ନିର୍ବାଚନର ଦୁଃଖ

ଡ. ସୁବାସ ଚନ୍ଦ୍ର ପାତ୍ର
କେଉଁ ଦେଶ ପାଇଁ ନଦୀ, ପାହାଡ଼, ପର୍ବତ, ମରୁଭୂମି ହୁଏ ତ ଦୁଃଖ ହୋଇପାରେ କିନ୍ତୁ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ଦୁଃଖ, ଏକ ଲାଞ୍ଛନା। ସବୁଠୁ ବେଶୀ ଦୁଃଖ ଭୋଗନ୍ତି ନିର୍ବାଚନ ସହ ଜଡ଼ିତ କର୍ମଚାରୀମାନେ। ଯାବତୀୟ ସାଧୁତା, ନିଷ୍ଠା, ନିଷ୍କପଟତା ସତ୍ତ୍ୱେ ଉପରିସ୍ଥ ହାକିମମାନଙ୍କ କଥାକଥାକେ ନିଲମ୍ବନର ନାଲିଆଖି ଯନ୍ତ୍ରଣାକୁ ଆହୁରି ଦ୍ୱିଗୁଣିତ କରେ।
ପ୍ରଖ୍ୟାତ ଅର୍ଥନୀତିଜ୍ଞ ପି. ସାଇନାଥ ପରିହାସରେ ‘ସମସ୍ତେ ଭଲ ମରୁଡ଼ିକୁ ଭଲ ପାଆନ୍ତି’ କହିଲା ଭଳି ଅନେକେ ନିର୍ବାଚନକୁ ଏକ ଭଲ ମରୁଡ଼ି ଭଳି ବିଚାର କରନ୍ତି, ଯେଉଁଠି ହାତ ଚିକ୍କଣ କରିବାର, ଗୋଟିଏ ମଉକାରେ ରାଜନୈତିକ, ଅର୍ଥନୈତିକ, ସାମାଜିକ ଭାଗ୍ୟ ପରିବର୍ତ୍ତନର ମଧ୍ୟ ସମ୍ଭାବନା ଥାଏ। ଅଥଚ ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ମଣିଷ, ଯେଉଁମାନେ ଖୁବ୍‌ କମ୍‌ ଅର୍ଥରେ ଦୈନିକ ଗୁଜୁରାଣ ମେଣ୍ଟାନ୍ତି, ସେମାନଙ୍କ ପାଇଁ ନିର୍ବାଚନ ଏକ ଉପହାସ ଭଳି ଲାଗେ, ଯେତେବେଳେ ଗଣମାଧ୍ୟମରୁ ବା ୟା, ତା’ ତୁଣ୍ଡରେ ସେମାନେ ଶୁଣନ୍ତି, କିପରି କିଛିଲୋକ ପୋଲିସ୍‌ ହାତରେ ଧରାପଡି଼ବା ଭୟରେ ୨୭ଲକ୍ଷ ଟଙ୍କା ରାସ୍ତା କଡ଼ରେ ଫିଙ୍ଗିଦେଇ ପଳାଇଲେ।
ବିମୁଦ୍ରୀକରଣ, ଜିଏସ୍‌ଟି ଲାଗୁ, ଯାବତୀୟ ଦୁର୍ନୀତି ନିବାରଣ ନିୟମର କଡ଼ା ଉପଯୋଗର ଡିଣ୍ଡିମ ପିଟା ଯାଉଥିବା ବେଳେ ନିର୍ବାଚନ ସରକାରଙ୍କ ନିୟମକାନୁନକୁ ଅପ୍ରାସଙ୍ଗିକ କରି ନିୟମ ମାନୁଥିବା ନାଗରିକଙ୍କୁ ଛଟପଟ କରେ। ସରକାରଙ୍କ ବ୍ୟବସ୍ଥା ସହ ତାଳଦେଇ ଏକ ସମାନ୍ତରାଳ ବ୍ୟବସ୍ଥା ଯେ ଚାଲୁରହିଛି, ତାହା ଜଣାପଡ଼େ ନିର୍ବାଚନରୁ। ଏପ୍ରିଲ ୧୧ରେ ସମାପ୍ତ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ସୁଦ୍ଧା ନଗଦ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ମିଶି ପାଖାପାଖି ୨୪୦୦କୋଟି ଟଙ୍କା ଜବତ ହୋଇଛି, ଯେଉଁଥିରୁ ନଗଦ ଅର୍ଥରାଶି ୬୦୦ କୋଟି ଟଙ୍କା। କୌତୁକର କଥା ୨୦୧୪ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ଜବତ ରାଶିର ସାମଗ୍ରିକ ମୂଲ୍ୟ ଥିଲା ୩୦୦ କୋଟି ଟଙ୍କା। ଅର୍ଥାତ୍‌ ପାଞ୍ଚ ବର୍ଷ ଭିତରେ ଆମେ କେତେ ସଚ୍ଚୋଟ ହୋଇଛୁ, ନିର୍ବାଚନକୁ କେତେ କଳାଟଙ୍କାମୁକ୍ତ କରିଛୁ ଏହା ହିଁ ତାହାର ପ୍ରମାଣ।
ନିର୍ବାଚନ ସମ୍ବେଦନଶୀଳ ମଣିଷ ଉପରେ ଏକ ଅତ୍ୟାଚାର ଏବଂ ନିଜର ବିଶ୍ୱାସ ଓ ନୈତିକତାର ସମୀକ୍ଷା ପାଇଁ ଏକ ବାଧ୍ୟବାଧକତା। ଖାଲି ସେତିିକି ନୁହେଁ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଗମ୍ଭୀରତାର ସହିତ ନେଉଥିବା ନାଗରିକଙ୍କ ପାଇଁ ନୀରବ ଅଶ୍ରୁପାତର ଏହା ଏକ ଆନୁଷ୍ଠାନିକ ବ୍ୟବସ୍ଥା। ବର୍ଷ ବର୍ଷ ରାଜନୀତି ବିଜ୍ଞାନର ପାଠ ପଢ଼େ଼ଇ, ଗଣତନ୍ତ୍ରର ଜୟଗାନ କରି, ୧୯୭୭ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି, ପରାଜୟ ଲଭି ଡ. ଶ୍ରୀରାମ ଚନ୍ଦ୍ର ଦାଶ ଯେଉଁ ଅନୁଶୋଚନାରେ ଜର୍ଜରିତ ହୋଇଥିଲେ ତାହା ହିଁ ନିର୍ବାଚନର ସବୁଠୁ ବଡ଼ ଦୁଃଖଦ ପାର୍ଶ୍ୱପ୍ରଭାବ।
ନିର୍ବାଚନ ଛଳନାର ଏକ କର୍ମଶାଳା ଏବଂ ଦୁର୍ନୀତିର ଏକ ପାଠଶାଳା। ମିଛ, ଛଳନା, ଭଣ୍ଡାମି, ଚତୁରତା, ଧୂର୍ତ୍ତତା ପ୍ରଦର୍ଶନ ତଥା ଜନତାଙ୍କୁ ବୋକା ବନେଇବାର ଏକ କ୍ଷେତ୍ର ହେଉଛି ନିର୍ବାଚନ। ଗୋଟିଏ ଦଳର ଟିକେଟ୍‌ ପାଇ ଅନ୍ୟ ଦଳରେ ଯୋଗଦେବା, ଗୋଟିଏ ଦଳର ମୁଖପାତ୍ର ହୋଇ ଗଲାରାତିରେ ଟିଭି ପରଦାରେ ଗାଳିଦେଇଥିବା ଦଳକୁ ସକାଳକୁ ଆଲିଙ୍ଗନ କରିବା, ବର୍ଷ ବର୍ଷ ଗୋଟିଏ ଦଳରେ ରହି, ବିଧାୟକ, ଏମ୍‌ପି ବା ମନ୍ତ୍ରୀ ଭାବେ ଫୁଲି ଫଳି ପାନରୁ ଚୂନ ଖସିଗଲା ମାତ୍ରେ ବା ପୁଅକୁ ଟିକେଟ ମିଳିଲାନି ବୋଲି ଦୀର୍ଘ ବର୍ଷ ଧରି ବିରୋଧ କରୁଥିବା ଦଳରେ ଯୋଗଦେବା ଏବଂ ଏସବୁ କାର୍ଯ୍ୟର ନୈତିକ ଯଥାର୍ଥତା ପ୍ରଦାନ କରିବା ନିର୍ବାଚନ ବେଳେ ହିଁ ଦେଖାଯାଏ। କିନ୍ତୁ ଏହି ନେତାମାନେ କେବେ ଅନୁଭବ କରନ୍ତି ନାହିଁ ବର୍ଷ ବର୍ଷ ଧରି ଅଯାଚିତ ସମର୍ଥନ ଯୋଗାଇ ଆସିଥିବା ସେମାନଙ୍କ ରାଜନୈତିକ ସମର୍ଥକମାନଙ୍କ ମନ ଉପରେ ଏହାର କି ପ୍ରଭାବ ପଡ଼େ, ମାନସିକ ଭାବରେ କେଡ଼େ ଧ୍ୱସ୍ତବିଧ୍ୱସ୍ତ ଅନୁଭବ କରନ୍ତି ଏମାନେ। ପ୍ରକାରାନ୍ତରେ କହିଲେ ନିର୍ବାଚନ ହିଁ ନେତାମାନଙ୍କୁ ସେମାନଙ୍କର ପୁରାତନ ସମର୍ଥକମାନଙ୍କୁ ପାଦରେ ଦଳିଦେଇ ନୂତନ ସମର୍ଥକ ସାଉଁଟିବାରେ ସାହାଯ୍ୟ କରେ। ସେହିପରି ଅନୈତିକ ଅର୍ଥ ସଂଗ୍ରହର ବୀଜବପନ ହୁଏ ନିର୍ବାଚନରୁ, ଯାହା ପରବର୍ତ୍ତୀ ସମୟରେ ବେଶ୍‌ ବିକଶିତ ହୁଏ। କାଁ ଭାଁ ସ୍ବାଧୀନ ପ୍ରାର୍ଥୀକୁ ଛାଡ଼ିଦେଲେ କୌଣସି ଦଳୀୟ ପ୍ରାର୍ଥୀ ଛାତିରେ ହାତ ରଖି କହିପାରିବେ ନାହିଁ ସେମାନେ ନିର୍ଦ୍ଧାରିତ ଖର୍ଚ୍ଚ ସୀମା ମଧ୍ୟରେ ନିର୍ବାଚନ ଲଢ଼ିଛନ୍ତି। ତେଣୁ ନିର୍ବାଚନୀୟ ଦୁର୍ନୀତି ହିଁ ପରବର୍ତ୍ତୀ ସମୟର ଯାବତୀୟ ଦୁର୍ନୀତିର ଜନନୀ, ନୈତିକ ସ୍ବଚ୍ଛତା, ଆଦର୍ଶ ଚୂର୍‌ମାରର ପ୍ରଥମ ପାହାଚ।
ନିର୍ବାଚନ ହିଁ ନିର୍ବାଚନର ଆଚାର ସଂହିତା ଭଙ୍ଗ କରେ। ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ନିର୍ବାଚନ ଦିନ ପାର୍ଶ୍ୱବର୍ତ୍ତୀ ନିର୍ବାଚନମଣ୍ଡଳୀରେ ଜୋରସୋର ପ୍ରଚାର ଚାଲେ, ଗାଳି, ଅପବାଦର ପ୍ରତିଯୋଗିତା ବି ଚାଲେ, ଯାହା ସିଧାସଳଖ ପ୍ରସାରିତ ହୁଏ ବୈଦ୍ୟୁତିକ ଗଣମାଧ୍ୟମରେ। ତେଣୁ ଲୋକେ ‘୪୮ ଘଣ୍ଟାର ଶାନ୍ତି’, ଉପଯୁକ୍ତ ପ୍ରାର୍ଥୀ ନିର୍ବାଚନ କରିବାର ‘ମାନସିକ ସ୍ଥିରତା’ ପାଇଲେ କେଉଁଠୁ? ଭୋଟ ଦେବାକୁ ଗଲାବେଳେ ବି ସେମାନେ ବିଭ୍ରାନ୍ତକାରୀ, ମନକୁ ଅସ୍ଥିର କଲାଭଳି ପ୍ରସାରିତ ଖବର ଦେଖି ଦେଖି ବୁଥ୍‌କୁ ଯାଆନ୍ତି। ଏ କି ପ୍ରକାର ବ୍ୟବସ୍ଥା? ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ୪୮ଘଣ୍ଟାର ନାମକୁ ମାତ୍ର ନୀରବତାକୁ ସରକାରୀ ଭାବରେ ହଟାଇ ଦିଆଯାଉ ବା ଅନ୍ୟ ବ୍ୟବସ୍ଥା କରାଯାଉ।
ନିର୍ବାଚନ ଭୋଟଦାତାମାନଙ୍କ ପାଇଁ ଏକ ପ୍ରତାରଣା-ପରୀକ୍ଷା। ପ୍ରତିଶ୍ରୁତିର ପ୍ରାବଲ୍ୟ, ମିଥ୍ୟା ଆଶ୍ୱାସନାର ବନ୍ୟାରେ ଜନତାଙ୍କୁ ଭସାଇ ନିର୍ବାଚନରେ ବିଜୟ ଲାଭ କରି ନେତାଏ ହୁଏ ତ ଉଲ୍ଲସିତ ହୋଇପାରନ୍ତି କିନ୍ତୁ ସେମାନେ ବୁଝନ୍ତିନି ନିରୀହ ନାଗରିକଙ୍କର ପ୍ରତାରିତ ହେବାର ଦୁଃଖ। ଏହି ଦୁଃଖ ଉଦାସୀନତାରେ ପରିଣତ ହୁଏ ଏବଂ ସାଧାରଣ ମଣିଷ ଭାବନ୍ତି ଏହା ହିଁ ବୋଧହୁଏ ରାଜନୀତି। ‘ସତ ହେଉ ଅବା ମିଛ, ଯିଏ ପ୍ରତିଶ୍ରୁତି ଦେଇଛି ସେ ବୁଝିବ। ଆମର କିଛି ଦାୟିତ୍ୱ ନାହିଁ। ସମାଜ ତାଙ୍କର, ରାଷ୍ଟ୍ର ତାଙ୍କର।’ ଏହି ପ୍ରକାର ନାଗରିକୀୟ ଉଦାସୀନତା ଗଣତନ୍ତ୍ର ପାଇଁ ଯେ କେଡ଼େ ବିପଦପୂର୍ଣ୍ଣ, ବିଶେଷତଃ ସଂକଟ ସମୟରେ, ରାଷ୍ଟ୍ରନୀତିଜ୍ଞମାନେ ଠିକ୍‌ ଜାଣନ୍ତି।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନିର୍ବାଚନ ଏକ ସୁଯୋଗ। ଶାସନ ପରିବର୍ତ୍ତନ ହେଉ ଅବା ବ୍ୟବସ୍ଥା ପରିବର୍ତ୍ତନ ଅବା ରାଷ୍ଟ୍ରର ମୌଳିକ ଢାଞ୍ଚାର ପରିବର୍ତ୍ତନ ହେଉ, ନିର୍ବାଚନ ହିଁ ଏ ପ୍ରକାର ସମ୍ଭାବନା ରଖେ। ଦୁଃଖର କଥା ଭାରତବର୍ଷ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଖାଲି ହଟଚମଟ ସୃଷ୍ଟିକରେ। ପ୍ରତିଶ୍ରୁତିର କାଳବୈଶାଖୀ ପରେ ଲୋକେ ଯେ ଯାହାର ଭଙ୍ଗାଘରକୁ ହିଁ ଆଦରି ବଞ୍ଚନ୍ତି।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର, ମୋ- ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

ବଫର ରାଜ୍ୟରେ ବିଦ୍ରୋହ ଧ୍ୱନି

ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଦ୍ୱାରା ଉନ୍ମୋଚିତ ‘ନେପାଳ ପ୍ରଥମ, ନେପାଳୀ ପ୍ରଥମ’ ବୈଦେଶିକ ନୀତି ଏବେ ଦେଶରେ ଏକ ବଡ଼ ଧରଣର କୂଟନୈତିକ ବିବାଦ ସୃଷ୍ଟି…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri