ଉଦ୍ଭିଦର ଇନ୍ଦ୍ରିୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଆମେ ଦିନେ ନିଶ୍ଚୟ ଜାଣିବାକୁ ପାଇବା ଯେଉଁ ଗଛଗୁଡ଼ିକୁ ଆମେ ମାରିଦେଉଛୁ, ଯେଉଁ ଘାସକୁ ଆମେ ବଗିଚାରୁ ଉପାଡ଼ି ପକାଉଛୁ, ଯେଉଁ ଉଦ୍ଭିଦକୁ ଆମେ କାଟିପକାଉଛୁ ଏବଂ ଯେଉଁ ଫୁଲଗୁଡ଼ିକୁ ଆମେ ଆଣି ଫୁଲଦାନୀରେ ସଜାଉଛୁ- ସେ ସମସ୍ତଙ୍କର ଆମ ପରି ଇନ୍ଦ୍ରିୟ ଦ୍ୱାରା ଅନୁଭବ ଶକ୍ତି ଓ ବୁଦ୍ଧିମତ୍ତା ଅଛି। ସେମାନେ ନିର୍ଜୀବ ଓ ନିଷ୍କ୍ରିୟ ନୁହନ୍ତି, ବରଂ ଉଚ୍ଚ ବିବର୍ତ୍ତିତ ସତ୍ତା। ଭାରତରେ ଏପରି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ସହ ଏକାକାର ହୋଇଯାଇଛନ୍ତି। ପ୍ରତ୍ୟେକ ଧର୍ମରେ ସମସ୍ତ ଗୁରୁ ଅଦ୍ୱୈତ ସିଦ୍ଧାନ୍ତର କଥା କହିଛନ୍ତି- ସମସ୍ତଙ୍କ ଭିତରେ ସେଇ ଏକ ଐଶୀ ସତ୍ତା ବିଦ୍ୟମାନ, ସମସ୍ତେ ସମାନ। ଏହି ବୋଧ ଆମ ଭିତରେ ଆସିଲେ ହିଁ ଆମେ ମୁକ୍ତି ପାଇପାରିବା ଏବଂ ତାହା ସୁଖଶାନ୍ତିର ଏକମାତ୍ର ମାର୍ଗ।
ସିଡ୍‌ନୀ ବିଶ୍ୱବିଦ୍ୟାଳୟର ଡ. ମୋନିକା ଗାଗ୍‌ଲିଆନୋ ‘ଦସ୍‌ ସ୍ପୋକ୍‌ ଦ ପ୍ଲାଣ୍ଟ’ ନାମରେ ଏକ ପୁସ୍ତକ ରଚନା କରିଛନ୍ତି, ଯାହାକୁ ନର୍ଥ ଆଟ୍‌ଲାଣ୍ଟିକ୍‌ ବୁକ୍ସ ପ୍ରକାଶ କରିଛି। ସେ ବୈଜ୍ଞାନିକ ପ୍ରମାଣ ମାଧ୍ୟମରେ ଉଦ୍ଭିଦର ବିଭିନ୍ନ ଇନ୍ଦ୍ରିୟ ବିଷୟରେ ଦର୍ଶାଇଛନ୍ତି। ମୁଁ ତାଙ୍କର ଦୁଇଟି ଗବେଷଣା ବିଷୟରେ ଏଠାରେ ଉଲ୍ଲେଖ କରୁଛି। ମିମୋସା ପୁଦିକା (ଲାଜକୁଳି ଲତା) ହେଉଛି ଏକ ସମ୍ବେଦନଶୀଳ ଉଦ୍ଭିଦ। ପିଲାବେଳେ ଆପଣ ଏହାର ପତ୍ରକୁ ଛୁଇଁଥିବେ ଓ ଛୁଇଁବା ମାତ୍ରେ ଏହା ମୁଦି ହୋଇଯାଏ। ଏହା ଏକ ପ୍ରତିରକ୍ଷାମୂଳକ ବ୍ୟବସ୍ଥା ହୋଇପାରେ ବା କୀଟପତଙ୍ଗକୁ ଭୟଭୀତ କରି ଦୂରେଇ ରଖିବା ପାଇଁ ଲାଜକୁଳି ଏପରି କରିଥାଏ। ଯେତେବେଳେ ଏହି ଗଛକୁ ଉପରୁ ତଳେ ପକେଇ ଦିଆଯାଏ ବା ହଲେଇ ଦିଆଯାଏ, ସେତେବେଳେ ତା’ର ସବୁ ପତ୍ର ବନ୍ଦ ହୋଇଯାଏ। ଗାଗ୍‌ଲିଆନୋ ୫୬ଟି ଲାଜକୁଳି ଗଛ ପାତ୍ରରେ ଲଗାଇଥିଲେ ଓ ଏଗୁଡ଼ିକୁ ସେ ପ୍ରତି ପାଞ୍ଚ ସେକେଣ୍ଡ ବ୍ୟବଧାନରେ ୧୫ ସେଣ୍ଟିମିଟର ଉପରୁ ତଳକୁ ପକାଇଲେ। ପ୍ରତିଥର ଏହାକୁ ୬୦ ଥର ପକାଗଲା। ପ୍ରଥମେ ପ୍ରଥମେ ଲାଜକୁଳି ତଳେ ପଡ଼ିବା ମାତ୍ରେ ତା’ର ପତ୍ରଗୁଡ଼ିକ ମୁଦିହୋଇଗଲା। କିନ୍ତୁ ୪, ୫ ବା ୬ ଥର ପଡ଼ିବା ପରେ କିଛି ଲାଜକୁଳି ତାଙ୍କ ପତ୍ର ଖୋଲିବାକୁ ଆରମ୍ଭ କଲେ। ସତେ ଯେମିତି ସେମାନେ ଅନୁଭବ କଲେ ଯେ ସେମାନଙ୍କ ସହ କିଛି ଖରାପ ଘଟୁନାହିଁ ଏବଂ ଏପରି ଘଟଣାକୁ ସେମାନେ ଉପେକ୍ଷା କରିପାରିବେ। ଶେଷକୁ ସବୁ ଲାଜକୁଳି ପତ୍ର ଖୋଲିଗଲା ଏବଂ ତା’ପରେ ଯେତେଥର ସେମାନଙ୍କୁ ତଳେ ପକାଇଲେ ମଧ୍ୟ ଆଉ ପତ୍ର ମୁଦିହେଲା ନାହିଁ। ସେମାନେ କ’ଣ କ୍ଳାନ୍ତ ହୋଇପଡ଼ି ଏପରି କଲେ? ନା, କାରଣ ଯେତେବେଳେ ସେମାନଙ୍କୁ ହଲେଇ ଦିଆଗଲା ସେମାନେ ପୁଣି ମୁଦିହୋଇଗଲେ। ଗୋଟିଏ ନୂଆ ଉତ୍ତେଜନା ପ୍ରତି ସେମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଗୋଟିଏ ସପ୍ତାହ ପରେ ଗାଗ୍‌ଲିଆନୋ ପୁଣି ଗଛଗୁଡ଼ିକୁ ତଳେ ପକାଇ ଉକ୍ତ ପରୀକ୍ଷାର ପୁନରାବୃତ୍ତି କଲେ। କିନ୍ତୁ ଦେଖାଗଲା ଲାଜକୁଳି ଲତାଗୁଡ଼ିକ ଆଉ ମୁଦିହେଲେ ନାହିଁ। ଅର୍ଥାତ୍‌ ପୂର୍ବର ଅନୁଭୂତି ସେମାନଙ୍କର ମନେଥିଲା। ଏପରି କି ୨୮ ଦିନ ପରେ ବି ସେମାନଙ୍କର ପୂର୍ବ ଶିକ୍ଷାକୁ ମନେ ରଖିଥିଲେ।
ମଣିଷମାନେ ଭାବନ୍ତି ଯେ ମସ୍ତିଷ୍କରୁ ବୁଦ୍ଧି ବାହାରେ। କିନ୍ତୁ ଲାଜକୁଳି ଲତାର ତ ମସ୍ତିଷ୍କ ନାହିଁ, ତେଣୁ ତା’ର କୋଷଗୁଡ଼ିକ ହିଁ ମସ୍ତିଷ୍କର କାମ କରୁଥାଇପାରେ। ସ୍ମରଣଶକ୍ତି ହେଉଛି ବୁଦ୍ଧିମତ୍ତାର ଏକ ଅଂଶ। କିନ୍ତୁ ଏହା କିପରି କାମ କରେ ତାହା ଆମେ ଏଯାଏ ଭଲଭାବେ ଜାଣିନୁ। ଆମେ ଭାବୁ ପ୍ରାଣୀର ସ୍ମରଣଶକ୍ତି ସ୍ନାୟୁକୋଷର ଚଳନପଥର ନେଟ୍‌ଓ୍ବାର୍କ ଦେଇ କାମ କରେ। କିନ୍ତୁ କୌଣସି କଥା ମନେରଖିବା ପାଇଁ ଉଦ୍ଭିଦକୁ ହୁଏତ ସ୍ନାୟୁକୋଷର ଆବଶ୍ୟକତା ପଡ଼ୁ ନ ଥାଇପାରେ। ରୋଗ ପ୍ରତିରୋଧକାରୀ କୋଷଗୁଡ଼ିକ କ୍ଷତିକାରୀ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସିବାର ଅନୁଭୂତିକୁ ମନେରଖିଥାନ୍ତି। ପରେ ଅନୁରୂପ ଜୀବାଣୁ ସଂସ୍ପର୍ଶରେ ଆସିଲେ ସେମାନଙ୍କର ପୂର୍ବ ଅନୁଭୂତି ମନେପଡ଼ିଯାଏ। ଉଦ୍ଭିଦ କ୍ଷେତ୍ରରେ ପୀଡ଼ନ ପରି ଅନୁଭୂତି ଗୁଣସୂତ୍ର ଚାରିପଟେ ଥିବା ଆଣବିକ ବେଷ୍ଟନୀକୁ ବଦଳାଇଦେଇପାରେ ଏବଂ ଏହା ସ୍ଥିର କରେ କେଉଁ ଜିନ୍‌ଗୁଡ଼ିକୁ ଚୁପ୍‌ କରାଇ ଦେବାକୁ ହେବ। ବୈଜ୍ଞାନିକମାନେ ଏବେ ଜାଣିଲେଣି ଯେ ଆଘାତ, କ୍ଷୁଧା ପରି ଘଟଣା ପ୍ରାଣୀର ମସ୍ତିଷ୍କକୁ ବଦଳାଇ ଦିଏ ଏବଂ ଏହା ସନ୍ତାନକୁ ମଧ୍ୟ ସଂଚାରିତ ହୁଏ। ଉଦ୍ଭିଦ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟେ।
ଆଉ ଏକ ପରୀକ୍ଷାରେ ଗାଗ୍‌ଲିଆନୋ ଏକ ପରଜୀବୀ ଲତା କସ୍‌କାଟା ୟୁରୋପିଆ (ନିର୍ମୂଳି ଲତା)କୁ ସମ୍ଭାବ୍ୟ ପୋଷକ ଉଦ୍ଭିଦ ପାଖରେ ରଖିଦେଲେ। ଏହି ନିର୍ମୂଳି ଲତା ପୋଷକ ଉଦ୍ଭିଦ ଦେହରେ ମାଡ଼ି ସେଥିରୁ ରସ ସଂଗ୍ରହ କରି ବଢ଼ିବାକୁ ଲାଗିଲା। ଏହି ଲତା ସବୁବେଳେ ଗନ୍ଧ ଦ୍ୱାରା ବାରି ସବୁଠାରୁ ଭଲ ପୋଷକ ଉଦ୍ଭିଦକୁ ତା’ର ପୁଷ୍ଟି ପାଇଁ ବାଛିଥାଏ। ଏହା ସବୁବେଳେ ହିସାବ କରି କେତେ ବେଢ଼ା ଗୁଡ଼େଇ ହେଲେ ତା’ର ପୋଷକ ଉଦ୍ଭିଦଠାରୁ ଆବଶ୍ୟକ ପୋଷଣ ପାଇପାରିବ ତାହା ସ୍ଥିର କରିଥାଏ।
ଏହି ପୁସ୍ତକରେ ଏହିପରି ଅନେକ ଗବେଷଣା ତଥ୍ୟ ସନ୍ନିବେଶିତ ହୋଇଛି। ତେବେ ଏହା କେବଳ ବିଜ୍ଞାନସମ୍ମତ ନୁହେଁ, ତା’ଠୁ ବି ଅଧିକା। ଦୁନିଆକୁ ନୂଆ ଦୃଷ୍ଟିରେ ଦେଖିବା ପାଇଁ ଗାଗ୍‌ଲିଆନୋ ଆମକୁ ଆହ୍ବାନ କରିଛନ୍ତି। ଆମେ ଉଦ୍ଭିଦ ଭିତରେ କିଛି ବୁଦ୍ଧିମତ୍ତା ବା ସମ୍ବେଦନା ନାହିଁ ବୋଲି ଧରିନେଇଛୁ। ଏଥିରେ ଆମେ ଉଦ୍ଭିଦର ବିବର୍ତ୍ତନୀୟ ଇତିହାସକୁ ଉପେକ୍ଷା କରିଥାଉ। ସେମାନଙ୍କର ବୁଦ୍ଧିମତ୍ତାକୁ ଅବଜ୍ଞା କରିବା ହେଉଛି ଆମର ଅହମିକା। ପ୍ରତ୍ୟେକ ପାର୍ଥିବ ପରିବେଶରେ ଉଦ୍ଦିଦ ରହିଛନ୍ତି ଏବଂ ଏମାନେ ପୃଥିବୀର ମୋଟ ଜୈବତତ୍ତ୍ୱର ୯୯ ପ୍ରତିଶତ ଅଧିକାର କରିଛନ୍ତି। ତେଣୁ ସେମାନଙ୍କୁ ଅବଜ୍ଞା କରିବା ଆମର ଅଜ୍ଞତା ଛଡ଼ା ଆଉ କିଛି ନୁହେଁ।
ଅନେକ ବର୍ଷ ତଳେ ଇଟାଲିର ଡାମନହରଠାରେ ଡେଭ୍‌ଲପ୍‌ମେଣ୍ଟ ଅଲ୍‌ଟର୍ନେଟିଭ୍‌ସର ସଦସ୍ୟ ଡ. ଅଶୋକ ଖେସଲାଙ୍କୁ ଭେଟିଥିଲି, ଯେଉଁ ସଂସ୍ଥାର ମୁଖ୍ୟ ଥିଲେ ଫାଲ୍‌କୋ ନାମକ ଜଣେ ଋଷିପ୍ରତୀମ ବ୍ୟକ୍ତି। ଏଠାରେ ବହୁ ବୈଜ୍ଞାନିକ କାମ କରନ୍ତି ଏବଂ କିପରି ଭଲରେ ବଞ୍ଚିବାକୁ ହେବ, ତା’ ଉପରେ ସେମାନେ ଗବେଷଣା କରନ୍ତି। ସେମାନେ ଏକ ମେଶିନ ରଖିଛନ୍ତି, ଯାହାକୁ ଗଛ ଦେହରେ ଲଗାଇଦେଲେ ସେଥିରୁ ମଣିଷ ଶୁଣିବା ଭଳି ଗଛର ସ୍ବର ଶୁଣାଯାଏ। ଅର୍ଥାତ୍‌ ଗଛ କଥା କହୁଥିବାର ଆପଣ ଶୁଣିପାରିବେ। ତେବେ ଆପଣ ତାହା ବୁଝି ନ ପାରିଲେ ବି ନିଶ୍ଚୟ ଅନ୍ୟ ଗଛ ତାହା ବୁଝିପାରୁଥିବେ। ଅର୍ଥାତ୍‌ ଉଦ୍ଭିଦମାନେ ପରସ୍ପର ସହ ଭିନ୍ନ ଏକ ଭାଷାରେ ଭାବର ଆଦାନ ପ୍ରଦାନ କରିପାରନ୍ତି। ଉଭୟ ଗଛରେ ମେଶିନ ଲଗାଇଦେଲେ ସେମାନେ ତାଙ୍କ ଭାଷାରେ କଥା ହେଉଥିବାର ଆପଣ ଶୁଣିପାରିବେ। ଭିନ୍ନ ପ୍ରଜାତିର ଉଦ୍ଭିଦର ଭାଷା ଭିନ୍ନ ହେଲେ ମଧ୍ୟ ସେମାନେ ତାହା ସହଜରେ ଶିଖିନେଇ ପାରନ୍ତି।
ପିଟର ଟମ୍ପକିନ୍ସ ଓ ଖ୍ରୀଷ୍ଟଫର ବାର୍ଡଙ୍କ ଦ୍ୱାରା ରଚିତ ‘ଦି ସିକ୍ରେଟ୍‌ ଲାଇଫ୍‌ ଅଫ୍‌ ପ୍ଲାଣ୍ଟସ୍‌’ ପୁସ୍ତକରେ ସିଆଇଏର ପଲିଗ୍ରାଫ୍‌ ବିଶେଷଜ୍ଞ କ୍ଲେଭ୍‌ ବ୍ୟାକ୍‌ଷ୍ଟରଙ୍କ ଦ୍ୱାରା ୧୯୬୬ରେ କରାଯାଇଥିବା ଗବେଷଣା ବର୍ଣ୍ଣିତ ହୋଇଛି। ସେ ଏକ ଡ୍ରାକେନା ଗଛର ପତ୍ରରେ ଗାଲ୍‌ଭାନୋମିଟର ଲଗାଇ ଏହି ପରୀକ୍ଷା କରିଥିଲେ। ସେ ଦେଖିଲେ ଯେ ଡ୍ରାକେନା ଗଛ ନିଆଁରେ ଜଳୁଛି ବୋଲି ଖାଲି କଳ୍ପନା କରିବା ମାତ୍ରେ ପଲିଗ୍ରାଫ୍‌ ମେଶିନର ସୂଚୀ ଉପରତଳ ହେବାକୁ ଲାଗିଲା। ଅର୍ଥାତ୍‌ ସେଥିରେ କିଛି ବୈଦ୍ୟୁତିକ କାର୍ଯ୍ୟକଳାପ ଘଟିଲା, ଯାହା ମାନସିକ ଚାପର ସୂଚକ। ତା’ହେଲେ ଡ୍ରାକେନା ଗଛ କ’ଣ ତାଙ୍କ ହୃଦୟର ଭାବନା ବୁଝିପାରିଲା? ଗଛମାନେ କ’ଣ ଚିନ୍ତା କରିପାରନ୍ତି? ବ୍ୟାକ୍‌ଷ୍ଟର ଓ ତାଙ୍କ ସାଥୀମାନେ ପିଆଜ, କମଳା, କଦଳୀ ପ୍ରଭୃତି ଅନେକ ଗଛରେ ଏହି ପରୀକ୍ଷା କରି ଦେଖିଲେ ଯେ ମଣିଷର ଭାବନା ଉପରେ ବି ଗଛମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି। ମଣିଷ ଗଛର ପାଖରେ ଥିଲେ କିମ୍ବା ଗଛ ସହ ଅତି ପରିଚିତ ମଣିଷ ଟିକିଏ ଦୂରରେ ଥିଲେ ବି ତାଙ୍କ ଭାବନା ପ୍ରତି ଗଛଗୁଡ଼ିକ ପ୍ରତିକ୍ରିୟା ପ୍ରକାଶ କଲେ। ଗୋଟିଏ ଗଛ ଆଗରେ ଜଣେ ଲୋକ ଆଉ ଏକ ଗଛକୁ ଦଳିଦେବା ପରେ ଦେଖୁଥିବା ଗଛଠାରେ ବୈଦ୍ୟୁତିକ ପ୍ରତିକ୍ରିୟା ପ୍ରକାଶ ପାଇଲା। ସେହି ଦଳିଦେଇଥିବା ଲୋକଟି ସହ ଆଉ ୬ଜଣ ଲୋକ ସମୟାନ୍ତରରେ ଉକ୍ତ ଗଛ ପାଖକୁ ଆସିଲେ। ଦେଖାଗଲା ଗଛକୁ ମାରିଦେଇଥିବା ଲୋକଟି ହିଁ କେବଳ ଉକ୍ତ ଗଛ ପାଖକୁ ଆସିଲେ ତା’ଠାରେ ବୈଦ୍ୟୁତିକ ପ୍ରତିକ୍ରିୟା ପ୍ରକାଶ ପାଉଛି। ଅନ୍ୟ ଲୋକମାନେ ପାଖକୁ ଆସିଲେ କିଛି ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ଏଥିରୁ ଉଦ୍ଭିଦର ସ୍ମୃତିଶକ୍ତି ଅଛି ବୋଲି ପ୍ରମାଣିତ ହେଲା। ଗଛମାନେ ଯେ ମଣିଷଠାରୁ ଭିନ୍ନ ନୁହନ୍ତି, ଏଥିରୁ ପ୍ରମାଣିତ ହେଉଛି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri