ଖଣିରେ ମୃତ୍ୟୁ

ବେଆଇନ ଖଣି ଖନନ ଭାରତରେ ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବେ ରହିଆସିଛି। ଏ ନେଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ବେଆଇନ କାର୍ଯ୍ୟକୁ ରୋକିପାରୁ ନାହିଁ। ଏଥିସହିତ ଦେଶର ବିଭିନ୍ନ ଭାଗରେ ଏ ସଂକ୍ରାନ୍ତ ଦୁର୍ଘଟଣା ଖବର ବର୍ଷତମାମ ଶୁଣିବାକୁ ମିଳିଥାଏ। ୧୩ ଡିସେମ୍ବର ୨୦୧୮ରେ ମେଘାଳୟର ଜୟନ୍ତିଆ ପାର୍ବତ୍ୟାଞ୍ଚଳରେ ବେଆଇନ କୋଇଲା ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩ ନିଖୋଜ ଥିବା ବିଷୟ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖଣି ମାଲିକ ଓ ଦଲାଲମାନେ ଅତ୍ୟନ୍ତ ଅବୈଜ୍ଞାନିକ ଉପାୟରେ ଶ୍ରମିକମାନଙ୍କୁ ସୁଡ଼ଙ୍ଗ ଭିତରେ ପ୍ରବେଶ କରାଇ କୋଇଲା ଚୋରିକୁ ପ୍ରୋତ୍ସାହିତ କରି ଚାଲୁଥିବାରୁ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗରିବ ଶ୍ରମିକମାନେ ପେଟ ପାଇଁ ନିଜର ସୁରକ୍ଷାକୁ ବାଜି ଲଗାଇ ଦେବା ଯୋଗୁ ଦୁର୍ଘଟଣା ଘଟୁଛି। ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଚିନ୍ତା କରାଯାଏ ଯେ, ମେଘାଳୟ ଘଟଣା ସମ୍ପୂର୍ଣ୍ଣ ଭାବେ ଲୋକଙ୍କ ମାନସପଟରୁ ଉଭେଇ ଗଲାଣି। ଗଣମାଧ୍ୟମରେ ଯେତେଶୀଘ୍ର କାହାଣୀ ବଦଳୁଛି, ଦେଶର ନାଗରିକ ମଧ୍ୟ ସେତେଶୀଘ୍ର ପୂର୍ବ ଘଟଣାକୁ ଭୁଲି ଯାଉଛି।
ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାରେ ବେଆଇନ ଖଣି ଖନନ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଛି। ଏଥିଲାଗି ବିଭିନ୍ନ ସମୟରେ ଖଣି ମାଲିକମାନଙ୍କୁ ତାଗିଦ୍‌ କରାଯାଇ ସେମାନଙ୍କ ଉପରେ ଜରିମାନା ଲଦାଯାଇଛି। ଲିଜ୍‌ ଅଞ୍ଚଳ ବାହାରକୁ ଯାଇ ପ୍ରାକୃତିକ ସମ୍ପଦ ହରିଲୁଟ୍‌ କରିବାର ନଜିର ଅନେକ ରହିଛି। ୮ ଜୁନ୍‌ରେ କେନ୍ଦୁଝରଠାରୁ ୭ କିଲୋମିଟର ଦୂର ତୁଳସୀଚଉରା ଗ୍ରାମ ନିକଟରେ ଥିବା ପଥର ଖଣିରୁ ମୋରମ ଉତ୍ତୋଳନ ହେଉଥିବା ବେଳେ ଏହା ଧସିଯିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶୁଣିବାକୁ ମିଳିଛି ଯେ, ୫ ବର୍ଷ ତଳେ ଜଣେ ଠିକାଦାର ରାସ୍ତା କାମ ପାଇଁ ଏହି ଖଣି ଖୋଳିଥିଲେ। ଦୀର୍ଘ ଦିନ ଧରି ଏହା ବନ୍ଦ ରହିଥିବା ବେଳେ ୮ ଜୁନ୍‌ରେ ମୋରମ ଆଣିବା ପାଇଁ କେତେ ଜଣ ଶ୍ରମିକ ଏହି ଖଣିର ନିମ୍ନଭାଗ ଦେଇ ଭିତରକୁ ପଶି ଖୋଳା ଆରମ୍ଭ କରିଥିଲେ। ଏହି ସମୟରେ ଅତଡ଼ା ଧସିଯିବାରୁ ୪ ଶ୍ରମିକ ଏହା ତଳେ ପୋତି ହୋଇ ଯାଇଥିଲେ। ଉକ୍ତ ଅଞ୍ଚଳରୁ ଆଖପାଖ ଇଲାକାର ଠିକାଦାର, କ୍ରଶର ମାଲିକ ପଥର ଓ ମୋରମ ଖୋଳି ଆସୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର କୌଣସି ଅଙ୍କୁଶ ରହୁ ନ ଥିବାରୁ ଏପରି ଦୁର୍ଘଟଣା ଘଟିଚାଲିଛି। କେବଳ କେନ୍ଦୁଝର ନୁହେଁ, ଏହାର ପାଖ ଜିଲା ଯାଜପୁରରେ ବେଆଇନ ପଥର ଚାଲାଣ ହୋଇଆସୁଛି। ବିଶେଷକରି ଡଙ୍କାରୀ ପାହାଡ଼ ପଦା ହୋଇ ଯାଉଥିବାରୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବେଆଇନ ଖଣି କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସେମାନଙ୍କୁ ଭିତିରିଆ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ୨୫ କୋଟି ଟଙ୍କାର ଜରିମାନା ଆଦାୟ କରିବା ଲାଗି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶରେ କୁହାଯାଇଥିଲା ଯେ, ଯେଉଁ ପ୍ରଶାସନିକ ଅଧିକାରୀଙ୍କ ସମୟରେ ଏଭଳି କାର୍ଯ୍ୟ ହୋଇଥିଲା; ସେମାନଙ୍କଠାରୁ ମଧ୍ୟ ଜରିମାନା ଅର୍ଥ ଆଦାୟ କରାଯିବା ବାଞ୍ଛନୀୟ। ଆଦାୟ ଅର୍ଥ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ନିକଟରେ ଦାଖଲ କରାଯିବାକୁ କୁହାଯାଇଥିଲା। ହେଲେ ଏନ୍‌ଜିଟିଙ୍କ ଏଭଳି ନିର୍ଦ୍ଦେଶ ବିରୋଧରେ ଜିଲା ପ୍ରଶାସନ ସୁପ୍ରିମକୋର୍ଟ ଯାଇଛନ୍ତି, ଯାହାକି ଏବେ ବିଚାରାଧୀନ ରହିଛି। ଭାଇ ବିରାଦରି ହେଉ ବା ଅର୍ଥ ଆଦାୟ କରିବାର ଜଞ୍ଜାଳରୁ ଦୂରେଇ ରହିବା ପାଇଁ ବର୍ତ୍ତମାନର ଅଧିକାରୀମାନେ ଅଦାଲତ ଆଶ୍ରୟକୁ ସହଜ ବାଟ ଭାବେ ଧରି ପୂର୍ବ ଅଧିକାରୀଙ୍କ କୁକର୍ମକୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଏଥିରୁ ବୁଝିବାକୁ ହେବ ଯେକୌଣସି ଏକ ବେଆଇନ କାର୍ଯ୍ୟକୁ ରୋକିବା ଲାଗି ପ୍ରଶାସନିକ ତତ୍ପରତା ଦେଖାଯାଉ ନାହିଁ। ସ୍ଥାନୀୟ ଅଞ୍ଚଳର ଖଣି ଦଲାଲଙ୍କ ସହ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଆଜି ପ୍ରାକୃତିକ ସମ୍ପଦ ମାଟିତଳୁ ଲୁଟ୍‌ ହେବାରେ ଲାଗିଛି। ସେହିଭଳି ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳୁଛି। ନିର୍ମାଣ ଶିଳ୍ପ ତିଷ୍ଠିବାକୁ ହେଲେ ବାଲି ଓ ପଥର ଉପରେ ଏହା ଅତ୍ୟନ୍ତ ନିର୍ଭରଶୀଳ। ସରକାରୀ ନିୟମାବଳୀ ଅନୁଯାୟୀ ଉତ୍ତୋଳନ କରାଗଲେ ପ୍ରାକୃତିକ ସମ୍ପଦକୁ ନିୟନ୍ତ୍ରଣ ମଧ୍ୟରେ ରଖାଯାଇପାରନ୍ତା। ଏଠାରେ କେବଳ ସରକାର ସବୁକିଛି କରିବେ ବୋଲି ଆଶା ରଖିବା ଠିକ୍‌ ନୁହେଁ। ଏହିସବୁ କାମରେ ସମ୍ପୃକ୍ତ ଠିକାଦାର ଏବଂ ତାଙ୍କ କର୍ମଚାରୀ ମଧ୍ୟ ଉତ୍ତରଦାୟୀ ହେବା ଉଚିତ। ଯେହେତୁ କାହାରି କାନ୍ଧରେ ଦାୟିତ୍ୱ ପଡ଼ୁନାହିଁ, ସେହେତୁ ସବୁ ଦିଗରେ ବିନା ଲଗାମରେ କାର୍ଯ୍ୟ କରାଯାଉଛି। ପରିସ୍ଥିତି ଦେଖିଲେ କେହି ପ୍ରକୃତି କିମ୍ବା ସରକାରୀ ନିୟମକୁ ମାନିଲା ଭଳି ମନେ ହେଉନାହିଁ। ବେଆଇନ କାର୍ଯ୍ୟକୁ ରୋକିବାକୁ ହେଲେ କଡ଼ା ଆଇନ କରିଦେଲେ ଚଳିବ ନାହିଁ, ଏହାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିଙ୍କ ପ୍ରତିବଦ୍ଧତା ମଧ୍ୟ ରହିବା ଦରକାର। ଏହା ନ ହେବାଯାଏ ପ୍ରାକୃତିକ ସମ୍ପଦ ଲୁଟେରା ମାଲାମାଲ ହେଉଥିବେ ଓ ଶ୍ରମିକ ଶ୍ରେଣୀ ମୃତ୍ୟୁ ଜାଲରେ ପଡ଼ୁଥିବେ। ସର୍ବୋପରି ପ୍ରାକୃତିକ ଅସନ୍ତୁଳନ ଜନସାଧାରଣଙ୍କ ପାଇଁ ବିପଦ ଡାକି ଆଣୁଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri