ଆଜିର ଅର୍ଥନୀତି/ ତାଲିମ ଲୋଡ଼ା

ରାଜ୍ୟ ସରକାର କୃଷକଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ଗୁଡ଼ିକୁ ଅନୁମତି ଦେଇଛନ୍ତି। ଏହା ସରକାରଙ୍କର ଆଉ ଏକ ଲୋକପ୍ରିୟବାଦୀ ପଦକ୍ଷେପ, ଯାହାଦ୍ୱାରା ମହିଳା ଭୋଟରମାନଙ୍କ ସମର୍ଥନ ହାତଛଡ଼ା ହେବ ନାହିଁ। ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି, ଯେଉଁଗୁଡ଼ିକର ମୋଟ ସଦସ୍ୟ ସଂଖ୍ୟା ହେବ ୭୦ ଲକ୍ଷରୁ ଅଧିକ। ଏମାନେ ରାଜ୍ୟର ମୋଟ ଭୋଟର ସଂଖ୍ୟାର ୨୦ ପ୍ରତିଶତ ହେବା ସହ ମୋଟ ଲୋକସଂଖ୍ୟାର ୧୫ ପ୍ରତିଶତ ହେବେ। ସେମାନେ ହେଉଛନ୍ତି ରାଜ୍ୟର ମୋଟ ମହିଳା ସଂଖ୍ୟାର ପ୍ରାୟ ୩୫ ପ୍ରତିଶତ। ଏହି ସଂଖ୍ୟା ଖୁବ୍‌ ଉତ୍ସାହପ୍ରଦ ଏବଂ ରାଜ୍ୟ ସରକାର ସେଥିପାଇଁ ପ୍ରଶଂସାର ପାତ୍ର। ଭଲରେ ଚାଳିତଏହି ବିଶାଳ ଏସ୍‌ଏଚ୍‌ଜି ନେଟ୍‌ଓ୍ବର୍କ ବିଭିନ୍ନ ନିର୍ବାଚନରେ ରାଜ୍ୟ ସରକାରଙ୍କର ବେଶ୍‌ କାମରେ ଆସିଥିବା ଦେଖିବାକୁ ମିଳିଛି।
ରାଜ୍ୟ ସରକାର ଏହି ଏସ୍‌ଏଚ୍‌ଜିଗୁଡ଼ିକୁ ହାତ ଖୋଲି ଅନୁଦାନ ଦେବାରେ କେବେ କାର୍ପଣ୍ୟ କରିନାହାନ୍ତି ଏବଂ ସେ ଟଙ୍କା ଉଦ୍ଦିଷ୍ଟ କାମରେ ଲାଗୁଛି କି ନାହିଁ ତାହା ପ୍ରତି ବି ନଜର ଦେଇ ନାହାନ୍ତି। ଉକ୍ତ ହଜାର ହଜାର କୋଟି ଟଙ୍କା କିପରି ଖର୍ଚ୍ଚ କରାଗଲା ତା’ର କେବେ ଅଡିଟ୍‌ ବା ମନିଟରିଂ କରାଯାଇ ନାହିଁ। ସରକାର ଖୋଲା ବଜାରରୁ ଋଣ ଆଣି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଜିଲା ଓ କେନ୍ଦ୍ରୀୟ ସମବାୟଗୁଡ଼ିକ ଜରିଆରେ ଟଙ୍କା ଦେଇଥାନ୍ତି। ଏସ୍‌ଏଚ୍‌ଜିଗୁଡ଼ିକ ନାମକୁ ମାତ୍ର ସୁଧରେ ଏହି ଟଙ୍କା ପାଇବା ପରେ ତାକୁ ଚଢ଼ା ସୁଧରେ ଅନ୍ୟକୁ ଋଣ ଆକାରରେ ଦେଇଥାନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଅଧିକ ସୁଧ ପାଇବା ଆଶାରେ (ବେଳେବେଳେ ବାର୍ଷିକ ୪୦-୫୦ ପ୍ରତିଶତ) ନିଜ ଗୋଷ୍ଠୀ ବା ନେଟ୍‌ଓ୍ବର୍କ ବାହାରର ଲୋକଙ୍କୁ ଋଣ ଦେଇଥାନ୍ତି। ଋଣ ନେଇଥିବା ଗୋଷ୍ଠୀ ଭିତର ବା ବାହାର ଲୋକ ଠିକ୍‌ ସମୟରେ ଋଣ ନ ଶୁଝିଲେ ଟଙ୍କା ଆଦାୟ କରିବା ପାଇଁ ସେମାନେ ପ୍ରବଳ ଚାପ ପକାଇଥାନ୍ତି ବା ଧମକଚମକ ଦେଇଥାନ୍ତି। ଋଣ ଶୁଝିପାରି ନ ଥିବା ଅନେକ ଏସ୍‌ଏଚ୍‌ଜି ସଦସ୍ୟ ସେମାନଙ୍କ ଦଳର ଉତ୍ପୀଡ଼ନ ସହି ନ ପାରି ଅନେକ ସମୟରେ ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଓ ଢେଙ୍କାନାଳ ପରି ଜିଲାରେ ନଜରକୁ ଆସିଛି।
ସିଧାସଳଖ ଅତ୍ୟନ୍ତ କମ୍‌ ସୁଧରେ ଟଙ୍କା ଯୋଗାଣ ପରି ସୁବିଧାଗୁଡ଼ିକ ଦେବା ପରେ ରାଜ୍ୟ ସରକାର ସେମାନଙ୍କୁ ଧାନ ସଂଗ୍ରହ ପରି ଏକ ବଡ଼ ଲାଭଜନକ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଧାନ ସଂଗ୍ରହ କେନ୍ଦ୍ର ସରକାରଙ୍କ ଅନୁଦାନରେ ପରିଚାଳିତ ହୋଇଥାଏ। ଏହା ଏକ ଅତ୍ୟନ୍ତ ଲାଭଜନକ କାର୍ଯ୍ୟକ୍ରମ ହୋଇଥିବାରୁ ଘରୋଇ ସଂସ୍ଥାମାନେ ଅତୀତରେ ଏଥିରେ ପ୍ରବେଶ କରିଥିଲେ। ବିଶେଷ କିଛି ନ କରି ସେମାନେ କମିଶନ ଆକାରରେ ପ୍ରଭୂତ ଟଙ୍କା ପାଇଥାନ୍ତି। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସିଭିଲ ସପ୍ଲାଇ କର୍ପୋରେଶନ (ଓଏସ୍‌ସିଏସ୍‌ସି) ଏବଂ ଏଗ୍ରିକଲ୍‌ଚରାଲ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି (ପିଏସିଏସ୍‌)ଗୁଡ଼ିକ ଧାନ ସଂଗ୍ରହ କାର୍ଯ୍ୟ କରୁଛନ୍ତି। ଏବେ ରାଜ୍ୟ ସରକାର ଚାହୁଁଛନ୍ତି ଉକ୍ତ ଧାନ ସଂଗ୍ରହରୁ ମିଳୁଥିବା ଲାଭ ମହିଳା ସ୍ବୟଂ ସହାୟକଗୁଡ଼ିକ ନିଅନ୍ତୁ।
ରାଜ୍ୟ ସରକାର ଯେତେ ଚାହିଁବେ ମହିଳା ସ୍ବୟଂ ସହାୟକଗୁଡ଼ିକୁ ସେତେ ଆର୍ଥିକ ଲାଭ ଦେଇପାରିବେ। ସର୍ବୋପରି ମହିଳା ସଶକ୍ତୀକରଣକୁ ସ୍ବାଗତ କରାଯିବା ଉଚିତ। ତେବେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏ କାମ କରିପାରିବେ ତ? ଏ କାମ ଛତୁଆ ଯୋଗାଣ ବା ଗ୍ରାମାଞ୍ଚଳରେ ଚାଷୀ ବା ଅନ୍ୟ ଲୋକଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମଠାରୁ ଅଲଗା। ଏଥିପାଇଁ ବିଶେଷ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି। ଧାନ ଓ ଚାଉଳ ହେଉଛି ପଚନଶୀଳ ସାମଗ୍ରୀ। ମଣ୍ଡିରେ ଧାନ ସଂଗ୍ରହ କଲାବେଳେ ଯଦି ଉପଯୁକ୍ତ ଯତ୍ନ ନିଆ ନ ଯାଏ, ତେବେ ଦରପାଚିଲା ଓ ନଷ୍ଟ ହୋଇଯାଇଥିବା ଧାନ ଗୋଦାମଘରକୁ ଯିବାର ସମ୍ଭାବନା ରହିଛି। ଧାନ ସଂଗ୍ରହକାରୀ ସଂସ୍ଥାଗୁଡ଼ିକର ଧାନର ଆର୍ଦ୍ରତା ଓ ମାନ ଯାଞ୍ଚ କରିବା ଓ ସେସବୁକୁ ନଥିଭୁକ୍ତ କରିବାର କ୍ଷମତା ଥିବା ଦରକାର। ବର୍ତ୍ତମାନ ଓଏସ୍‌ସିଏସ୍‌ସି, ମାର୍କଫେଡ୍‌, ନାଫେଡ୍‌, ନାକୋଫ୍‌, ଏସ୍‌ଟିସି ଓ ଏଫ୍‌ସିଆଇ ପରି ଅନେକ ସଂସ୍ଥା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସରକାର ୨୭୦୦ରୁ ଅଧିକ ପିଏସିଏସ୍‌ ଓ ପାଣି ପଞ୍ଚାୟତକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି ଯେଉଁମାନେ ଓଏସ୍‌ସିଏସ୍‌ସି ତରଫରୁ ଧାନ ସଂଗ୍ରହ କରୁଛନ୍ତି।
ତେଣୁ ଏବେ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କାହିଁକି ଏ କାମରେ ନିୟୋଜିତ କରିବାକୁ ଚାହୁଁଛନ୍ତି, ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବ। କୋରାପୁଟ ଓ ଅନ୍ୟ ଅଞ୍ଚଳରେ ଏହାକୁ କୃଷକମାନେ ବିରୋଧ କରିବାକୁ ଆରମ୍ଭ କଲେଣି। ସେମାନେ ଦାବି କରୁଛନ୍ତି ଯେ ସରକାର ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନିଅନ୍ତୁ କାରଣ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଧାନ ସଂଗ୍ରହ ପାଇଁ ଆବଶ୍ୟକ ଦକ୍ଷତା ନାହିଁ। ତେବେ ସେ ଯାହା ବି ହେଉ ଆମେ ସରକାରଙ୍କ ନିଷ୍ପତ୍ତିକୁ ଭୁଲ୍‌ ବୋଲି କହୁନାହୁଁ। ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ଥିକ ବା ଅନ୍ୟ ଦୃଷ୍ଟିରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଏଥିରେ ପରିବର୍ତ୍ତନ ହେବା ଦରକାର। ସରକାର ତାହା ଉପରେ ନିୟନ୍ତ୍ରଣ ରଖିବା ଦରକାର କାରଣ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆର୍ଥିକ କାରବାର ରହୁଛି। କୃଷକମାନେ ଯଥାସମୟରେ ସେମାନଙ୍କ ପ୍ରାପ୍ୟ ପାଇବା ଆବଶ୍ୟକ। ତେଣୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ସରକାର ସେମାନଙ୍କୁ ଆବଶ୍ୟକ ତାଲିମ ଦେବା ସହ ସେମାନଙ୍କ କାର୍ଯ୍ୟଧାରା ଉପରେ ତୀକ୍ଷ୍ଣ ନଜର ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri