କୀଟପତଙ୍ଗରୁ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପ୍ରକୃତିରେ କୌଣସି କ୍ଷତିକାରକ କୀଟପତଙ୍ଗ (ପେଷ୍ଟ) ବା ଅବାଞ୍ଛିତ ଘାସ (ଓ୍ବିଡ୍‌) ନାହିଁ। କିନ୍ତୁ ମଣିଷ ନିଜ ପାଇଁ ଖାଦ୍ୟ ଉତ୍ପାଦନ କଲାବେଳେ କିମ୍ବା ପ୍ରାଣୀଙ୍କ ନିବାସସ୍ଥାନ ଧ୍ୱଂସ କରି ଗୃହନିର୍ମାଣ କଲାବେଳେ କିଛି ପ୍ରାଣୀ ସେମାନଙ୍କ ବାଟରେ ଆସିଯାନ୍ତି। ତେଣୁ ସେମାନଙ୍କୁ ମାରିବା ପାଇଁ ମଣିଷ ତିଆରି କରିଥିବା କୀଟନାଶକ ଦ୍ୱାରା ଶହ ଶହ କୋଟି କୀଟପତଙ୍ଗ ମରୁଛନ୍ତି। ବିଶ୍ୱର ବିଭିନ୍ନ ସଂସ୍କୃତି ଓ ସଭ୍ୟତାରେ କୀଟପତଙ୍ଗକୁ ଔଷଧ ରୂପେ ବ୍ୟବହାର କରାଯାଉଛି। କିନ୍ତୁ ଏସବୁକୁ ସ୍ଥାନୀୟ ଔଷଧ ରୂପେ ବ୍ୟବହାର କରିବା ବଦଳରେ ଏହାକୁ ପ୍ରମାଣିତ ଓ ମାନକୀକୃତ ଔଷଧରେ ପରିଣତ କରିବା ପାଇଁ ଆଜିଯାଏ ପ୍ରାୟ କିଛି ଗବେଷଣା କରାଯାଇ ନାହିଁ। ଏଣ୍ଟୋମୋଥେରାପି ହେଉଛି ବିଜ୍ଞାନର ଏକ ଶାଖା, ଯାହା କୀଟପତଙ୍ଗଙ୍କୁ ଔଷଧରେ ବ୍ୟବହାର କରେ। ଦିନକୁ ଦିନ ଆଣ୍ଟିବାୟୋଟିକ୍‌-ପ୍ରତିରୋଧୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବୈଜ୍ଞାନିକମାନେ ନୂଆ ଉତ୍ସର ସନ୍ଧାନରେ ଅଛନ୍ତି। ବିକଳ୍ପ ଔଷଧରେ ବ୍ୟବହାର କରାଯାଉଥିବା ଅନେକ କୀଟପତଙ୍ଗକୁ ଔଷଧର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ଏବେ ପରୀକ୍ଷାନିରୀକ୍ଷା କରାଯାଉଛି। ଉଦାହରଣସ୍ବରୂପ, ଏଫ୍‌ଡିଏ ନିକଟରେ ସର୍ଦ୍ଦି (ଫ୍ଲୁ) ରୋଗର ପ୍ରତିଷେଧକ ଟିକା ‘ଫ୍ଲୁବ୍ଲକ୍‌’କୁ ଅନୁମୋଦନ ଦେଇଛି ଏବଂ ଏହି ଟିକା ଫଲ୍‌ ଆର୍ମିଓର୍ମ ନାମକ ପତଙ୍ଗର ଡିମ୍ବାଶୟର କୋଷରୁ ତିଆରି ହୋଇଛି।
ମହୁମାଛି ହେଉଛି ଗୋଟିଏମାତ୍ର ପତଙ୍ଗ, ଯିଏ ଆମକୁ ଏକାଧାରରେ ମହୁ, ରେଣୁ, ରୟାଲ ଜେଲି, ପ୍ରୋପୋଲି ଓ ପ୍ରଦାହନାଶକ ପେପ୍ଟାଇଡ୍‌ ମେଲିଟିନ୍‌ ଦେଉଛି। ଚର୍ମର ପୋଡ଼ା ବା ଅନ୍ୟ ଦାଗ ଭଲ କରିବା ପାଇଁ ମହୁକୁ ବ୍ୟବହାର କରାଯାଏ। ଏହାକୁ ଆଖିରେ ମଧ୍ୟ ଆଇ ପୋଲ୍‌ଟିସ ଭାବରେ ଲଗାଯାଏ ଏବଂ ହଜମଜନିତ ସମସ୍ୟା ଓ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ଏହାକୁ ବ୍ୟବହାର କରାଯାଏ। ଥଣ୍ଡା, କାଶ, କଣ୍ଠନାଳୀ ପ୍ରଦାହ, ଯକ୍ଷ୍ମା, ଗଳା ସଂକ୍ରମଣ ଓ ଫୁସ୍‌ଫୁସ୍‌ ରୋଗରେ ମହୁକୁ ବ୍ୟବହାର କରାଯାଏ। ଆଣ୍ଠୁଗଣ୍ଠି ବାତ, ପଲିନ୍ୟୁଟ୍ରାଇଟିସ୍‌ (ସ୍ନାୟୁ ପ୍ରଦାହ) ଓ ଶ୍ୱାସରୋଗରୁ ଆରାମ ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ମହୁମାଛି ତା’ର ଫେଣା ତିଆରିରେ ବ୍ୟବହାର କରୁଥିବା ପ୍ରେପୋଲିସ୍‌ର ଆଣ୍ଟିବାୟୋଟିକ୍‌ (ଜୀବାଣୁନାଶକ), ବେଦନାନାଶକ ଓ ପ୍ରଦାହନାଶକ ଗୁଣ ରହିଛି ବୋଲି ବିଶ୍ୱାସ କରାଯାଏ। ରୟାଲ ଜେଲିକୁ ରକ୍ତହୀନତା, ଘାଆ, ଧମନୀ ପ୍ରଭୃତିର କାଠିନ୍ୟ ଓ ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ମହୁମାଛିର ରେଣୁ ବା ପରାଗକୁ ସ୍ବାସ୍ଥ୍ୟବର୍ଦ୍ଧକ ଭାବେ ଖିଆଯାଏ।
ରକ୍ତଶୋଷୀ କୀଟପତଙ୍ଗଙ୍କ ଲାଳରେ ପ୍ରାୟ ଏକହଜାରରୁ ଅଧିକ ପ୍ରକାର ପ୍ରୋଟିନ୍‌ ରହିଥିବା ଜଣାପଡ଼ିଛି। ଏଥିରୁ ରକ୍ତ ଜମାଟ ବାନ୍ଧିବା, ରକ୍ତବାହିକା ପ୍ରସାରଣ କାରକ (ଭାସୋଡାଇଲେଟର), ଆଲର୍ଜି ନିବାରଣ ଓ ବଧିରାକାରକ ଔଷଧ ତିଆରି କରାଯାଇପାରିବ। ଔଷଧରେ ବ୍ୟବହାର କରାଯାଉଥିବା ଆଉ କିଛି କମ୍‌ ଜଣାଶୁଣା କୀଟପତଙ୍ଗ ବିଷୟରେ ତଳେ ଉଲ୍ଲେଖ କରାଗଲା-
୧) ଦକ୍ଷିଣ ଆମେରିକୀୟ ଡେଭିଲ ଟ୍ରି ଆଣ୍ଟ (ପିମ୍ପୁଡ଼ି ବିଶେଷ)ର ବିଷରୁ ଆଣ୍ଠୁଗଣ୍ଠି ବାତ ରୋଗର ଔଷଧ ତିଆରି କରିବା ପାଇଁ ମାୟାମି ବିଶ୍ୱବିଦ୍ୟାଳୟ ଗବେଷଣା କରୁଛି। ରେଡ୍‌ ହାର୍ଭେଷ୍ଟର ଆଣ୍ଟ (ପିମ୍ପୁଡ଼ି ବିଶେଷ)ର ବିଷକୁ ଆଣ୍ଠୁଗଣ୍ଠି ବାତ ଓ ପୋଲିଓମାଇଏଲାଇଟିସ୍‌ (ସ୍ନାୟୁରୋଗ ବିଶେଷ) ଭଲ କରିବା ପାଇଁ ବ୍ୟବହାର କରାଯାଉଛି। ସାମ୍‌ସମ୍‌ ପିମ୍ପୁଡ଼ିର ବିଷ ପ୍ରଦାହ, ଟ୍ୟୁମର ବୃଦ୍ଧି ଓ ଯକୃତ ସମସ୍ୟା ଦୂର କରିପାରେ। ଏପରି କି ୩୦୦୦ ବର୍ଷ ପୂର୍ବେ ସୋଲ୍‌ଜର ଆଣ୍ଟଙ୍କ ମାଢ଼ିକୁ ଷ୍ଟିଚ୍‌ ପାଇଁ ବ୍ୟବହାର କରାଯାଉଥିଲା। ଏହି ପିମ୍ପୁଡ଼ିଙ୍କୁ ପ୍ରଥମେ ଉତ୍ତେଜିତ କରାଯାଉଥିଲା। ସେମାନେ ଯେତେବେଳେ କାମୁଡ଼ିବାକୁ ପାଟି ମେଲା କରୁଥିଲେ, ଯେଉଁଠି ଷ୍ଟିଚ୍‌ ପଡ଼ିବା କଥା ସେଇଠି ତାଙ୍କ ଖୋଲା ପାଟିକୁ ମାଡ଼ି ଦିଆଯାଉଥିଲା। ତା’ପରେ ସେମାନେ ପାଟି ବନ୍ଦ କରିଦେଲେ ଖଣ୍ଡିଆ ଜାଗାରେ ସିଲେଇ ପଡ଼ିବା ପରି ହୋଇଯାଉଥିଲା। ତା’ପରେ ପିମ୍ପୁଡ଼ିର ଗଣ୍ଡିକୁ ଛିଣ୍ଡେଇ ଫୋପାଡ଼ି ଦିଆଯାଉଥିଲା।
୨) ଅନେକ ଆଫ୍ରିକୀୟ ସଂସ୍କୃତିରେ ମାଇଗ୍ରେନ୍‌ ବା ମୁଣ୍ଡବିନ୍ଧା ଭଲ କରିବା ପାଇଁ ଝିଣ୍ଟିକା ଦେହରୁ ପ୍ରସ୍ତୁତ ପୋଲ୍‌ଟିସ ବା ପ୍ରଲେପ ବ୍ୟବହାର କରାଯାଏ। ସ୍ନାୟୁରୋଗ ବିଶାରଦମାନେ ମନେକରନ୍ତି ଯେ, ଏହି ଝିଣ୍ଟିକାଙ୍କ ଦେହରେ ଥିବା ବିଷ ମଣିଷର କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥାକୁ ଉତ୍ତେଜିତ କରିବା ସହ ରକ୍ତ ସଂଚାଳନ ସ୍ବାଭାବିକ କରିବାରୁ ମୁଣ୍ଡବିନ୍ଧା ଭଲ ହୋଇଯାଏ। ଝିଣ୍ଟିକାଙ୍କୁ ମାରି, ଶୁଖେଇ ଓ ଗୁଣ୍ଡ କରି ତାକୁ ଚା ରୂପେ ବ୍ୟବହାର କରାଯାଏ, ଯାହାକୁ ଶ୍ୱାସ ଓ ଯକୃତ ରୋଗ ଭଲ କରିବା ପାଇଁ ବ୍ୟବହାର କରାଯାଏ।
୩) କେଉଁ ପ୍ରଚୀନ କାଳରୁ ଦକ୍ଷିଣ ଏସିଆରେ ବ୍ଲିଷ୍ଟର ବିଟିଲ (ଭ୍ରମରଜାତୀୟ ପୋକ ବିଶେଷ)ର ଆରୋଗ୍ୟକାରୀ ଶକ୍ତିକୁ ବ୍ୟବହାର କରାଯାଇଆସୁଛି। ସ୍ପାନିଶ୍‌ ଫ୍ଲାଇ ନାମରେ ଜଣାଶୁଣା ଏହି ପୋକ ମଣିଷର ଯୌନକ୍ଷମତା ବୃଦ୍ଧିରେ ସହାୟକ ବୋଲି ବିଶ୍ୱାସ କରାଯାଏ। ଏହି ପୋକ ଦେହରୁ ଝରୁଥିବା ଏକ ପ୍ରକାର ରସ ପରିସ୍ରା ପୋଡ଼ା, କୀଟ ଦଂଶନଜନିତ ଯନ୍ତ୍ରଣା ଓ ବୃକ୍କ ସମସ୍ୟା ଭଲ କରେ ବୋଲି କୁହାଯାଏ। ଏହି ପୋକ ଦେହରୁ କ୍ୟାନ୍ଥାରିଡିନ୍‌ ନାମକ ରାସାୟନିକ ଝରେ, ଯାହା ମାରାତ୍ମକ ଭୂତାଣୁ ସଂକ୍ରମଣ ଭଲ କରିବାରେ ସାହାଯ୍ୟ କରେ, କାରଣ ଏହା ଭୂତାଣୁମାନଙ୍କୁ ବଂଶବୃଦ୍ଧିକୁ ରୋକିଥାଏ। କ୍ୟାନ୍‌ସର ଚିକିତ୍ସାରେ ମଧ୍ୟ ଏହା ଉପଯୋଗୀ ହୋଇପାରେ। ଅନେକ ଗବେଷଣାରୁ ଏହାର ପ୍ରମାଣ ମିଳିଛି।
୪) ହୃଦ୍‌ରୋଗ ଓ ରକ୍ତନାଳୀ ରୋଗ ଭଲ କରିବାରେ ରେଶମକୀଟର ନିର୍ଯାସ ସାହାଯ୍ୟ କରିପାରେ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି। ଚାଇନିଜ୍‌ ଔଷଧରେ ରେଶମକୀଟର ପ୍ୟୁପାକୁ ସିଝାଇ ମୂର୍ଚ୍ଛାରୋଗ, ବ୍ରୋଙ୍କାଇଟିସ୍‌ ଓ ବହୁମୂତ୍ର ରୋଗରେ ବ୍ୟବହାର କରାଯାଏ।
୫) ଏସିଆରେ ଶତପଦୀ (ସନ୍ଧିପଦ କୀଟ ବିଶେଷ)ମାନଙ୍କୁ ଟିଟାନସ୍‌, ହୃଦ୍‌ଯନ୍ତ୍ର ଅଚଳ ହେବା, ମୂର୍ଚ୍ଛା ପ୍ରଭୃତି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଏହି ପୋକକୁ ଶୁଖେଇ ଗୁଣ୍ଡ କରି ପେଷ୍ଟ ତିଆରି କରି ବିସ୍ଫୋଟକ ପ୍ରଭୃତିରେ ଲେପ ଦିଆଯାଏ।
୬) ଘାଆ, ଆଣ୍ଠୁଗଣ୍ଠି ବାତ, ରକ୍ତହୀନତା ଓ ଯନ୍ତ୍ରଣାରୁ ଆରୋଗ୍ୟ ପାଇଁ ଉଇ ଓ ଉଇହୁଙ୍କାର ମାଟିକୁ ବ୍ୟବହାର କରାଯାଏ। ଆଫ୍ରିକାରେ ଉଇମାନଙ୍କୁ ଶ୍ୱାସ, ବ୍ରୋଙ୍କାଇଟିସ୍‌, ଶର୍ଦ୍ଦି, ଲହରାକାଶ ପ୍ରଭୃତିରେ ବ୍ୟବହାର କରାଯାଏ।
୭) ପିଲା ଜନ୍ମ ହେବା ପରେ ରକ୍ତହୀନତା ଦେଖାଦେଲେ ପଙ୍ଗପାଳ (ଝିଣ୍ଟିକା ବିଶେଷ)ଙ୍କୁ ଭାଜି ଖିଆଯାଏ। ଶ୍ୱାସ, କାଶ ପ୍ରଭୃତିରେ ମଧ୍ୟ ଏହାର ବ୍ୟବହାର ରହିଛି।
୮) ଅସରପା ମୁଣ୍ଡରେ ଥିବା ରାସାୟନିକ ଇ.କୋଲି ଓ ଏମ୍‌ଆର୍‌ଏସ୍‌ଏ ପରି ମାରାତ୍ମକ ବୀଜାଣୁଙ୍କୁ ମାରି ଦେଇପାରେ। ଏହି ଦୁଇ ବୀଜାଣୁ ଅଧିକାଂଶ ଔଷଧର ପ୍ରତିରୋଧୀ ଅଟନ୍ତି।
ଏହିସବୁ କୀଟପତଙ୍ଗଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ କୀଟନାଶକ ପ୍ରୟୋଗ ଦ୍ୱାରା ହତ୍ୟା କରାଯାଉଛି। ଆମେ ଯଦି ଆମ ପରିବେଶର ସୁରକ୍ଷା ନ କରିବା ଏବଂ କୀଟନାଶକ ଓ ତୃଣକମାରୀ ପ୍ରଭୃତି ଦ୍ୱାରା ଉପକାରୀ କୀଟପତଙ୍ଗ ଓ ଉଦ୍ଭିଦଙ୍କୁ ମାରିଚାଲିବା ତେବେ ସେମାନଙ୍କ ଦ୍ୱାରା ଯେଉଁସବୁ ଔଷଧ ତିଆରି କରାଯାଉଛି, ତାହା ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ। ଆମେ ଦିନେ ବୁଝିବା ଯେ, ଏହି କୀଟପତଙ୍ଗ ଥିଲେ ତାଙ୍କଠାରୁ ପ୍ରସ୍ତୁତ ଔଷଧରେ ଅନେକଙ୍କ ଜୀବନ ରକ୍ଷା ପାଇଯାଇ ପାରିଥାନ୍ତା।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri