ଗାନ୍ଧୀଙ୍କ ଦୃଷ୍ଟିରେ ଦୁଇ ଦେଶ

ଈପ୍ସିତା ମହାନ୍ତି

ପଶ୍ଚିମ ଏସିଆର ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ହିଂସାତ୍ମକ ବିବାଦ ଦ୍ବାରା ଆଜି ବିଶ୍ବରେ ଏକ ପ୍ରମୁଖ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ପାଲେଷ୍ଟାଇନ ଏବଂ ଇସ୍ରାଏଲ ପରସ୍ପରର କଟ୍ଟର ବିରୋଧୀ କାହିଁକି?
ମହାତ୍ମା ଗାନ୍ଧୀ ନିଜର ଅହିଂସା ଅସ୍ତ୍ର ସାହାଯ୍ୟରେ ଇଂରେଜ ସରକାରଙ୍କ ବିରୋଧରେ ଭାରତ ସ୍ବାଧୀନତାର ଯୁଦ୍ଧ ଲଢୁଥିଲେ, କିନ୍ତୁ ସେହି ସମୟରେ ଦୁନିଆରେ ଘଟୁଥିବା ଅନ୍ୟ ଘଟଣାଗୁଡ଼ିକ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଥିଲା। ବିଶେଷକରି ଏସିଆର ଭବିଷ୍ୟତ ବିଷୟରେ ମହାତ୍ମା ଗାନ୍ଧୀ କମ୍‌ ଚିନ୍ତା କରୁ ନ ଥିଲେ। ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧର ଅନ୍ତ ପରେ ଯଦିଓ ଅଳ୍ପ କିଛି ଦେଶ ଉପରେ ଫ୍ରାନ୍ସର ପ୍ରଭାବ ରହିଥିଲା, ପ୍ରାୟତଃ ସମଗ୍ର ପଶ୍ଚିମ ଏସିଆ ବ୍ରିଟିଶ୍‌ ସରକାରଙ୍କ ଅଧୀନକୁ ଚାଲିଯାଇଥିଲା। ଭାରତରେ ବ୍ରିଟିଶ୍‌ମାନେ ଯେତେବେଳେ ନୂଆଦିଲ୍ଲୀକୁ ରାଜଧାନୀ କଲେ, ସେତେବେଳେ ଏଠାକାର ଭାଇସ୍‌ରାୟ(ବଡ୍‌ଲାଟ୍‌) ହାଉସ୍‌ରୁ ପଶ୍ଚିମ ଏସିଆର ଏହିସବୁ ବ୍ରିଟିଶ୍‌ଶାସିତ ଦେଶର ପ୍ରଶାସନିକ ବ୍ୟବସ୍ଥା ନିୟନ୍ତ୍ରିତ ହୋଇଥିଲା।
ଇହୁଦୀମାନେ ନିର୍ଯାତିତ ହେଉଥିବା ଦେଖି ବ୍ରିଟିଶ୍‌ ସରକାର ପାଲେଷ୍ଟାଇନ ଦେଶରେ ସେମାନଙ୍କ ପାଇଁ ଏକ ପୃଥକ୍‌ ରାଷ୍ଟ୍ର ଗଠନ ସକାଶେ ଯୋଜନା କରିଥିଲେ। ପ୍ରାରମ୍ଭରେ ଅନ୍ୟ ଦେଶରୁ ଇହୁଦୀମାନଙ୍କୁ ଅଣାଯାଇ ସେଠାରେ ରଖାଗଲା, ଯାହାର ନାମ ଥିଲା ‘ସୈଟଲର୍ସ’। ଧୀରେ ଧୀରେ ଏହା ଏକ ଇହୁଦୀ ରାଷ୍ଟ୍ର ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ୧୯୩୮ ବେଳକୁ ଏହା ପ୍ରକୃତ ରୂପ ନେଇଥିଲା। ୨୬ ନଭେମ୍ବର ୧୯୩୮ରେ ମହାତ୍ମା ଗାନ୍ଧୀ ନିଜ ସାପ୍ତାହିକ ଖବରକାଗଜ ‘ହରିଜନ’ରେ ‘ଦି ଇହୁଦୀ’ ନାମକ ଏକ ସମ୍ପାଦକୀୟ ଲେଖିଥିଲେ। ଏହି ସମ୍ପାଦକୀୟରେ ଗାନ୍ଧିଜୀ ପାଲେଷ୍ଟାଇନ ଦେଶରେ ଇହୁଦୀମାନଙ୍କ ପାଇଁ ଏକ ପୃଥକ୍‌ ଦେଶ ଭାବରେ ଇସ୍ରାଏଲର ଗଠନକୁ ବିରୋଧ କରିଥିଲେ। ମନେ ରଖିବାକୁ ହେବ ଯେ ସେହି ସମୟରେ ଭାରତରେ ଏଭଳି କିଛି ଘଟୁଥିଲା। ଭାରତକୁ ବିଭାଜନ କରି ପାକିସ୍ତାନ ସୃଷ୍ଟି ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ପାର୍ଟି ମୁସ୍‌ଲିମ୍‌ ଲିଗ୍‌ ମାଧ୍ୟମରେ ସାମ୍ପ୍ରଦାୟିକ ରାଜନୀତିର ଆନ୍ଦୋଳନ ଆରମ୍ଭ କରିଥିଲେ। ଧର୍ମ ଆଧାରରେ ମୁସଲମାନ୍‌ମାନଙ୍କ ପାଇଁ ଏକ ପୃଥକ୍‌ ରାଷ୍ଟ୍ର ଗଠନ କରିବାକୁ ସେ ଦାବି କରୁଥିଲେ।
ମହାତ୍ମା ଗାନ୍ଧୀ ପାକିସ୍ତାନ ଗଠନକୁ ଦୃଢ଼ ବିରୋଧ କରୁଥିଲେ। ସେ ବିଶ୍ୱାସ କରୁଥିଲେ ଭାରତର ହିନ୍ଦୁ ଏବଂ ମୁସଲମାନ ଗୋଟିଏ ଦେଶର ବାସିନ୍ଦା ଏବଂ ସେମାନଙ୍କର ରାଷ୍ଟ୍ରୀୟତା କେବେ ଭିନ୍ନ ହୋଇପାରିବ ନାହିଁ। ତେଣୁ ୨୬ ନଭେମ୍ବର ୧୯୩୮ରେ ମହାତ୍ମା ଗାନ୍ଧୀ ‘ହରିଜନ’ରେ ଲେଖିଥିବା ସମ୍ପାଦକୀୟଟିକୁ ଆମକୁ ବୃହତ ସନ୍ଦର୍ଭରେ ତର୍ଜମା କରିବାକୁ ପଡ଼ିବ। ମହାତ୍ମା ଗାନ୍ଧୀ ଲେଖିଥିଲେ, ”ଯେପରି ଫ୍ରାନ୍ସ ଫରାସୀମାନଙ୍କର ଏବଂ ଇଂଲଣ୍ଡ ଇଂରେଜମାନଙ୍କର, ସେହିପରି ପାଲେଷ୍ଟାଇନ ମଧ୍ୟ ଏଠାରେ ରହୁଥିବା ଆରବ ପାଲେଷ୍ଟିନୀୟମାନଙ୍କର। ଇହୁଦୀମାନଙ୍କୁ ଧର୍ମ ଆଧାରରେ ଅବା ବ୍ରିଟିଶ୍‌ ବନ୍ଧୁକ କିମ୍ବା ବୋମାର ଭୟ ଦେଖାଇ ପାଲେଷ୍ଟାଇନରେ ଅବସ୍ଥାପିତ କରାଇବା ଉଚିତ ହେବନାହିଁ। ଯଦି ଇହୁଦୀମାନେ ସ୍ବଇଚ୍ଛାରେ ପାଲେଷ୍ଟିନୀୟଙ୍କ ହୃଦୟକୁ ଜିତି ଏବଂ ସେମାନଙ୍କ ଗ୍ରହଣୀୟତାରେ ସେଠାରେ ବସତି ସ୍ଥାପନ କରନ୍ତି ତାହା କେବଳ ସେମାନଙ୍କ ପାଇଁ ହିଁ ନୁହେଁ, ଜଗତ ପାଇଁ ଉଚିତ ହେବ। ଅବଶ୍ୟ ଏଥିପାଇଁ ସେମାନଙ୍କୁ ବ୍ରିଟିଶ୍‌ମାନଙ୍କର ଛତ୍ରଛାୟା ପରିତ୍ୟାଗ କରିବାକୁ ପଡ଼ିବ।“
ଗାନ୍ଧୀ କହିଥିଲେ, ପାଲେଷ୍ଟାଇନ ହେଉଛି ମୂଳତଃ ଆରବ ପାଲେଷ୍ଟିନୀୟମାନଙ୍କର ଘର। ଯେଉଁଭଳି ଭାବେ ବ୍ରିଟିଶ୍‌ମାନେ ଇହୁଦୀମାନଙ୍କୁ ଆଣି ସେଠାରେ ବସତି ସ୍ଥାପନ ପାଇଁ ବ୍ୟବସ୍ଥା କରାଉଛନ୍ତି ତାହା ଏକ ହିଂସାତ୍ମକ କାର୍ଯ୍ୟ। ଗାନ୍ଧୀ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଇହୁଦୀମାନଙ୍କୁ ଆରବର ପାଲେଷ୍ଟାଇନ ଦେଶକୁ ଯେପରି ଅଣାଯାଉଛି ଏବଂ ଏଠାରେ ସେମାନେ ବସବାସ କରିବା ଦ୍ବାରା ପାଲେଷ୍ଟିନୀୟମାନେ ନିଜ ଅଧିକାରରୁ ବଞ୍ଚତ୍ତ ହେବେ। ଏହା ସତ୍ୟ ଯେ ପାଲେଷ୍ଟାଇନ ବ୍ୟତୀତ ଇହୁଦୀମାନଙ୍କ ପାଇଁ ଦୁନିଆରେ ଅନ୍ୟ କୌଣସି ଦେଶ ସୃଷ୍ଟି ହୋଇପାରିବ ନାହିଁ। ତେବେ ବର୍ଷ ବର୍ଷ ଧରି ସେମାନେ ଏଠାରେ ରହିଗଲେ ଭବିଷ୍ୟତରେ ସେମାନଙ୍କୁ ଏଠାରୁ ତଡ଼ି ବାହାର କରିବା ପାଇଁ ସହଜରେ ବଳ ମିଳିବ ନାହିଁ।
ଜର୍ମାନୀରୁ ଇହୁଦୀମାନଙ୍କୁ ଯେଉଁଭଳି ଢଙ୍ଗରେ ବିତାଡ଼ିତ କରାଯାଉଛି ଏଥିରୁ ତାହା ସ୍ପଷ୍ଟ ପ୍ରତୀୟମାନ। ଏଥିସତ୍ତ୍ୱେ ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ, ବିଶେଷକରି ଜର୍ମାନୀରେ ଇହୁଦୀମାନଙ୍କ ପ୍ରତି ହେଉଥିବା ଅପମାନଜନକ ଆଚରଣକୁ ଘୋର ବିରୋଧ କରୁଥିଲେ। ଖ୍ରୀଷ୍ଟିଆନ ଧର୍ମରେ ଇହୁଦୀମାନଙ୍କ ପ୍ରତି ଯେଉଁଭଳି ବ୍ୟବହାର ହେଉଛି ତାହାକୁ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତାର ସଂଜ୍ଞା ଦେଇଥିଲେ। ଇହୁଦୀମାନଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ମନ ଓ ହୃଦୟରେ ଯଦିଓ ଗଭୀର ସମବେଦନା ଥିଲା କିନ୍ତୁ କୌଣସି ଭୂଖଣ୍ଡ ଉପରେ ପ୍ରଥମ ତଥା ସର୍ବାଧିକ ଅଧିକାର ସେଠାକାର ଅଧିବାସୀମାନଙ୍କର ହିଁ ହୋଇଥାଏ, ଏ କଥା ମହାତ୍ମା ଗାନ୍ଧୀ ଜୋର୍‌ ଦେଇ କହୁଥିଲେ।
ଇହୁଦୀମାନଙ୍କୁ ଜର୍ମାନୀରେ ନରସଂହାର କରାଗଲା, ଏହାର ତୁଳନାତ୍ମକ ଚିତ୍ର ଇତିହାସର ପାଇବା ନାହିଁ। ଏହି ପରିପ୍ରେକ୍ଷୀରେ ଜର୍ମାନୀର ଶାସକ ହିଟ୍‌ଲରଙ୍କ ପ୍ରତି ବ୍ରିଟେନର ଦୋମୁହାଁ ନୀତିକୁ ନେଇ ମହାତ୍ମା ଗାନ୍ଧୀ ଚିନ୍ତା ପ୍ରକଟ କରିଥିଲେ। ଗାନ୍ଧୀ ଲେଖିଥିଲେ, ମାନବିକତା ନାମରେ ଯଦି କାହା ବିରୁଦ୍ଧରେ ଏକ ଯୁଦ୍ଧ ହୋଇପାରିବ, ତେବେ ଏହା କେବଳ ଜର୍ମାନୀ ବିରୁଦ୍ଧରେ ହେବ। କିନ୍ତୁ ସେତେବେଳକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇ ନ ଥିଲା। ସେପ୍ଟେମ୍ବର ୧୯୩୯ରେ ୨ୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା। ଜର୍ମାନୀ ଦ୍ୱାରା ଏହା ଆରମ୍ଭ ହୋଇଥିଲା। ଏହି ଘଟଣାରୁ ଗାନ୍ଧୀଙ୍କ ଦୂରଦୃଷ୍ଟି ଅନୁମେୟ। ଏହା ଅତ୍ୟନ୍ତ ସ୍ପଷ୍ଟ ଯେ ରାଷ୍ଟ୍ର ଏବଂ ରାଷ୍ଟ୍ରୀୟତାର ପରିକଳ୍ପନା ବିଷୟରେ ଗାନ୍ଧୀଙ୍କ ଦୃଷ୍ଟିକୋଣ ଅତ୍ୟନ୍ତ ସ୍ପଷ୍ଟ ଥିଲା। କିନ୍ତୁ ଆମକୁ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ଘଟୁଥିବା ଘଟଣାଗୁଡ଼ିକୁ ବର୍ତ୍ତମାନର ସନ୍ଦର୍ଭରେ ଦେଖିବାକୁ ପଡ଼ିବ । ଏହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯେ ଜାତିସଂଘର ଇସ୍ରାଏଲ ଗଠନ ପ୍ରସ୍ତାବରେ ଇସ୍ରାଏଲ ଓ ପାଲେଷ୍ଟାଇନ ଦୁଇଟି ସ୍ବାଧୀନ ରାଷ୍ଟ୍ର ମଧ୍ୟରୁ ପାଲେଷ୍ଟାଇନ କାହିଁକି ଏପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ରାଷ୍ଟ୍ର ହୋଇପାରିଲା ନାହିଁ।
ବୈପାରୀଗୁଡ଼ା, କୋରାପୁଟ,
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri