ଜନସେବାର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ବିଧାୟକ ବା ସାଂସଦ ହେବାକୁ ଚାହୁଁଥିବା ପ୍ରାର୍ଥୀମାନେ କହୁଛନ୍ତି, ସେମାନେ ନିର୍ବାଚନରେ ଜିତିଲେ ଜନସେବା କରିବେ। ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ସେବା ହେଉଛି ଏକ ନିଷ୍କାମ କର୍ମ। ସେବା ପ୍ରତିଦାନର ଆଶା ରଖେ ନାହିଁ। ଯେଉଁମାନେ ବିଜୟୀ ହେବା ପରେ ଉଚ୍ଚ ଦରମା, ଭତ୍ତା ଓ ପେନସନ ସହ ବିଭିନ୍ନ ପ୍ରକାର ରିହାତି ସୁବିଧା ପାଇବେ ସେମାନଙ୍କ କର୍ମକୁ ସେବା କୁହାଯିବ କିପରି? ଆଜି ବିଧାୟକ ବା ସାଂସଦ ପଦବୀ କୌଣସି ଦୃଷ୍ଟିରୁ ସରକାରୀ ଚାକିରିଠାରୁ ଭିନ୍ନ ନୁହେଁ। ଜନସେବକ ହେବାକୁ ଚାହିଁଲେ ହେବାକୁ ପଡିବ ଜଣେ ନିଷ୍କାମ କର୍ମଯୋଗୀ। ଭଗବଦ୍‌ ଗୀତା ଅନୁସାରେ ତାଙ୍କର ସମସ୍ତ କର୍ମ, ସଂକଳ୍ପ ଓ କାମନାରହିତ (ଯସ୍ୟ ସର୍ବେ ସମାରମ୍ଭାଃ କାମସଂକଳ୍ପବର୍ଜିତାଃ- ୧୯/୪)। ମାତ୍ର ରାଜନୈତିକ ନେତାମାନଙ୍କ ତଥାକଥିତ ସେବା କର୍ମ ଅନ୍ତରାଳରେ ଥାଏ ସ୍ବାର୍ଥ, ବଡିମା ପ୍ରଦର୍ଶନ ଓ ପ୍ରଶଂସାପ୍ରାପ୍ତିର ଲାଳସା। ସରକାରୀ ଅର୍ଥ (ଯାହା ଜନସାଧାରଣଙ୍କ ପାଖରୁ ସଂଗୃହୀତ)ରେ ନିର୍ମିତ ପୋଲ, ସ୍କୁଲ ଘର ଇତ୍ୟାଦିରେ ଲାଗେ ସେମାନଙ୍କର ନାମଖୋଦିତ ଫଳକ। ପ୍ରଦର୍ଶିତ ହୁଏ ସେମାନଙ୍କ ଅହଂକାର। ମାତ୍ର ଅହଂକାର ଘୋଷଣା କରୁଥିବା କର୍ମ ସେବା ପଦବାଚ୍ୟ ନୁହେଁ।

ସେବା ବା ପରୋପକାର ଏକ ଉଦ୍ଦେଶ୍ୟଜନିତ କର୍ମ ନ ହୋଇ ସ୍ବତଃସ୍ଫୂର୍ତ୍ତ ବା ସ୍ବଭାବଜନିତ ହେବା ଆଶା କରାଯାଏ। ଭଗବଦ୍‌ ଗୀତାରେ ଶ୍ରୀକୃଷ୍ଣ କର୍ମର ଏହି ଦିଗ ଉପରେ ଗୁରୁତ୍ୱ ଆରୋପ କରିବାକୁ ଯାଇ ବିକର୍ମ ଓ ଅକର୍ମର ବ୍ୟାଖ୍ୟା କରିଛନ୍ତି। ଯେତେବେଳେ ମଣିଷ ନିଃସ୍ବାର୍ଥ ଭାବେ ପରୋପକାର କରେ ସେତେବେଳେ ତାହା ନିଷ୍କାମ କର୍ମଯୋଗରେ ପରିଣତ ହୁଏ। ତାହା ହୁଏ ସ୍ବଭାବଗତ କର୍ମ। ପରୋପକାର ଏକ ଲକ୍ଷ୍ୟ ପ୍ରାପ୍ତି ପାଇଁ ମାଧ୍ୟମ ନ ହୋଇ ସ୍ବୟଂ ଲକ୍ଷ୍ୟ ହୋଇଯାଏ। କର୍ମ ବିକର୍ମ ସହ ମିଶି ଅକର୍ମ ହୋଇଯାଏ। କର୍ମ, ବିକର୍ମ ଓ ଅକର୍ମ ସମ୍ପର୍କରେ ଟୀକାକାରମାନେ ବିଭିନ୍ନ ବ୍ୟାଖ୍ୟା କରିଥିଲେ ମଧ୍ୟ ସନ୍ଥ ବିନୋବାଙ୍କ ବ୍ୟାଖ୍ୟା ସରଳ ଓ ସୁନ୍ଦର ମନେହୁଏ। ବାହ୍ୟ ସ୍ଥୂଳ କର୍ମରେ ଚିତ୍ତ ନିୟୋଜନ କରିବା ହେଉଛି ବିକର୍ମ। କର୍ମ ସହ ବିକର୍ମ ମିଶିଗଲେ ତାହା ଅକର୍ମ ଅବସ୍ଥାକୁ ପ୍ରାପ୍ତ ହୁଏ, ଅର୍ଥାତ୍‌ କର୍ମ କରାଯାଇଛି ବୋଲି ଜଣା ପଡେ ନାହିଁ। ଉଦାହରଣ ସ୍ବରୂପ ସାନ ପିଲା ପ୍ରଥମେ ଚାଲି ଶିଖେ। ସେତେବେଳେ ତାକୁ କଷ୍ଟ ହୁଏ। କ୍ରମେ ଚାଲିବା ଅଭ୍ୟାସରେ ପରିଣତ ହୁଏ। ତା’ ପରେ ସେ କଥା କହେ। କଥା କହିବା ବେଳେ ଆଉ ଚାଲିବା ପ୍ରତି ଲକ୍ଷ୍ୟ ରହେ ନାହିଁ। ସେ ଚାଲୁଛି ବୋଲି ଜାଣିପାରେ ନାହିଁ। କର୍ମ ବିକର୍ମ ସହ ମିଶି ଅକର୍ମ ଅବସ୍ଥାକୁ ପ୍ରାପ୍ତ ହୁଏ। କଥାରେ ଅଛି ”ପାଗଲ ନଙ୍ଗା ହୈ ୟା ପହନେ, ଇସ୍‌କୋ ଲୋଗ ଦେଖ କର ଜାନେ।“ ଅର୍ଥାତ୍‌ ପାଗଳ ଲଙ୍ଗଳା ହୋଇଛି କି ଲୁଗା ପିନ୍ଧିଛି ସେ ଜାଣିପାରେ ନାହିଁ। କିନ୍ତୁ ଲୋକେ ଜାଣିପାରନ୍ତି। ଠିକ୍‌ ସେଭଳି ନିଷ୍କାମ କର୍ମଯୋଗୀ ପରୋପକାର କରୁଛି ବୋଲି ସେ ଜାଣେ ନାହିଁ। କାରଣ ତା’ର କର୍ମ ସ୍ବଭାବଗତ ହୋଇଯାଏ। ଅନ୍ୟମାନେ ଜାଣନ୍ତି ସେ ପରୋପକାର କରୁଛି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ”ତ୍ୟକ୍ତ୍ବା କର୍ମଫଳାସଙ୍ଗମ୍‌ ନିତ୍ୟତୃପ୍ତୋ ନିରାଶ୍ରୟଃ/ କର୍ମଣ୍ୟଭିପ୍ରବୃତ୍ତୋଽପି ନୈବ କିଞ୍ଚିତ୍‌ କରୋତି ସଃ।“ ଅର୍ଥାତ୍‌ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରି ନିତ୍ୟ ତୃପ୍ତ ଥାଇ କାହାରି ଉପରେ ନିର୍ଭର କରୁ ନ ଥିବା ବ୍ୟକ୍ତି କର୍ମରେ ପ୍ରବୃତ୍ତ ହେଲେ ମଧ୍ୟ ସେ ବାସ୍ତବରେ କିଛି କରନ୍ତି ନାହିଁ। ଅର୍ଥାତ୍‌ କର୍ମର କ୍ଲେଶ ଅନୁଭବ କରନ୍ତି ନାହିଁ। ଏହା ଜଣେ ନିଷ୍କାମ ସେବକର ଅନୁଭବ। ସୂର୍ଯ୍ୟ ଆଲୋକ ଦିଏ, ମାତ୍ର ସେ ଆଲୋକ ଦେଉଛି ବୋଲି କହେ ନାହିଁ। କାରଣ ଏହା ସୂର୍ଯ୍ୟର ସହଜାତ କର୍ମ ବା ସ୍ବଧର୍ମ। ଆମେ ଯଦି ସୂର୍ଯ୍ୟଙ୍କୁ କହିବା ଆପଣ ଅନ୍ଧକାର ଦୂର କରି ଜଗତର ଉପକାର କରୁଛନ୍ତି, ସେ କହନ୍ତେ ଟିକିଏ ଅନ୍ଧାର ଆଣି ମୋତେ ଦେଖାଅ। ଯଦି ମୁଁ ତାହା ଦୂର କରିପାରିବି, ତେବେ ଜାଣିବି ଯେ ମୁଁ ଅନ୍ଧକାର ଦୂର କରିଛି। ଅନ୍ଧକାରକୁ କ’ଣ ସୂର୍ଯ୍ୟଙ୍କ ପାଖକୁ ଆଣି ହେବ। ଆଲୋକ ଦେବା ହେଉଛି ସୂର୍ଯ୍ୟଙ୍କ ସହଜାତ କର୍ମ। ତାଙ୍କର ଅସ୍ତିତ୍ୱ ହେଉଛି ଆଲୋକ। ସେ ଜଗତକୁ ଆଲୋକିତ କରୁଛନ୍ତି ବୋଲି ତାଙ୍କୁ ପ୍ରତୀତ ହୁଏ ନାହିଁ। ସେଥିପାଇଁ ଗୀତାର ଚତୁର୍ଥ ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ମୁଁ ଏହି କର୍ମଯୋଗ ପ୍ରଥମେ ସୂର୍ଯ୍ୟଙ୍କୁ ଶିଖାଇଥିଲି। ତା’ ପରେ ସୂର୍ଯ୍ୟଙ୍କଠାରୁ ଶିଖିଲେ ମନୁ। ସୂର୍ଯ୍ୟ ହେଉଛନ୍ତି ନିଷ୍କାମ କର୍ମଯୋଗ ବା ସେବାର ପ୍ରତୀକ। ସେ ସମଗ୍ର ଜଗତକୁ ଆଲୋକିତ କରନ୍ତି। ତାଙ୍କର ଏହି ସହଜାତ କର୍ମ ପଛରେ କୌଣସି ସ୍ବାର୍ଥ ନ ଥାଏ। ଆଶା କରାଯାଏ ଆଜି ଯେଉଁ ରାଜନେତାମାନେ ଜନସେବା କରୁଛନ୍ତି ବୋଲି ସର୍ବ ସମ୍ମୁଖରେ ଘୋଷଣା କରୁଛନ୍ତି ସେମାନଙ୍କ କର୍ମ ସ୍ବଭାବଗତ ହେଉ। ନିଷ୍କାମ ହେଉ ଓ ସ୍ବଧର୍ମ ହେଉ। ଏହି ପ୍ରସଙ୍ଗରେ ମନେପଡେ ଏକ କାହାଣୀ।

ଗୋଟିଏ ପର୍ବତର ପାଦଦେଶ ଓ ଶିଖରର ମଧ୍ୟବର୍ତ୍ତୀ ଅଞ୍ଚଳରେ ରହୁଥିଲେ ଜଣେ ସାଧକ। ପର୍ବତର ଶିଖର ଦେଶରେ ରହୁଥିବା ଜଣେ ଋଷିଙ୍କୁ ସାକ୍ଷାତ୍‌ କରିବାକୁ ଯାଉଥିଲେ ଦୁଇଜଣ ଯୁବକ। ସେମାନଙ୍କ ଆଗେଆଗେ ଯାଉଥିଲେ ଜଣେ ବୃଦ୍ଧ ଓ କେତୋଟି ମେଷ ଓ ଘୁଷୁରି ସହ ଜଣେ ମେଷପାଳକ। ବାଟରେ ଗୋଟିଏ ଛୋଟା ଘୁଷୁରି ଛୁଆ ଅନ୍ୟ ମେଷଗୁଡିକ ସହ ତାଳଦେଇ ଚାଲିପାରୁ ନ ଥିବାରୁ ସେ ମେଷପାଳକଠାରୁ ପ୍ରଚଣ୍ଡ ବେତ୍ରାଘାତ ପାଉଥାଏ। ମେଷପାଳକଟି ମଧ୍ୟ ହଇରାଣ ହେଉଥାଏ। ଘୁଷୁରି ଛୁଆର ଯନ୍ତ୍ରଣାକୁ ଅନୁଭବ କରିପାରୁଥିଲେ ସେହି ବୃଦ୍ଧ। ସେ ମେଷପାଳକକୁ କହିଲେ, ବାବୁ, ତୁମର ଯଦି କିଛି ଆପତ୍ତି ନ ଥାଏ ମୁଁ ସେହି ଘୁଷୁରି ଛୁଆଟିକୁ ବୋହି ନେଇ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦେବି। ମେଷ ପାଳକ ବୃଦ୍ଧଜଣକୁ ନିର୍ବୋଧ ଭାବି ସମ୍ମତି ଦିଅନ୍ତେ ବୃଦ୍ଧ ଘୁଷୁରିଟିକୁ ବୋହି ନେଇ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚାଇଦେଲେ ଓ ତା’ପରେ ପର୍ବତ ଶିଖରସ୍ଥ ନିଜ କୁଟୀରକୁ ଚାଲିଗଲେ। ପ୍ରଥମୋକ୍ତ ଦୁଇ ଯୁବକ ପର୍ବତର ପାଦଦେଶ ଓ ଶିଖରର ମଧ୍ୟଭାଗରେ ରହୁଥିବା ସାଧକଙ୍କୁ ସାକ୍ଷାତ୍‌ କରି ସେହି ବୃଦ୍ଧଙ୍କ କର୍ମ ସମ୍ପର୍କରେ ଆଲୋଚନା କଲେ। ସେମାନେ କହୁଥିଲେ ଘୁଷୁରି ଛୁଆର କଷ୍ଟ ଲାଘବ କରିବାକୁ ଯାଇ ବୃଦ୍ଧ ଜଣକ ନିଜେ କଷ୍ଟ ଭୋଗ କଲେ କାହିଁକି? ଘୁଷୁରି ତ ଏକ ପଶୁ। ସେ କ’ଣ ସେଥିପାଇଁ ବୃଦ୍ଧଙ୍କ ନିକଟରେ କୃତଜ୍ଞ ରହିବ? ଅପରପକ୍ଷରେ ବୃଦ୍ଧ ମେଷପାଳକର ଉପହାସର ପାତ୍ର ହେଲେ। ମାତ୍ର ସାଧକ କହିଲେ, ଶୁଣ ସେହି ବୃଦ୍ଧ ଯଦି ଘୁଷୁରି ଛୁଆଟିକୁ ବୋହି ନ ଥାନ୍ତେ, ପରେ ସେ ତା’ର ଯନ୍ତ୍ରଣା ଲାଘବ କରିପାରିଲେ ନାହିଁ ବୋଲି ନିଜେ ଯନ୍ତ୍ରଣା ଭୋଗିଥାନ୍ତେ। ତେଣୁ ସେ ତାକୁ ବୋହିଲେ। ଏହାପରେ ଯୁବକ ଦୁଇଜଣ ସାଧକଙ୍କ ସହ ପର୍ବତ ଶିଖରକୁ ଗଲେ ଋଷିଙ୍କୁ ସାକ୍ଷାତ୍‌ କରିବା ପାଇଁ। ସେମାନେ ସେହି ଋଷିଙ୍କୁ କେବେ ଦେଖି ନ ଥିଲେ। କିନ୍ତୁ ସେଠି ପହଞ୍ଚିଲା ପରେ ସେମାନେ ଜାଣିଲେ ଯେ ସେହି ବୃଦ୍ଧ ଜଣକ ହେଉଛନ୍ତି ସେମାନେ ଦର୍ଶନ କରିବାକୁ ଚାହିଁଥିବା ସେହି ଋଷି। ସାକ୍ଷାତ୍‌ ଅନ୍ତେ ଯୁବକ ଦୁଇଜଣ ସେମାନଙ୍କ ସନ୍ଦେହ ମୋଚନ ପାଇଁ ଋଷିଙ୍କୁ ପଚାରିଲେ- ମହାଭାଗ! ଆପଣ ସେ ଘୁଷୁରି ଛୁଆକୁ ବହନ କରିବାର ପ୍ରେରଣା କ’ଣ ଥିଲା? ପଶୁଟିର କଷ୍ଟ ଦେଖି ନା ମେଷ ପାଳକ ହଇରାଣ ହେଉଥିବା ଯୋଗୁ ଆପଣ ସେୟା କଲେ, ନା ଭବିଷ୍ୟତରେ ନିଜ ବିବେକର ଦଂଶନରୁ ରକ୍ଷା ପାଇବା ପାଇଁ ତାହା କଲେ? ମାତ୍ର ଋଷି ଅନାଇ ରହିଲେ। ଘୁଷୁରି ଛୁଆକୁ ବହନ କରିଥିବା କଥା ସେ ମନେପକାଇ ପାରି ନ ଥିଲେ, ଜଣେ ନିଃଶ୍ୱାସପ୍ରଶ୍ୱାସ ଗ୍ରହଣ କରିବା କଥା ଯେମିତି ମନେ ରଖେ ନାହିଁ। ତାହା ଏକ ସ୍ବାଭାବିକ କ୍ରିୟା। ଠିକ୍‌ ସେପରି ଋଷିଙ୍କ ଆଚରଣ ଥିଲା ସ୍ବତଃସ୍ଫୂର୍ତ୍ତ। ଏକ ସ୍ବାଭାବିକ ପ୍ରକ୍ରିୟା। କର୍ମ ସହ ବିକର୍ମ ମିଶି ତାହା ଅକର୍ମ ଅବସ୍ଥାକୁ ପ୍ରାପ୍ତ ହୋଇଥିଲା (ଉପକଥା ଶତକ, ମନୋଜ ଦାସ)। ସେହି କର୍ମ ପଛରେ ଅହଂକାର ନ ଥିଲା କି ପ୍ରଶଂସା ପ୍ରାପ୍ତିର ଉଦ୍ଦେଶ୍ୟ ନ ଥିଲା। ଠିକ୍‌ ସେପରି ଆଜି ଯେଉଁ ନେତାମାନେ ଜନସେବା ପାଇଁ ସେମାନଙ୍କ ଜୀବନ ସମର୍ପିତ ବୋଲି ଘୋଷଣା କରୁଛନ୍ତି, ସେମାନଙ୍କ କର୍ମ ସ୍ବଭାବଗତ, ସ୍ବତଃସ୍ଫୂର୍ତ୍ତ, ନିଷ୍କାମ ଓ ଅହଂକାର ଶୂନ୍ୟ ତ?

ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ,

ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri