କରୋନା କାଳେ ପୋଷା ହାତୀ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଲକ୍‌ଡାଉନ୍‌’ ଶବ୍ଦଟିର ଗୁରୁତ୍ୱ ଚଳିତ ୨୦୨୦ରେ ବହୁ ପରିମାଣରେ ବଢ଼ିଯାଇଛି। କଲିନ୍ସ ଇଂଲିଶ ଡିକ୍‌ଶନାରୀ ତରଫରୁ ଦଶଟି ପ୍ରମୁଖ ଶବ୍ଦକୁ ବାଛିବା ପାଇଁ ଗୋଟିଏ ସର୍ଭେ କରାଯାଇଥିଲା। ଏହି ତାଲିକାରେ ସ୍ଥାନ ପାଇଥିଲା- କରୋନା ଭାଇରସ, ସାମାଜିକ ଦୂରତା, ଆତ୍ମବିଚ୍ଛିନ୍ନତା, କି-ଓ୍ବାର୍କର (କରୋନା ଯୋଦ୍ଧା ପରି), ଫର୍ଲୋ (ଯେଉଁ କର୍ମଚାରୀକୁ ଚାକିରିରୁ ବିଦା ନ କରି ଅବୈତନିକ ଭାବେ ରଖାଯାଏ) ଇତ୍ୟାଦି। ତନ୍ମଧ୍ୟରେ ଲକ୍‌ଡାଉନ୍‌ ମଧ୍ୟ ସ୍ଥାନିତ ହୋଇଛି। ଗତବର୍ଷ ଏହି ସମୟରେ ଏହି ଶବ୍ଦଟି ଯେତେଥର ବ୍ୟବହୃତ ହୋଇଥିଲା, ଚଳିତବର୍ଷ ଚାରି ହଜାର ଥର ଅଧିକ ହୋଇଛି। ଏହାର ପରିମାଣ ଅଢ଼େଇ ଲକ୍ଷ ଛୁଇଁବ। ଲକ୍‌ଡାଉନ ସମ୍ପର୍କରେ କୁହାଯାଇଛି ଯେ, କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ସାରା ବିଶ୍ୱରେ ଲୋକମାନେ ସଚେତନ ହୋଇ ଗୃହବନ୍ଦୀ ଭାବେ ବିତାଇବା ପରି ବିଚିତ୍ର ଅନୁଭୂତି ପ୍ରାପ୍ତ ହୋଇଛନ୍ତି। ତେଣୁ ୨୦୨୦ ପାଇଁ ‘ଲକ୍‌ଡାଉନ୍‌’କୁ ୨୦୨୦ର ଶବ୍ଦ ଭାବେ ନିର୍ବାଚନ କରାଯାଇଛି। ମୋଟାମୋଟି ଭାବେ ଏଇ ଶବ୍ଦାବଳୀ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ।
୨୩ ମାର୍ଚ୍ଚ ୨୦୨୦ରେ ଏହି ଭୟଙ୍କର ସଂକ୍ରମଣକୁ ପ୍ରତିହତ କରିବାକୁ ସରକାର ତାଲା-ବନ୍ଦ ବା ଲକ୍‌ଡାଉନ ଘୋଷଣା କଲେ। ପ୍ରବାସୀ ଶ୍ରମିକ ସମସ୍ୟା ଗୁରୁତର ରୂପ ନେଲା। ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ଲକ୍ଷ୍ୟ କରି ‘ଦ ପ୍ରିଣ୍ଟ’ ପତ୍ରିକାର ମୁଖ୍ୟ ସମ୍ପାଦକ ଶେଖର ଗୁପ୍ତା ମନ୍ତବ୍ୟ ଦେଇଥିଲେ, ”ଡହ ଡହ ଖରାରେ ପିଚୁ ସଡ଼କରେ ଖାଲି ପାଦରେ ଚାଲୁଥିବା ଏଇ ଶ୍ରମିକମାନଙ୍କୁ ଦେଖି ଭାବନାହିଁ ଯେ ସେମାନେ ଦରିଦ୍ର। ପୃଥିବୀରେ ଏମିତି କୌଣସି ଚପଲ ତିଆରି ହୋଇ ନାହିଁ ଯାହା ହଜାରେ କିଲୋମିଟର ନିରବଚ୍ଛିନ୍ନ ଭାବେ ଚାଲି ପାରିବ।“ଏହି ଯନ୍ତ୍ରଣାଦାୟକ ଅପରିଚିତ ଅଭିଯାନ କେବେ ସରିବ ଚଳମାନ ମୂଲିଆଟିଏ ବୁଝି ପାରୁ ନ ଥାଏ। ଯେତେ ଚାଲିଲେ, ତା’ର ଦୈର୍ଘ୍ୟ ସେତେ ଲମ୍ବିଯାଉଥିବା ପରି ଲାଗେ। ତଥାପି ସେ ଚାଲେ, ”…ଆଣ୍ଡ୍‌ ମାଇଲ୍‌ସ ଟୁ ଗୋ ବିଫୋର ଆଇ ସ୍ଲିପ୍‌, ଆଣ୍ଡ୍‌ ମାଇଲ୍‌ସ ଟୁ ଗୋ ବିଫୋର ଆଇ ସ୍ଲିପ୍‌।“ -ଆମେରିକୀୟ କବି ରବର୍ଟ ଫଷ୍ଟ (୧୮୭୪-୧୯୬୩)। ତେବେ ଏହି କବିତା ଫଷ୍ଟ ସୁଖଦ ଯାତ୍ରା ପୃଷ୍ଠଭୂମିକୁ ଲକ୍ଷ୍ୟକରି ରଚନା କରିଛନ୍ତି। କିନ୍ତୁ ପ୍ରବାସୀ ଅନୁଭବ କରେ ନାହିଁ କୌଣସି ଆନନ୍ଦ। ବରଂ ଜଣେ ବିଜ୍ଞ ସଂପାଦକଙ୍କ ମତାନୁଯାୟୀ (୧୮ମେ ୨୦୨୦) ସାହିତ୍ୟରେ ୨୦୧୬ରେ ନୋବେଲ ବିଜୟୀ ଆମେରିକୀୟ ଗୀତିକାର ଓ ଗାୟକ ବବ୍‌ ଡିଲନ (ଜନ୍ମ ୧୯୪୧)ଙ୍କ ଗୀତ ‘ବ୍ଲୋଇଙ୍ଗ ଇନ୍‌ ଦ ଓ୍ବିଣ୍ଡ୍‌’ (ରଚନା, ୧୯୬୨)ର ଅନିଶ୍ଚିତତା ସୂଚକ ମର୍ମାଥ ପରି। ଏହି ଭାବଗର୍ଭକ କବିତାଟିରେ ପ୍ରଶ୍ନ ପଚରାଯାଇଛି- ଜଣେ ବ୍ୟକ୍ତି କେତେ ବାଟ ଚାଲିଲେ ସେ ମଣିଷ ପଦବାଚ୍ୟ ହୋଇପାରିବ ? ସେମିତି ଗୋଟିଏ ଶ୍ୱେତ ହଂସ କେତେ ସମୁଦ୍ର ସନ୍ତରଣ କରିବା ପରେ ଶାନ୍ତିରେ କୂଳରେ ଶୋଇ ବିଶ୍ରାମ ନେବ ? ଏହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଏହି ପଥ ହେଉଛି ଅପ୍ରମିତ। ବାୟୁ ପରି ଥାଇ ନ ଥିବା ସଦୃଶ ଏହାର ଗୁଣ। ପାଦ ଅବଶ ହେଉ, ମନ ବିବଶ ହେଉ। ଜୀବନକୁ ପାଣି ଛଡ଼େଇ ଆଗେଇବାକୁ ପଡ଼ିବ। ପରିବାର, ଆତ୍ମୀୟସ୍ବଜନ, ଜନ୍ମମାଟିର ନିବିଡ଼ ଆକର୍ଷଣ ସମସ୍ତ କ୍ଳେଶକୁ ପ୍ରଶମିତ କରି ଦୁଷ୍କର ଯାତ୍ରାର ଅବ୍ୟର୍ଥ ପାଥେୟ ହୋଇଛି। ଶରୀର ବାଧ୍ୟ ହୋଇ ବୋଲ ମାନୁଛି।
ଆମେ ଏଠାରେ ପଦଚାରୀଙ୍କ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ବର୍ଣ୍ଣନା କଲୁ। କିନ୍ତୁ ଲକ୍‌ଡାଉନରେ ଯେଉଁମାନଙ୍କଠାରେ ଦୈବାତ୍‌ ବାହନଟିଏ ଅଛି, ସେମାନଙ୍କ ବୃତ୍ତାନ୍ତ ପ୍ରତି ଦୃଷ୍ଟି ଆକର୍ଷଣ ବର୍ତ୍ତମାନ କରିବୁ। ଏହି ବାହନଟି ଚାରିଚକିଆ ବା ଦୁଇଚକିଆ ପରି ନିର୍ଜୀବ ନୁହେଁ, କିନ୍ତୁ ଜୀବନ୍ତ। ପୁରୀ ସହରର ଗୋଟିଏ ଘଟଣା ସମ୍ପର୍କରେ ଯେଉଁ ଖବର ପ୍ରକାଶ ପାଇଥିଲା, ସେଥିରୁ ଜଣାଯାଏ ଯେ, ସେଠାକାର ସମୁଦ୍ର କୂଳରେ କେତେକ ପର୍ଯ୍ୟଟକ ହାତୀ ଉପରେ ବସି କୌତୁକ ଭ୍ରମଣ କରିଥାନ୍ତି। ଏହି ବୃତ୍ତିରେ ନିୟୋଜିତ ୟୁପିରୁ ଆସିଥିବା ଜଣେ ବ୍ୟକ୍ତି ପେଟ ପୋଷୁଥିଲେ। ଲକ୍‌ଡାଉନ୍‌ରେ ସେ ଏକା ଥିଲେ, କୌଣସି ଉପାୟରେ ନିଜ ଭିଟାମାଟିକୁ ଫେରି ଯାଇଥାନ୍ତେ। କିନ୍ତୁ ପାଖରେ ପୋଷା ହାତୀ। ପରିଶେଷରେ ସେଠାରେ ଥିବା ଜଣେ ଗାଁ-ସାଥୀ ସହ ହାତୀରେ ବସି ନିଜ ସହର ବାରାଣସୀ ଆଡକୁ ଅଗ୍ରସର ହେଲେ। ନଅଶହ କିଲୋମିଟର ପଥ ଅତିକ୍ରମ କରିବା ପରେ ସେମାନେ ଝାଡ଼ଖଣ୍ଡର ଗୁମଲାଠାରେ ପହଞ୍ଚିଲେ। ଅଶୀ କିଲୋମିଟର ଆଗରୁ ସେମାନେ ସିମଡେଗା ଜିଲାର ଧାର୍ମିକ ସ୍ଥଳ ରାମରେଖାଡାମରେ ରାତ୍ରିଯାପନ କରିଥିଲେ। ଛତିଶଗଡ଼ ପ୍ରଦେଶ ଏବଂ ଝାଡ଼ଖଣ୍ଡରେ ସେମାନଙ୍କୁ ଅନେକ ବଣ-ଜଙ୍ଗଲ ପାର ହେବାକୁ ପଡ଼ିଲା।
ଏହି ନିରାମିଷାଶୀ ବନ୍ୟପ୍ରାଣୀଟି ବଣ ଜଙ୍ଗଲର ପ୍ରାକୃତିକ ପରିବେଶରେ, ନିଜ ଘରକୁ ଫେରିବା ପରି ଆନନ୍ଦ ଅନୁଭବ କଲା। ଜଣାଯାଏ ଯେ, ଗୋଟିଏ ହାତୀ ଦିନକୁ ୯୦ରୁ ୨୭୦ କିଲୋଗ୍ରାମ ଓଜନର ଖାଦ୍ୟ ଖାଏ। ସେ ଦୈନିକ ୧୬ରୁ ୧୮ ଘଣ୍ଟା ଧରି ଖାଦ୍ୟ ଗ୍ରହଣରେ ବ୍ୟସ୍ତ ରହେ। ତା’ର ଶରୀରର ପରିପାକ ବ୍ୟବସ୍ଥା ଏମିତି ଯେ ସେ ଖାଇଥିବା ଅଧିକ ଖାଦ୍ୟାଂଶ ମଳ ଭାବେ ନିର୍ଗତ ହୁଏ। ବର୍ଷକ ମଧ୍ୟରେ ପ୍ରାୟ ୧୩୦ ଦିନ ଏତେ ପରିମାଣର ଖାଦ୍ୟ ପୁରୀ ସହରରେ (ବିଶେଷଭାବେ ଲକ୍‌ଡାଉନ୍‌ ବେଳେ) ହାତୀକୁ ଯୋଗାଇବା ଏକରକମ ଅସମ୍ଭବ। ଉକ୍ତ ମାହୁନ୍ତ ଏହି ଦୃଷ୍ଟିରୁ ଏବେ ଜଞ୍ଜାଳମୁକ୍ତ।
ଗୁମଲା ଅଞ୍ଚଳ ଦେଇ ଓଟ, ଘୋଡ଼ା, ହାତୀ ଇତ୍ୟାଦି ଜନ୍ତୁମାନେ ସାଧାରଣତଃ ବାରାଣସୀରୁ ପୁରୀକୁ ଯାତାୟାତ କରିଥା’ନ୍ତି। ସେଠାକାର ଅଭ୍ୟସ୍ତ ବାସିନ୍ଦାମାନେ ଉକ୍ତ ପ୍ରାଣୀ ଓ ସେମାନଙ୍କ ମାଲିକମାନଙ୍କୁ ଯଥୋଚିତ ସାହାଯ୍ୟ ଓ ସମର୍ଥନ ମଧ୍ୟ ଦେଇ ଆସିଥାନ୍ତି। ଲକ୍‌ଡାଉନ୍‌ ବେଳେ ବିଭିନ୍ନ ଚେକ୍‌-ପୋଷ୍ଟରେ କଡା ପ୍ରହରା। ଏଥିରୁ ଖସିଯିବା ଅସମ୍ଭବ। ତେବେ ରାସ୍ତାରେ ଚୈନପୁର ବିଡିଓ ସେମାନଙ୍କ ବିଷୟରେ କହିଥିଲେ, ”ହାତୀରେ ବସିଥିବା ସାଧୁ ପରି ସେମାନେ ଦିଶୁଥିଲେ। କୌଣସି କର୍ମଚାରୀ ସେମାନଙ୍କୁ ଆନ୍ତଃରାଜ୍ୟ ଗମନାଗମନ ଅନୁମତିପତ୍ର ମାଗି ନ ଥିଲେ। ପ୍ରକୃତରେ ମୁଁ ସେମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେଇଥିଲି।“ ରାଞ୍ଚତ୍ର ବନ୍ୟଜନ୍ତୁ ବିଭାଗର ବନକର୍ମଚାରୀ ମତ ପ୍ରକାଶ କରିଥିଲେ, ”ମାହୁନ୍ତ ସହ ପୋଷା ହାତୀମାନଙ୍କୁ ସାହି ବା ମେଳାରେ ଭାଗ ନେବାକୁ ମାଲିକମାନେ ସରକାର ସହ ରେଜିଷ୍ଟ୍ରେଶନ କରିଥାନ୍ତି। ଏହି ପୋଷା ଜୀବମାନେ ସେମାନଙ୍କ ପାରିବାରିକ ସମ୍ପତ୍ତି (ଖାନଦାନି)। ଏପଟେ ପଦଚାରୀ ପ୍ରବାସୀମାନେ ଯନ୍ତ୍ରଣାଦାୟକ ଅସରନ୍ତି ଯାତ୍ରାରେ ହନ୍ତସନ୍ତ ହେଉଥିବା ବେଳେ ହାତୀର ମାହୁନ୍ତଟି ଗଜପତି ପରି ସଗର୍ବେ ଦୀର୍ଘ ପଥ ଅତିକ୍ରମ କଲା। ବାସ୍ତବରେ କରୋନା ବେଳେ ଯାହାକୁ ହାତୀ ପିଠି ଦେଖାଏ, ସେ ଆଉ କାହାର କିଙ୍କର ବା ନୌକର ହୋଇ ନ ପାରେ। ସେ ହୋଇଯାଏ ସଉଦାଗର… ଜଣେ ସର୍ଦ୍ଦାର।
ତଟସ୍ଥ ହୋଇ ଜଳକା ପରି ଚାହିଁ ରହିଥିବା ଇତର ଲୋକଙ୍କୁ ଦେଖିଲେ ତା’ମନରେ ଛାଇ ଯାଇପାରେ ଗର୍ବ ଓ ଅହଙ୍କାର- ଏକଦା ଅତୀତରେ ଦିନେ ଯେମିତି ଗଜ -ବିହାର ବେଳେ କେଉଁ କେଉଁ ରାଜା ଅନୁଭବ କରିଥିବେ!
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri