ଅସ୍ମିତାର କୋଠଘର

ଡ. ପ୍ରଫୁଲ୍ଲ କୁମାର ସାହୁ

ଆପଣା ଭାଷାକୁ ନେଇ ଗର୍ବ ଅନୁଭବ କରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଜାତି। କୌଣସି ଜାତି ତା’ର ଧନ, ସମ୍ପତ୍ତିି, ଧର୍ମ, ଦର୍ଶନ, ସାହିତ୍ୟ, ସଂସ୍କୃତି ଓ ଭାଷା ଆଦିକୁ ନେଇ ଅସ୍ମିତାର ଧ୍ୱଜା ଉଡ଼ାଏ ସତ, କିନ୍ତୁ ଏହି ସକଳ ବିଭବ ମଧ୍ୟରେ ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ହେଉଛି ଭାଷା। ଅନ୍ୟ କୌଣସି ଜାତୀୟ ବିଭବ ଉପରେ ଆଘାତ ଲାଗିଲେ ଜାତି ବରଦାସ୍ତ କରିପାରେ, କିନ୍ତୁ ମାତୃଭାଷା ଉପରେ ପ୍ରହାର ପଡ଼ିଲେ ବିଳପି ଉଠେ ଜାତିର ଆମତ୍ା। ଜାତୀୟ ଜୀବନରେ ସୃଷ୍ଟି ହୁଏ ଆନ୍ଦୋଳନ।
ଇଂରେଜମାନେ ଓଡ଼ିଶା ଅଧିକାର (୧୮୦୩) କଲାପରେ ଏ ଜାତି ଉପରେ ଅନ୍ୟାୟ ଓ ଅତ୍ୟାଚାର ହୋଇଛି ଏବଂ ଯେତେ କଷ୍ଟ ହେଲେ ବି ତାକୁ ସହିଯାଇଛି ଏ ଜାତି। କିନ୍ତୁ ସହିପାରି ନାହିଁ, ଯେତେବେଳେ ପଡ଼ୋଶୀ ରାଜ୍ୟର ଦଳେ ପଣ୍ଡିତଙ୍କ ଦ୍ୱାରା କୁଳ ଭାଷା ଉପରେ ପଡ଼ିଛି ପାହାର। ଓଡ଼ିଶାର ବିଦ୍ୟାଳୟରୁ ଓଡ଼ିଆ ଭାଷା ଉଠିଯାଇ ବଂଗଭାଷା ପ୍ରଚଳନ ହେଉ ବୋଲି ୧୯୬୪ ମସିହାରେ ପ୍ରସ୍ତାବ ରଖିଲେ ତତ୍‌କାଳୀନ ସ୍କୁଲ ଇନ୍‌ସପେକ୍ଟର ଉମାଚରଣ ହାଲଦାର। କଟକ ଡିବେଟିଂ କ୍ଲବରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ (୯.୧୨.୧୯୬୮) ବକ୍ତବ୍ୟ ରଖି ରାଜେନ୍ଦ୍ର ଲାଲ ମିତ୍ର ଦାବି କଲେ ଯେ ‘ଉକତ୍ଳ ଭାଷା ପରିବର୍ତ୍ତେ ବଂଗଭାଷା ପ୍ରଚଳନ ହେବା ଉଚିତ ଏବଂ ଏହାଦ୍ୱାରା ହିଁ ସମ୍ଭବ ହେବ ଉକତ୍ଳର ଉନ୍ନତି’। ଉକତ୍ଳ ସଂକର ଭାଷା ଅଟେ ଏବଂ ବଂଗ ଭାଷାର ବିକୃତ ହେଲେ ଉକତ୍ଳ ଭାଷା ହୁଏ ବୋଲି ଉକତ୍ଳ ହିତୈଷିଣୀ (୧୮୬୮ ଜୁଲାଇ ସଂଖ୍ୟା)ରେ ଲେଖିଲେ କଟକ ହାଇସ୍କୁଲର ଆଇନ ଉପଦେଷ୍ଟା ରାମକୃଷ୍ଣ ମୁଖୋପାଧ୍ୟାୟ। ୧୯୭୦ ମସିହା ଜାନୁଆରୀ ମାସ ‘ଉଡ଼ିଆ ସ୍ବତନ୍ତ୍ର ଭାଷା ନୁହେଁ’ ବୋଲି ଲେଖି ଏକ ପୁସ୍ତିକା ପ୍ରକାଶ କଲେ ବାଲେଶ୍ୱର ସରକାରୀ ସ୍କୁଲର ପ୍ରଧାନଶିକ୍ଷକ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ। ଭାଷା ଉପରେ ଏଭଳି ଘନ ଘନ ଆକ୍ରମଣ ଯୋଗୁ ଜାତୀୟ ଜୀବନରେ ସୃଷ୍ଟି ହେଲା ଆଲୋଡ଼ନ। ଓଡ଼ିଆ ଭାଷାକୁ ବଙ୍ଗଳା ଲିପିରେ ଲେଖି ଓଡ଼ିଆ ଲିପିକୁ ଉଜାଡ଼ି ଦେବା ଓ ଓଡ଼ିଆ ଭାଷାକୁ ବିଦ୍ୟାଳୟ ପାଠ୍ୟକ୍ରମରୁ ଉଠାଇ ଦେବା ନିମନ୍ତେ ବଙ୍ଗାଳୀ ବାବୁମାନେ କରିଥିବା ଯୋଜନାକୁ ଭଣ୍ଡୁର କରିବା ପାଇଁ ଆଗକୁ ଆସିଲେ ଗୌରୀଶଙ୍କର ରାୟ ଓ ଫକୀର ମୋହନ ସେନାପତି ପ୍ରମୁଖ ଏ ମାଟିର ଅନେକ ବରପୁତ୍ର। ଓଡ଼ିଆର ଉପଯୁକ୍ତ ପାଠ୍ୟପୁସ୍ତକ ନାହିଁ ବୋଲି କହୁଥିବା ବଙ୍ଗାଳୀ ବାବୁମାନଙ୍କ ଯୁକ୍ତିକୁ ମିଥ୍ୟା ପ୍ରମାଣ କରିବା ପାଇଁ ପ୍ରାଥମିକ ଶ୍ରେଣୀରେ ବର୍ଣ୍ଣ ଶିକ୍ଷା ପାଇଁ ପ୍ରକାଶ ପାଇଲା ଗୋବିନ୍ଦ ମିଶ୍ରଙ୍କ ବର୍ଣ୍ଣବୋଧ ମଧୁସୂଦନ ମିଶ୍ରଙ୍କ ‘ବର୍ଣ୍ଣ ନିୟମ’, ଘନଶ୍ୟାମ ମିଶ୍ରଙ୍କ ବର୍ଣ୍ଣ ପରିଚୟ, କପିଳେଶ୍ୱର ବିଦ୍ୟା ଭୂଷଣଙ୍କ ‘ବର୍ଣ୍ଣଶିକ୍ଷା’, ଅଭୟ ନାୟକଙ୍କ ‘ବର୍ଣ୍ଣବୋଧକ’, ବଳରାମ ଦାଶଙ୍କ ‘ଶିକ୍ଷା ମଞ୍ଜରୀ’, କାଳୀପ୍ରସାଦ ଦାସଙ୍କ ‘ବର୍ଣ୍ଣ ବିଜ୍ଞାନ’, ଚତୁର୍ଭୁଜ ପଟ୍ଟନାୟକଙ୍କ ‘ବାଳ ବୌଧିନୀ’ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ‘ବର୍ଣ୍ଣ ବିଜ୍ଞାନ’, ଜଗନ୍ନାଥ ରାଓଙ୍କ ‘ପ୍ରଥମ ପାଠ’ ଓ ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ ଇତ୍ୟାଦି। ଏଥିମଧ୍ୟରେ ମଧୁସୂଦନଙ୍କ ବର୍ଣ୍ଣବୋଧ ଥିଲା ସର୍ବଜନଗ୍ରାହ୍ୟ। ବାସ୍ତବରେ ସେତେବେଳେ ଜାତିପ୍ରାଣମାନେ ପଡ଼ୋଶୀ ପଣ୍ଡିତଙ୍କ ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଅନେକ ସଂଗ୍ରାମ କରିଛନ୍ତି ଏବଂ ସେମାନଙ୍କ ବୌଦ୍ଧିକ ଲଢ଼େଇ ଫଳରେ ବଞ୍ଚତ୍ ରହିଲା ଓଡ଼ିଆ ଭାଷା। ଏହି ମର୍ମରେ ଡ. ମାୟାଧର ମାନସିଂହ ଲେଖିଛନ୍ତି – ‘ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜର ସ୍ଥିତି ରକ୍ଷା ପାଇଁ ଏଭଳି କଠିନ ସଂଗ୍ରାମ କରିବାକୁ ପଡ଼ିନାହିଁ, ଯେପରି ଘଟିଛି ବିଚାରା ଓଡ଼ିଆଙ୍କ ଭାଗ୍ୟରେ’। ସେତେବେଳେ ଓଡ଼ିଆ ଭାଷା ଯେ କେବଳ ସଙ୍କଟର ସମ୍ମୁଖୀନ ହୋଇଥିଲା ତାହା ନୁହେଁ, ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ତା’ର ଅଧିକାର ଭୂମି ଓ ସାଂସ୍କୃତିକ ପରିଚୟ। ନିଜର ଅଧିକାର ତଥା ସାଂସ୍କୃତିକ ପରିଚୟର ପୁନଃ ପ୍ରତିଷ୍ଠା ପାଇଁ ଭାଷା ଆନ୍ଦୋଳନରୁ ବଳ ଗୋଟାଇ ଦାନା ବାନ୍ଧିଥିଲା ଦେଶ ମିଶ୍ରଣ ଅଭିଯାନ। ଏକ ବିରାଟ ରାଷ୍ଟ୍ରବୋଧରୁ ଜନ୍ମ ନେଇଥିଲା ଜାତୀୟ ମହାମଞ୍ଚ ଉକତ୍ଳ ସମ୍ମିଳନୀ(୧୯୦୩)। ଦୀର୍ଘ ୩୩ବର୍ଷର ଲମ୍ବା ଲଢ଼େଇ ଲଢ଼ିବା ପରେ ଜନ୍ମ ନେଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ। ୧୯୩୬ ଏପ୍ରିଲ ପହିଲାରେ ରେଭେନ୍ସା କଲେଜ ହଲରେ ଅନୁଷ୍ଠିତ ସଭାରେ ରାଜ୍ୟର ପ୍ରଥମ ଗଭର୍ନର ଜନ୍‌ ଅଷ୍ଟିନ ଉଦ୍‌ବୋଧନ ଦେଇ କହିଥିଲେ- ‘ଅତୀତରେ ଥିବା ତୁମର ଭାଷା ଓ ପରିଚୟ ନାରଖାର ହୋଇଯାଇଛି। ଏବେ ସେ ପୂର୍ବ ଗୌରବ ଫେରାଇ ଆଣିବା ତୁମର ଦାୟିତ୍ୱ।’ କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ ଗଠନ ପରେ ଆମର ଉଦାସୀନତା କାରଣରୁ ନାନା ଭାବରେ ଅବହେଳା ଓ ଅବଜ୍ଞାର ଶିକାର ହେଲା ଓଡ଼ିଆ ଭାଷା। ଦେଶ ସ୍ବାଧୀନ ହେବା ପରେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମର୍ଯ୍ୟାଦା ମିଳିଲା (୧୯୫୪) ସତ, କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ଦିଗରେ ଅନ୍ତରାୟ ହୋଇ ଠିଆହେଲା ସରକାରୀ ବାବୁମାନଙ୍କ ପରମୁଖାପେକ୍ଷିତା।
ଭାଷା ଗୋଟିଏ ଜାତିର ବୌଦ୍ଧିକ ସଂପତ୍ତି। ଏହା ସଂସ୍କୃତିର ବାହକ ଓ ସଂହତିର ସାଧନ। ବିଳମ୍ବରେ ହେଲେ ବି ସରକାର ଏହି କଥାକୁ ଅନୁଭବ କରିଛନ୍ତି ଏବଂ ଚଳିତ ଶତାବ୍ଦୀ ଆରମ୍ଭରୁ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ପ୍ରକାଶ ପାଇଛି ସରକାରୀ ତପତ୍ରତା। ଓଡ଼ିଆ ଜାତିର ଅସ୍ମିତା ରକ୍ଷା ପାଇଁ ପ୍ରତିଷ୍ଠା ହୋଇଛି ଓଡ଼ିଆ ଭାଷା ପ୍ରତିଷ୍ଠାନ, କେନ୍ଦ୍ରୀୟ ଭାଷା ଉକତ୍ର୍ଷ କେନ୍ଦ୍ର, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଗବେଷଣା କେନ୍ଦ୍ର ଇତ୍ୟାଦି। ଏସବୁ ମଧ୍ୟରେ ଓଡ଼ିଆ ଜାତି ପାଇଁ ସବୁଠାରୁ ଗୌରବମୟ ଅନୁଭବର ଶିହରଣ ଥିଲା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା। ଗଲା ଶତାବ୍ଦୀରେ ଆମ ଜାତୀୟ ଅସ୍ମିତାକୁ ପଲ୍ଲବିତ କରିଥିଲା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ। ଚଳିତ ଶତାବ୍ଦୀରେ (୧୯୧୪) ସେହି ଅସ୍ମିତାକୁ ପୁଷ୍ପିତ ଓ ସୁରଭିତ କଲା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ପଦାକୁ ଆସିଲା ଭାଷା ଓ ସାହିତ୍ୟର ପ୍ରାଚୀନତା ତଥା ମୌଳିକତା ସମ୍ପର୍କିତ ଅନେକ ତଥ୍ୟ। ହାତୀଗୁମ୍ଫା ଶିଳାଲେଖ ଭାରତର ପ୍ରଥମ ସାହିତ୍ୟ ବୋଲି ଡ. ମାୟାଧର ମାନସିଂହ ଯେଉଁ ତଥ୍ୟ ରଖିଥିଲେ ତାହା ଗୃହୀତ ହେଲା ଏବଂ ଓଡ଼ିଆ ଲିପି ସର୍ବପ୍ରାଚୀନ ତଥା ଓଡ଼ିଆ ଭାଷିକ ଓ ସାଂସ୍କୃତିକ ପରମ୍ପରା ଦୁଇ ହଜାର ବର୍ଷରୁ ଅଧିକ କାଳର ପ୍ରଲମ୍ବିତ ପ୍ରବାହ ବୋଲି ପ୍ରମାଣ ହେଲା ସର୍ବଭାରତୀୟ ସ୍ତରରେ। ବିଶ୍ୱ ଦରବାରରେ ବଢ଼ିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠା।
କିନ୍ତୁ ଏକଥା ସତ୍ୟ ଯେ, ସମ୍ମିଳନୀର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ଦ୍ୱାରା ନୁହେଁ, ଭାଷାର ପରିଚୟ ଓ ପ୍ରତିଷ୍ଠା ନିର୍ଭର କରେ ତାହାର ବ୍ୟବହାରିକ ଦିଗ ଉପରେ। ଆମେ ଆଜି ଗର୍ବିତ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି, ବିଶ୍ୱ ଭାଷା ସମ୍ମିଳନୀ। ମାତ୍ର ଆମର ଦୁର୍ଭାଗ୍ୟ ଯେ, ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ଆମ ସମୃଦ୍ଧ ଶାସ୍ତ୍ରୀୟ ଭାଷାର ବ୍ୟବହାରିକ ଦିଗ। ଆମେ ପ୍ରାୟତଃ ହରେଇ ସାରିଛୁ ନିରୁତା ଓଡ଼ିଆରେ କଥା କହିବାର ସାମର୍ଥ୍ୟ। ମାତୃଭାଷାରେ କହିପାରୁଥିବା ଲୋକଙ୍କଠାରୁ ପୁଣି ଲେଖିପାରୁଥିବା ଲୋକଙ୍କ ସଂଖ୍ୟା ଆହୁରି କମ୍‌।
ଭାଷା ସୁରକ୍ଷା କ୍ଷେତ୍ରରେ ସାହିତ୍ୟର ଭୂମିକା ସର୍ବାଧିକ। ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ, ଫକୀରମୋହନ, ରାଧାନାଥ ଓ ଭୀମ ଭୋଇ ପ୍ରମୁଖ ଯେଉଁ ଭାଷାରେ ସାହିତ୍ୟ ସର୍ଜନା କରିଛନ୍ତି, ତାହା କେବଳ ଭାରତ କାହିଁକି, ସାରା ବିଶ୍ୱରେ ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ। କିନ୍ତୁ ଏକଥା କେବଳ କହି ବୁଲିଲେ ସମୃଦ୍ଧ ହେବନି ଭାଷା ଓ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ। ଏଥିପାଇଁ ଆବଶ୍ୟକ ଉନ୍ନତ ମାନର ସାହିତ୍ୟ ସର୍ଜନା। ମାତ୍ର ବିଡ଼ମ୍ବନାର ବିଷୟ ଏବେ ବାସ୍ତବତା ପରିବର୍ତ୍ତେ ମିଥ୍ୟାକୁ ମୁଖବନ୍ଧ କରି ଲେଖାଯାଉଛି ସାହିତ୍ୟ। ଜନଜୀବନର ସ୍ବରକୁ ତୋଳି ଧରି ନ ପାରିବା କାରଣରୁ ସାହିତ୍ୟ ହରେଇ ବସୁଛି ପାଠକୀୟ ଆଦୃତି ।
ମାତୃଭାଷା ଆମ ଅସ୍ମିତାର କୋଠଘର। ଯେମିତି ବିକଳ୍ପ ନାହିଁ ମେଘ, ଅରଣ୍ୟ ଓ ସୂର୍ଯ୍ୟ ରଶ୍ମିର, ସେମିତି ବିକଳ୍ପ ନାହିଁ ମା’, ମାଟି ଓ ମାତୃଭାଷାର। ଏହି ଭାବନାରେ ଜଡ଼ସଡ଼ ହେଲେ ଦୀପ୍ତ ହେବ ସ୍ବାଭିମାନର ବହ୍ନି। ସ୍ପର୍ଦ୍ଧିତ ହେବ ମାତୃଭାଷା ମାଧ୍ୟମରେ ଆପଣା ଅସ୍ମିତାକୁ ଜାହିର କରିବାର ପ୍ରତିବଦ୍ଧତା।
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ- ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri