ଗଣତନ୍ତ୍ର ଓ ଏକ କଥିତ କାହାଣୀ

ହରେକୃଷ୍ଣ ପଣ୍ଡା

ସବୁ କ୍ଷେତ୍ରରେ ପରିଚାଳକଙ୍କର ଏକ ଦୃଷ୍ଟିଭଙ୍ଗୀ ଥାଏ। ସେହି ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ ଅପାର ଆନନ୍ଦ ବା ନିରାନନ୍ଦ, ସ୍ବଚ୍ଛତା ବା ଭ୍ରଷ୍ଟାଚାରିତା। ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ସେହିଭଳି ଏକ ସ୍ବଚ୍ଛ ଦୃଷ୍ଟିଭଙ୍ଗୀ ଓ ଦୂରଦୃଷ୍ଟିର ଆବଶ୍ୟକତା ରହିଛି ଆଜିର ନେତୃବର୍ଗଙ୍କର। ଏ ସମ୍ପର୍କରେ ଗୋଟିଏ କଥିତ କାହାଣୀର ପର୍ଯ୍ୟାଲୋଚନା କରାଯାଇପାରେ। ଏକଦା ଭାରତରେ କୌଣସି ଏକ ସ୍ଥାନରେ ଜଣେ ସର୍କସପ୍ରେମୀ ବ୍ୟକ୍ତି ଥିଲେ। ସେ ସର୍ବଦା ସ୍ବପ୍ନ ଦେଖୁଥିଲେ ଗୋଟିଏ ସର୍କସ ଦଳ ଗଢ଼ିବା ପାଇଁ। ପୁଣି ସେହି ସର୍କସ ଦଳଟି ସାରା ପୃଥିବୀ ମଧ୍ୟରେ ଶ୍ରେଷ୍ଠ ଦଳ ହୁଅନ୍ତା, ତାଙ୍କର ଇଚ୍ଛା ଥିଲା। ସମୟ ଉପନୀତ ହେଲା, ସର୍କସ ଦଳ ଗଢ଼ିବା ପାଇଁ ସୁଯୋଗ ଆସିଲା। ବିଭିନ୍ନ ଚମକତ୍ାର କଳା, କୌଶଳ ପ୍ରଦର୍ଶନ କରିପାରିବା ଭଳି ଖେଳାଳି ମିଳିଗଲେ। ବାଘ, ସିଂହ ଆଦି ହିଂସ୍ର ପ୍ରାଣୀମାନଙ୍କୁ ଖେଳକୁଦ ବ୍ୟାୟାମ ଶିଖାଇ ପାରିବା ଭଳି ଓସ୍ତାଦ ଶିକ୍ଷାବିତ ମଧ୍ୟ କିଛିଦିନ ଖୋଜିବା ପରେ ମିଳିଯାଇଥିଲେ। ପୃଥିବୀର ବିଭିନ୍ନ ସ୍ଥାନରୁ ବାଛି ବାଛି ସେହି ମାଲିକ ଆଣିଲେ ବିରାଟ ଏକ ସିଂହ, ଦୁଇଟି ସିନ୍ଧୁ ଘୋଟକ, ଗୋଟିଏ ଧଳା ଭାଲୁ, ପ୍ରକାଣ୍ଡ ଚେହେରା ଥିବା ଐରାବତ। ସେମାନଙ୍କୁ ଓସ୍ତାଦ ବିଭିନ୍ନ ପ୍ରକାର ଖେଳ ତାଙ୍କ ସ୍ବଭାବ ଅନୁଯାୟୀ ଶିଖାଇଲେ। ସେମାନଙ୍କ ଖେଳ ଦେଖି ସମସ୍ତେ ଚମତ୍କୃତ ହେଲେ। କିଛି ନର୍ତକ ନର୍ତକୀ ମଧ୍ୟ ମନୋମୁଗ୍ଧକର ନୃତ୍ୟ ପରିବେଷଣ କଲେ। ଏହାପରେ ମାଲିକଙ୍କୁ ମିଳିଗଲା ଗୋଟିଏ ଜିରାଫ। ତା’ର ବିରାଟ ଲମ୍ବା ବେକ, ଏହାକୁ ଦେଖି ସମସ୍ତେ କହିଲେ, ବେଶ୍‌ ଜମିବ ଏହି ସର୍କସ। ଏହାପରେ ଆବଶ୍ୟକ ପଡ଼ିଲା ଜୋକର ବା କ୍ଲାଉନ। ଯିଏ ନାନା ବିଚିତ୍ର ସାଜସଜ୍ଜାରେ ସଜ୍ଜିତ ହୋଇ ନାନା ପ୍ରକାର ବେଶଭୂଷାରେ ରଙ୍ଗ ବେରଙ୍ଗ ପୋଷାକରେ ହାସ୍ୟକର ଭାବ ଭଙ୍ଗୀରେ ଲୋକଙ୍କର ମନୋରଞ୍ଜନ କରାଇଥାଆନ୍ତି। ଶେଷ ଯାଏ ଦଳରେ ଅଶ୍ୱ ଆସି ନ ଥାଆନ୍ତି। ଶେଷରେ ଏକାଭଳିଆ ତିନିଗୋଟି ଅଶ୍ୱ ମିଳିଲେ, ଯାହାକୁ କହିହେବ ପକ୍ଷୀରାଜ। ତିନୋଟି ଝିଅ ଛୁଟନ୍ତା ଘୋଡ଼ା ଉପରକୁ ଡେଇଁ, ନାଚି କୁଦି ନାନା ରଙ୍ଗର କସରତ ଦେଖାଇ ଦର୍ଶକମାନଙ୍କୁ ଚକିତ କରିଦେଲେ। ବାସ୍‌ ଏବେ ସର୍କସ ଦଳ ଖେଳ ପ୍ରଦର୍ଶନ କରିବାକୁ ସମର୍ଥ ଅବସ୍ଥାକୁ ଆସିଗଲା। ସବୁ ଠିକ୍‌ଠାକ୍‌ ହୋଇଗଲା। ଏଥର ଆରମ୍ଭରୁ ଶେଷ ଯାଏ ରିହର୍ସଲ ଚାଲିବ। କିନ୍ତୁ ଦେଖାଗଲା କେଉଁଠି ଯେପରି କିଛି କାଣ୍ଡ ଘଟି ଯାଇଛି; ଯାହା ପାଇଁ ସବୁ ଖେଳାଳିଙ୍କ ମୁହଁରେ ବିଷାଦ, ଉତ୍ସାହହୀନତା ଦେଖାଦେଇଛି। ତାହା ସ୍ପଷ୍ଟ ବାରି ହୋଇପଡୁଛି। ସର୍କସର ମାଲିକ ଦେଖିଲେ ଅଂଶୀଦାରଙ୍କ ମୁହଁରେ ନିରାଶା, ହତାଶା ଓ କାନ୍ଦ କାନ୍ଦ ଭଳି ଅବସ୍ଥା। ଏହିଭଳି ଅବସ୍ଥାରେ ସର୍କସ ମାଲିକ ସମସ୍ତଙ୍କୁ ଗୋଟି ଗୋଟି କରି ପଚାରିଲେ କ’ଣ ପାଇଁ ତୁମେ ସବୁ ଏପରି ବିଷଣ୍ଣ ହୋଇପଡ଼ିଛ? ମାତ୍ର କେଉଁଠି ଯେ ଅଭାବ, ତାହା ସେମାନଙ୍କୁ ସିନା ଜଣା ଥିଲେ। ହଠାତ୍‌ ଗୋଟିଏ ହାତୀଠାରୁ ହିଁ ସେ ଇଙ୍ଗିତ ମିଳିଲା। ହାତୀଟି ମାଲିକ ପାଖକୁ ଯାଇ ଆପଣାଲୋକ ପରି ସଂଗୋପନରେ କହିଲା ଟିକିଏ ସଙ୍କୁଚିତ ହୋଇ, ଆପଣ ସେଇ ଅମୁକ ଜିନିଷଟିର କିଛି ବ୍ୟବସ୍ଥା କରି ନାହାନ୍ତି, ସେଥିପାଇଁ ସମସ୍ତଙ୍କର ମନ ଊଣା। ସେ ଜିନିଷଟିର ଯୋଗାଡ଼ କରନ୍ତୁ ଆଗେ, ନ ହେଲେ ଆପଣଙ୍କର ଏତେ ପରିଶ୍ରମ ସବୁ ପଣ୍ଡ ହୋଇଯିବ। ମାଲିକ ବହୁତ ଖୁସି ହୋଇ ହାତୀଟିର ପିଠିରେ ହାତ ବୁଲାଇଦେଲେ। ସେ ଜିନିଷଟି ହେଉଛି ‘ବ୍ୟାଣ୍ଡ ପାର୍ଟି’। ଏକଥା ଶୁଣି ସମସ୍ତେ ଉତ୍‌ଫୁଲ୍ଲିତ ହୋଇଗଲେ। ଖେଳାଳିମାନେ ମଧ୍ୟ ଆନନ୍ଦରେ ନାଚି ଉଠିଲେ।
ଏହା ବର୍ଣ୍ଣନା କରିବାର ତାତ୍ପର୍ଯ୍ୟ ହେଉଛି, ଆମ ଦେଶରେ ଯେଉଁ ଗଣତନ୍ତ୍ର ଶାସନ ଚାଲିଛି, ସେଥିରେ ଉତ୍ସାହ ଓ ଉଦ୍ଦିପନା ନ ଥିବା ଭଳି ମନେହୁଏ। କୁହାଯାଏ ଯେ, ଗଣତନ୍ତ୍ର ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନେ ପ୍ରତିନିଧିତ୍ୱ କରୁଛନ୍ତି ରାଜ୍ୟରେ ହେଉ ବା କେନ୍ଦ୍ରରେ ହେଉ ସେମାନଙ୍କ ମଧ୍ୟରେ ନୂତନ ଉଦ୍ଦିପନା ଦେଖାଯାଏ ନାହିଁ। ସଂସଦରେ ହେଉ ବା ବିଧାନସଭାରେ ହେଉ ବିଭିନ୍ନ ମୂଲ୍ୟବୋଧର ବ୍ୟକ୍ତି ପ୍ରତିନିଧିତ୍ୱ କରନ୍ତି। ଏକାଦିକ୍ରମେ ଜଣେ ଜଣେ ୫ ରୁ ୬ ଥର ନିର୍ବାଚିତ ହୋଇ ସଂସଦକୁ ବା ବିଧାନସଭାକୁ ଆସୁଛନ୍ତି। ସେମାନଙ୍କଠାରୁ ଜନସାଧାରଣ ଯେଉଁ ପ୍ରକାର ସ୍ବଚ୍ଛତା, ସାର୍ବଜନୀନତା,ସାମାଜିକ ନ୍ୟାୟ ଆଶା କରୁଛନ୍ତି ତାହା ପାଇପାରନ୍ତି ନାହିଁ। କାରଣ ପ୍ରତିନିଧିମାନଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଅମଲାତନ୍ତ୍ର ଶାସନକୁ ନିୟନ୍ତ୍ରଣ କରି ଆସୁଛନ୍ତି। ପ୍ରତି ନିର୍ବାଚନରେ ବିଜୟ ହାସଲ କରୁଥିବା ଦେଶ ବା ରାଜ୍ୟରେ ନେତୃବର୍ଗ ଯେଉଁ ନୂତନ ଉଦ୍ଦିପନା ନେଇ ଦେଶ ପାଇଁ ଲୋକଙ୍କ ଲାଗି ସେବକ ଭାବେ ନିଜକୁ ଉତ୍ସର୍ଗ କରିବା କଥା ତାହା ଉପଲବ୍ଧ ହୋଇପାରୁ ନ ଥିବା ଦେଖାଯାଏ। ଗଣତାନ୍ତ୍ରିକ ଶାସନ ଏକ ନିରନ୍ତର ପ୍ରକ୍ରିୟା ବୋଲି ଭାବିବା ଉଚିତ ନୁହେଁ। କାରଣ ସମଗ୍ର ପୃଥିବୀଟା ବିବର୍ତ୍ତନ ଧାରା ମଧ୍ୟରେ ଗତି କରୁଛି। ସେଥିପାଇଁ ସବୁବେଳେ ନୂତନତ୍ୱର ଆବଶ୍ୟକତା ରହିଛି। ଦେଶବାସୀଙ୍କ ଆଶା ଆକାଂକ୍ଷା ଅନୁରୂପ ଭାବେ ବଦଳି ଚାଲିଛି। ପ୍ରତି ମୁହୂର୍ତ୍ତରେ ନୂତନ ସମସ୍ୟାମାନ ମୁଣ୍ଡ ଟେକି ଉଠୁଛି। ତେଣୁ ପ୍ରତିନିଧିମାନଙ୍କ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ମଧ୍ୟ ଆବଶ୍ୟକ କରୁଛି। କେବଳ ସେତିକି ନୁହେଁ, ସୁଶାସନ, ସ୍ବଚ୍ଛ ଶାସନ ପାଇଁ ଯେଉଁ ଉଦ୍ଦିପନା ଆବଶ୍ୟକ ତାହା ଉଚ୍ଚ ନେତୃବର୍ଗଙ୍କଠାରୁ ଆସିଥାଏ। ସର୍କସରେ ବ୍ୟାଣ୍ଡପାର୍ଟିର ଆବଶ୍ୟକତା ଯେମିତି ନିହାତି ଆବଶ୍ୟକ, ଠିକ୍‌ ସେପରି ଦେଶର ପ୍ରତିନିଧିଙ୍କ ପାଇଁ ସମତାଳରେ ଗତି କରିବା ଲାଗି ନେତୃତ୍ୱର ସ୍ବର ବା ସ୍ଲୋଗାନର ଆବଶ୍ୟକତା ରହିଛି। ରାଜ୍ୟ ବା ଦେଶର ମୁଖ୍ୟମାନଙ୍କ ବାଦ୍ୟ ସ୍ବର ଏମିତି ହେବା ଉଚିତ ଯେ, ଜାତୀୟ ସଂହତି, ବିବିଧତା ମଧ୍ୟରେ ଏକତା, ଜାତୀୟ ପ୍ରେମ, ସମ୍ବିଧାନ ପ୍ରତି ଆନୁଗତ୍ୟ। ଏଥିପ୍ରତି ଶାସକ ହୁଅନ୍ତୁ ବା ବିରୋଧୀ ହୁଅନ୍ତୁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ। ।
ଗଣତାନ୍ତ୍ରିକ ଦେଶରେ ସୁଶାସନ ପାଇଁ ବ୍ୟାଣ୍ଡ ପାର୍ଟି ବା ମଧୁର ବାଦ୍ୟଯନ୍ତ୍ରର ଆବଶ୍ୟକତା ପରିଲକ୍ଷିତ ହୁଏ। ଏଠାରେ ବାଦ୍ୟଯନ୍ତ୍ର କହିଲେ ନେତୃତ୍ୱର ପରାକାଷ୍ଠା ବା ଶାସକ ବର୍ଗଙ୍କ ସମର୍ପିତ ମନୋଭାବ। ଏଭଳି ଏକ ଆଶା ଆକାଂକ୍ଷା ଦେଶବାସୀଙ୍କ ମଧ୍ୟରେ ବହୁ ଦିନରୁ ତାଙ୍କ ଅନ୍ତଃ ପ୍ରଦେଶରେ ରହି ଆସିଛି। ତାହା ହୁଏତ ପୂରଣ ହୋଇପାରେ। ଏବେ ଭାରତୀୟ ଗଣତନ୍ତ୍ରରେ ଯେପରି ନୂତନ ସମୀକରଣ ଘଟି ଚାଲିଛି, ତାହା ହୁଏତ ନୂତନ ସୂର୍ଯ୍ୟୋଦୟ ଆସିବାର ଆଶା କରାଯାଇପାରେ। ଆଜି ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରରେ ବିଷମ ସ୍ଥିତି ଉପୁଜି ଆସିଛି। ଜନସାଧାରଣଙ୍କ ଆଶା ଆକାଂକ୍ଷା ଏକପ୍ରକାର ହୋଇଥିବା ବେଳେ ଶାସକମାନଙ୍କ ଇଚ୍ଛାଶକ୍ତି ଅନ୍ୟପ୍ରକାର, ବିରୋଧୀଙ୍କ କାର୍ଯ୍ୟଧାରା ସମ୍ପୂର୍ଣ୍ଣ ଭିନ୍ନ ଧରଣର। ସର୍କସରେ ଯେମିତି ମାଲିକ ଦର୍ଶକମାନଙ୍କ ମନକୁ ନେଇ ନିଜର ସଂଗଠନକୁ ପ୍ରସ୍ତୁତ ଓ ମଜଭୁତ କରିଥାଏ, ସେହିପରି ଜନତାଙ୍କ ଆକାଂକ୍ଷାକୁ ବିଚାର କରି ଜନ ପ୍ରତିନିଧିମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।
ସୟଦପୁର, ଯାଜପୁର
ମୋ:୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri