କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସଜୀ

ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ

କିଛିଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ମଦନ ଦାସଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ କରିବା ଆମ ପାଇଁ ଏକ ଆହ୍ବାନପୂର୍ଣ୍ଣ ବାସ୍ତବତା। ତଥାପି, ତାଙ୍କ ପ୍ରଭାବ ଚିରକାଳ ଜୀବିତ ରହିବ ବୋଲି ମନରେ ଧାରଣା କରି ଆମେ ସାନ୍ତ୍ୱନା ପାଉଛୁ। ତାଙ୍କର ଶିକ୍ଷା ଓ ଆଦର୍ଶ ଭବିଷ୍ୟତର ଯାତ୍ରାରେ ଆମ ପାଇଁ ପ୍ରେରଣା ଓ ମାର୍ଗଦର୍ଶନର ପ୍ରତୀକ ଭାବେ କାର୍ଯ୍ୟ କରିବ।
ବର୍ଷ ବର୍ଷ ଧରି ମଦନ ଦାସଜୀଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୌଭାଗ୍ୟ ମୋତେ ମିଳିଥିଲା। ମୁଁ ଅତି ନିକଟରୁ ତାଙ୍କ ସରଳତା ଏବଂ ମୃଦୁଭାଷୀ ସ୍ବଭାବ ଦେଖିଥିଲି। ସେ ଜଣେ ଉତ୍କୃଷ୍ଟ ସାଂଗଠନିକ ବ୍ୟକ୍ତି ଥିଲେ ଏବଂ ମୁଁ ମଧ୍ୟ ସଂଗଠନରେ କାମ କରିବାରେ ଯଥେଷ୍ଟ ସମୟ ବିତାଇଥିଲି। ତେଣୁ ସାଂଗଠନିକ ବିକାଶ ଓ କାର୍ଯ୍ୟକର୍ତ୍ତାଙ୍କ ଅଭିବୃଦ୍ଧି ସମ୍ବନ୍ଧୀୟ ଦିଗଗୁଡ଼ିକ ଆମ କଥାବାର୍ତ୍ତାରେ ନିୟମିତ ଭାବରେ ସ୍ଥାନ ପାଇବା ସ୍ବାଭାବିକ ଥିଲା। ଏମିତି ଥରେ କଥାବାର୍ତ୍ତା ବେଳେ ମୁଁ ତାଙ୍କୁ ପଚାରିଲି, ସେ ମୂଳତଃ କେଉଁ ଅଞ୍ଚଳର ବାସିନ୍ଦା। ସେ ମୋତେ କହିଥିଲେ ଯେ ସେ ମହାରାଷ୍ଟ୍ରର ସୋଲାପୁର ନିକଟସ୍ଥ ଏକ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପୂର୍ବପୁରୁଷମାନେ ଗୁଜରାଟରୁ ଆସିଥିଲେ। କିନ୍ତୁ ସେମାନେ ପ୍ରକୃତରେ କେଉଁ ସ୍ଥାନରୁ ଆସିଥିଲେ ସେ ବିଷୟରେ ଅବଗତ ନ ଥିଲେ। ମୁଁ ତାଙ୍କୁ କହିଲି ଯେ ‘ଦେବୀ’ ସାଙ୍ଗିଆଧାରୀ ମୋର ଜଣେ ଶିକ୍ଷକ ଅଛନ୍ତି ଏବଂ ସେ ବିସନଗର ବାସିନ୍ଦା। ପରବର୍ତ୍ତୀ ସମୟରେ ସେ ବିସନଗର ଓ ୱଡ଼ନଗର ମଧ୍ୟ ଗସ୍ତ କରିଥିଲେ। ଆମେ ଗୁଜରାଟୀ ଭାଷାରେ ମଧ୍ୟ କଥାବାର୍ତ୍ତା ହେଉଥିଲୁ।
ମଦନ ଦାସଜୀଙ୍କର ଅନେକ ବିଶେଷତ୍ୱ ମଧ୍ୟରୁ ଗୋଟିଏ ଥିଲା, ଶବ୍ଦଠାରୁ ଊର୍ଦ୍ଧ୍ୱକୁ ଯାଇ ସେହି ଶବ୍ଦ ପଛରେ ଥିବା ଭାବନାକୁ ବୁଝିବାରେ ତାଙ୍କର ଦକ୍ଷତା। ମୃଦୁଭାଷୀ ଏବଂ ସର୍ବଦା ହସଖୁସିରେ ସେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଆଲୋଚନାକୁ ମାତ୍ର କିଛି ବାକ୍ୟରେ ସମାହିତ କରିପାରୁଥିଲେ।
ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସମୂହଙ୍କ ହିତକୁ କିଭଳି ଗୁରୁତ୍ୱ ଦିଆଯାଏ ତାହା ମଦନ ଦାସଜୀଙ୍କ ଜୀବନରୁ ପ୍ରମାଣିତ ହୋଇଥାଏ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସେ ପ୍ରଶିକ୍ଷଣ ନେଇଥିଲେ। ଚାହିଁଥିଲେ ଏକ ଆରାମଦାୟକ ଜୀବନଯାପନ କରିପାରିଥାନ୍ତେ, କିନ୍ତୁ ବିଚାରକୁ ପ୍ରଭାବିତ କରିବା ଏବଂ ଭାରତର ବିକାଶ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ଆଗ୍ରହ ଥିଲା।
ଭାରତର ଯୁବବର୍ଗଙ୍କ ଉପରେ ମଦନ ଦାସଙ୍କର ଅତୁଟ ବିଶ୍ୱାସ ଥିଲା। ସେ ସମଗ୍ର ଭାରତର ଯୁବପିଢ଼ିଙ୍କ ସହ ଯୋଡ଼ିହୋଇ ପାରୁଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ସୁଦୃଢ଼ କରିବାରେ ସେ ନିଜକୁ ନିୟୋଜିତ କରିଥିଲେ। ଏହି ଯାତ୍ରାରେ ତାଙ୍କର ଅନ୍ୟତମ ପ୍ରମୁଖ ପ୍ରେରଣା ଥିଲେ ଯଶୋବନ୍ତରାଓ କେଲ୍‌କରଜୀ। ସେ ତାଙ୍କ ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ପ୍ରାୟତଃ ତାଙ୍କ ବିଷୟରେ କଥା ହେଉଥିଲେ। ମଦନ ଦାସଜୀ ସର୍ବଦା ଏବିଭିପିର କାର୍ଯ୍ୟରେ ଅଧିକରୁ ଅଧିକ ଛାତ୍ରୀଙ୍କୁ ସାମିଲ କରିବା ଏବଂ ସାମାଜିକ କଲ୍ୟାଣରେ ଯୋଗଦାନ କରିବା ପାଇଁ ଏକ ମଞ୍ଚ ଭାବେ ଏହାକୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବାରମ୍ବାର କହୁଥିଲେ, ଛାତ୍ରୀମାନେ କୌଣସି ସାମୂହିକ ପ୍ରୟାସରେ ସାମିଲ ହେଲେ ସେହି ପ୍ରୟାସ ସର୍ବଦା ଅଧିକ ସମ୍ବେଦନଶୀଳ ହୋଇଥାଏ। ମଦନ ଦାସଙ୍କ ପାଇଁ ଛାତ୍ରୀଛାତ୍ରଙ୍କ ପ୍ରତି ସ୍ନେହ ସର୍ବୋପରି ଥିଲା। ସେ ସବୁବେଳେ ଛାତ୍ରୀଛାତ୍ରଙ୍କ ଗହଣରେ ରହୁଥିଲେ, କିନ୍ତୁ ପଙ୍କରେ ପଦ୍ମ ପରି ସେ କେବେ ବି ବିଶ୍ୱବିଦ୍ୟାଳୟ ରାଜନୀତିରେ ନିଜକୁ ସାମିଲ କରୁ ନ ଥିଲେ।
ମୁଁ ଏମିତି ଅନେକ ନେତାଙ୍କୁ ଜାଣିଛି, ଯେଉଁମାନେ ସାର୍ବଜନୀନ ଜୀବନରେ ଉନ୍ନତି ପାଇଁ ନିଜ ଯୁବାବସ୍ଥାରେ ମଦନ ଦାସଜୀଙ୍କଠାରୁ ମିଳିଥିବା ମାର୍ଗଦର୍ଶନକୁ ଶ୍ରେୟ ଦେଇଥାନ୍ତି। କିନ୍ତୁ ଏହାକୁ ନେଇ ଦେଖାଇବା ତାଙ୍କ ସ୍ବଭାବ ନ ଥିଲା।
ଆଜିକାଲି ମାନବ ପରିଚାଳନା, ପ୍ରତିଭା ପରିଚାଳନା ଏବଂ ଦକ୍ଷତା ପରିଚାଳନା ଭଳି ଅବଧାରଣା ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। ମଦନ ଦାସଜୀ ଲୋକମାନଙ୍କୁ ବୁଝିବା ଏବଂ ସେମାନଙ୍କ ପ୍ରତିଭାକୁ ସାଂଗଠନିକ ଲକ୍ଷ୍ୟରେ ଉପଯୋଗ କରିବାରେ ସିଦ୍ଧହସ୍ତ ଥିଲେ। ସେ ସ୍ବତନ୍ତ୍ର ଥିଲେ, କାରଣ ସେ ଲୋକଙ୍କ ସାମର୍ଥ୍ୟକୁ ବୁଝିଥିଲେ ଏବଂ ସେହି ଆଧାରରେ ସେମାନଙ୍କୁ କାମରେ ନିୟୋଜିତ କରିଥିଲେ। ଲୋକମାନଙ୍କୁ ନିଜର ଆବଶ୍ୟକତା ଅନୁଯାୟୀ ଗଢ଼ିବା ଉଚିତ ବୋଲି ଧାରଣାକୁ ସେ କେବେ ବି ଗ୍ରହଣ କରି ନ ଥିଲେ। ସେଥିପାଇଁ କୌଣସି ଯୁବ କାର୍ଯ୍ୟକର୍ତ୍ତାଙ୍କ ମନକୁ କିଛି ନୂଆ ଉପାୟ ଆସିଲେ ମଦନ ଦାସଜୀ ସ୍ପଷ୍ଟ ଭାବେ ତାକୁ ଆଗକୁ ଆଣୁଥିଲେ। ଏହି କାରଣରୁ ତାଙ୍କ ସହ କାମ କରିଥିବା ଅନେକ ଲୋକ ନିଜ ନିଜ ସାମର୍ଥ୍ୟ ଆଧାରରେ ଏକ ଛାପ ଛାଡ଼ିବାକୁ ସ୍ବୟଂ ଅନୁପ୍ରାଣିତ ହୋଇଥିଲେ। ତେଣୁ ତାଙ୍କ ନେତୃତ୍ୱରେ ସଂଗଠନଗୁଡ଼ିକ ବ୍ୟାପକ ଭାବେ ବିକଶିତ ହୋଇଥିଲା। ବ୍ୟାପକ ଏବଂ ବିସ୍ତୃତ ହେବା ସତ୍ତ୍ୱେ ଏସବୁ ସଂଗଠନ ଏକଜୁଟ ଏବଂ ପ୍ରଭାବଶାଳୀ ମଧ୍ୟ ରହିଥିଲେ।
କହିବା ବାହୁଲ୍ୟ ଯେ, ମଦନ ଦାସଜୀଙ୍କର ଏକ ବ୍ୟସ୍ତବହୁଳ ଯାତ୍ରାସୂଚୀ ଥିଲା। ନିଜ କର୍ତ୍ତବ୍ୟ ବ୍ୟତୀତ ଲୋକଙ୍କୁ ଭେଟିବା କ୍ଷେତ୍ରରେ ସେ ଚୟନଶୀଳ ଥିଲେ ଏବଂ ସାକ୍ଷାତ୍‌ ପାଇଁ ସବୁବେଳେ ପୂର୍ବରୁ ପ୍ରସ୍ତୁତ ରହୁଥିଲେ। ତେବେ ତାଙ୍କ କାର୍ଯ୍ୟକ୍ରମ ସବୁବେଳେ ସରଳ ଥିଲା। କୌଣସି କର୍ମକର୍ତ୍ତାଙ୍କ ଉପରେ ବୋଝ ରହୁ ନ ଥିଲା। ଏହି ଗୁଣ ଶେଷ ପର୍ଯ୍ୟନ୍ତ ତାଙ୍କର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା। ସେ ଦୀର୍ଘଦିନର ଅସୁସ୍ଥତାକୁ ସାହସର ସହିତ ମୁକାବିଲା କରୁଥିଲେ, କିନ୍ତୁ ମୁଁ ତାଙ୍କୁ ଏ ବିଷୟରେ ବାରମ୍ବାର ପଚାରିଲେ ମଧ୍ୟ ସେ କମ୍‌ କଥା ହେଉଥିଲେ। ଶାରୀରିକ ଯନ୍ତ୍ରଣା ସତ୍ତ୍ୱେ ସେ ଖୁସିରେ ରହୁଥିଲେ। ଅସୁସ୍ଥତା ସମୟରେ ମଧ୍ୟ ସେ ଦେଶ ଓ ସମାଜ ପାଇଁ କ’ଣ କରିପାରିବେ ସେ ବିଷୟରେ ନିରନ୍ତର ଚିନ୍ତା କରୁଥିଲେ।
ମଦନ ଦାସଜୀଙ୍କର ଏକ ଚମତ୍କାର ଶୈକ୍ଷିକ ରେକର୍ଡ ଥିଲା ଏବଂ ଏହା ତାଙ୍କର କାର୍ଯ୍ୟଶୈଳୀକୁ ମଧ୍ୟ ଆକାର ଦେଇଥିଲା। ସେ ଜଣେ ଉତ୍ସାହୀ ପାଠକ ଥିଲେ। ଯେତେବେଳେ ବି ସେ କିଛି ଭଲ ପଢ଼ୁଥିଲେ, ସେ ତାହା ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଉଥିଲେ। ମୁଁ ସୌଭାଗ୍ୟବାନ୍‌ ଯେ ମୁଁ ବାରମ୍ବାର ଏଭଳି ଜିନିଷ ପାଇଛି। ଅର୍ଥନୀତି ଏବଂ ନୀତିଗତ ବିଷୟରେ ମଧ୍ୟ ତାଙ୍କର ଭଲ ଜ୍ଞାନ ଥିଲା। ସେ ଏପରି ଏକ ଭାରତର ପରିକଳ୍ପନା କରିଥିଲେ, ଯେଉଁଠାରେ କୌଣସି ବ୍ୟକ୍ତି ଅନ୍ୟ ଉପରେ ନିର୍ଭରଶୀଳ ନ ଥିବ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜ ଗୋଡ଼ରେ ଠିଆ ହୋଇପାରୁଥିବ ତଥା ଆତ୍ମଉନ୍ନତି ଏବଂ ଅଭିବୃଦ୍ଧିର ସୁଯୋଗ ଦ୍ୱାରା ସଶକ୍ତ ହୋଇପାରୁଥିବ। ମଦନ ଦାସଜୀ ଏପରି ଏକ ଭାରତର ପରିକଳ୍ପନା କରିଥିଲେ, ଯେଉଁଠାରେ ଆତ୍ମନିର୍ଭରଶୀଳତା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଜୀବନ୍ତ ବାସ୍ତବତା ଥିଲା। ତାଙ୍କ ପରିକଳ୍ପନାର ଭାରତ, ପାରସ୍ପରିକ ସମ୍ମାନ, ସଶକ୍ତୀକରଣ ଏବଂ ଅଂଶୀଦାରଙ୍କ ସମୃଦ୍ଧିର ନୀତି ଉପରେ ଆଧାରିତ ସମାଜ ଥିଲା। ଏବେ ଭାରତ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେଉଥିବାରୁ ବୋଧହୁଏ ସେ ସବୁଠୁ ଅଧିକ ଖୁସି ହୋଇଥାନ୍ତେ।
ଆଜି ଯେତେବେଳେ ଆମର ଗଣତନ୍ତ୍ର ସକ୍ରିୟ ରହିଛି, ଯୁବପିଢ଼ି ଆତ୍ମବିଶ୍ୱାସୀ ହୋଇପାରିଛନ୍ତି, ସମାଜ ଆଗକୁ ବଢୁଛି ଏବଂ ଦେଶ ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ ହୋଇପାରିଛି, ସେତେବେଳେ ଶ୍ରୀ ମଦନ ଦାସ ଦେବୀଜୀଙ୍କ ଭଳି ଲୋକଙ୍କୁ ମନେପକାଇବା ଜରୁରୀ। କାରଣ ସେ ରାଷ୍ଟ୍ର ସେବାରେ ଏବଂ ଦେଶକୁ ଏପରି ଉନ୍ନତି ପଥରେ ଆଗେଇନେବା ଦିଗରେ ନିଜର ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri