବିଭାଗ ଚିଠିକୁ ‘ଇ-ଡେସ୍ପାଚ’ରେ ଆଦୌ ଅପ୍‌ଲୋଡ଼ କରୁନାହାନ୍ତି ବା ଗୁପ୍ତ ଶ୍ରେଣୀର ହୋଇ ନ ଥିବା ଅନେକ ଚିଠିକୁ ମଧ୍ୟ ଲୁଚାଇ ରଖିଦେଉଛନ୍ତି। ଓଡ଼ିଶା ସରକାରଙ୍କ ‘ସଂଯୋଗ’ ଅଭିଯୋଗ ପ୍ରତିବିଧାନ ବ୍ୟବସ୍ଥା ମଧ୍ୟ ଏକ ଆଦର୍ଶ ବ୍ୟବସ୍ଥା ଥିଲା। ଜଣେ ସାଧାରଣ ଲୋକ ୱେବ୍‌ସାଇଟକୁ ଯାଇ କେଉଁ ବିଭାଗରେ କେତେ ଓ କ’ଣ ଅଭିଯୋଗ ଆସିଛି ଓ ତାହାର କେମିତି ସମାଧାନ ହୋଇଛି ତାହା ଜାଣିପାରୁଥିଲା। ଏବେ ଆଉ ସେହି ସୁଯୋଗ ନାହିଁ। କେବଳ ଜଣେ ଅଭିଯୋଗକାରୀ ତା’ ନିଜର ଅଭିଯୋଗର ସ୍ଥିତି ଜାଣିପାରିବ।
ଏକ ପାରଦର୍ଶୀ ବ୍ୟବସ୍ଥା ଭଲ ଶାସନ ବ୍ୟବସ୍ଥାର ସବୁଠୁ ବଡ଼ ପରିଚାୟକ। ବୈଷୟିକ ପ୍ରଗତି ସହ ପାରଦର୍ଶିତା ବଢ଼ିବା କଥା। କିନ୍ତୁ ସରକାର ଆଗରୁ ଥିବା ପାରଦର୍ଶୀ ବ୍ୟବସ୍ଥାକୁ ଧ୍ୱଂସ କରିଚାଲିଛନ୍ତି। ଲୋକେ ଯାହା ତଥ୍ୟ ପାଉଥିଲେ ସେତିକି ବି ଆଉ ପାଉନାହାନ୍ତି। ଏହା ପ୍ରଗତି ନା ଅଧୋଗତି?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri