ଇସ୍ରାଏଲ-ହମାସ ଯୁଦ୍ଧ ଓ ଗୁଟେରସ

ପ୍ରକାଶ ତ୍ରିପାଠୀ

ଇସ୍ରାଏଲ-ହମାସ ଯୁଦ୍ଧ ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଭୂମିକାକୁ ନେଇ ସମ୍ପ୍ରତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ହମାସକୁ ଆତଙ୍କବାଦୀ ଗୋଷ୍ଠୀରେ ନ ରଖିବା ଓ ଗାଜାରେ ଯୁଦ୍ଧ ପ୍ରପୀଡ଼ିତ ଜନତାଙ୍କ ଉଦ୍ଦେଶ୍ୟରେ ଆସୁଥିବା ରିଲିଫ ସାମଗ୍ରୀ ହମାସ ଦ୍ବାରା ହେଉଥିବା ଲୁଟ୍‌ ସମ୍ପର୍କରେ ଚୁପ୍‌ ରହିବା ତାଙ୍କର ଭୂମିକାକୁ ଅଧିକ ବିବାଦୀୟ କରିଛି। ଏପରିକି ଗୁଟେରସ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦେବାକୁ ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି। ଗୁଟେରସ ଯୁଦ୍ଧର ଅଗ୍ନିକୁ ପାଣି ଢାଳି ଶାନ୍ତି କରିବା ବଦଳରେ ଇନ୍ଧନ ଢାଳି ଅଧିକ ଭୟାନକ କରୁଛନ୍ତି ବୋଲି ଅଭିଯୋଗ ଆସୁଛି। ବିଶେଷକରି ଗୁଟେରସଙ୍କ ଅଦୂରଦର୍ଶିତା କାରଣ ପାଇଁ ଗାଜାପଟ୍ଟିରେ ସାଧାରଣ ନାଗରିକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବା ସହ ସେମାନଙ୍କ ପାଇଁ ବିଭିନ୍ନ ଦେଶରୁ ଯାଉଥିବା ରିଲିଫ ସାମଗ୍ରୀ ଠିକ୍‌ରେ ବଣ୍ଟନ ହୋଇପାରୁନାହିଁ। ଗୁଟେରସ ଜଣେ ପୋଖତ ରାଷ୍ଟ୍ରନୀତିଜ୍ଞ ଓ ଅନୁଭବୀ ରାଜନେତା। ଜାତିସଂଘ ମହାସଚିବ ହେବା ପୂର୍ବରୁ ସେ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଥିଲେ ଓ ଜାତିସଂଘର ଅନେକ ସଂସ୍ଥାରେ କାର୍ଯ୍ୟ ବି କରିଥିଲେ। ମିଳିତ ଜାତିସଂଘ ମହାସଚିବ ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ। ଏହି ସଂସ୍ଥାର କାର୍ଯ୍ୟ ପ୍ରଣାଳୀ ଅତ୍ୟନ୍ତ ନିରପେକ୍ଷ, ସ୍ବାଧୀନ ଓ ଅନୁକରଣୀୟ। ଏହା ଉପରେ ବିଶ୍ବର ସମସ୍ତ ରାଷ୍ଟ୍ରଙ୍କ ବିଶ୍ବାସ ଓ ଭରସା ତିଷ୍ଠି ଥାଏ। କିନ୍ତୁ ଇସ୍ରାଏଲ-ହମାସ ଯୁଦ୍ଧରେ ଜାତିସଂଘର ଭୂମିକା ଯାହା ହେବା କଥା ତାହା ହୋଇନାହିଁ। ମହାସଚିବଙ୍କ ଅଦୂରଦର୍ଶିତା ତଥା ପକ୍ଷପାତି ନୀତି ପାଇଁ ଏଠାରେ ଶାନ୍ତି ପ୍ରତିଷ୍ଠା ବଦଳରେ ଯୁଦ୍ଧର ଘନାଘଟା ତୀବ୍ର ହେବାରେ ଲାଗିଛି।
ପ୍ରଥମରୁ ହମାସର ପକ୍ଷ ନେଇ ଜାତିସଂଘ ମହାସଚିବ ଗୁଟେରସ ନିଜର ଅପାରଗପଣିଆ ପ୍ରଦର୍ଶନ କରିଛନ୍ତି। ହମାସ ପକ୍ଷରୁ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣକୁ ସେ ନିନ୍ଦା କରିବା ବଦଳରେ ଆକ୍ରମଣ ଅକାରଣ ହୋଇନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ହମାସର ଅଚାନକ ଆକ୍ରମଣ ଅତ୍ୟନ୍ତ ଅମାନବୀୟ ଓ ବର୍ବର ଥିଲା। ମହିଳାଙ୍କ ସହ ଛୋଟ ଛୋଟ ପିଲାମାନଙ୍କୁ ହତ୍ୟା କରିବା ସହ ମୃତ ମହିଳାଙ୍କୁ ବଳାତ୍କାର କରିବାକୁ ଭୁଲି ନ ଥିଲା ବର୍ବର ହମାସ ଆତଙ୍କଗୋଷ୍ଠୀ। ଏଭଳି ଭିଡିଓ ଦେଖି ସମଗ୍ର ବିଶ୍ବ ସ୍ତବ୍‌ଧ ହେବା ସହ ହମାସ ସପକ୍ଷରେ ଥିବା ସାମାନ୍ୟ ସହାନୁଭୂତି ଶେଷ ହୋଇଯାଇଥିଲା। ହମାସ ରିଲିଫ ସାମଗ୍ରୀ ଲୁଟୁଛି ଓ ଏହାରି ଉପରେ ହିଁ ସେ ଆତଙ୍କିକାର୍ଯ୍ୟ କରିଚାଲିଛି। ଯୁଦ୍ଧ ପ୍ରପୀଡ଼ିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚି ପାରୁନାହିଁ କି ଏହା କିପରି ଭୋକିଲା ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିବ ତାହା ଉପରେ କିଛି କାର୍ଯ୍ୟକ୍ରମ ବି ଜାତିସଂଘର ନାହିଁ। ହମାସର ଆତଙ୍କିକାର୍ଯ୍ୟକୁ ନିନ୍ଦା ନ କରି ଗୁଟେରସ ଜାତିସଂଘର ପ୍ରତିଷ୍ଠାରେ ଆଞ୍ଚ୍‌ ଆଣିଛନ୍ତି। ଏହାକୁ ଆଧାର କରି ସମ୍ପ୍ରତି ଇସ୍ରାଏଲ ଗୁଟେରସଙ୍କ ବିରୋଧରେ ଲବି ଆରମ୍ଭ କରିଦେଇଛି। ଗତ କିଛି ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯେ କୌଣସି ରାଷ୍ଟ୍ର ଜାତିସଂଘର ମହାସଚିବଙ୍କ ବିରୋଧରେ ମୋର୍ଚ୍ଚା ପ୍ରସ୍ତୁତ କରିବା ଓ ମହାସଚିବଙ୍କ କାର୍ଯ୍ୟକୁ ବର୍ବର କହିବା। ଏହା ସତ୍ୟ ଯେ ହମାସର ଆକ୍ରମଣ ଅତ୍ୟନ୍ତ ବର୍ବର ଥିଲା, କିନ୍ତୁ ଇସ୍ରାଏଲର ପାଲଟା ଜବାବକୁ ସମର୍ଥନ ଏତେଟା ମହତ୍ତ୍ୱପୂର୍ଣ୍ଣ ହୋଇ ନ ଥାନ୍ତା ଯଦି ମହାସଚିବ ଗୁଟେରସ ହମାସ ସପକ୍ଷରେ ନିଜର ମନ୍ତବ୍ୟ ଦେବା ପୂର୍ବରୁ ସଂଯମ ଆଚରଣ କରିଥାନ୍ତେ। ହମାସର ଆକ୍ରମଣକୁ ନିନ୍ଦା ସହ ଶାନ୍ତି ଆଚରଣ ପାଇଁ ପରାମର୍ଶ ଦେଇଥିଲେ ତାହା ଭିନ୍ନ ରୂପ ନେଇଥାନ୍ତା। ଗୁଟେରସ ହମାସ ସପକ୍ଷରେ କହିଥିଲେ ଯେ, ପାଲେଷ୍ଟିନୀୟମାନେ ଅନେକ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କର ବସତି କ୍ଷତିଗ୍ରସ୍ତ ହେବା ସହ କ୍ରମାଗତ ହିଂସା ଦ୍ୱାରା ସେମାନ ପୀଡ଼ିତ ହୋଇଆସୁଛନ୍ତି। ସେମାନଙ୍କ ଅର୍ଥନୀତି ଭୁଶୁଡିଛି ଓ ସେମାନେ ବିସ୍ଥାପିତ ଓ ବେଘର ହୋଇଛନ୍ତି। ରାଜନୈତିକ ଆଧାରରେ ସେମାନଙ୍କର ସଙ୍କଟର ସମାଧାନର ବାଟ ବନ୍ଦ ହୋଇଯାଉଛି ବୋଲି ଗୁଟେରସ ମନ୍ତବ୍ୟ ପ୍ରଦାନ କରିଛନ୍ତି, ଯାହାକୁ କି ଇସ୍ରାଏଲ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଆତଙ୍କବାଦକୁ ସହ୍ୟ କରିବା ଅର୍ଥ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା। ଏହାଦ୍ବାରା ଜାତିସଂଘ ସେକ୍ରେଟାରି ଜେନେରାଲ ନିଜର ନୈତିକତା ଓ ନିରପେକ୍ଷତା ହରାଇଛନ୍ତି। ହମାସ ପକ୍ଷରୁ ଶିଶୁମାନଙ୍କ ମୁଣ୍ଡ କଟାଗଲା, ଘରଦ୍ବାର ଓ ବ୍ୟବସାୟିକ ପ୍ରତିଷ୍ଠାନ ପୋଡ଼ି ଦିଆଗଲା, ମହିଳାମାନଙ୍କୁ ବଳାତ୍କାର କରାଗଲା। ଆଉ କେତେ ବର୍ବରକାଣ୍ଡ ହମାସ ପକ୍ଷରୁ ହୋଇଥିଲେ ଗୁଟେରସ ଖୁସି ହୋଇଥାନ୍ତେ। ଏହା ସତ୍ତ୍ୱେ ବି ଇସ୍ରାଏଲକୁ ଦୋଷ ଦେବା ପରିତାପର ବିଷୟ ବୋଲି ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ନାଗରିକଙ୍କ ଦୁଃଖ ଗୁଟେରସଙ୍କୁ ଦେଖାଯାଉନାହିଁ। ମହାସଚିବ ଗୁଟେରସ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇ ଜାତିସଂଘ କାର୍ଯ୍ୟାଳୟର ପବିତ୍ରତାକୁ ରକ୍ଷା କରିବାକୁ ଇସ୍ରାଏଲ ପକ୍ଷରୁ କୁହାଯାଇଛି।
ଇସ୍ରାଏଲ ପକ୍ଷରୁ କେବଳ ଗୁଟେରସଙ୍କୁ ସମାଲୋଚନା କରାଯାଇନାହିଁ, ବରଂ ମିଳିତ ଜାତି ସଂଘର ସମ୍ପୂର୍ଣ୍ଣ ସଂରଚନା ଓ ନୀତିକୁ ମଧ୍ୟ ନିନ୍ଦା କରାଯାଇଛି। ଯୁଦ୍ଧ ସମୟରେ ମିଳିତ ଜାତିସଂଘର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ପ୍ରପୀଡ଼ିତ ଜନସାଧାରଣଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ମାନବିକ ଅଧିକାର ଓ ମାନବୀୟତା ରକ୍ଷା ହେଉଛି ଜାତିସଂଘର ଏକ ମୌଳିକ କାର୍ଯ୍ୟ। କିନ୍ତୁ ଗାଜାପଟ୍ଟିରେ ଜାତିସଂଘର ଉଦ୍ଧାରକାରୀ ଏଜେନ୍ସିକୁ ଉଦ୍ଧାର କାର୍ଯ୍ୟରେ ଓ ରିଲିଫ ସାମଗ୍ରୀ ବଣ୍ଟନରେ କୌଣସି ସହଯୋଗ ଓ ସହାୟତା ମିଳୁନାହିଁ। ମୋଟ ଉପରେ କହିବାକୁ ଗଲେ ଜାତିସଂଘର ବିଭିନ୍ନ ଏଜେନ୍ସି ଏଠାରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି। ପ୍ରକାଶଯୋଗ୍ୟ ଯେ, ଇହୁଦୀ ଏଜେନ୍ସିର ମୁଖ୍ୟ ଡେଭିଡ ବେନ୍‌-ଗୁରିଅନ ଇସ୍ରାଏଲ ରାଜ୍ୟ ପ୍ରତିଷ୍ଠା ୧୯୪୮ରେ ଘୋଷଣା କରିଥିଲେ, ଯାହାକୁ କି ସେହି ଦିନ ଆମେରିକା, ରୁଷିଆ ସମେତ ଅନେକ ରାଷ୍ଟ୍ର ସ୍ବୀକୃତି ପ୍ରଦାନ କରିଥିଲେ। ଅର୍ଥାତ ମିଳିତ ଜାତିସଂଘର ପ୍ରତିଷ୍ଠା ପରେ ଇସ୍ରାଏଲର ଜନ୍ମ ହୋଇଥିଲା। କିନ୍ତୁ ପାଲେଷ୍ଟାଇନର ଆତଙ୍କି ସଂଗଠନ ନୂତନ ଇସ୍ରାଏଲ ଗଠନକୁ ଗ୍ରହଣ କରିପାରୁନାହାନ୍ତି। ପାଲେଷ୍ଟାଇନରେ ଇସ୍‌ଲାମ ପୂର୍ବରୁ ଇହୁଦୀ ଓ ଇସାଇମାନଙ୍କର ଆବାସ ଥିଲା। ଇହୁଦୀମାନଙ୍କର ଅକ୍ଳାନ୍ତ ପ୍ରଚେଷ୍ଟା ଓ ଦେଶଭକ୍ତି ଭାବ ଯୋଗୁ ଆଜି ଇସ୍ରାଏଲ ଏକ ପ୍ରମୁଖ ବିକାଶଶୀଳ ଦେଶ ଭାବେ ଦଣ୍ଡାୟମାନ ହୋଇପାରିଛି। ଆରବ ରାଷ୍ଟ୍ର ସମୂହ ଓ ଇସ୍ରାଏଲ ମଧ୍ୟରେ ବିବାଦ ଅତି ପୁରୁଣା ଓ ଧର୍ମ ଆଧାରରେ ହେଉଥିବା ଯୁଦ୍ଧର ଏକ ଜ୍ୱଳନ୍ତ ପ୍ରମାଣ। ଯେ ପର୍ଯ୍ୟନ୍ତ ହମାସ ଭଳି ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲର ଅସ୍ତିତ୍ୱକୁ ସ୍ବୀକାର କରିବେ ନାହିଁ, ସେ ପର୍ଯ୍ୟନ୍ତ ପାଲେଷ୍ଟାଇନ ସଙ୍କଟ ସମାଧାନ ହେବନାହିଁ।
ବିଶ୍ବରେ ଯେବେବି କୌଣସି ବଡ଼ ସଙ୍କଟ ସୃଷ୍ଟି ହୁଏ, ସେତେବେଳେ ଏହାର ସମାଧାନ ନିମନ୍ତେ ବିଶ୍ବବାସୀଙ୍କ ନଜର ପ୍ରଥମେ ଯାଇଥାଏ ମିଳିତ ଜାତିସଂଘ ଉପରକୁ। ଦେଶ ଦେଶ ମଧ୍ୟରେ ବିବାଦ, ଯୁଦ୍ଧ ଅବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ, ସାଧାରଣ ମଣିଷର ସୁରକ୍ଷା ପାଇଁ ଜାତିସଂଘର ଭୂମିକାକୁ ବିଶ୍ୱବାସୀ ଦେଖିଥାନ୍ତି। ମିଳିତ ଜାତିସଂଘ ହେଉଛି ବିଶ୍ବର ସର୍ବବୃହତ ଆନ୍ତର୍ଜାତିକ ସଂଗଠନ, ଯେଉଁଥିରେ କି ବିଶ୍ୱର ସମସ୍ତ ରାଷ୍ଟ୍ର ସଦସ୍ୟ ଅଛନ୍ତି। ଏହାର ଅଧୀନ ପ୍ରତ୍ୟେକଟି ସଂସ୍ଥା ମାନବୀୟ ସଙ୍କଟ, ପ୍ରାକୃତିକ ବିପର୍ଯ୍ୟୟ ଭଳି ଦୁଃସମୟରେ ପ୍ରଥମେ ଆଗକୁ ଆସି ସହାୟତାର ହାତ ବଢ଼ାଇଥାଏ। ଦେଶ ଦେଶ ମଧ୍ୟରେ ଯୁଦ୍ଧ ସମୟରେ ଏହାର ଭୂମିକା ଓ ଦାୟିତ୍ୱ ଅଧିକ ବଢ଼ି ଯାଇଥାଏ। ଗୋଟିଏ ପଟେ ଯୁଦ୍ଧ ପ୍ରପୀଡ଼ିତ ମଣିଷକୁ ମାନବୀୟ ସହାୟତା ପହଞ୍ଚାଇବା ସହ ଯୁଦ୍ଧରତ ଦେଶ ମଧ୍ୟରେ ଯୁଦ୍ଧ ବିରାମ ଆଣିବା ଓ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନର ଗୁରୁଦାୟିତ୍ୱ ଜାତିସଂଘ ଉପରେ ଆସିଥାଏ। ଏହି ଦୁଇ କ୍ଷେତ୍ରରେ ଜାତିସଂଘର ଭୂମିକା କେତେଦୂର ସଫଳ ହେଉଛି ତାହା ଗତ କିଛି ଦଶକ ହେବ ସାରା ବିଶ୍ବ ଦେଖୁଛି। ଜାତିସଂଘର ସାର୍ଥକତା, ଆବଶ୍ୟକତା, ନିରପେକ୍ଷତା ଓ ସକ୍ରିୟତାର ପ୍ରଶ୍ନ ଏବେ ସମଗ୍ର ବିଶ୍ବବାସୀଙ୍କ ମନରେ ଉଙ୍କି ମାରୁଛି।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri