‘ଜୟ ଶ୍ରୀରାମ’ ଓ ରାମଙ୍କ ଆଦର୍ଶ

ବୈକୁଣ୍ଠନାଥ ମିଶ୍ର
ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷଣ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସାକ୍ଷାତ ସମୟରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରିବା ଭଲ କଥା: କିନ୍ତୁ ଏହାର ଅପବ୍ୟବହାର ଈଶ୍ୱରଙ୍କ ପ୍ରତି ତାଚ୍ଛଲ୍ୟ ପରି ମନେହୁଏ। ସପ୍ତଦଶ ଲୋକ ସଭାକୁ ନବନିର୍ବାଚିତ ସଭ୍ୟମାନଙ୍କ ପ୍ରଥମ ପ୍ରବେଶ ସମୟରେ, ବିଶେଷକରି ଶପଥଗ୍ରହଣ ଉତ୍ସବରେ ଯୋଗଦେବା ଅବସରରେ ଅଧିକାଂଶ ସଭ୍ୟ ‘ଜୟ ଶ୍ରୀରାମ’ ଧ୍ୱନିରେ ସଂସଦକୁ ପ୍ରକମ୍ପିତ କଲେ। କେହି କେହି ନିଜ ଦଳର ମୁଖ୍ୟଙ୍କ ନାମକୁ ନେଇ ଜୟ ଜୟକାର କରିବାକୁ ପଛାଇଲେ ନାହିଁ। ସଂସଦ ଗଣତନ୍ତ୍ରର ସର୍ବୋଚ୍ଚ କ୍ଷେତ୍ର ଯେଉଁଠାରେ ସର୍ବଧର୍ମ ସମନ୍ବୟ ଘଟିଥାଏ। ‘ଜୟ ଶ୍ରୀରାମ’ ଉଚ୍ଚାରଣ ଯେତେ ପବିତ୍ର ହେଲେ ମଧ୍ୟ ଏହା ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ପୀଡ଼ା ଦେଇଥାଏ, ଏହା ଅନସ୍ବୀକାର୍ଯ୍ୟ। ଈଶ୍ୱରପ୍ରେମୀ ଈଶ୍ୱରଙ୍କ ନାମ ଜପ କରିବାରେ କିମ୍ବା ଈଶ୍ୱରାନୁରାଗୀ ସାଧୁଙ୍କ ମେଳରେ ସତ୍‌ସଙ୍ଗ କରି ପ୍ରଭୁଙ୍କ ନାମ ନେବାରେ କୌଣସି ଅସୁବିଧା ନାହିଁ। ମାତ୍ର ସଂସଦ ଭଳି ଏକ ରାଜନୈତିକ ଅନୁଷ୍ଠାନରେ ‘ଜୟ ଶ୍ରୀରାମ’ ଉଚ୍ଚାରଣ କେତେ ଗ୍ରହଣୀୟ ତାହା ବିଚାରସାପେକ୍ଷ।
ତୁଣ୍ଡରେ ‘ଜୟ ଶ୍ରୀରାମ’ ଉଚ୍ଚାରଣରେ ଅଭ୍ୟସ୍ତ କିଛି ଲୋକ ଚାହାନ୍ତି ଯେ, ଜାତିଧର୍ମ ନିର୍ବିଶେଷରେ ସମସ୍ତେ ତାଙ୍କର ସମର୍ଥକ ସାଜି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରନ୍ତୁ; ନଚେତ୍‌ ଶୋଚନୀୟ ପରିଣତି ଭୋଗ କରନ୍ତୁ। ଗତ କିଛିଦିନ ତଳର ଘଟଣା ପ୍ରବାହକୁ ଲକ୍ଷ୍ୟ କଲେ ଏହାର ସତ୍ୟତା ଅନୁଭବ କରିହେବ। ୧୫ ବର୍ଷୀୟ ମୁସଲମାନ ବାଳକ ଜୁନାଇଦ୍‌ ଖଁା, ମହମ୍ମଦ ଅଖଲାଖ, ମହମ୍ମଦ ଆଫ୍ରାଜଲ, ଶେଖ ନଇମ୍‌ କିମ୍ବା ଗୋଚାଲାଣ ଅଭିଯୋଗରେ ପହେଲୁ ଖଁା ପ୍ରମୁଖ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆସାମ ଓ ପଶ୍ଚିମବଙ୍ଗରେ କିଛି ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଏବଂ ଏହା ନ କରିବାରୁ ସେମାନଙ୍କୁ ନିର୍ଯାତନା ଦେବା, ଏପରି କି ମୃତ୍ୟୁମୁଖକୁ ଠେଲିଦେବା କ’ଣ ଶ୍ରୀରାମଙ୍କ ଆଦର୍ଶ? ଯଦି ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ‘ଆଲ୍ଲା’ ଉଚ୍ଚାରଣ କରିବା ପାଇଁ ବାଧ୍ୟ କରି ତାଙ୍କ ଧର୍ମର ରୀତିନୀତି ପାଳନ କରିବାକୁ କୁହାଯାଏ, ତେବେ ପରିସ୍ଥିତିର ଗମ୍ଭୀରତା ସହଜେ ଅନୁମେୟ। ତେଣୁ ଏ ଲୋକଦେଖାଣିଆ ‘ଜୟ ଶ୍ରୀରାମ’ ଉଚ୍ଚାରଣକୁ ଗୁରୁତ୍ୱ ନ ଦେଇ ନିଜ ହୃଦୟକୁ ଶ୍ରୀରାମଙ୍କ ପବିତ୍ର ଆଦର୍ଶ ରୂପକ ଗଙ୍ଗାଜଳରେ ଧୌତ କରିବା ଉଚିତ। ଶ୍ରୀରାମଙ୍କୁ ଜୀବନର ଆଦର୍ଶ ରୂପେ ଗ୍ରହଣ କରିଥିବା ବ୍ୟକ୍ତି ହିଁ ରାମନାମର ମହତ୍ତ୍ୱ ବୁଝେ, କାହାକୁ ବାଧ୍ୟ କଲେ ସେ ବୁଝିବ ନାହିଁ।
ବାଲ୍ମୀକି ରାମାୟଣ ଅନୁଯାୟୀ ଶ୍ରୀରାମ ହେଉଛନ୍ତି ଅହିଂସାର ପ୍ରତୀକ। ସେ ବୀର ଓ ଅନ୍ୟାୟକୁ ବିରୋଧ କରୁଥିବା ନୀତିନିଷ୍ଠ, ସତ୍ୟସନ୍ଧ, ମର୍ଯ୍ୟାଦା ପୁରୁଷୋତ୍ତମ। ସେ ଅରକ୍ଷ ରକ୍ଷକ, ଅନାଥର ବନ୍ଧୁ, ଅନ୍ୟାୟର ପ୍ରତିରୋଧକ ଏବଂ ସତ୍ୟ, ନ୍ୟାୟ ଓ ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ। ସନ୍ଥ ତୁଳସୀଦାସଙ୍କ ପ୍ରସିଦ୍ଧ ‘ରାମଚରିତ ମାନସ’ରେ ଶ୍ରୀରାମଙ୍କୁ କମନୀୟ କାନ୍ତିଯୁକ୍ତ, ନମନୀୟ ସ୍ବଭାବବିଶିଷ୍ଟ, ପ୍ରଜାବତ୍ସଳ, ଦୁର୍ବଳର ରକ୍ଷାକାରୀ ଭାବରେ ଯେପରି ବର୍ଣ୍ଣନା କରାଯାଇଛି, ଶତ୍ରୁ ସଂହାର ସମୟରେ ତାଙ୍କୁ ଠିକ୍‌ ସେହିପରି କଠୋରତାର ନିଦର୍ଶନ ରୂପେ ମଧ୍ୟ ଚିତ୍ରଣ କରାଯାଇଛି। ଜନ୍‌ ଗୀରସନ ନାମକ ଜଣେ ବିଦେଶୀ ସମୀକ୍ଷକଙ୍କ ମତରେ, ସନ୍ଥ ତୁଳସୀଦାସଙ୍କ ରାମଚରିତ ମାନସ ଆଉ ଯାହା ପ୍ରଚାର କରୁ କି ନ କରୁ ଶ୍ରୀରାମଙ୍କ ଉଦାରତା, ଦୁର୍ବଳକୁ ରକ୍ଷା କରିବାର ପ୍ରତିବଦ୍ଧତା ଓ ସର୍ବୋପରି ସତ୍ୟ ପ୍ରତିଷ୍ଠା କରିବାର ଅଦମ୍ୟ ପ୍ରେରଣା ଯୁଗେ ଯୁଗେ ରାମାୟଣକୁ ଜନସମୁଦାୟର ନିକଟତର କରାଇବାରେ ସକ୍ଷମ ହେବ। ସନ୍ଥ ତୁଳସୀଦାସଙ୍କ ମତରେ ପ୍ରଭୁ ଶ୍ରୀରାମ ଶ୍ରେଷ୍ଠ ମାନବବାଦୀ ଏବଂ କର୍ମ ଓ ଜ୍ଞାନ ଯୋଗର ସର୍ବଶ୍ରେଷ୍ଠ ପ୍ରବକ୍ତା। ସେ ହେଉଛନ୍ତି ଉଭୟ ବୈରାଗ୍ୟ ଓ ଗାର୍ହସ୍ଥ୍ୟ ଧର୍ମର ଅପୂର୍ବ ସଂସ୍ଥାପକ। ସଂସାରରେ ଅବତୀର୍ଣ୍ଣ ହୋଇ ମଧ୍ୟ ବିଷୟ ବାସନାରେ ନିର୍ଲିପ୍ତ ରହିବା ରାମ ଚରିତ୍ରର ବିଶେଷତ୍ୱ।
ପିତାଙ୍କର କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ବିମାତା କୈକେୟୀଙ୍କୁ ବରପ୍ରଦାନର ପ୍ରତିବଦ୍ଧତା ଓ ରାଜାଭିଷେକର ଅବ୍ୟବହିତ ପୂର୍ବରୁ ଶ୍ରୀରାମଙ୍କୁ ରାଜସୁଖରୁ ବଞ୍ଚିତ କରି ସ୍ବାମୀଙ୍କ ଦ୍ୱାରା ଯାଚିତ ବରପ୍ରାପ୍ତିର ଅଭୀପ୍‌ସାକୁ ଚରିତାର୍ଥ କରିବାର ହୀନ ପ୍ରୟାସକୁ ହୃଦୟଙ୍ଗମ କରି ପିତାଙ୍କୁ ଧର୍ମସଙ୍କଟରୁ ରକ୍ଷା କରିବାର ମହାନ ଲକ୍ଷ୍ୟକୁ ଅକ୍ଳେଶରେ ପୂରଣ କରାଇନେଲେ ଏହି ସୁପୁତ୍ର ଶ୍ରୀରାମ। କି ବିଶାଳ ହୃଦୟ! ବନବାସ ଉପରାନ୍ତେ ମାତା କୈକେୟୀଙ୍କୁ ସାକ୍ଷାତ ସମୟରେ କୈକେୟୀ କୋହଭରା କଣ୍ଠରେ କହିଛନ୍ତି, ମୁଁ ମାତା ନୁହେଁ ବିମାତା। ମୋ ଯୋଗୁ ତୋତେ ଏତେସବୁ ଦୁର୍ଦ୍ଦିନର ସମ୍ମୁଖୀନ ହେବାକୁ ପଡ଼ିଲା। ଉତ୍ତରରେ ଶ୍ରୀରାମ କହୁଛନ୍ତି- ମାତା! ଆପଣଙ୍କର ରାମ ପ୍ରତି ଦୟା ଅପାର। ବନବାସକୁ ଯାଇ ନ ଥିଲେ ରାମ କେବଳ ଜଣେ ସାଧାରଣ ରାଜା ହୋଇ ଅନ୍ୟ ନରପତିମାନଙ୍କ ପରି ଦିନେ ଇହଧାମ ତ୍ୟାଗ କରିଥାନ୍ତା। କିନ୍ତୁ ଆପଣଙ୍କ ଯୋଗୁ ରାମର ରାମତ୍ୱ ପୃଥିବୀରେ ପ୍ରସାରିତ ହେଲା। ବିଚିତ୍ର ରାମାୟଣରେ କବି ବିଶ୍ୱନାଥ ଖୁଣ୍ଟିଆ କହନ୍ତି- କରିଛ ମାତ ଯେଉଁ ଉପକାରମାନ, ବଚନରେ ତାହା ନୁହଁଇ ବର୍ଣ୍ଣନ। ସନ୍ଥ ତୁଳସୀଦାସ କହନ୍ତି- ଶୁନୁ ଜନନୀ ଶୋଇ ସୁତୁ ବଡ଼ଭାଗୀ, ଯୋ ପିତୁମାତୁ ବଚନ ଅନୁରାଗୀ। ତନୟ ମାତୁପିତୁ ଶୋକନିହାରା, ଦୁର୍ଲ୍ଲଭ ଜନନି ସକଲ ସଂସାରା। ମାତାପିତାଙ୍କ ବଚନ ରକ୍ଷା କରିବାଠାରୁ ବଳି ସୌଭାଗ୍ୟର କଥା ଆଉ କିଛି ନାହିଁ।
ଆଜି ଆମେ ଯେଉଁମାନେ କଥାକଥାକେ ‘ଜୟ ଶ୍ରୀରାମ’ କହି ଶ୍ରୀରାମଙ୍କ ଶ୍ରେଷ୍ଠ ଭକ୍ତ ଭାବେ ନିଜକୁ ପରିଚିତ କରାଉଛୁ, ଥରେ ନିଜକୁ ପ୍ରଶ୍ନ କରିବା ଦରକାର ଶ୍ରୀରାମଙ୍କ କେଉଁ ଗୁଣକୁ ଆମେ ହୃଦୟରେ ଧାରଣ କରିଛୁ ଓ ବାସ୍ତବତାରେ ରୂପାୟିତ କରିଛୁ। ଲୋକଦେଖାଣିଆ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ସମସ୍ତ ଅନ୍ୟାୟ ଅନୀତିକୁ ପାଥେୟ କରି ଚାଲିଲେ ଏହା ଯେ କେବଳ ଶ୍ରୀରାମଙ୍କ ପ୍ରତି ଅପମାନ ତା’ ନୁହେଁ, ନିଜ ପାଇଁ ମଧ୍ୟ ଘୋର କ୍ଷତିକୁ ଆମନ୍ତ୍ରଣ କରିବା।
ପାର୍ଲାମେଣ୍ଟରେ ‘ଜୟ ଶ୍ରୀରାମ’ ଧ୍ୱନି ଦେଉଥିବା କେତେ ଜଣ ସଭ୍ୟ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ? ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ପ୍ରତିଷ୍ଠା ନିମିତ୍ତ କେତେଜଣ ଅଙ୍ଗୀକୃତ? କେତେ ଜଣ ତଥାକଥିତ ରାମ ଅନୁରାଗୀ ତାଙ୍କ ବଚନ ରକ୍ଷା କରୁଛନ୍ତି, ଯାହା ଥିଲା ରଘୁବଂଶର ଶ୍ରେଷ୍ଠ ଭୂଷଣ। ଗାନ୍ଧିଜୀ ପରିକଳ୍ପନା କରିଥିବା ରାମରାଜ୍ୟ କେଉଁଆଡେ ଉଭେଇଯାଇ କେବଳ ରାବଣର ରାଜୁତି ଚାଲିଛି। ହିଂସା, ଦ୍ୱେଷ, ପରଶ୍ରୀକାତରତାରେ ସାରା ଦେଶ ଆଚ୍ଛନ୍ନ। ନାରୀ ସମ୍ମାନ ଭୂଲୁଣ୍ଠିତ। ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ହେଉଥିବା ହିଂସା ଭାରତୀୟ ସଂସ୍କୃତିର ପରିପନ୍ଥୀ। ତଥ୍ୟ ଅନୁସାରେ ୨୦୧୬ରେ ଦଳିତ ଓ ସଂଖ୍ୟାଲଘୁଙ୍କ ବିରୋଧରେ ୧୪୦ଟି ହିଂସାକାଣ୍ଡ ଘଟିଛି। ୨୦୧୮ ଅକ୍ଟୋବର ୨୯ରୁ ୨୦୧୯ ଜାନୁୟାରୀ ପହିଲା ମଧ୍ୟରେ ୨୫୪ଟି ହିଂସାକାଣ୍ଡ ଘଟି ମୋଟ ୯୧ ଜଣ ମୃତ୍ୟୁବରଣ କରିଛନ୍ତି ଓ ୫୭୯ ଜଣ ଆହତ ହୋଇଛନ୍ତି। ‘ଜୟ ଶ୍ରୀରାମ’ ଉଚ୍ଚାରଣ ପାଇଁ ବାଧ୍ୟ କରାଯାଇ ଏସବୁ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡ ସୃଷ୍ଟି କରିବା ସମୟରେ ଘଟଣାର ଆଲୋକିତ ପାର୍ଶ୍ୱକୁ ଦୃଷ୍ଟିଦେବା ଉଚିତ। କେଉଁଠି ହିନ୍ଦୁମାନେ ମସଜିଦର ରକ୍ଷଣାବେକ୍ଷଣ କରୁଛନ୍ତି (ଯଥା ପଞ୍ଜାବର ହେଣ୍ଡୋନେଟ ଗ୍ରାମ) ତ କେଉଁଠି ମୁସଲମାନ ମୁରବି ହିନ୍ଦୁମାନଙ୍କର ଉପାସନା ପାଇଁ ନିର୍ମାଣ କରୁଛନ୍ତି ମନ୍ଦିର (ଯଥା ଉତ୍ତରପ୍ରଦେଶ ମଥୁରା ଜିଲାର ଅଜମଲ ଅଲି ଶେଖ୍‌)। ଯେଉଁ ଶ୍ରୀରାମ ଦଳିତ ରଜକୀର କଟୂ ମନ୍ତବ୍ୟକୁ ସମ୍ମାନ ଦେଇ ପ୍ରାଣପ୍ରିୟା ପତ୍ନୀଙ୍କୁ ନିର୍ବାସିତ କଲେ, ତାଙ୍କୁ ଜୀବନର ଆଦର୍ଶ ରୂପେ ଗ୍ରହଣ କରିଥିବା ବ୍ୟକ୍ତି ଦଳିତ ଓ ସଂଖ୍ୟାଲଘୁ ଉପରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରିପାରିବ ନାହିଁ। ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ ଉଚ୍ଚାରଣ ପାଇଁ ବାଧ୍ୟକରିବା ଓ ଏହା ନ କଲେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ରାମ ଉପାସନାର ଘୋର ପରିପନ୍ଥୀ। ଭ୍ରାତୃତ୍ୱ ଓ ବନ୍ଧୁତ୍ୱ ବଳରେ ସମଗ୍ର ପୃଥିବୀକୁ ଆପଣାର କରାଯାଇପାରେ। ବାନରଠାରୁ ଭଲ୍ଲୁକ ପର୍ଯ୍ୟନ୍ତ ଇତର ପ୍ରାଣୀଙ୍କୁ ଯଦି ଶ୍ରୀରାମ ବନ୍ଧୁତାର ହାତ ବଢ଼ାଇପାରିଲେ, ତାଙ୍କ ଅନୁଗାମୀ ହୋଇ ମଣିଷକୁ ଘୃଣା କରିବା କ’ଣ ଉଚିତ? ଆମେ କ’ଣ ଜାତିଧର୍ମର ପ୍ରାଚୀରକୁ ଭାଙ୍ଗି ନିଜ ଭିତରେ ମହାଭାରତୀୟ ଭାବ ସୃଷ୍ଟି କରି ପାରିବା ନାହିଁ?
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?