କର୍ଣ୍ଣ, ଏକଲବ୍ୟ ଓ ଅନ୍‌ଲାଇନ୍‌ ଶିକ୍ଷା

ଡ. ବାସନ୍ତୀ ମହାନ୍ତି

କୁରୁ ରାଜକୁମାରମାନଙ୍କୁ ଶିକ୍ଷା ଦେବା ପାଇଁ ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଥିଲେ। ଦ୍ରୋଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନଙ୍କ ଶିକ୍ଷାଦାନ ପ୍ର୍ରକ୍ରିୟା ଚାଲିଥିଲା। ସୁତପୁତ୍ର କର୍ଣ୍ଣ ଓ ଆଦିବାସୀ ବାଳକ ଏକଲବ୍ୟଙ୍କୁ ଏହି ଶିକ୍ଷା ବ୍ୟବସ୍ଥାର ବାହାରେ ରଖାଯାଇଥିଲା। ଦୁହେଁ ଥିଲେ ଅସାଧାରଣ ଜ୍ଞାନପିପାସୁ। ନିଜ ନିଜ ଉପାୟରେ ସେମାନେ ଶିକ୍ଷା ଅର୍ଜନରେ ସମର୍ଥ ହେଲେ। କିନ୍ତୁ ତତ୍‌କାଳୀନ ସାମାଜିକ ବ୍ୟବସ୍ଥା ଏତେ ଜଟିଳ ଥିଲା ଯେ ଦୁହିଁଙ୍କର ବିଦ୍ୟା କୌଣସି କାମରେ ଲାଗି ପାରିଲାନାହିଁ। କର୍ଣ୍ଣଙ୍କର ବିଦ୍ୟା ଅସଲ ସମୟରେ ବିସ୍ମୃତ ହୋଇଗଲା ବେଳକୁ ବିଚରା ଆରଣ୍ୟକ ପିଲାଟିର ବିଦ୍ୟାକୁ ଅକାମୀ କରି ଦିଆଗଲା। ତା’ ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ କାଟି ନିଆଗଲା। ଜଣେ ରାଜ୍ୟ ବାହାରକୁ ଯାଇ ଶିକ୍ଷା କରି ଆସିଥିଲା, ଆଉ ଜଣେ ଶିକ୍ଷା କରିଥିଲା ଆଜିକାଲିକା ପରିଭାଷାରେ ଦୂର ପାଠ୍ୟକ୍ରମ ମାଧ୍ୟମରେ। ସେଇ ରାଜକୁମାରମାନଙ୍କ ଭିତରେ କିଏ ଧନୁର୍ବିିଦ୍ୟାରେ ପାରଙ୍ଗମ ତ ଆଉକିଏ ଗଦାବିଦ୍ୟାରେ। ଆଉ କିଏ ରଥଚାଳନା ତ ଆଉ କିଏ ବର୍ଚ୍ଛା ଚାଳନା, ଖଣ୍ଡା ଚାଳନା ଆଦିରେ ଶ୍ରେଷ୍ଠ ବୋଲି ବିବେଚିତ ହେଲେ। ଏସବୁ ପୁରୁଣା କଥା ହୋଇପାରେ କିନ୍ତୁ ହିଷ୍ଟ୍ରି ରିପିଟସ୍‌ ଇଟ୍‌ସେଲ୍ଫ ନ୍ୟାୟରେ ଏବେ ପୁଣି ସେଇଭଳି ପରିସ୍ଥିତିର ଆମେ ସମ୍ମୁଖୀନ ହେଉଛୁ।
ଏବେ କରୋନାକ୍ରାନ୍ତ ସମାଜରେ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, ରାଜନୀତି, ସାମାଜିକ ସମ୍ପର୍କ ଆଦି କ୍ଷେତ୍ରରେ ଉପୁଜିଥିବା ସଂକଟକୁ ସୁଧାରିବା ପାଇଁ ସରକାର ଯତ୍‌ପରୋନାସ୍ତି ଚେଷ୍ଟା ଜାରି ରଖିଛନ୍ତି। ଏହା ଭିତରେ ଆସିଛି ଲକ୍‌ଡାଉନ୍‌ର ଆଉ ଏକ ପର୍ଯ୍ୟାୟ। ତେବେ ସବୁଠାରୁ ବେଶି କରୋନାକବଳିତ ହୋଇଛି ପ୍ରାଥମିକ ଶିକ୍ଷା। ମାର୍ଚ୍ଚମାସ ଶେଷ ସପ୍ତାହ, ବର୍ଷସାରା ପରିଶ୍ରମ କରିଥିବା ଛାତ୍ରୀଛାତ୍ର କୃତିତ୍ୱ ପ୍ରଦର୍ଶନ କରିଥାନ୍ତେ। ପରୀକ୍ଷା ଥିଲା ସେମାନଙ୍କ ପାଇଁ ପ୍ଲାଟଫର୍ମ। ସେମାନଙ୍କର ଆମତ୍ବିଶ୍ୱାସ ବଢ଼ିଥା’ନ୍ତା। ନିଜର ଯୋଗ୍ୟତା ଅନୁସାରେ ଚାକିରି ପାଇଥାଆନ୍ତେ ଅଥବା ଉଚ୍ଚଶିକ୍ଷା ଲାଭ କରିଥାନ୍ତେ। ଅଧା ପରୀକ୍ଷା ପରେ ଯାହା ତାହା ଉପାୟରେ ସେମାନଙ୍କୁ ଉପର କ୍ଲାସକୁ ଉଠାଇ ନିଆଗଲା। ଧୁଆ ମୂଳା ଅଧୁଆ ମୂଳା ସମାନ ହୋଇଗଲେ। ସେତେବେଳେ ଆଉ ବିକଳ୍ପ କିଛି ନ ଥିଲା। କିନ୍ତୁ ଏବେ ଆରମ୍ଭ ହୋଇଛି ଅସଲ ସମସ୍ୟା। ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଅନିଶ୍ଚିତ। କେତେକାଳ ଏ ସଂକଟ ଦେଇ ଆମେ ଗତିକରିବୁ ତା’ର କୌଣସି ଇୟତ୍ତା ନାହିଁ। ସଂକଟକୁ ଭୟକରି ଗୋଟାଏ ବିନ୍ଦୁରେ ଅଟକି ଗଲେ ହେବନାହିଁ। ଆଗକୁ ବଢ଼ିବାକୁ ପଡିବ। ସ୍ଥାଣୁ ପାଲଟି ଯାଉଥିବା ଶିକ୍ଷା ବିଭାଗକୁ ସଜଡାଯାଉଛି ନିଃସ୍ବ ବିଦ୍ୟାଳୟଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ। ବିଶ୍ୱବିଦ୍ୟାଳୟମାନ ତ ସଜଡ଼ା ହୋଇଯିବ। ବେଶି କିଛି ଫରକ ପଡିବନି। କିନ୍ତୁ ଏଇ କର୍ଣ୍ଣ, ଏକଲବ୍ୟମାନଙ୍କର ନିଃସ୍ବ ବିଦ୍ୟାଳୟ ପାଇଁ ଦାରୁଣ ସଙ୍କଟ ହୋଇଛି ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା।
ଆମ ଦେଶରେ ଉଚ୍ଚବିତ୍ତ, ମଧ୍ୟବିତ୍ତ ନିମ୍ନବିତ୍ତ ପରେ ଏହି ଶୂନ୍ୟବିତ୍ତଙ୍କ କଥା କେହି ଚିନ୍ତା ହିଁ କରନ୍ତି ନାହିଁ। ଏମାନଙ୍କ ପାଖରେ ଘରଦ୍ୱାର, ଜାଗାବାଡ଼ି ଆଦି କିଛି ପ୍ରମାଣପତ୍ର ନ ଥିବାରୁ ସରକାରୀ ସାହାଯ୍ୟମାନ ସେମାନଙ୍କ ପାଖରେ ପହଞ୍ଚେ ନାହିଁ। ଲକ୍‌ଡାଉନ୍‌ ସମୟର ଲକ୍ଷଲକ୍ଷ ଲୋକ ପୋକମାଛି ପରି ଯେମିତି ରାସ୍ତାଘାଟରେ ଡହଳ ବିକଳ ହେଉଥିଲେ ଆମେ କେମିତି କଳ୍ପନା କରିବା ଯେ, ସେମାନଙ୍କ ପାଖରେ ତାଙ୍କ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେବାପାଇଁ ସାମର୍ଥ୍ୟ ଅଛି? ମିଳିତ ଜାତିସଂଘର ଶିକ୍ଷାକମିଶନ୍‌ ମଧ୍ୟ ଭାରତରେ ଅନ୍‌ଲାଇନ୍‌ ଶିକ୍ଷା ଏକ ଭ୍ରାନ୍ତଧାରଣା ବୋଲି କହିଛନ୍ତି, ଭାରତକୁ ଗ୍ଲୋବାଲ୍‌ ନଲେଜ ସୁପର ପାୱାର, ଭାଇବ୍ରେଟେଡ୍‌ ନଲେଜ ସେକ୍ଟର ଆଦି କରିବାର ଯେଉଁ ସ୍ବପ୍ନ ଓ ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ କରୋନାକ୍ରାନ୍ତ ସମୟରେ ଆମକୁ ସାନ୍ତ୍ୱନା ଦେବାପାଇଁ କହିଥିଲେ ତାହାର ବାସ୍ତବତା ଖୁବ୍‌ଶୀଘ୍ର ଜଣାପଡ଼ିଯିବ।
ଆମ ଦେଶର ୭୩ ପ୍ରତିଶତ ସମ୍ପତ୍ତି ଭୋଗ କରୁଥିବା ଏକ ପ୍ରତିଶତ ଯୁବରାଜମାନଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷାରେ କିଛି ଫରକ୍‌ ପଡିବ ନାହିଁ। କରୋନାକାଳୀନ ସାମାଜିକ ଦୁର୍ବିପାକ ପ୍ରକୃତରେ ସେମାନଙ୍କୁ କିଛି ଆକ୍ରାନ୍ତ କରିନାହିଁ। ସେମାନେ ଉଚ୍ଚବର୍ଗର। ସେମାନଙ୍କର ସବୁ କିଛି ଉଚ୍ଚତମ। ସେମାନଙ୍କ ସ୍କୁଲ ଭଲ। ଶିକ୍ଷକ ଭଲ। ଟିଉଶନଶିକ୍ଷକ ଭଲ। ପିତାମାତା ଅଧିକ ସଚେତନ। ଘରେ ସବୁକିଛି ସାଧନ ସେମାନେ ଉପଭୋଗ କରନ୍ତି। ୱାନ୍‌ ନେଶନ୍‌ ୱାନ୍‌ ଅନ୍‌ଲାଇନ୍‌ ଏଜୁକେଶନ ହେଲେ ବି ତ ସେମାନେ ରାଜକୁମାରଙ୍କ ପରି ସ୍ବତନ୍ତ୍ର ଶିକ୍ଷାଦାନ ପାଇଥା’ନ୍ତି। ସବୁ ସାହେବମାନଙ୍କ ଆଦବ କାଇଦାରେ ସେମାନେ ବଢ଼ନ୍ତି। ପାଠପଢ଼ା ପରେ ସେମାନଙ୍କ ନିଶ୍ଚିତ ନିଯୁକ୍ତି ହୋଇଯାଏ। ସେମାନେ ସେହି ଉଚ୍ଚବର୍ଗ ହୋଇ ରହିଯାଆନ୍ତି। ସେମାନଙ୍କ ପାଦରେ ମାଟି ଲାଗେ ନାହିଁ।
କିନ୍ତୁ କର୍ଣ୍ଣ-ଏକଲବ୍ୟମାନଙ୍କୁ ଚିରଦିନ ସବୁ ସୁବିଧାରୁ ବଞ୍ଚତ୍ତ କରାଯାଇଥାଏ। ଏମାନେ ସର୍ବଦା ଭୋକଶୋଷରେ ଜୁଡୁବୁଡୁ। ସମସ୍ତଙ୍କ ଘରେ ବିଜୁଳିବତି ନ ଥାଏ। ଯେଉଁଠି ବିଜୁଳି ସଂଯୋଗ କରାଯାଇଛି, ସେଠି ସବୁବେଳେ ଆସେନାହିଁ ବିଦ୍ୟୁତ୍‌। ଅନେକଙ୍କ ଘରେ ପଢ଼ା ଟେବୁଲ୍‌ ନାହିଁ। ପିଲାମାନଙ୍କ ପାଇଁ ଅଲଗା ପଢ଼ା ରୁମ୍‌ ନାହିଁ। କମ୍ପ୍ୟୁଟର ସଂଯୋଗ, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌ ଏସବୁ ସେମାନଙ୍କ ପାଇଁ ସ୍ବପ୍ନ। ସେମାନଙ୍କ ମାଆବାପାମାନେ ପେଟପାଟଣା ପାଇଁ ଏତେ ବ୍ୟସ୍ତ ଯେ, ପିଲାମାନଙ୍କର ଏ ଦାୟିତ୍ୱ ତୁଲାଇବାକୁ ସମ୍ପୂର୍ଣ୍ଣ ଅକ୍ଷମ। କଲେଜରେ ସୁଦ୍ଧା ଅନ୍‌ଲାଇନ୍‌ ପାଇଁ ଦଶ ପ୍ରତିଶତ ପିଲାଙ୍କର ଉପସ୍ଥାନ ହେଉନାହିଁ। ଏସବୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚିତ୍ର। ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସ୍କୁଲରେ ପାଠପଢ଼େଇବା ସମୟରେ ଯେଉଁ ପିଲାମାନଙ୍କର ଉପସ୍ଥାନ ହୁଏ ନାହିଁ। ସେମାନଙ୍କୁ ସ୍କୁଲକୁ ଆଣିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ହୁଏ। କେବେ ସେମାନେ ବଣଜଙ୍ଗଲକୁ ଯାଇଥା’ନ୍ତି ତ ଆଉ କେବେ ବାପାମାଆଙ୍କ ସାଙ୍ଗରେ କୌଳିକ ବୃତ୍ତିରେ। ସ୍କୁଲରେ ସିଧାସଳଖ ପିଲାମାନଙ୍କୁ ଶିକ୍ଷା ଦେବା ବେଳେ ଛାତ୍ର ଉପସ୍ଥାନ ଯେଉଁ ଦେଶରେ ଏହି ଅବସ୍ଥା। ସେଠାରେ ସେମାନଙ୍କୁ ଅନଲାଇନ୍‌ରେ କିପରି ଶିକ୍ଷା ଦିଆଯିବ?
ସମାଜରେ ଯେତେବେଳେ ସାମାଜିକ ବିପର୍ଯ୍ୟୟ ଆସେ, ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଥାନ୍ତି ନିମ୍ନବର୍ଗର ଲୋକେ। ସେମାନଙ୍କ ପାଖରେ ଯତ୍‌କିଞ୍ଚତ୍ତ୍‌ ଥାଏ ସେସବୁ ଚାଲିଯାଏ ଧନୀ ଲୋକର ଭଣ୍ଡାରକୁ। ଦେଶରେ ଦୁର୍ଭିକ୍ଷ ପଡିଲେ ଗରିବ ଲୋକଙ୍କ ଘରୁ ସୁନାରୁପା, କଂସାପିତ୍ତଳ, ଜମିବାଡ଼ି, ଘରଡ଼ିହ ଖଣ୍ଡକ ବି ବନ୍ଧା ପଡିଯାଏ ମହାଜନ ଘରେ। ତା’ ବଦଳରେ ମହାଜନ ଘର ପୁରୁଣା ପୋକଖିଆ ଗମରା ଧାନ, ଚାଉଳ, ବିରି, ମୁଗ, ମାଣ୍ଡିଆ ଯାହା କିଛି ଥାଏ ସେ ସବୁ ସଫା ହୋଇଯାଏ। ଏବେ ଯେଉଁ କରୋନାକାଳୀନ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ନିମ୍ନ ଓ ନିମ୍ନମଧ୍ୟବିତ୍ତମାନଙ୍କୁ ଶୂନ୍ୟବିତ୍ତ କରିବ ନାହିଁ, ସେମାନଙ୍କ ମସ୍ତିଷ୍କକୁ ମଧ୍ୟ ଶୂନ୍ୟ କରିଦେବ। ଜାତୀୟ ଶିକ୍ଷାନୀତି ଅନୁସାରେ ଦଶମ ଶ୍ରେଣୀପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଫେଲ୍‌ କରାଯାଇପାରିବ ନାହିଁ। ସେମାନେ କ୍ଲାସରୁ କ୍ଲାସ ଉଠି ଉଠି ଯିବେ କିନ୍ତୁ କର୍ଣ୍ଣ ଓ ଏକଲବ୍ୟଙ୍କ ପରି କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ।
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri