ଚାଲ ପୁରୀକୁ ଖୋଜିବା

ପ୍ରସନ୍ନ କୁମାର ମିଶ୍ର

 

ଶ୍ରୀମନ୍ଦିରକୁ ଘେରି ରହିଥିଲା ଧର୍ମ, ସଂସ୍କୃତି ଓ ଶିକ୍ଷା ପ୍ରସାରଣର ଅନେକ ପବିତ୍ର ଅନୁଷ୍ଠାନ- ଶହ ଶହ ମଠ ଓ ମନ୍ଦିର। ପ୍ରତିଦିନ ପ୍ରତ୍ୟୁଷରୁ ବିବିଧ ଘଣ୍ଟଘଣ୍ଟା ଓ ଭଜନ କୀର୍ତ୍ତନର ଦିବ୍ୟ ଧ୍ୱନି ଭିତରେ ଆରମ୍ଭ ହେଉଥିଲା ଶ୍ରୀକ୍ଷେତ୍ରର ଜୀବନଯାତ୍ରା କାହିଁ କେତେ କାଳରୁ। ଆଜି ବଡ଼ଦେଉଳ ଚାରି ପାଖରେ ବୁଲି ଆସିଲେ ଆଉ ସେ ପୁରୁଣା ପୁରୀର ଚିହ୍ନସବୁ ଖୋଜିଲେ ମିଳିବ ନାହିଁ। ସାତଦିନିଆ ଝୁଲଣ ଯାତ୍ରାର ମଉଜ, ମନ୍ଦିର ଓ ମଠଗୁଡ଼ିକରେ ହେଉଥିବା ନାଚ ଗୀତ ଓ ସଙ୍ଗୀତର ଆସର, ବେକରେ ଟଙ୍କିକିଆ ନୋଟର ମାଳ ପକେଇଥିବା ଆଖଡ଼ାପିଲାର ଘାଇଁ ଘାଇଁ ବୁଲା ନାଚ, ଓଡ଼ିଶୀ, ଚମ୍ପୂ, ଛାନ୍ଦର ପ୍ରତିଯୋଗିତା, ଆଖିଝଲସା ଆଲୋକ ଓ ସୋଲ ଜରି-କାରିଗରିର ଚମତ୍କାର ସାଜ ଏବେ କେବଳ ସ୍ବପ୍ନ। ସବୁ ମଠବାଡ଼ି ଭାଙ୍ଗିଦିଆଯାଇଛି। ଝୁଲଣ ମଉଜ କଥା ପଚାରେ କିଏ? ଚନ୍ଦନ ଯାତରେ ବିଜେ ହୋଇ ଦିଅଁମାନେ ବାହାରିଲେ ସେମାନଙ୍କୁ ଚାରିଦିଗରୁ ଘେରି ଚନ୍ଦନ ଗୀତ ଗାଇ ଗାଇ ସିଂହଦ୍ୱାରଠାରୁ ବିରାଟ ଶୋଭାଯାତ୍ରାରେ ବାହାରୁଥିଲେ ପଲେ ଦେଉଳିଆ ଓ ସାହିଭାଇଙ୍କ ମେଳରେ ଖେଦେ କୀର୍ତ୍ତନିଆ ଆଉ ଝାଜ୍ଞ ଦଳ। ଜାଗାମେଳ ବାହାରିଲେ ଆଗରେ ବନାଟି ବୁଲେ। ପଛେ ପଛେ ଆସନ୍ତି ନାଗା, ବିବିଧ ମେଢ଼, ବାଘ, ଘୋଡ଼ା, ଠାକୁରାଣୀ, ବାଙ୍କଛଡ଼ି ଖେଳ ସହିତ ଆଖିଝଲସିଆ ପୋଷାକରେ ଭଳି ଭଳି ଭେଣ୍ଡିଆମାନଙ୍କର ଖଣ୍ଡା ଓ ବାଡ଼ିଖେଳ। ରଜାଘର ହାତୀ ଝୁଲି ଝୁଲି ଆସୁଥିଲା ବେଳେ ସାହି ଭାଇମାନେ ଚିକ୍କଣ ଚାକଣ ହୋଇ କାନ୍ଧରେ ପାକଲା ଗାମୁଛା ପକେଇ, ଅତର ଛିଞ୍ଚି ବେକରେ ମଲ୍ଲୀ କି ବଉଳ ମାଳ ଝୁଲେଇ ଚାଲୁଥିଲେ। ନରେନ୍ଦ୍ର ଚକଡ଼ାରେ ମେଞ୍ଚେ ଲେଖାଏ ବାସ୍ନା ତେଲ ଦେହରେ ମାଖି ପୁଳାଏ ଲେଖା ସୋଲବିଡ଼ା ସାଙ୍ଗରେ ପେଟ୍ରୋମାକ୍ସକୁ ମଝିରେ ଧରି ମହାପ୍ରଭୁଙ୍କ ଚାପ ଚାରିପଟେ ପାଣିକୁ ଭାଗ ଭାଗ କରି ପହଁରୁଥିଲେ ପାଣିଛେଦିଆ ମାଙ୍କଡ଼ ମାର୍ଗେ ସେମାନେ। ତୁଣ୍ଡରେ ଚନ୍ଦନ ଗୀତ… ଆଗୋ ସଖୀ ଦେଖ ଗୋ। ମେଳାରୁ ଫେରିଲେ ଅଧରାତିରେ ଜେଗାରେ ଭୋଜି। ଏବେ ସେ ସବୁ ନାହିଁ। ଚନ୍ଦନ ମଉଜ ବନ୍ଦ।
ଶ୍ରୀରାମ ଜନ୍ମଦିନଠାରୁ ୧୧ ଦିନ ପର୍ଯ୍ୟନ୍ତ ସହରଗୋଟାକୁ କମ୍ପାଇ/ଥରାଇ ଛାତି ଦୁଲୁକେଇ ଦେଉଥିବା ଆମ ସଂସ୍କୃତିର ପ୍ରତୀକ- ବିଶ୍ୱବିଖ୍ୟାତ ସାହିଯାତ ଏବେ ଆଉ ଜମୁନି। ସେ ଦିନରେ ଧୋବ ଫର ଫର ଧୋତି, ଫିନ୍‌ ଫିନ୍‌ ଗିଲକରା ପଞ୍ଜାବି, ହାତରେ ଦାମିକା ସୁନାମୁଦି, ବେକରେ ମଲ୍ଲିମାଳ ଓ ସୁନା ଚେନ୍‌ ପକେଇ ମଉଜୀମାନେ ଘରୁ ବାହାରୁଥିଲେ ସଞ୍ଜବେଳା। କେତେକେ ସାଇକେଲରେ ବାହାରି ପଡୁଥିଲେ ଚନ୍ଦନପୁର ଭାର୍ଗବୀ ନଈକୂଳ ପୋଲାଙ୍ଗ ତୋଟା ଜଙ୍ଗଲ ଭିତରକୁ। ଫେଣାଏ ଲେଖେଁ ପାକଲା ପାଟକପୁରା କଦଳୀ ଗାମୁଛାରେ ବାନ୍ଧି ଘରକୁ ଫେରିଲା ବେଳକୁ ରାତି ନଅଟା। ସେ ମଉଜ ନାହିଁ।
ପୁରିଆଙ୍କ ପରିଚୟ କାନ୍ଧରେ ପାକଲା ଗାମୁଛା ପାରା, ବଣି, ଶୁଆ, ନେଉଳ, ମାଙ୍କଡ଼ ସଉକ। ମେଣ୍ଢା ଓ ଗୋବରା ଚଢ଼େଇ ଲଢ଼େଇ ଏବେ ନାହିଁ। ରଥଯାତ୍ରାରେ ଗୁଣ୍ଡିଚା ଘର ପଛପାଖର ନଡ଼ିଆ ଲଢ଼େଇ ଏବେ ଆଉ ଜମୁନି। ସଉକିଆଙ୍କ ଦିନର ରୋଜଗାର ସେଇଆଡ଼େ। ରାତିଅଧରେ ଘରକୁ ଫେରିଲା ବେଳକୁ ପକେଟରେ ଅଧଲାଟାଏ ନ ଥିବ। ସେଥିରେ ପୁଣି ମନଫୁଲାଣିଆ ଗୀତ! ତୁଣ୍ଡରେ ଛାନ୍ଦ, ଚମ୍ପୂ, ଚଉତିଶା କି ଓଡ଼ିଶୀ। ହାତରେ ଥିବ ସିଂହଦ୍ୱାର ଛେନାବାଲାର ପତରଗୁଡ଼ିଆ ପାଣିଛେନା ପୁଡ଼ିଆଟାଏ। ଛେନା କିଣି ଚାଲି ଚାଲି ଘରେ ପହଞ୍ଚତ୍ଲା ବେଳକୁ ପାଣି ନିଗିଡ଼ି ଅଧା। ପୁରୀ ଛାଡ଼ିଲେ ଏ ସବୁ ମିଳିବ କାହୁଁ?
ପୁରୀ ରାଜାଙ୍କ କଚେରି ଘର ସାମ୍‌ନା ରଥଖଳାରେ ସବୁଦିନ ଉପରବେଳା ହେଉଥିଲା ହାତୀ ମେଳନ। ଧାଡ଼ିରେ ଠିଆ ହେଉଥିଲେ ଜଗନ୍ନାଥଙ୍କ ୫ଟିଯାକ ହାତୀ। ସେ ବେଳାରେ ନିରାପଦ ଦୂରତ୍ୱରେ ରହି ମନଖୁସିରେ ହାତୀ ଝୁଲୁଥିବାର ଅପୂର୍ବ ଦୃଶ୍ୟ ଦେଖୁଥିଲେ ଶହ ଶହ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀ। ସେ ହାତୀ ଆଉ ମାହୁନ୍ତ ମରିଗଲେଣି। କିଛିବର୍ଷ ତଳେ ରାଜା ଘର ହାତୀର ସ୍ମୃତି ସ୍ବରୂପ ଶେଷ ମାହୁନ୍ତଟି ଶ୍ରୀମନ୍ଦିର ତରଫରୁ ପେନ୍‌ସନ ପାଉଥିଲା। ସେ ଏବେ ଅଛି ନାହିଁ କେଜାଣି ? ଶ୍ରୀମନ୍ଦିର ଇତିହାସରେ ସେ ହିଁ ଥିଲା ମହାପ୍ରଭୁଙ୍କ ଏକମାତ୍ର ମୁସଲମାନ ସେବକ।
ରଥଖଳା ପାଖରେ ଥିଲା ପାଠପଢ଼ା ପିଲା, ସେବାୟତ ଏବଂ ଗରିବ ପିଲାମାନଙ୍କର ଏକାନ୍ତ ନିଜର ବହି ଦୋକାନ। ପୁରୀବାସୀ ଭୁଲି ନାହାନ୍ତି ସେ ଦୋକାନ ଆଉ ଦୋକାନ ମାଲିକଙ୍କୁ ଆଜିଯାଏ। ସେ ଦୋକାନ ଭାଙ୍ଗି ଦିଆଗଲାଣି। ଏବେ ଶ୍ରୀମନ୍ଦିର ବାବାରେ ଆଲୁଅରେ ଝଟକୁଛି। ସେଦିନର ପୁରୀବାସ୍ନା କିନ୍ତୁ ଆଜି ନାହିଁ !
୩୮, ଶ୍ରୀକ୍ଷେତ୍ର କଲୋନୀ, ପୁରୀ-୨
ମୋ: ୮୦୧୮୮୭୫୩୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri