ଗୋଇନ୍ଦା ବିଫଳତା ଓ ସୁରକ୍ଷା

ଡ. ଚିନ୍ତାମଣି ପଣ୍ଡା

କତିପୟ ସମ୍ବେଦନଶୀଳ ସାଂପ୍ରତିକ ଘଟଣାବଳୀର ଅନୁଶୀଳନ କଲେ ଆମର ଗୋଇନ୍ଦା ସୂଚନା ବ୍ୟବସ୍ଥା କେତେ ଦୁର୍ବଳ ତାହା ସ୍ପଷ୍ଟଭାବେ ପ୍ରତୀୟମାନ ହୁଏ। ଦେଶ ଓ ଦଶର ହିତସାଧନ ଏବଂ ସୁରକ୍ଷା ନିମନ୍ତେ ଗୁପ୍ତସୂଚନାର ସଂଗ୍ରହ ତଥା ସରବରାହ ନିହାତି ଅପରିହାର୍ଯ୍ୟ। ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ତଥା ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ନିମନ୍ତେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ଗୋଇନ୍ଦା ସୂଚନାର ଆବଶ୍ୟକତା ଉପଲବ୍ଧ ହୋଇଥାଏ। ସୀମାରେ ଚାଇନାର ବିସ୍ତାରବାଦୀ ନୀତି ହେଉ କିମ୍ବା ପାକିସ୍ତାନର ଆତଙ୍କବାଦ, ଏ ସବୁର ମୁକାବିଲା ପାଇଁ ନୀତି ନିର୍ଦ୍ଧାରଣ ବ୍ୟବସ୍ଥା ଗୁପ୍ତ ସୂଚନା ଉପରେ ନିର୍ଭରଶୀଳ। ଆମେ ଦେଶ ଭିତରେ ମାଓବାଦୀଙ୍କର ଗତିବିଧିକୁ ଠଉରାଇ ନ ପାରିବା ହେତୁ ଅନେକ ଧନଜୀବନ ହାନି ଘଟୁଛି। ଚନ୍ଦ୍ରପୃଷ୍ଠରେ ଜଳ ସନ୍ଧାନ କରିବାକୁ ଅହରହ ଉଦ୍ୟତ ଆମର ଗବେଷଣା ଅଥଚ ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡମାଇନଟିଏ ଠାବକରି ନ ପାରିବାରୁ ଅକାରଣରେ ବୀର ଯବାନଙ୍କର ପ୍ରାଣପାତ ଘଟୁଛି। ଏହା ଯେ କେବଳ ଆମର ଧନଜୀବନ ହାନି କରୁଛି ତାହାନୁହେଁ, ବିଶ୍ୱ ଆଗରେ ଆମର ଦୁର୍ବଳ ଗୋଇନ୍ଦା ବ୍ୟବସ୍ଥା ତଥା ବିଡମ୍ବିତ ପଦକ୍ଷେପକୁ ପଦାରେ ପକାଉଛି।
ନିଶା ବେପାରୀଟିଏ ସୁଦୂର ବାଂଲାଦେଶରୁ ଆସି ଓଡ଼ିଶାରେ ଧରାପଡ଼ି ଦୀର୍ଘ ୧୪ବର୍ଷ ଜେଲ ଦଣ୍ଡ ଭୋଗି ସାରିବା ପରେ ବି ପୋଲିସ ହେପାଜତରେ ଥାଇ ପୁନଶ୍ଚ ନିଶାସାମ୍ରାଜ୍ୟ ବିସ୍ତାର କରିପାରୁଛି, ତାହା ପୁଣି ଅକ୍ଲେଶରେ କେବଳ ଫୋନ ମାଧ୍ୟମରେ। ଏଥକୁ ଆମକୁ ସଫେଇ ମିଳୁଛି ଯେ ପରିସ୍ରା କି ଝାଡା ଯିବାବେଳେ ହୁଏତ ସେ କାରବାରର ଯୋଗସୂତ୍ର କରିଥାଇ ପାରେ। ଏହାଠୁ ବଳି ହାସ୍ୟାସ୍ପଦ କଥା କିଛି ଅଛି କି? ତିନିତିନିଥର ତଲାସୀ କରିସାରିବା ପରେ ବି ଅପରାଧୀଙ୍କ ଘରର ନିଭୃତ କନ୍ଦରରୁ ଚୋରା ବନ୍ଧୁକ ସହିତ ଅମାପ ଗୁଳି ଜବତ ହେବା ଯେତିକି ଆଶ୍ଚର୍ଯ୍ୟର ବିଷୟ ତତୋଧିକ ପରିତାପର ବିଷୟ ମଧ୍ୟ। ତେବେ ଏଇଠି ପ୍ରଶ୍ନ ଉଠେ, ସୁଦୂର ତାମିଲନାଡୁରୁ କାର ଭିତରେ ବହୁ ପରିମାଣର ଚୋରା ସୁନା ଆସୁଥିବାର ସୂଚନା ପାଇ ତାହାକୁ ପୋଲିସ ଜବତ କରିପାରୁଥିବା ବେଳେ ନିଜ ରାଜ୍ୟରେ ବିଫଳ କାହିଁକି? କେତେବେଳେ ଆମେ ଫଳ କି ପନିପରିବା ଟ୍ରକ ଭିତରେ ହେଉ କିମ୍ବା ଆମ୍ବୁଲାନ୍ସର ପି.ପି.ଇ. କିଟ୍‌ ଭିତର ଦେଇ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିପାରୁଥିବା ବେଳେ ହଜାର ହଜାର ହେକ୍ଟର ଗଞ୍ଜେଇ ଚାଷକୁ ଠିକ୍‌ ସମୟରେ ଠଉରାଇ ପାରୁନାହେଁ। ଅନ୍ୟ ଏକ ଚମକପ୍ରଦ ଘଟଣା କ୍ରମରେ ପାଠକ ବାପ-ପୁଅଙ୍କ ଅନେକ ଦିନର କଳାକାରନାମା ଧୀରେ ଧୀରେ ଲୋକଲୋଚନକୁ ଆସୁଥିବା ବେଳେ ସର୍ବସାଧାରଣଙ୍କ ଅର୍ଥ ଲୁଟି କୋଭିଡ୍‌ ନିୟନ୍ତ୍ରଣ ପାଇଁ ତାଙ୍କର ବଦାନ୍ୟତାକୁ ଆମେ ଗ୍ରହଣ କରୁଛେ। ବିଭିନ୍ନ ଫନ୍ଦିଫିକର କରି ସ୍ପଷ୍ଟ ଦିବାଲୋକରେ ଜନତାଙ୍କୁ ଚୂନ ଲଗାଇଥିବା ଆମ ମତରେ ସର୍ବଶ୍ରେଷ୍ଠ ଗୋଇନ୍ଦା ବିଫଳତା। ଏପରି ହେବା ଦ୍ୱାରା ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବା ସ୍ବାଭାବିକ ନୁହେଁ କି?
ରାଜା ମହାରାଜାମାନଙ୍କ ଅମଳରୁ ଏ ପ୍ରକାରର ଗୁପ୍ତଚର ବ୍ୟବସ୍ଥା ପ୍ରଚଳିତ। ଏପରି କି ପୋଲିସର ଗତିବିଧି ଉପରେ ନଜର ରଖିବାରେ ମାଓବାଦୀମାନେ ମଧ୍ୟ ଏହି ବ୍ୟବସ୍ଥା ଆପଣାଇଛନ୍ତି। ରୁଷିଆ, ଚାଇନା, ଆମେରିକା ପରି ଦେଶଗୁଡ଼ିକ ଅନ୍ୟ ଦେଶରୁ ଆଭ୍ୟନ୍ତରୀଣ ସୂଚନା ସଂଗ୍ରହ ପାଇଁ ଗୁପ୍ତଚର ନିୟୋଜିତ କରୁଥିବା ବେଳେ ଆମେ ନିଜର ସୁରକ୍ଷା ଲାଗି ଏହା କରି ନ ପାରିବା ଆମତ୍ଶ୍ଳାଘାର ବିଷୟ ନୁହେଁ କି? ଏହା ବ୍ୟକ୍ତି ଚରିତ୍ର ଉପରେ ନିର୍ଭରଶୀଳ। ସଚ୍ଚୋଟତା, ନିଷ୍ଠା, ଦେଶପ୍ରେମ ଯଦି ଧୀରେ ଧୀରେ ଲୋକଚରିତ୍ରରୁ ମିଳେଇ ଯିବ ତେବେ ଏପରି ଅରାଜକତା ପରିସ୍ଥିତି ସୃଷ୍ଟି ହେବା ଅନିବାର୍ଯ୍ୟ। ମନ ଓ ବିବେକର ଅହରହ ସଂଗ୍ରାମ ଭିତରେ ବିବେକର ଜିତାପଟ ହେଲେ ତାହା ବ୍ୟକ୍ତି ଚରିତ୍ରରେ ଫୁଟିଉଠେ; ଯେମିତି ନିର୍ମୂଳି ଲଟାଟିଏ ଆମ୍ବଗଛରେ ମାଡ଼ି ଧୀରେ ଧୀରେ ତା’ର ଫଳ ଧାରଣ କ୍ଷମତାର ହ୍ରାସ ଘଟାଇଥାଏ। ଠିକ ସେହିପରି ବ୍ୟକ୍ତି ଚରିତ୍ରଟି ସ୍ବାର୍ଥଲତାରେ କବଳିତ ହୋଇଗଲେ ତା’ର ଅସ୍ମିତା, ନିଷ୍ଠା, ସଚ୍ଚୋଟତା, ଦେଶଭକ୍ତି ସବୁ ଲୋପ ପାଇଯାଏ। ଅର୍ଥ ଲାଳସାର ପରଳଭିତରୁ ସେ ଭଲ ମନ୍ଦର ଫରକ ବାରି ପାରେନା। ତେଣୁ ତା’ର ନାକତଳେ ଘଟି ଯାଉଥିବା ଅପରାଧକୁ ସେ ଠଉରାଇ ପାରେନାହିଁ କିମ୍ବା ଦେଖି ନ ଦେଖିଲା ପରି ହୁଏ। ପ୍ରକାରାନ୍ତରେ ଏହା ଦେଶ ଓ ସମାଜର କ୍ଷତି ସାଧନ କରିଥାଏ। ତେଣୁ ବ୍ୟକ୍ତିଟି ଯେଉଁ ପଦପଦବୀରେ ଥାଉନା କାହିଁକି ସ୍ବାର୍ଥ ବିଜଡିତ ମନଟି ତା’ର ପ୍ରତି ମୁହୂର୍ତ୍ତରେ ତାକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିଥାଏ; ଯେଉଁଥିପାଇଁ ସେ ଦେଶର ସୁରକ୍ଷା ସମ୍ବନ୍ଧିତ ଗୁପ୍ତଦଲିଲ ସବୁ କିଛି ଅର୍ଥ ବା ନାରୀ ଲୋଭରେ ଶତ୍ରୁ ହାତରେ ଟେକି ଦେବାକୁ ପଛାଏ ନାହିଁ। ସେଥିପାଇଁ କେବଳ କତିପୟ କର୍ମଚାରୀ ଚୋରକୁ ପାତାଳ ଗହ୍ବରରୁ ଧରି ପାରୁଥିବା ବେଳେ ଆଉ ଥୋକେ ଚୋରକୁ ଚିହ୍ନିପାରନ୍ତି ନାହିଁ। ଅତଏବ ସଚ୍ଚୋଟ ତଥା କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କୁ ଗୋଇନ୍ଦା ସୂଚନା ସଂଗ୍ରହ ପାଇଁ ନିଯୁକ୍ତି ଦିଆଗଲେ ଆମେ ଅଚିରେ ବଡ଼ ବଡ଼ ଦୁର୍ଘଟଣା ମାନ ଏଡ଼ାଇଯିବା ଲାଗି ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିପାରିବା ଓ ତତ୍‌ ସଙ୍ଗେ ସଙ୍ଗେ ଦେଶ ତଥା ସମାଜକୁ ଉପଯୁକ୍ତ ସୁରକ୍ଷା ଦେଇପାରିବା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri