ଜନହିତ ଓ ବିଜ୍ଞାନ

ଇଂ. ମାୟାଧର ସ୍ବାଇଁ
ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ୭୪ ବର୍ଷର ଜଣେ ମହିଳା ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ ଦୁଇଟି ଯମଜ ଶିଶୁ ଜନ୍ମ ଦେଲେ। ବୃଦ୍ଧ ଦମ୍ପତିଙ୍କ ବିବାହ ୫୦ ବର୍ଷରୁ ଅଧିକ ବର୍ଷ ତଳେ ହୋଇଥିଲେ ସୁଦ୍ଧା ସେମାନେ ନିଃସନ୍ତାନ ଥିଲେ। ଏତେ ଅଧିକ ବୟସରେ ଏହି ପଦ୍ଧତିରେ ସନ୍ତାନ ଜନ୍ମ କରାଇବାକୁ ବିଜ୍ଞାନର ଏକ ବଡ ସଫଳତା କୁହାଯାଉଛି। ମାତ୍ର ଏହାକୁ ନେଇ ନୈତିକତାର ପ୍ରଶ୍ନ ଉଠିଛି। ପ୍ରଥମରେ ଏହି ବୟସରେ ଏହି ପଦ୍ଧତିର ସଫଳତା ହାର ୧୦ରୁ ୨୦ ପ୍ରତିଶତ କୁହାଯାଉଥିବା ବେଳେ ଏଥିରେ ମହିଳାଙ୍କ ପ୍ରତି କେତେକ ବିପତ୍ତି ମଧ୍ୟ ଅଛି। ଏହି ପଦ୍ଧତିରେ ମହିଳାଙ୍କୁ ଅଧିକ ପରିମାଣର ହରମୋନ ଦିଆଯାଇଥାଏ, ଯାହା ସ୍ତନ ଓ ଜରାୟୁ କର୍କଟ ସୃଷ୍ଟି କରିବାର ଆଶଙ୍କା ଅଛି। ଏହା ବ୍ୟତୀତ ସମାଜଶାସ୍ତ୍ରୀମାନଙ୍କର ଏହାକୁ ବିରୋଧ କରିବାର କାରଣ ହେଉଛି ଯେ ୭୪ ବର୍ଷରେ ସନ୍ତାନ ଜନ୍ମ ହେଲେ ସନ୍ତାନର ଭବିଷ୍ୟତ ଅନ୍ଧକାରମୟ ହେବ। ଭାରତରେ ମଣିଷର ହାରାହାରି ଆୟୁଷ ୭୦ ବର୍ଷ ହୋଇଥିବା ବେଳେ ପିଲା ଦୁଇଟିର ଯତ୍ନ ଓ ଲାଳନପାଳନ କିଏ କରିବ ବୋଲି ପ୍ରଶ୍ନ ଉଠୁଛି। ସେମାନେ ଏଥିପାଇଁ ସଂଶ୍ଳିଷ୍ଟ ଡାକ୍ତରଙ୍କୁ ଦୋଷାରୋପ କରିଛନ୍ତି। ସେମାନଙ୍କ ମତରେ ଡାକ୍ତର ନିଜ କର୍ତ୍ତବ୍ୟ ସହିତ ନୈତିକତା ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ନୈତିକତା କ’ଣ? ଏହାର ଅର୍ଥ ହେଉଛି କଲ୍ୟାଣକାରୀ ବିଧିବ୍ୟବସ୍ଥାର ଅନୁସରଣ ଓ ଉତ୍ତମ ଆଚରଣ। ବୃଦ୍ଧ ମାତାପିତାଙ୍କୁ ସେବା କରିବା ହେଉଛି ସନ୍ତାନମାନଙ୍କର ନୈତିକ କର୍ତ୍ତବ୍ୟ। ଆମ ଦେଶରେ ମୁନିଋଷିମାନେ ନୈତିକତାକୁ ଧର୍ମ ସହ ଯୋଡି ଦେଇଥିଲେ। ଫଳରେ ଲୋକମାନେ ଏହାକୁ ପାଳନ କରିବାକୁ ବାଧ୍ୟ ହେଉଥିଲେ। କାରଣ ଧର୍ମରେ ଯାହା ଅଛି ତାକୁ ବିନା ପ୍ରଶ୍ନରେ ପାଳନ କରିବା ଆମର କର୍ତ୍ତବ୍ୟ ଭାବେ ବିବେଚିତ ହେଉଥିଲା। ଏଣୁ ଆମ ପରମ୍ପରାରେ ଧର୍ମ ଓ ନୈତିକତା ଥିଲା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। କିନ୍ତୁ ଆଧୁନିକ ବିଜ୍ଞାନର ବିକାଶ ପରେ ଧର୍ମ ଓ ବିଜ୍ଞାନ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଲା। ବିଶେଷ ଭାବେ ୟୁରୋପରେ ଏହା ବିକଟ ରୂପ ଧାରଣ କଲା। ପୂର୍ବରୁ ଲୋକେ ବିଶ୍ୱାସ କରୁଥିଲେ ଯେ ପୃଥିବୀ ହେଉଛି ବିଶ୍ୱ ବ୍ରହ୍ମାଣ୍ଡର କେନ୍ଦ୍ର। ସୂର୍ଯ୍ୟ ଓ ଅନ୍ୟ ଗ୍ରହରାଜି ଏହା ଚାରିପଟେ ପରିକ୍ରମଣ କରୁଛନ୍ତି। ଏହି ଭୂକୈନ୍ଦ୍ରିକ ମତ ମଧ୍ୟ ବାଇବେଲରେ ଅଛି। ମାତ୍ର ଷୋଡଶ ଶତାବ୍ଦୀରେ ପୋଲାଣ୍ଡର ଜ୍ୟୋତିର୍ବିଦ୍‌ ନିକୋଲାସ କୋପରନିକସ ସୌରକୈନ୍ଦ୍ରିକ ମତବାଦ ଆବିଷ୍କାର କରିବା ପରେ ବିଜ୍ଞାନ ଓ ବିଶ୍ୱାସ ମଧ୍ୟରେ ବିବାଦ ଦେଖାଦେଲା। ଏହା ବାଇବେଲର ଲେଖା ବିରୋଧରେ ଥିବାରୁ ଚର୍ଚ୍ଚ କ୍ରୋଧିତ ହୋଇ କୋପରନିକସଙ୍କ ପୁସ୍ତକକୁ ନିଷିଦ୍ଧ କଲା ଏବଂ ଏହି ମତବାଦର ପ୍ରଚାର ଉପରେ ରୋକ ଲଗାଇଲା। ଏହି ମତବାଦକୁ ସମର୍ଥନ ଓ ପ୍ରସାର କରିବାରୁ ଧର୍ମ ଅଦାଲତ ବ୍ରୁନୋଙ୍କୁ ଜୀବନ୍ତ ଦଗ୍ଧ ଏବଂ ଗାଲିଲିଓଙ୍କୁ ଆଜୀବନ କାରାବାସ ପାଇଁ ଆଦେଶ ଦେଇଥିଲା।
ବିଜ୍ଞାନ ଓ ନୈତିକତା ମଧ୍ୟରେ ଏହିପରି ଦ୍ୱନ୍ଦ୍ୱର ଅନେକ ଉଦାହରଣ ଅଛି। ପରିବାର ନିୟନ୍ତ୍ରଣ ହେଉଛି ଏହାର ଏକ ପ୍ରକୃଷ୍ଟ ଉଦାହରଣ। ପୃଥିବୀର ବର୍ଦ୍ଧିତ ଲୋକସଂଖ୍ୟା ହେଉଛି ପୃଥିବୀରେ ଖାଦ୍ୟାଭାବ, ଶକ୍ତି ସଙ୍କଟ ଓ ବେକାରିର ମୂଳ କାରଣ। କିନ୍ତୁ କେତେକ ବ୍ୟକ୍ତି, ସମ୍ପ୍ରଦାୟ ଓ ଦେଶ ଧର୍ମ ଓ ନୈତିକତାର ଦ୍ୱାହି ଦେଇ ଏହାକୁ ବିରୋଧ କରୁଛନ୍ତି। ପୂର୍ବରୁ ଡାକ୍ତରୀ ଶିକ୍ଷା ପାଇଁ ମୃତ ବ୍ୟକ୍ତିର ଶବକୁ ବ୍ୟବଚ୍ଛେଦ କରିବା ଲାଗି ମଧ୍ୟ ବିରୋଧ କରାଯାଉଥିଲା।
ଅନ୍ୟ ଏକ ଉଦାହରଣ ହେଉଛି କ୍ଲୋନିଂ। ବ୍ରିଟିଶ ବୈଜ୍ଞାନିକ ଆୟାନ ଉଇଲମଟ ୧୯୯୬ ମସିହାରେ ପ୍ରଥମେ କ୍ଲୋନିଂ କରି ଡଲି ନାମକ ମେଣ୍ଢା ଛୁଆ ଜନ୍ମ କରାଇଥିଲେ। ଏଥିପାଇଁ ପୁରୁଷ ମେଣ୍ଢା ଦରକାର ପଡି ନ ଥିଲା। ତିନୋଟି ମାଈ ମେଣ୍ଢା ଏଥିରେ ସଂଶ୍ଳିଷ୍ଟ ଥିଲେ। ଏହାପରେ କେତେଜଣ ବୈଜ୍ଞାନିକ ମନୁଷ୍ୟ ଶିଶୁର କ୍ଲୋନିଂ ପାଇଁ ଗବେଷଣା କଲେ, ଯାହାର ବିରୋଧ ହେବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ସେହିପରି ଭ୍ରୂଣୀୟ ଷ୍ଟେମ୍‌ ସେଲ୍‌ ଗବେଷଣାକୁ ନେଇ ବିବାଦ ଦେଖାଦେଇଛି। ମନୁଷ୍ୟ ଭ୍ରୂଣରୁ କୋଷ ନେଇ ଅସାଧ୍ୟ ପାର୍କିନସନ ଓ ମଧୁମେହ ଭଳି ରୋଗର ନିରାକରଣ କରାଯାଇପାରିବ ବୋଲି ଗବେଷକମାନେ ମତ ଦେଉଛନ୍ତି। ମାତ୍ର ଏଥିରେ ଭ୍ରୂଣକୁ ମାରି ଦିଆଯାଉଛି। ସୁତରାଂ ଏଠାରେ ନୈତିକତାର ପ୍ରଶ୍ନ ଉଠୁଛି।
ବର୍ତ୍ତମାନ ବୈଜ୍ଞାନିକମାନେ ଜିନକୁ ଏଡିଟିଙ୍ଗ କରି ନିଜ ଇଚ୍ଛା ମୁତାବକ ଡିଜାଇନ ଶିଶୁ ପାଇବା ପାଇଁ ଗବେଷଣା କରୁଛନ୍ତି। ଏହାଦ୍ୱାରା ସନ୍ତାନ ହନୁମାନ ଭଳି ବଳବାନ, ରମ୍ଭା ଓ ମେନକା ଭଳି ଅପରୂପ ସୁନ୍ଦରୀ କିମ୍ବା ଗଣେଶଙ୍କ ଭଳି ଜ୍ଞାନୀ ହୋଇପାରିବ। ଏଥିରେ କିଛି ଅସୁବିଧା ଥିବା ଭଳି ଆପାତତଃ ଜଣାପଡୁନି। ମାତ୍ର ଏପରି କରୁ କରୁ କେହି ଯଦି ରାବଣ କିମ୍ବା ମହିଷାସୁର ଭଳି ଦାନବ ସୃଷ୍ଟି କଲା, ତା’ହେଲେ ସମାଜର ସ୍ଥିତି କ’ଣ ହେବ? ଚାଇନାର ଜଣେ ଗବେଷକ ହେ ଜିଆଙ୍କୁଇ ୨୦୧୮ ମସିହା ଅକ୍ଟୋବର ମାସରେ ଏହି ବିଦ୍ୟା ପ୍ରୟୋଗ କରି ଦୁଇଟି ଯମଜ କନ୍ୟା ଜନ୍ମଗ୍ରହଣ କରାଇଛନ୍ତି। ସମଗ୍ର ପୃଥିବୀରେ ନୈତିକତା ଦୃଷ୍ଟିରୁ ଏହାକୁ ସମାଲୋଚନା କରାଯାଇଛି ଏବଂ ଏହି ଗବେଷଣାକୁ ବନ୍ଦ କରିବାକୁ ଦାବି କରାଯାଇଛି। ଗତବର୍ଷ ଡିସେମ୍ବର ମାସରେ ଚାଇନାର ଏକ ନ୍ୟାୟାଳୟ ଜିଆଙ୍କୁଇ ଏବଂ ତାଙ୍କର ତିନିଜଣ ସହଯୋଗୀଙ୍କୁ ବିନା ଅନୁମତିରେ ଏହି କାର୍ଯ୍ୟ କରିଥିବାରୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। କିନ୍ତୁ ମାନବିକତା ଦୃଷ୍ଟିରୁ ଏହି ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯାଇନାହିଁ।
ବିଜ୍ଞାନର ବିକାଶ ପରଠାରୁ ବିଜ୍ଞାନ ଓ ନୈତିକତା ମଧ୍ୟରେ ସର୍ବଦା ବିବାଦ ଉପୁଜି ଆସିଛି। ପୃଥିବୀରେ ଖାଦ୍ୟାଭାବ ଦୂର ପାଇଁ ଜିନୀୟ ପରିବର୍ତ୍ତିତ ଶସ୍ୟର ବିକାଶ କରାଯାଇଛି। ମାତ୍ର ନୈତିକତାର ଦ୍ୱାହି ଦେଇ ଏହାର ଚାଷକୁ ଭାରତ ସମେତ ଅନେକ ଦେଶରେ ବିରୋଧ କରାଯାଉଛି। କୌଣସି ନୂତନ ଉଦ୍ଭାବନ ପରେ ଲୋକମାନେ ନିଜ ପୁରୁଣା ପରମ୍ପରା ଛାଡି ନୂଆ ନୂଆ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନ ଥାନ୍ତି। ଏପରି କି ଲୋକେ ଆରମ୍ଭରେ ଟେଷ୍ଟ ଟ୍ୟୁବ୍‌ ଶିଶୁ ପଦ୍ଧତିକୁ ବିରୋଧ କରୁଥିଲେ, ମାତ୍ର ଏହା ବର୍ତ୍ତମାନ ବିନା ବାଧାରେ ଚାଲିଛି ଏବଂ ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହା ବିଜ୍ଞାନର ଏକ ଆଶୀର୍ବାଦରେ ପରିଣତ ହୋଇଛି।
ନୈତିକତାର ଏକ ସ୍ପଷ୍ଟ ସଂଜ୍ଞା ଦେବା କଷ୍ଟକର। ଗୋଟିଏ ଜିନିଷ ଜଣେ ବ୍ୟକ୍ତି କିମ୍ବା ସମ୍ପ୍ରଦାୟ ପାଇଁ ହିତକର ମନେକରାଯାଉଥିଲେ ସୁଦ୍ଧା ସେହି ଜିନିଷ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ସମ୍ପ୍ରଦାୟ ପାଇଁ ନୈତିକତା ବିରୋଧୀ ହୋଇପାରେ। ଆଣବିକ ଅସ୍ତ୍ରର ବିକାଶକୁ ବିଚାର କରିବା- ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଇନଷ୍ଟାଇନଙ୍କ ସମେତ ପୃଥିବୀର ବିଶିଷ୍ଟ ଆଣବିକ ବିଜ୍ଞାନୀମାନେ ପରମାଣୁ ବୋମା ନିର୍ମାଣରେ ଭାଗ ନେଇଥିଲେ। ଲକ୍ଷ୍ୟ ଥିଲା ହିଟଲରଙ୍କ ଭଳି ଏକଚ୍ଛତ୍ରବାଦୀର ପତନ ଘଟାଇବା। ମାତ୍ର ଏଥିରେ ଜାପାନର ପ୍ରାୟ ଦୁଇ ଲକ୍ଷ ନିରୀହ ଲୋକ ପ୍ରାଣ ହରାଇଲେ ଏବଂ ନାଗାସାକି ଓ ହିରୋଶିମା ସହର ଦୁଇଟି ଧ୍ୱଂସ ହୋଇଗଲା। ଏବେ ମଧ୍ୟ ଅନେକ ଦେଶରେ ଆଣବିକ ବୋମା ମହଜୁଦ ଅଛି ଏବଂ ଏଥିପାଇଁ କେତେକ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଥି ଲାଗି ଆମେ କ’ଣ ବୈଜ୍ଞାନିକମାନଙ୍କୁ ଦୋଷ ଦେବା? ସେମାନେ ଏହାର ନିର୍ମାଣ କରି ନିଜ ଦେଶଭକ୍ତିର ପ୍ରମାଣ ଦେଉଛନ୍ତି ଏବଂ ଧ୍ୱଂସକାରୀ ଅସ୍ତ୍ରର ନିର୍ମାଣ ପାଇଁ ନିଜ ଦେଶ ଦ୍ୱାରା ସମ୍ମାନିତ ହେଉଛନ୍ତି। କିନ୍ତୁ ମାନବ ସମାଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହା ଜନ ଓ ଜୀବନ ବିରୋଧୀ।
ଏହି ବର୍ଷ ଆରମ୍ଭରେ ଚାଇନାର ଉହାନ ରାଜ୍ୟରେ ଆରମ୍ଭ ହୋଇ ସମଗ୍ର ପୃଥିବୀକୁ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏହା ଗୋଟିଏ ନୂତନ ଭାଇରସ ହୋଇଥିବାରୁ ଏଥିପାଇଁ ଟିକା ଓ ଔଷଧ ବାହାରି ନାହିଁ। ଏହା ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ଚାଇନାରେ ବର୍ତ୍ତମାନ ମହାମାରୀର ରୂପ ନେଲାଣି। ଜଣାଯାଇଛି ଯେ, ଚାଇନାରେ ଜୈବିକ ଯୁଦ୍ଧାସ୍ତ୍ର ଗବେଷଣା ସମୟରେ ଏହି ଭାଇରସ ପରୀକ୍ଷାଗାରରୁ ବାହାରକୁ ଚାଲିଯାଇଛି ଓ ଆତଙ୍କ ଖେଳାଇଛି। ଏହା କେଉଁ ପ୍ରକାରର ନୈତିକତା? ତେବେ ଏପରି ବୈଜ୍ଞାନିକମାନଙ୍କୁ ଆମେ ଦେଶପ୍ରେମୀ କହିବା ନା ସମାଜଦ୍ରୋହୀ କହିବା?
୭୦, ଲକ୍ଷ୍ମୀବିହାର, ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri