ଅମର ଶହୀଦ ବାଜି ରାଉତ

ଡ. ଉଦ୍ଧବ ଚରଣ ନାୟକ
ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୁର। ନାମ ବଡ଼ କିନ୍ତୁ ଶାସନ କୁତ୍ସିତ। ବଡ଼ ଅହଂକାରୀ ଓ ଗର୍ବୀ ସେ ରାଜା। ତଳ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂହଦେଓଙ୍କ ସହାୟତାରେ ସେ ଅନ୍ଧାରି ଶାସନ ଆରମ୍ଭ କଲେ। କରବୃଦ୍ଧି ସାଙ୍ଗକୁ ବେଠି, ଭେଟି, ବେଗାରୀ, ରସଦ ଓ ମାଗଣ ଇତ୍ୟାଦିରେ ପ୍ରଜାକୁଳ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ରାଜାଙ୍କ ଶାସନ ବିରୋଧରେ ତୀବ୍ର ଆନ୍ଦୋଳନ ଗଢ଼ିଉଠିଲା। ଗଠିତ ହେଲା ପ୍ରଜାମଣ୍ଡଳ। ଆନ୍ଦୋଳନକୁ ଚଳାଇଲେ ଢେଙ୍କାନାଳର ଲୌହମାନବ ମହେଶ ଚନ୍ଦ୍ର ସୁବାହୁସିଂହ, ଢେଙ୍କାନାଳର ସୁଭାଷ ବୀର ବୈଷ୍ଣବ ପ୍ରମୁଖ ସଂଗ୍ରାମୀମାନେ।
ଏତିକିବେଳେ ମାଟି ମା’ର ଡାକବାଜିଲା ଜଣେ ବାରବର୍ଷର ବାଳକ କାନରେ। ନାଁଟି ତା’ର ବାଜି ରାଉତ। ବାପଛେଉଣ୍ଡ। ପିତାଙ୍କ ନାମ ହରିହର ରାଉତ ଓ ମା’ଙ୍କ ନାମ ରାଣିଆ। ଜନ୍ମ ୧୯୨୬ ମସିହା ଅକ୍ଟୋବର ୫ରେ ଭୁବନ ପାଖ ନୀଳକଣ୍ଠପୁର ଗ୍ରାମରେ। ୧୯୩୮ ମସିହା ଜୁଲାଇରେ ଦିନେ ବେଠି ଖଟିବା ପ୍ରସଙ୍ଗ ନେଇ ଢେଙ୍କାନାଳ ରାଜାଙ୍କ ପୋଲିସ ବାଜିଆର ମା’କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅପମାନିତ କଲା। ମା’ ପ୍ରତି ଅପମାନ ବାଜିଆ ହଜମ କରିପାରିଲା ନାହିଁ। ଝାମ୍ପଦେଲା ପୋଲିସ ଉପରକୁ। ପୋଲିସ ବାଜିଆକୁ ଲଙ୍ଗଳା କରି ଧୁମ୍‌ ପିଟିଲା। ସେ ବାଳକ ବୋଲି ତାକୁ ପୋଲିସ ଛାଡ଼ିଦେଇଗଲା। ହେଲେ ବାଜିଆ ବଦ୍‌ଲା ନେବା ପାଇଁ ବାଜି ପକାଇଲା। ପ୍ରଜାମଣ୍ଡଳରେ ଯୋଗଦେଇ ବାନରସେନା ସାଜିଲା। ଦେଶ ଓ ଜାତି ପାଇଁ ନିଜକୁ ଉତ୍ସର୍ଗ କରିଦେଲା।
ସେହିବର୍ଷ ସେପ୍ଟେମ୍ବର ପହିଲାରେ ଜେନାପୁରଠାରେ ଅନୁଷ୍ଠିତ କୃଷକ ସଭାରେ ଢେଙ୍କାନାଳର ୨୦,୦୦୦ କୃଷକ ଯୋଗ ଦେଇଥିଲେ। ସେହି ସମାବେଶରେ ବାଜିଆ ଉପସ୍ଥିତ ହୋଇ ଗଳାଫଟାଇ ଢେଙ୍କାନାଳ ରାଜାଙ୍କ ଅତ୍ୟାଚାର ବିରୋଧରେ ଓଜସ୍ବିନୀ ଭାଷଣ ଦେଲା। ବିଚକ୍ଷଣ ବାଳକ ବାଜିଆର ଭାଷଣ ଶୁଣି ଉପସ୍ଥିତ ଜନତା ସ୍ତବ୍ଧ ହୋଇଗଲେ। ଏହାପରେ ଢେଙ୍କାନାଳରେ ଦେଖାଦେଲା ସେପ୍ଟେମ୍ବର ୧୧-୧୩ ଯାଏ ମୁକ୍ତି ଆନ୍ଦୋଳନ। ପ୍ରଜାମଣ୍ଡଳର କର୍ମୀମାନଙ୍କୁ ରାଜା ଅନ୍ୟାୟ ଭାବେ ବନ୍ଦୀ କରିବାରୁ ଲୋକେ ଗାଁ ଗହଳିରୁ ବନ୍ଧ ଭାଙ୍ଗିଲା ପରି ମାଡ଼ିଆସିଲେ ଢେଙ୍କାନାଳ ଗଡ଼କୁ। ହଜାର ହଜାର ଲୋକ ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କୀ ଜୟ ଓ ଶଙ୍କର ପ୍ରତାପ ମୁର୍ଦ୍ଦାବାଦ ଧ୍ୱନି ଦେଇ ଢେଙ୍କାନାଳ ରାଜଉଆସକୁ କବ୍‌ଜା କରିନେଲେ। ଏହି ଜନ ସମାବେଶରେ ଯୋଗ ଦେଇଥିଲା ବାଜି ରାଉତ। ହାତରେ କପିଳାସ ଠେଙ୍ଗା ଓ ମୁଣ୍ଡରେ ନାଲି ଗାମୁଛା ବାନ୍ଧି ଗୀତ ଗାଇ ଗାଇ ଧ୍ୱନି ଦେଇ ଲୋକଙ୍କୁ ତତାଇ ମତାଇ ଦେଉଥାଏ ସେ। ଲୋକଙ୍କର ବିଜୟ ଘଟିଲା। ରାଜା ଅସହାୟ ହୋଇ ଗୋରା ସରକାରଙ୍କଠାରେ ଶରଣ ପଶିଲେ। କଟକରୁ ଆସି ପହଞ୍ଚିଲେ ଢେଙ୍କାନାଳରେ ପଲିଟିକାଲ ଏଜେଣ୍ଟ ବେଜେଲେଗେଟ୍‌। ଘୋଷଣା କଲେ ଢେଙ୍କାନାଳ ଆନ୍ଦୋଳନକୁ ନିଜେ ଦମନ କରିବେ। ଗୋର୍ଖାବାହିନୀ, ଡୋଗ୍ରା ବାହିନୀ, ହାଇଦ୍ରାବାଦୀ ଫୌଜ, ପଞ୍ଜାବୀ ଫୌଜ, ରାୟଗଡ଼ ଓ ଅନ୍ୟ ସୈନ୍ୟ ଆଣି ଢେଙ୍କାନାଳ ରାଜାଙ୍କ ପୋଲିସବାହିନୀ ସହ ମିଶାଇଦେଲେ। ବର୍ବର ଅତ୍ୟାଚାର ଆରମ୍ଭ ହେଲା ଢେଙ୍କାନାଳର ଗାଁଗଣ୍ଡାରେ। ପ୍ରଜାମାନଙ୍କ ସହ ହେଲା ମୁହାଁମୁହିଁ ଯୁଦ୍ଧ। ଅନେକ ଲୋକ ଗୁଳିରେ ପ୍ରାଣ ହରାଇ ବି ଛାଡୁ ନ ଥାନ୍ତି। ଅସହାୟ ହୋଇ ପୋଲିସ ଫୌଜ ଢେଙ୍କାନାଳ ଗଡ଼କୁ ଫେରିଯିବା ପାଇଁ ୧୦ ତାରିଖ ରାତିରେ ଆସି ପହଞ୍ଚିଲେ ଭୁବନ ଆଖପାଖ ଅଞ୍ଚଳରେ। ତାଙ୍କ ପଛରେ ହଜାର ହଜାର ଜନତା। ପୋଲିସ ଗୁଳି ଚଳାଇ ସେମାନଙ୍କୁ ଘଉଡ଼ାଉଥାଏ। ଲୋକେ ମରୁଥାଆନ୍ତି କିନ୍ତୁ ଛାଡୁ ନ ଥାନ୍ତି।
ପ୍ରଜାମଣ୍ଡଳ କର୍ମୀମାନେ ଜାଣିପାରିଲେ ନୀଳକଣ୍ଠପୁର ଘାଟ ଦେଇ ପୋଲିସ ଫୌଜ ବ୍ରାହ୍ମଣୀ ପାର ହେବେ। ସେମାନଙ୍କୁ ନଦୀପାର କରାଇ ନ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଲେ ବାଳକ ବାଜିଆ, ଲକ୍ଷ୍ମଣ ମଳିକ, ନଟ ମଳିକ, ହୁରୁଷି ପ୍ରଧାନ, ରଘୁ ନାୟକ ଓ ଗୁରୁ ନାୟକ। ପୋଲିସ ଆସି ପହଞ୍ଚିଲା ନଦୀଘାଟରେ। ପାହାନ୍ତା ପହର। ପୋଲିସ କହୁଥାଆନ୍ତି ଆରେ ଡଙ୍ଗା ଆଣ। ହେଲେ କିଏ ଶୁଣୁଛି ସେମାନଙ୍କ କଥା। ଫୌଜ ଆଉ ବାଜି ରାଉତ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ଚାଲିଲା। ବାଜି ଠିଆ ହୋଇଛି ଡଙ୍ଗା ମଝିରେ। ମୁଣ୍ଡରେ ପଗଡ଼ି। ମଥାରେ ସିନ୍ଦୂରକଲି। ହାତରେ ତା’ର କପିଳାସ ଠେଙ୍ଗା। ଅନ୍ୟମାନେ ଡଙ୍ଗା ପାଖରେ ଡଙ୍ଗା ଦଉଡି ଧରି ଠିଆ ହୋଇଛନ୍ତି। ଫୌଜମାନେ କହୁଥାଆନ୍ତି ଡଙ୍ଗା ଆଣ। ବାଜିଆ ଗର୍ଜନ କରି କହୁଥାଏ ପ୍ରଜାମଣ୍ଡଳର ଆଦେଶ ନାହିଁ ତୁମମାନଙ୍କୁ ଡଙ୍ଗାରେ ପାର କରିବା ପାଇଁ। ଫୌଜମାନେ କହୁଥାଆନ୍ତି- ଡଙ୍ଗା ନ ଆଣିଲେ ଗୁଳି କରିବୁ। ବାଜିଆ ଦୃଢ଼କଣ୍ଠରେ କହୁଥାଏ ରଖ୍‌ ତୋ ଗୁଳି। ତୁମେମାନେ ମଣିଷଖିଆ ରାକ୍ଷସ। ଆମ ମା’ ଭଉଣୀଙ୍କର ଇଜ୍ଜତ ଲୁଟୁଛ। ତୁମକୁ ପାରି କରାଯିବ ନାହିଁ। ଏତିକିବେଳେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ବାଇଁ ବାଜି ରାଉତ ମୁଣ୍ଡକୁ ଲକ୍ଷ୍ୟକରି ଚଳାଇଦେଲା ଗୁଳି- ଗୁଡୁମ୍‌, ଗୁଡୁମ୍‌। ବାସ୍‌, ବାଜିଆ ଟଳିପଡ଼ିଲା। ତା’ ମୁଣ୍ଡର ଦହିହାଣ୍ଡି ବାହାରିପଡ଼ିଲା। ଗୁଳିଖାଇ ବାଜିଆ ଜୋରରେ ଗର୍ଜନ କରି କହିଲା, ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କୀ ଜୟ, ଶଙ୍କରାସୁର ମୁର୍ଦ୍ଦାବାଦ। ତା’ ପରେ ପୋଲିସ ଗୁଳି ଚଳାଇ ଅନ୍ୟ ୬ ଜଣଙ୍କୁ ହତ୍ୟାକଲା। ବ୍ରାହ୍ମଣୀର ଜଳ ରକ୍ତରଞ୍ଜିତ ହୋଇଉଠିଲା। ବ୍ରାହ୍ମଣୀ ନଦୀ ଉଗ୍ର ରୂପ ଧାରଣ କଲା। ପ୍ରଜାମଣ୍ଡଳର କର୍ମୀମାନେ ଶହୀଦମାନଙ୍କର ମୃତଦେହକୁ ଜେନାପୁର ନେଇଯାଇ ଟ୍ରେନରେ କଟକରେ ପହଞ୍ଚିଲେ। କଟକ ନଗର ସ୍ତବ୍ଧ ହୋଇଗଲା। ବିରାଟ ପଟୁଆରରେ ଶହୀଦଙ୍କ ମୃତଦେହଗୁଡ଼ିକର ଶୋଭାଯାତ୍ରା ବାହାରିଲା। ଅସଂଖ୍ୟ ଜନତା ଶହୀଦମାନଙ୍କୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜଣାଉଥାଆନ୍ତି। ଶଗଡ଼ରେ ମୃତଦେହଗୁଡ଼ିକୁ ଶୋଭାଯାତ୍ରାରେ ନିଆଯାଉଥିଲା। ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ଅନନ୍ତ ପଟ୍ଟନାୟକ, ବୈଷ୍ଣବ ପଟ୍ଟନାୟକ, ସାରଙ୍ଗଧର ଦାସ, ଗୋବିନ୍ଦ ମହାନ୍ତି, ସଚ୍ଚି ରାଉତରାୟ, ଶରତ ପଟ୍ଟନାୟକ, ରବି ଘୋଷ୍‌, ବିଶ୍ୱନାଥ ପଶାୟତ, ନବକୃଷ୍ଣ ଚୌଧୁରୀ, ପ୍ରାଣକୃଷ୍ଣ ପଢ଼ିଆରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ଗୌରାଙ୍ଗ ଦାସ ପ୍ରମୁଖ ବିପ୍ଳବୀ ନେତା।
ମୋ-୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri