ଚାଷ ଅପେକ୍ଷାରେ ପାରଜିନୀୟ ସୋରିଷ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ପୃଥିବୀର ଜନସଂଖ୍ୟା ସାମଗ୍ରିକ ଭାବେ ବଢ଼ି ଚାଲିଛି। ଜାତିସଂଘର ଆକଳନ ଅନୁସାରେ, ୨୦୫୭ ମସିହା ବେଳକୁ ଏହା ୧୦ ହଜାର ନିୟୁତରେ ପହଞ୍ଚତ୍ୟିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ଜାଗତିକ ଉଷ୍ମତା ବୃଦ୍ଧି, ମୃତ୍ତିକାର ମାନ ହ୍ରାସ, ଭୂତଳ ଜଳ ନିମ୍ନଗାମୀ ହେବା ଆଦି କାରଣରୁ ହ୍ରାସ ପାଇବାରେ ଲାଗିଛି ମୁଣ୍ଡପିଛା ଚାଷୋପଯୋଗୀ ଜମିର ପରିମାଣ ଏବଂ ଏକର ପିଛା ଉତ୍ପାଦନର ସମ୍ଭାବନା। ଅତଏବ ପୃଥିବୀକୁ କ୍ଷୁଧାମୁକ୍ତ କରିବା ଏବଂ ସମସ୍ତଙ୍କୁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ପ୍ରଦାନ କରିବା ଦିନକୁ ଦିନ ଦୁଷ୍କର ହେବା ସ୍ବାଭାବିକ। ପୁନଶ୍ଚ ବର୍ତ୍ତମାନର ରାସାୟନିକ ଭିତ୍ତିକ କୃଷି ପରିବେଶ ପ୍ରଦୂଷଣକୁ ତ୍ୱରାନ୍ବିତ କରୁଥିବା ପ୍ରମୁଖ କାରଣମାନଙ୍କ ମଧ୍ୟରୁ ଅନ୍ୟତମ। ଏସବୁ ସମସ୍ୟାର ସଫଳ ସମାଧାନର ସମ୍ଭାବନା ରୂପେ ଏବେ ଉଭା ହୋଇଛି ପାରଜିନୀୟ ଫସଲ।
କୌଣସି ଫସଲରେ ନୂଆ ଗୁଣଟିଏ ସୃଷ୍ଟି କରିବା ଲାଗି ସେଥିରେ କୃତ୍ରିମ ଉପାୟରେ ଅନ୍ୟ ଏକ ସଜୀବର ସେହି ଗୁଣଧାରୀ ଜିନୀୟ ପଦାର୍ଥ ପ୍ରତିରୋପଣ ମାଧ୍ୟମରେ ଜିନୀୟ ପରିବର୍ତ୍ତନ ଆଣି ଏହା ସୃଷ୍ଟି କରାଯାଏ। ସାଧାରଣତଃ ଏହି ଗୁଣମାନଙ୍କ ମଧ୍ୟରେ ରହିଛି ଅଧିକ ଉତ୍ପାଦନ ସହିତ ରୋଗ, କୀଟ, ଅଗଚ୍ଛା କିମ୍ବା ମରୁଡ଼ିର ପ୍ରତିରୋଧ କରିବା, କମ୍‌ ଜଳ ଓ ସାର ଆବଶ୍ୟକ କରିବା, କମ୍‌ ଅଙ୍ଗାରକାମ୍ଳ ବା ମିଥେନ୍‌ ଭଳି ସବୁଜଗୃହ ବାଷ୍ପର ନିର୍ଗମନ ଘଟାଇବା, ଶସ୍ୟର ପୌଷ୍ଟିକ ମାନ ବୃଦ୍ଧି କରିବା ଇତ୍ୟାଦି। ଜିନ୍‌ ପ୍ରତିରୋପଣ ପରେ ଏହାର ବିଭିନ୍ନ ଦିଗ ଉପରେ ପରୀକ୍ଷାନିରୀକ୍ଷା କରାଯାଏ। ତାହା ପରିବେଶ କି ପରିସଂସ୍ଥା ତଥା ଜନସ୍ବାସ୍ଥ୍ୟ ଦୃଷ୍ଟିରୁ କେତେ ନିରାପଦ ତାହାର ମୂଲ୍ୟାୟନ ହୁଏ। ଏ ସବୁ ପରେ ପାରଜିନୀୟ ଫସଲକୁ ଚାଷ କରିବାର ଅନୁମତି ମିଳେ। ଆମ ଦେଶରେ ଏହା କରିବା ଲାଗି ଗଠିତ ହୋଇଛି ‘ଜେନେଟିକ୍‌ ଇଞ୍ଜିନିୟରିଂ ଆପ୍ରାଇଜାଲ୍‌ କମିଟି’ ବା ‘ଜିଇଏସି’। ଏହାର ସ୍ବୀକୃତି ଲାଭ ପରେ ହିଁ କେବଳ ପାରଜିନୀୟ ଫସଲ ଚାଷ ପାଇଁ ଅନୁମତି ଦେଇଥା’ନ୍ତି ସରକାର।
ପାରଜିନୀୟ ଫସଲକୁ କେତେକ ମହଲରେ ବିରୋଧ କରାଯାଉଛି। ଏହାର କାରଣ ସ୍ବରୂପ ଦର୍ଶାଯାଉଛି ନିମ୍ନୋକ୍ତ କେତୋଟି ସମ୍ଭାବ୍ୟ ନକାରାତ୍ମକ ପ୍ରଭାବକୁ। ୧- ଏଥିରେ ସୃଷ୍ଟି ହେଉଥିବା କୀଟନାଶକ ତତ୍ତ୍ୱ ଉପକାରୀ କୀଟମାନଙ୍କୁ ମାରିଦେଇପାରେ ଏବଂ କେତେକ ଅପକାରୀ କୀଟଙ୍କଠାରେ ପ୍ରତିରୋଧ ଶକ୍ତିର ବିକାଶ ଘଟାଇପାରେ। ୨- ଏଥିରେ ଉତ୍ପନ୍ନ ପ୍ରୋଟିନ୍‌ ପ୍ରାକୃତିକ ପ୍ରୋଟିନ୍‌ଠାରୁ ଭିନ୍ନ ହୋଇ ଆମଠାରେ ଆଲର୍ଜି ସୃଷ୍ଟି କରିପାରେ। ୩- ଭିନ୍ନ ପ୍ରଜାତିର ଉଦ୍ଭିଦ ସହିତ ପରାଗସଂଗମ ଫଳରେ ସେଥିରେ କୀଟ ପ୍ରତିରୋଧ ଶକ୍ତି ପ୍ରକଟିତ ହୋଇ ତଥାକଥିତ ‘ସୁପର ଉଇଡ୍‌’ ମଧ୍ୟ ସୃଷ୍ଟି କରିପାରେ। ୪- ପ୍ରାକୃତିକ କୀଟପତଙ୍ଗ, ଅଗଚ୍ଛା ଏବଂ ପ୍ରତିଯୋଗୀ ଉଦ୍ଭିଦ ଆଦି ଏହାଦ୍ୱାରା ପ୍ରଭାବିତ ହେବା ଫଳରେ ଜୈବ ବିଭିନ୍ନତା ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ୫- ପ୍ରତିରୋପିତ ଜିନ୍‌ର ଧ୍ରୁବୀକରଣ ଅଜଣା ବିପଦର କାରଣ ହୋଇପାରେ ଏବଂ ୬- ଏ ପ୍ରକାର ବିହନ ଉତ୍ପାଦନ କରି ତାହାର ଏକଚାଟିଆ ମାଲିକ ହୋଇପାରନ୍ତି କିଛି ବଡ଼ ବଡ଼ କମ୍ପାନୀ, ଯେଉଁମାନେ କି ସାଧାରଣ ଚାଷୀଙ୍କୁ ଶୋଷଣ କରିପାରନ୍ତି। ପୁନଶ୍ଚ ଏମାନଙ୍କ ପ୍ରୋତ୍ସାହନରେ ପାରଜିନୀୟ ଫସଲରେ ‘ଟରମିନେଟର’ ଜିନ୍‌ ସଂଯୁକ୍ତ କରାଗଲେ କୃଷକମାନେ ସେମାନଙ୍କ ଉତ୍ପନ୍ନ ଶସ୍ୟକୁ ବିହନ ରୂପେ ବ୍ୟବହାର କରିପାରିବେ ନାହିଁ ଏବଂ ପ୍ରତିବର୍ଷ ସେମାନଙ୍କୁ ଏହା କ୍ରୟ କରିବାକୁ ପଡ଼ିବ।
ଏସବୁ ନକାରାମତ୍କ ଦିଗ ପ୍ରଦର୍ଶନ ସତ୍ତ୍ୱେ ଏବେ ପୃଥିବୀରେ ପାରଜିନୀୟ ଫସଲ ଚାଷ ବଢ଼ି ଚାଲିଛି। ୨୦୨୦ରେ ପ୍ରକାଶିତ ‘ଇଣ୍ଟର ନ୍ୟାଶନାଲ ସର୍ଭିସ୍‌ ଫର୍‌ ଦ ଆକ୍ୟୁଇଜିସନ ଅଫ୍‌ ଏଗ୍ରି ବାଇଓଟେକ୍‌’ର ରିପୋର୍ଟ ଅନୁସାରେ ଏବେ ପୃଥିବୀର ୭୦ଟି ଦେଶ ଏହାକୁ ମଣିଷ କିମ୍ବା ଗୃହପାଳିତ ପଶୁଙ୍କର ଆଦ୍ୟ ରୂପେ ଗ୍ରହଣ କରିସାରିଲେଣି। ଏଗୁଡ଼ିକ ମଧ୍ୟରେ ଅଗ୍ରଣୀ ପାଞ୍ଚୋଟି ହେଲେ ଆର୍ଜେଣ୍ଟିନା, ବ୍ରାଜିଲ, କାନାଡ଼ା, ଭାରତ ଏବଂ ଆମେରିକା। ଏଠାରେ ଯଥାକ୍ରମେ ୨୪.୫ ନିୟୁତ, ୪୪.୨ ନିୟୁତ, ୧୧ ନିୟୁତ, ୧୧.୬ ନିୟୁତ ଏବଂ ୭୦.୯ ନିୟୁତ ହେକ୍ଟର ଜମିରେ ଏହା ଚାଷ ହେଉଛି (୨୦୨୦ ମସିହା)। ସାରା ବିଶ୍ୱରେ ୧୯୯୬ରେ ୧.୭ ନିୟୁତ ହେକ୍ଟର ଜମିରେ ପାରଜିନୀୟ ଫସଲ ଚାଷ ହେଉଥିଲା ବେଳେ ୨୦୧୫ରେ ପହଞ୍ଚିଥିଲା ୧୭୯.୭ ନିୟୁତ ହେକ୍ଟରରେ। ଏବେ ଏହା ଆହୁରି ବୃଦ୍ଧି ପାଇବଣି।
ପୃଥିବୀରେ ସର୍ବାଧିକ ଭାବେ ଚାଷ ହେଉଥିବା ପାରଜିନୀୟ ଫସଲଗୁଡ଼ିକ ମଧ୍ୟରେ ରହିଛି ସୋୟାବିନ୍‌, ମକା, କପା, ଅନ୍ୟାନ୍ୟ ଶସ୍ୟଜାତୀୟ ଫସଲ, ରେପ୍‌ସିଡ ଇତ୍ୟାଦି। କୁହାଯାଉଛି , ଏବେ ବଜାରରେ ଉପଲବ୍ଧ ୮୦% ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ପାରଜିନୀୟ ଫସଲରୁ ପ୍ରସ୍ତୁତ। ଆମ ଦେଶରେ ଏବେ ବ୍ୟବସାୟିକ ଭିତ୍ତିରେ ଚାଷ ହେଉଥିବା ଏ ଜାତୀୟ ପ୍ରଥମ ଫସଲ ହେଲା ବିଟି-କପା। ଏଥିରେ ବ୍ୟବହୃତ ହୋଇଛି ମୃତ୍ତିକାରେ ବାସ କରୁଥିବା ‘ବ୍ୟାସିଲସ୍‌ ଥୁରିଙ୍ଗିନେ ସିସ୍‌’ ଜୀବାଣୁ ବା ‘ବିଟି-ଜୀବାଣୁ’ର ରୋଗକୀଟ ପ୍ରତିରୋଧକ (ବିଶେଷକରି ‘ବଲଓ୍ବାର୍ମ’) ଜିନ୍‌। ଏହାକୁ ଛାଡ଼ିଦେଲେ ଏବେ ଗୋଖାଦ୍ୟ ରୂପେ ଉପଯୋଗ ହେବା ପାଇଁ ପାରଜିନୀୟ ମକାଚାଷ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏବଂ ଟମାଟୋ, ବାଇଗଣ ଓ ବୁଟ ଆଦି ଖାଦ୍ୟ ଫସଲର ଚାଷ ସରକାରଙ୍କ ଅନୁମତିର ଅପେକ୍ଷାରେ ଅଛି। ପୁନଶ୍ଚ ପାରଜିନୀୟ ସୋରିଷ (ଧାରା ମଷ୍ଟାର୍ଡ ହାଇବ୍ରିଡ୍‌ ବା ଡିଏମ୍‌ଏଚ୍‌-୧୧)ର ସବୁ ପ୍ରକାର ବୈଜ୍ଞାନିକ ପରୀକ୍ଷାନିରୀକ୍ଷା କରାଯାଇ ‘ଜିଇଏସି’ର ଚାଷ ପାଇଁ ସ୍ବୀକୃତି ତଥା ସରକାରଙ୍କ ଅନୁମତି ମିଳି ସାରିଥିଲେ ହେଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶରେ ଏହା କୃଷିକ୍ଷେତକୁ ଆସିପାରି ନାହିଁ।
ଆମ ଦେଶରେ ଖାଦ୍ୟୋପଯୋଗୀ ତୈଳର ପ୍ରାୟ ୬୦% ବିଦେଶରୁ ଆମଦାନୀ କରାଯାଉଛି। ଅନ୍ୟପକ୍ଷରେ ଏଠାରେ ସୋରିଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଦେଶରେ ଏହାର ଏକର ପିଛା ଉତ୍ପାଦନ ବିଶ୍ୱର ହରାହାରି ତୁଳନା ବହୁତ କମ୍‌। ଏଣୁ ସୋରିଷର ଉତ୍ପାଦନ କ୍ଷମତା ବୃଦ୍ଧି ଆମ ଚାଷୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ତୈଳ ଉତ୍ପାଦନ କ୍ଷେତ୍ରରେ ଆମକୁ ଆମତ୍ନିର୍ଭରଶୀଳ କରିପାରିବ। ପୁନଶ୍ଚ ଭାରତର ଏହି ପ୍ରଥମ ପାରଜିନୀୟ ଫସଲକୁ ୨୦୦୭ରେ ସୃଷ୍ଟି କରିଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ‘ସେଣ୍ଟରଫର ଜେନେଟିକ ମାନିପୁଲେସନ ଅଫ କ୍ରପପ୍ଲାଣ୍ଟସ’। ଏହା କରିଥିବା ବୈଜ୍ଞାନିକ ଗୋଷ୍ଠୀର ମୁଖ୍ୟ ଥିଲେ ଏହାର ପୂର୍ବତନ କୁଳପତି ଦୀପକ ପେଣ୍ଟାଲ୍‌। ତାଙ୍କ ମତରେ ଏଥିରେ ବ୍ୟବହୃତ ଜିନ୍‌ଗୁଡ଼ିକ ଏହାକୁ ରୋଗକୀଟ ଓ ଅଗଚ୍ଛା ସହ୍ୟକାରୀ ଶକ୍ତି ସହିତ କମ୍‌ ଜଳ ଏବଂ କମ୍‌ ମୃତ୍ତିକା ପୁଷ୍ଟିରେ ବଢ଼ି ପାରିବାର ସାମର୍ଥ୍ୟ ପ୍ରଦାନ କରିପାରିବେ। ଏହାବ୍ୟତୀତ ଏ ବିହନର ବିକାଶର କୌଣସି କମ୍ପାନୀ ସମ୍ପୃକ୍ତ ହୋଇ ନ ଥିବାରୁ ଏହାର ଏକଚାଟିଆ ବ୍ୟବସାୟର ଅବକାଶ ରହିବ ନାହିଁ। ପରିବେଶ ଓ ପରିସଂସ୍ଥା ତଥା ଜୈବ ବିଭିନ୍ନତା ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପରିଦୃଷ୍ଟ ହୋଇନାହିଁ ବରଂ ମୃତ୍ତିକାର ସ୍ବାସ୍ଥ୍ୟ ଏହାଦ୍ୱାରା ସୁରକ୍ଷିତ ରହିବାର ଦେଖାଯାଇଛି। ଏହା ସତ୍ତ୍ୱେ ବି ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛି ଏହାକୁ ଆହୁରି ଗଭୀରଭାବେ ଅନୁଧ୍ୟାନ କରିବାକୁ, ଯାହାଫଳରେ ଏ ଫସଲ ଶତ ପ୍ରତିଶତ ନିରାପଦ ବୋଲି ପ୍ରମାଣିତ ହୋଇପାରିବ।
ଆମ ବୈଜ୍ଞାନିକମାନେ କାଳ ବିଳମ୍ବ ନ କରି ଏହାର ସୀମିତ ତଥା ନିୟନ୍ତ୍ରିତ ଚାଷ ଆରମ୍ଭ କରିବା ଉଚିତ। ଯଦି ଏ ଫସଲର କୌଣସି ନକାରାତ୍ମକ ଦିଗ ଏପରିକି ସାମାନ୍ୟ ଭାବେ ପରିଦୃଷ୍ଟ ହୁଏ, ତେବେ ସେମାନେ ସେଥିରେ ଅଧିକ ତଥା ନୂତନ ଜିନୀୟ ପରିବର୍ତ୍ତନ ଆଣି ତାହାର ସମାଧାନ କରିବା ଦିଗରେ ପଦକ୍ଷେପ ନେଇପାରିବେ। ବର୍ତ୍ତମାନର ‘ଜିନ୍‌ ସମ୍ପାଦନା ଯୁଗ’ରେ ଏହା ଅସମ୍ଭବ ନୁହେଁ। ଅତଏବ ଏହି ଅଧିକ ଉତ୍ପାଦନକ୍ଷମ ପାରଜିନୀୟ ସୋରିଷ ଯଥାଶୀଘ୍ର କୃଷିକ୍ଷେତ୍ରକୁ ଓହ୍ଲାଇପାରିବ ଏବଂ କୃଷକ ଓ ଜନସାଧାରଣ ଏହାଦ୍ୱାରା ଲାଭବାନ୍‌ ହେବେ।
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri