କୁକୁଡ଼ା ବଞ୍ଚିଲେ ସୁନାର ଅଣ୍ଡା

ରଞ୍ଜନ କୁମାର ଦାସ
ଚାକିରି କରୁଥିବା ଲୋକଙ୍କୁ ଭଲରେ ଅଛନ୍ତି ଭାବି ଅନ୍ୟମାନେ ଈର୍ଷା କରନ୍ତି। ସମସ୍ତଙ୍କର ଧାରଣା ଯିଏ ଥରେ ଚାକିରିଟେ ପାଇଗଲା ତା’ ଜୀବନ ସାର୍ଥକ ହୋଇଗଲା। ଯେତେବେଳେ ଯାହା ଖାନାପିନା, ମୌଜମସ୍ତି ଚାହିଁବ ସବୁ ହାସଲ କରିପାରିବ। କିନ୍ତୁ ଜଣେ ଚାକିରିଜୀବୀର ଜୀବନ ଆଜିକାଲି କେତେ ବ୍ୟସ୍ତବହୁଳ ସେକଥା ଅନୁଭବୀ ହିଁ ଜାଣେ। କୋଡ଼ିଏ ତିରିଶବର୍ଷ ତଳର ସ୍ଥିତି ଆଉ ନାହିଁ। ସେତେବେଳେ ଜଣେ ଯେମିତି ଚାହୁଁଥିଲା ସେମିତି ଜୀବନକୁ ଉପଭୋଗ କରିପାରୁଥିଲା। ଏବେ ସରକାରୀ ଦପ୍ତର ହେଉ ବା ବ୍ୟାଙ୍କ୍‌, ଇନ୍‌ସ୍ୟୁରାନ୍ସ, ବ୍ୟବସାୟ ଓ ଉଦ୍ୟୋଗ ସବୁଠି ଜୀବନ ବ୍ୟସ୍ତବହୁଳ। ଯୋଉଠି ଜନସାଧାରଣଙ୍କୁ ସେବା ପ୍ରଦାନ କଥା ଉଠୁଚି ସେଠି ଲୋକେ ତ୍ୱରିତ ସେବା ଚାହୁଁଛନ୍ତି। ଆମ ସମୟରେ ଏଟିଏମ୍‌ କାର୍ଡର ପ୍ରଚଳନ ଏକ ନୂତନ ସେବା ପ୍ରଦାନ ଆନ୍ଦୋଳନର ସୂତ୍ରପାତ କରିଛି। ଏଟିଏମ୍‌ କାର୍ଡ ମେଶିନରେ ପୂରେଇବା ପରେ ଟଙ୍କା ବାହାରିବାକୁ ଯେତିକି ସମୟ ଲାଗୁଛି, ଲୋକେ ସବୁ କାର୍ଯ୍ୟାଳୟରେ ସେତିକି ସମୟ ଭିତରେ ସେବା ମିଳୁ ବୋଲି ଆଶା ରଖିଛନ୍ତି। ତେଣୁ କର୍ମଚାରୀମାନଙ୍କ ଉପରେ କାମର ଚାପ ଦିନକୁ ଦିନ ବଢୁଛି। ଟାର୍ଗେଟ୍‌ ହାସଲ ପାଇଁ ବସ୍‌ଙ୍କ ଆଡୁ ଚାପ, ତୁରନ୍ତ ସେବା ପ୍ରଦାନ ପାଇଁ ଲୋକଙ୍କ ଆଡୁ ଚାପ- ଏ ଭିତରେ କର୍ମଚାରୀମାନେ ସାଣ୍ଡୱିଚ୍‌ ହୋଇ ଯାଉଛନ୍ତି। କାମର ଚାପ ଯୋଗୁ କର୍ମଚାରୀମାନେ ମାନସିକ ରୋଗ ବ୍ୟତୀତ ହୃଦ୍‌ରୋଗ, ରକ୍ତଚାପ, ଡାଇବେଟିସ୍‌, ବ୍ରେନ୍‌ ଷ୍ଟ୍ରୋକ୍‌ ଆଦି ବିଭିନ୍ନ ରୋଗର ଶିକାର ହେଉଛନ୍ତି।
ଆଜିକାଲି କର୍ମଚାରୀମାନଙ୍କର ବ୍ୟକ୍ତିଗତ ସ୍ବାଧୀନତା ଧୀରେ ଧୀରେ କମି ଯାଉଛି। ବିଶେଷକରି ବିଭିନ୍ନ କମ୍ପାନୀ, ବ୍ୟବସାୟ ପ୍ରତିଷ୍ଠାନ ଆଦି କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଚବିଶଘଣ୍ଟା ଫୋନ୍‌, ଇ-ମେଲ୍‌, ହ୍ବାଟ୍ସଆପ୍‌୍‌ରେ ଯୋଡି଼ହେଇ ରହିଥାନ୍ତି। ଅଫିସରେ ଲଞ୍ଚ ମଧ୍ୟ ଠିକ୍‌ଭାବରେ କରିପାରନ୍ତି ନାହିଁ। ଘରକୁ ଫେରିବାବେଳେ ବାଟରେ, ଏପରିକି ଘରକୁ ଫେରିଲା ପରେ ମଧ୍ୟ କାମ ତାଙ୍କ ପିଛା ଛାଡ଼େନି। ସେମାନେ ଆଖିରେ ମୋଟା ମୋଟା ଲେନ୍ସର ଚଷମା ଲଗେଇ, ଲ୍ୟାପ୍‌ଟପ୍‌ ବା ମୋବାଇଲକୁ ଧରି ଗାଡ଼ିରେ ହେଉ ବା ଶୋଇବା ଶେଯରେ ହେଉ ରାତିଅଧ ଯାଏ ଠିକ୍‌ଠାକ୍‌ କରୁଥାନ୍ତି। ସ୍ତ୍ରୀ ଓ ପିଲାମାନଙ୍କ ସହ ମଧ୍ୟ ଭଲରେ କଥାଟିକେ ହେବାକୁ ତାଙ୍କ ପାଖରେ ସମୟ ନ ଥାଏ। ଏପରିକି ସେମାନେ ବହୁକଷ୍ଟରେ ଛୁଟିନେଇ କେତେବେଳେ କେମିତି ପରିବାର ସହ କୋଉ ହିଲ୍‌ଷ୍ଟେଶନ କି ହଲିଡେ ସ୍ପଟ୍‌ରେ ଥିଲାବେଳେ ମଧ୍ୟ ଏ କାମର ଭୂତ ତାଙ୍କ ପିଛା ଛାଡ଼େନା। ଘଣ୍ଟାକୁ ଘଣ୍ଟା ସେମାନେ ମୋବାଇଲ ଓ ଲ୍ୟାପ୍‌ଟପ୍‌ ଚେକ୍‌ କରୁଥାନ୍ତି କିଛି କାମର ବରାଦ ଆସିଲା କି, ବିଜିନେସ୍‌ ଠିକ୍‌ଠାକ୍‌ ଚାଲିଚି କି ନାହିଁ, କୋଉଠି କିଛି ଅସୁବିଧା ହେଲା କି? ୟାକୁ ଆଜିକାଲି ଡାକ୍ତରୀ ଭାଷାରେ ଟେଲିପ୍ରେସର ବୋଲି କୁହାଯାଉଛି। ଏଥିଯୋଗୁ ମାନସିକ ଅବସାଦ ବଢ଼ିବା ସହ ବ୍ୟକ୍ତିଗତ ଓ ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହେଉଛି।
ସମସାୟିକ ଜଗତରେ ଯନ୍ତ୍ରପାତି ବା ଗ୍ୟାଜେଟ୍ସ ମଣିଷର ଜୀବନକୁ ନିୟନ୍ତ୍ରଣ କରୁଛି। ଅଫିସ୍‌କୁ ଛାଡ଼ି ଆସିଲା ପରେ ମଧ୍ୟ ଅଫିସ ଆମକୁ ଛାଡୁନି, ଠିକ୍‌ ବେତାଳ ବିକ୍ରମାଦିତ୍ୟଙ୍କ କାନ୍ଧରୁ ନ ଓହ୍ଲେଇଲା ପରି। ସତ କହିଲେ ଦାପ୍ତରିକ ଜଗତରେ କର୍ମଚାରୀଙ୍କୁ ସୁନାଅଣ୍ଡା ଦିଆ କୁକୁଡ଼ା ଭଳି ବ୍ୟବହାର କରାଯାଏ। କୁକୁଡ଼ାଟି ଦିନରେ ଥରେ କେବଳ ଅଣ୍ଡା ଦେଇପାରିବ ଏକଥା ମାଲିକ ଭୁଲିଯାଏ। ୟା ଫଳରେ ଅନିଶ୍ଚିତତା ଭିତରେ କୁନ୍ଥେଇ କୁନ୍ଥେଇ କାମ କରୁଥିବା କର୍ମଚାରୀର ଦାପ୍ତରିକ ଓ ବ୍ୟକ୍ତିଗତ ଜୀବନ ଭିତରେ ପ୍ରଭେଦ କମିକମି ଯାଉଛି। ହସଖୁସି ପାଇଁ ସମୟ ରହୁନି। ମଣିଷ ମନମରା ହେଇ ରହୁଚି଼। ସବୁବେଳେ ଲାଗୁଚି ବସ୍‌ କିଛି ମେସେଜ୍‌ ଦେଇଥିବେ କି। ତୁରନ୍ତ ତାକୁ ନ ଦେଖିଲେ ସେ ରାଗିଯିବେ କି? ଦାୟିତ୍ୱହୀନ ବୋଲି ଭାବିବେ କି? ଆଉ ମେସେଜ୍‌ଟି ଥରେ ଦେଖିଦେଲା ପରେ ଭୟ ମାଡ଼ି ବସେ ଯେ ତୁରନ୍ତ ୟାର ସମାଧାନ ନ କଲେ ବସ୍‌ କହିବେ ତମେ ଇସ୍ୟୁଟା ଜାଣିଲାପରେ କାହିଁକି କିଛି ପଦକ୍ଷେପ ନେଲନି, ଚୁପ୍‌ଚାପ୍‌ ହେଇ ବସିଗଲ? ତମ ଭଳି ଲୋକ କମ୍ପାନୀରେ ଥାଇ ଲାଭ କ’ଣ? ଯଦି କାମ କରିବାର ଇଚ୍ଛା ନାହିଁ ଇସ୍ତଫା ଦେଇ ପଳାଅ। ଏମିତି ଗାଳି ଖାଇବାର, ଅପମାନିତ ହେବାର ଓ ଚାକିରିରୁ ବହିଷ୍କୃତ ହେବାର ଭୟ ସବୁବେଳେ ଜଣେ ଚାକିରିଆକୁ ବାବନାଭୂତ ଭଳି ଗୋଡ଼ାଉଥାଏ। ତା’ହେଲେ ଚାକିରି କରୁଥିବା ଲୋକଟି ଭଲରେ ଥିବ ବୋଲି ଆମେ ଭାବୁଚେ କାହିଁକି?
କର୍ମଜଞ୍ଜାଳ ଭିତରେ ବିଶ୍ରାମ ନେବାପାଇଁ ଛୁଟିର ବ୍ୟବସ୍ଥା ଅବଶ୍ୟ ଶ୍ରମ ଆଇନରେ ଅଛି। Universal declaration of Human Rightର Act 23 & 24ର ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତିବିଶେଷର ବିଶ୍ରାମ ଓ ଅବସର ନେବାର ଅଧିକାର ଅଛି। ମାତ୍ର ଅନେକ କ୍ଷେତ୍ରରେ ସେତକ ଛୁଟି ମିଳେନି। ରବିବାର ଓ ଅନ୍ୟ ଛୁଟିଦିନରେ ବସ୍‌ଙ୍କ ଡାକରା ଆସେ। ନ ଯିବାର ଜୁ ନ ଥାଏ ବିଚରା କର୍ମଚାରୀ ପାଖରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଇଏ ତ ତା’ର ମାନବିକ ଅଧିକାରର ଉଲ୍ଲଂଘନ। ମାତ୍ର ସରକାରୀ ବା ବେସରକାରୀ କର୍ମଚାରୀଟିଏ ଏଇ ସମସ୍ୟାକୁ ନେଇ ମାନବାଧିକାର କମିଶନକୁ ମଧ୍ୟ ଯାଇପାରେ ନାହିଁ। ଏ ଦିଗରେ ଏବେ ପୁନଃଚିନ୍ତନର ଆବଶ୍ୟକତା ଆସିଛି। ପିଲାବେଳର ସ୍କୁଲରେ ପଢ଼ିଥିବା ରାଇମ୍‌ ‘ଅଲ୍‌ ୱାର୍କ ଆଣ୍ଡ ନୋ ପ୍ଲେ, ମେକ୍‌ସ ଏ ଜ୍ୟାକ୍‌ ଏ ଡଲ୍‌ ବୟ’କୁ ଏବେ ଅନୁଭବ କରିବାର ସମୟ ଆସିଛି। ଏ ସଂକ୍ରାନ୍ତରେ ସାଂସଦ ସୁପ୍ରିୟା ସୁଲେ ୨୦୧୮ ଡିସେମ୍ବର ୨୮ରେ ସଂସଦରେ ଏକ ବିଧେୟକ ଆଣିଥିଲେ, ଯାହାର ନାଁ ହେଲା ‘ରାଇଟ୍‌ ଟୁ ଡିସ୍‌କନେକ୍ଟ’। ଭାରତରେ ଏହା ନୂଆ ହେଲେ ମଧ୍ୟ ଅନେକ ଦେଶ ଏବେ ଏହାକୁ ଆପଣେଇ ନେଲେଣି। ଫ୍ରାନ୍ସରେ ୨୦୧୭ ମସିହାରୁ ଏହା କାର୍ଯ୍ୟକ୍ଷମ ହେଲାଣି। ଏହି ଅଭିଯାନ ଫଳରେ ଅଫିସ୍‌ର କାର୍ଯ୍ୟନିର୍ଘଣ୍ଟ ଶେଷ ହେବାପରେ କର୍ମଚାରୀମାନଙ୍କୁ ଅଫିସ୍‌ରେ ତାଙ୍କ ଇଚ୍ଛା ବିରୁଦ୍ଧରେ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ କିମ୍ବା ଅଫିସିଆଲ୍‌ ଫୋନ କଲ୍‌, ଇମେଲ୍‌ ଓ ହ୍ବାଟ୍ସଆପ୍‌ ମେସେଜର ଉତ୍ତରଦେବାକୁ ଚାପ ସୃଷ୍ଟି କରାଯାଇପାରିବ ନାହିଁ। ଜଣେ କର୍ମଚାରୀ ଏଭଳି ପରିସ୍ଥିତିରେ ଉତ୍ତର ନ ଦେଲେ ତାହା ଅନୁପସ୍ଥିତି, ଅମନୋଯୋଗିତା ବା ଦାୟିତ୍ୱହୀନତା ରୂପେ ପରିଗଣିତ ହେବନାହିଁ। ଏହା କର୍ମଚାରୀମାନଙ୍କର ଚାପ ହ୍ରାସ କରିବା ସହିତ ସେମାନଙ୍କର ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ। ଡାକ୍ତରୀ ଓ ମନସ୍ତତ୍ତ୍ୱବିତ୍‌ଙ୍କ ଭାଷାରେ ଏହାକୁ ଡିଜିଟାଲ ଡିଟକ୍ସ ବା ଜୀବନରୁ ‘ବୈଦ୍ୟୁତିକ ବିଷହରଣ’ ପ୍ରକ୍ରିୟା କୁହାଯାଉଛି। ଫ୍ରାନ୍ସ ଛଡ଼ା ଫିଲିପାଇନ୍ସ, ସ୍ପେନ୍‌ ଭଳି ଦେଶ କରିଥିବା ବ୍ୟବସ୍ଥା ଅନୁଯାୟୀ କର୍ମଚାରୀମାନେ ଛୁଟି ସମୟରେ ଅଧିକାରୀଙ୍କ ଡାକରା, ଫୋନ୍‌କଲ୍‌ ବା ମେସେଜର ଉତ୍ତରଦେବାର ବାଧ୍ୟବାଧକତାରୁ ମୁକ୍ତ। ଫକ୍‌ସୱାଗନ, ଡେମ୍‌ଲର ଆଲିଆନ୍ସ, ବେୟର ଓ ହେଙ୍କେଲ୍‌ ଭଳି ବଡ଼ ବଡ଼ ୟୁରୋପୀୟ କମ୍ପାନୀ ଏବେ ସନ୍ଧ୍ୟା ଛଅରୁ ସକାଳ ସାତ ମଧ୍ୟରେ ତାଙ୍କ କମ୍ପାନୀର ସର୍ଭର ବନ୍ଦ କରିଦେଉଛନ୍ତି, ଯେମିତି କର୍ମଚାରୀମାନଙ୍କ ପାଖକୁ କୌଣସି ମେସେଜ ନ ଯାଏ। ଯଦି ଏହି ସମୟରେ କୌଣସି କର୍ମଚାରୀଙ୍କର ଆବଶ୍ୟକତା କମ୍ପାନୀ ପାଇଁ ଅନିବାର୍ଯ୍ୟ ମନେହୁଏ ତେବେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଅନୁରୋଧ କରିପାରନ୍ତି ଏବଂ ଏଥିନିମନ୍ତେ ପ୍ରତି ବଦଳରେ ତାଙ୍କୁ ଓଭରଟାଇମ୍‌ ଅର୍ଥ ଦେବାକୁ ମଧ୍ୟ ବାଧ୍ୟ। ଆମେରିକାରେ ୟାକୁ ନେଇ ଏବେ ବିଚାରବିମର୍ଶ ଚାଲିଛି। ଆମେରିକାରେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ବନ୍ଧୁ ଏବେ କହୁଥିଲେ ତାଙ୍କ କମ୍ପାନୀରେ କର୍ମଚାରୀମାନଙ୍କୁ ଯେଉଁ ୧୫ ଦିନ ବାର୍ଷିକ ବ୍ୟକ୍ତିଗତ ଛୁଟି ମିଳେ ତାକୁ ନେବାକୁ ଜଣେ କର୍ମଚାରୀ ବାଧ୍ୟ। ଧରନ୍ତୁ, ସେ ୧୫ ଦିନରୁ ୧୦ଦିନ ଛୁଟି ନେଲେ ଆଉ ପାଞ୍ଚଦିନ ନେଲେ ନାହିଁ। ତା’ହେଲେ କମ୍ପାନୀ ତାଙ୍କର ୫ଦିନର ଦରମା କାଟିଦେବ। କମ୍ପାନୀର କହିବା କଥା ହେଲା ଯଦି ସେ କର୍ମଚାରୀ ଛୁଟି ନ ନେଇ ଏଇ ଚିରାଚରିତ ଅଳିଆ ଭିତରେ ଘାଣ୍ଟିହେଲା ତା’ହେଲେ ତା’ର କାମରେ ମଧ୍ୟ ସେଇଭଳି ନକାରାମତ୍କ ପ୍ରତିଫଳନ ଦେଖାଯିବ। ଯଦି ସେ ଛୁଟି ଉପଭୋଗ କରିଥାନ୍ତା ତେବେ ଅଫିସ ଫେରିଲା ବେଳକୁ ଅପେକ୍ଷାକୃତ ଖୁସି ଭାବରେ ଫେରିଥାନ୍ତା ଓ ମନଫୂର୍ତ୍ତିରେ ଅଧିକ କାମ କରିଥାନ୍ତା। ଆମର ଏଠି ତ ପ୍ରତିବର୍ଷ କେତେ ନା କେତେ ଛୁଟି ଲାପ୍‌ସ କରେ। ଏଠି ଛୁଟି ଏକ ଅଧିକାର ନୁହେଁ। ଯୋଉ କର୍ମଚାରୀ ଘରକୁ ନ ଯାଇ ରାତି ଦଶଟା ଯାଏ ଅଫିସ୍‌ରେ ବସେ, ଛୁଟିଦିନରେ ଅଫିସ୍‌କୁ ଆସେ ତାକୁ କର୍ମନିଷ୍ଠ ଓ ନିୟମାନୁବର୍ତ୍ତୀ କର୍ମଚାରୀ ଭାବେ ବିବେଚନା କରାଯାଏ। ବାହାରକୁ ଯାଇ ଟିକେ ମାଇଣ୍ଡ ଫ୍ରେସ୍‌ କରି ଆସ ବୋଲି କୋଉ ଅଫିସର ତା’ ଅଧସ୍ତନ କର୍ମଚାରୀକୁ କେବେ କହେନାହିଁ। କମ୍ପାନୀ ବା ଅଫିସ ଦରମା ଦେଉଚି ମାନେ କର୍ମଚାରୀଙ୍କଠୁ କେମିତି କଡ଼ାଗଣ୍ଡା କରି ଆଦାୟ କରାଯାଇପାରିବ ତାହା ଆମେ ଚିନ୍ତାକରୁ। ତେଣୁ ଏଭଳି ଏକ ଅନୁଦାର ବ୍ୟବସ୍ଥା ଭିତରେ କାମ କରୁଥିବା କର୍ମଚାରୀଟି ଭାବେ, ଛୁଟି ଟିକେ ତ ମିଳୁନି, ତେଣୁ ପଇସାପତ୍ର ଯାହା ଯୋଉଠୁ ମିଳୁଚି ତାକୁ ବରଂ ଖାଇଯିବି, ଗୋଟେ ପ୍ରକାରେ କ୍ଷତିପୂରଣ ତ ହେଇଯିବ! କର୍ମଚାରୀମାନଙ୍କୁ ଅଧିକ ଉଦାରତା ପ୍ରଦର୍ଶନ କଲେ, ସୁସ୍ଥ ଓ ସକ୍ଷମ ରହିବାର ପରିବେଶ ଦେଲେ, ଚିନ୍ତା କରିବାର ସ୍ବାଧୀନତା ଦେଲେ, ଭଲ ଦରମା ଦେଲେ ସେମାନେ ଭଲ ରେଜଲ୍ଟ ଦେବାକୁ ନୈତିକଭାବେ ବାଧ୍ୟ ହେବେ। ତା’ପରେ ଯେତେ ଚାବୁକ ମାରିଲେ ସେମାନେ ଦେହକୁ ନେବେନାହିଁ। ମାତ୍ର ପେଟକୁ ନ ଦେଇ ପିଠିକୁ ମାରିଲେ ତାହା ବେଶି ଫଳ ଦେବନାହିଁ। କିଛି କମ୍ପାନୀ ଏବେ ‘ୱାର୍କିଂ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥା ମଧ୍ୟ ଆପଣେଇ ନେଲେଣି। ଏ ବ୍ୟବସ୍ଥା ଅନୁଯାୟୀ ଯଦି କର୍ମଚାରୀ ଜଣକ କୌଣସି ପାରିବାରିକ ଅସୁବିଧା କାରଣରୁ ଅଫିସ ଯାଇପାରୁନାହିଁ ତେବେ ସେ ଅନ୍‌ଲାଇନରେ ଲଗିଂ କରି ଘରୁ ମଧ୍ୟ କାମ କରିବାର ସ୍ବାଧୀନତା ପାଉଛି। ଅଫିସ୍‌ର କାମ ବି ହେଲା, କର୍ମଚାରୀ ତା’ ନିଜ ସମସ୍ୟାର ସମାଧାନ ବି କରିପାରିଲା। କଥା ହେଉଚି କୁକୁଡ଼ା ବଞ୍ଚିଲେ ତ ଯାଇ ପରଦିନ ସୁନା ଅଣ୍ଡାଟିଏ ଦେବ। କାମର ଚାପରେ ଯଦି କର୍ମଚାରୀ ରୂପକ କୁକୁଡ଼ାଟି ମରିଯିବ ତେବେ ସୁନା ଅଣ୍ଡା ଆଉ କିଏ ଦେବ?
ମୋ- ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri