ଅଗ୍ନିକାଣ୍ଡ ନିବାରଣରେ ଛେଳି-ସେନା

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ପର୍ତ୍ତୁଗାଲ ସରକାର ଜାତୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପାଇନ ଓ ୟୁକାଲିପଟାସ ଜଙ୍ଗଲ ଦେଶର କେନ୍ଦ୍ର ଓ ଉତ୍ତରାଞ୍ଚଳ ଏବଂ ପାର୍ବତ୍ୟ ଇଲାକାରେ ସୃଷ୍ଟି କରୁଛନ୍ତି। ଏହି ଗଛଗୁଡ଼ିକରୁ ଲାଭଜନକ କାଗଜମଣ୍ଡ ପ୍ରସ୍ତୁତ କରାଯାଇପାରୁଥିଲେ ସୁଦ୍ଧା ଏଗୁଡ଼ିକ ଦହନଶୀଳ। ଫଳରେ ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ମଧ୍ୟରେ ରହିଛି ଛେଳି-ସେନା। ତେବେ ଏହି କାର୍ଯ୍ୟ ସକାଶେ ଛେଳିକୁ ନିର୍ବାଚନ କରିବାର କାରଣ କ’ଣ? ଛେଳିର ଗୁଣାବଳୀ ବିଚାର୍ଯ୍ୟ। ଏହି ବୁଦ୍ଧିମାନ ଜୀବଟି ତା’ର ସାଙ୍ଗସାଥିଙ୍କୁ ସେମାନଙ୍କ ସ୍ବରରୁ ଚିହ୍ନିପାରେ। ସେ ସତତ ଚଳଚଞ୍ଚଳ। ତାକୁ ଅଟକାଇ ରଖିବା ସହଜ ନୁହେଁ। ଯଦି ବାଡ଼ରେ ସାମାନ୍ୟ ଗଳାବାଟ ଦେଖେ କିମ୍ବା ଦୁର୍ବଳ ଭାଗ ତା’ ନଜରରେ ପଡ଼େ, ସେ ତତ୍‌କ୍ଷଣାତ୍‌ ବାହାରକୁ ଗଳି ବା ଡେଇଁ ଚାଲିଯାଏ। ବିଭିନ୍ନ ବିଷୟରେ ସେ ଅନୁସନ୍ଧିତ୍ସୁ। ତେଣୁ ଚାରିଆଡ଼େ ବୁଲାବୁଲି କରେ। ଏପରିକି ବିଭିନ୍ନ ଦ୍ରବ୍ୟ, ଖାଦ୍ୟ ହେଉ ବା ଅଖାଦ୍ୟ, ସେ ପାଟିରେ ପୂରାଇ ପରୀକ୍ଷା କରେ। ଖାଦ୍ୟତକ ଗ୍ରହଣ କରେ ଏବଂ ଅଖାଦ୍ୟକୁ ଅକ୍ଷତ ଭାବେ ପାଟିରୁ ଫୋପାଡି ଦିଏ, ଅଇଁଠା କରି। ଜନ୍ମରୁ ତା’ର ଦାନ୍ତ ଉଠିଥାଏ। ତା’ର ଉପର ପାଟିରେ ଦାନ୍ତ ନ ଥାଏ। ଉପର ପାଟିର ଟାଣ ମାଢ଼ି ସହାୟତାରେ ଘଣ୍ଟା ଘଣ୍ଟା ଧରି ଖାଦ୍ୟଦ୍ରବ୍ୟ ପାକୁଳିଥାଏ। ତା’ର ହଜମ ପ୍ରଣାଳୀ ଜଟିଳ।
ବିପଦସଙ୍କୁଳ ହୋଇଥିଲେ ମଧ୍ୟ ଛେଳି ଗଛର ଦୁର୍ବଳ ଡାଳର ଶିଖର ଯାଏ ନିର୍ବିଘ୍ନରେ ଚଢ଼ିଯାଏ। ଏହା ସାହସିକତାର ଏକ ଲକ୍ଷଣ ବୋଲି କୁହାଯାଇପାରେ, ଯଦିଚ ତାହାର ଅନ୍ୟ କେତେକ ଗୁଣ ଭୀରୁତାର ଚରମ ନିଦର୍ଶନ। ଯଥା ବର୍ଷା ଆସିବା ସୂଚନା ପାଇବା ମାତ୍ରେ ସେ ନିକଟସ୍ଥ କୌଣସି ସ୍ଥାନକୁ ଦୌଡ଼ିଯାଇ ଆଶ୍ରୟ ନିଏ। ପାଣି ଓ କାଦୁଅକୁ ସେ ଅତ୍ୟନ୍ତ ଭୟ କରେ।
ବଡ଼ମ୍ବନା ହେଉଛି ଯେ, ଫାୟାର ଷ୍ଟେଶନ କର୍ତ୍ତୃପକ୍ଷ ପାଇଁ ପାଣି ଅପରିହାର୍ଯ୍ୟ ହୋଇଥିବା ବେଳେ ସେମାନେ ଛେଳିକୁ ସହାୟକ ଭାବେ ଗ୍ରହଣ କରିଛନ୍ତି, ଯିଏକି ପାଣିକୁ ଡରେ। ତେବେ ଛେଳି ବଦଳରେ ମେଣ୍ଢାକୁ କାହିଁକି ବଛା ଗଲାନି? ମେଣ୍ଢା ପର୍ତ୍ତୁଗାଲର କର୍ତ୍ତୃପକ୍ଷଙ୍କ ପାଇଁ ଅନୁପଯୋଗୀ, କାରଣ ମେଣ୍ଢାମାନେ ଦଳ ବାନ୍ଧି ଗୋଟିଏ ଜାଗାରେ ଖୁନ୍ଦି ହୋଇ ରୁହନ୍ତି। ସେମାନେ ସ୍ବାଧୀନଚେତା ନୁହନ୍ତି। ପରସ୍ପରଠାରୁ ଛଡ଼ାଛଡ଼ି ହୋଇ ଦୂରଦୂରାନ୍ତକୁ ଯାଇପାରନ୍ତି ନାହିଁ। ସେମାନେ ଭୀରୁ। କିନ୍ତୁ ଛେଳି (ଏପରିକି ମାଈ ଛେଳି)ଗୁଡ଼ିକର ଶିଙ୍ଗ ଥାଏ। ତା’ ଛଡା କେବଳ ଅଣ୍ଡିରା ନୁହେଁ, ମାଈ ଛେଳିର ମଧ୍ୟ ଦାଢ଼ି ଅଛି, ଯଦିଚ ଏହା କାର୍ଯ୍ୟତଃ କୌଣସି କାମରେ ଆସି ନ ଥାଏ। କେବଳ ସୌନ୍ଦର୍ଯ୍ୟ ଓ ବଳଶାଳୀ ହୋଇଥିବାର ପ୍ରତୀକ ବ୍ୟତୀତ।
ପ୍ରଶ୍ନ ଉଠୁଛି: ଅଗ୍ନିକାଣ୍ଡ ପ୍ରତିହତ କରିବାକୁ ଛେଳିର ବାସ୍ତବ କ୍ଷେତ୍ରରେ ଭୂମିକା କ’ଣ? ପର୍ତ୍ତୁଗାଲରେ ପାଇନ ଓ ୟୁକାଲିପଟାସ ଗଛର କୃତ୍ରିମ ବନ ମୁନାଫା ପାଇଁ ସୃଷ୍ଟି କରାଯାଉଛି। ଏଗୁଡ଼ିକ ଦହନଶୀଳ ଓ ଖୁବ୍‌ ଲମ୍ବା। ଯେତେବେଳେ ବର୍ଷା ଆସେ, ସେଠାକାର ଜଳବାୟୁର ଉଚ୍ଚ ତାପ ଯୋଗୁ ବର୍ଷାଟୋପା ଭୂଇଁ ଛୁଇଁବା ଆଗରୁ ବାଷ୍ପ ହୋଇ ପୁଣି ବାୟୁମଣ୍ଡଳକୁ ଊର୍ଦ୍ଧ୍ୱ ଗତିକରେ। କିନ୍ତୁ ସେଥି ସହ ସଂଲଗ୍ନ ବଜ୍ର ବା ବିଜୁଳି ଉଚ୍ଚା ପାଇନ ଗଛକୁ ସ୍ପର୍ଶ କରି ଭୂମିରେ ପହଞ୍ଚିଥାଏ। ତେବେ ବର୍ଷାପାଣି ଭୂମିରେ ପଡୁ ନ ଥିବାରୁ ଭୂମି ଶୁଷ୍କ ଥାଏ। ବଣର ଚତୁର୍ଦ୍ଦିଗରେ ଏହାର ଦହନ ଉପଯୋଗୀ ଶୁଖିଲା ପତ୍ର ବିଛାଡି ହୋଇ ପଡ଼ିଥାଏ। ତେଣୁ ଉକ୍ତ ଶୁଖିଲା ବଜ୍ରପାତ (ଡ୍ରାଏ ଥଣ୍ଡରଷ୍ଟର୍ମ) ଦ୍ୱାରା ବଣରେ ସହଜରେ ନିଆଁ ଧରିଥାଏ। ସାଧାରଣତଃ ସେଠାରେ ବାୟୁର ବେଗ ତୀବ୍ର ଥିବାରୁ ଅଗ୍ନି ଚତୁର୍ଦ୍ଦିଗକୁ ବ୍ୟାପିଯାଏ।
ଏହି ଅଗ୍ନ୍ୟୁତ୍ପାତକୁ ପ୍ରତିହତ କରିବା ପାଇଁ ଜଙ୍ଗଲକୁ ସଫା ରଖିବା ନିହାତି ଆବଶ୍ୟକ। ଛେଳିର ସ୍ବଭାବକୁ ଏହା ଖୁବ୍‌ ସୁହାଇବ। ସେ ବୁଲି ବୁଲି ବହୁ ଜାଗାକୁ ମାଡ଼ି ଚାଲେ। ଗଛ ଶିଖର ଯାଏ ଚଢ଼ିଯାଏ। ମୁହଁରେ ଯାହା ପଡେ ଖାଏ। ଘାସ ହେଉ ବୁଦା ବା ଗଛ- ସବୁ ତା’ ପାଇଁ ଲୋଡ଼ା। ତା’ର ହଜମ ଶକ୍ତି ମଧ୍ୟ ପ୍ରବଳ। ତା’ର ଏହି ଗୁଣ ପାଇଁ ଅନେକ ବ୍ୟକ୍ତି ଯନ୍ତ୍ର ବଦଳରେ ତାକୁ ଲନ୍‌-ମୋଏର୍‌ ଭାବେ ଉପଯୋଗ କରନ୍ତି ଘର ପାଖରେ ଥିବା ବଗିଚାର ଘାସକୁ ଛୋଟ ଛୋଟ କରି ଆଚ୍ଛାଦିତ କରିବା ସକାଶେ।
ନେଦରଲାଣ୍ଡସ୍ଥିତ ଓ୍ବାଗେନିଜେନ ବିଶ୍ୱବିଦ୍ୟାଳୟର ପରିବେଶବିଜ୍ଞାନୀ ପ୍ରଫେସର କାଥେଲିନେ ଷ୍ଟୁଫ ପର୍ତ୍ତୁଗାଲର କ୍ରମବର୍ଦ୍ଧିଷ୍ଣୁ ଅଗ୍ନିକାଣ୍ଡ ସମ୍ପର୍କରେ ଅନୁଧ୍ୟାନ କରି ପ୍ରକାଶ କରିଛନ୍ତି ଯେ, ପୂର୍ବେ ସେଠାକାର ଗାଁଗୁଡ଼ିକର ଜନସଂଖ୍ୟା ସ୍ବାଭାବିକ ଥିଲା। ସେମାନଙ୍କ ଗୃହପାଳିତ ପଶୁ ବଣ-ଜଙ୍ଗଲରେ ଚରି ଗଛ, ପତ୍ର, ଘାସ ଇତ୍ୟାଦି ଖାଇ ସଫା କରୁଥିଲେ। ତେଣୁ ବଣରେ ନିଆଁ ଲାଗିଲେ ତାହା ଗାଁ ଆଡକୁ ବ୍ୟାପି ନ ଯାଇ ଜଙ୍ଗଲ ଭିତରେ ହିଁ ସୀମିତ ରହୁଥିଲା। କିନ୍ତୁ ବର୍ତ୍ତମାନ ଗ୍ରାମୀଣ ଅଞ୍ଚଳ ଜନଶୂନ୍ୟ ହେଲାଣି। ଲୋକମାନେ ଚାକିରି, ଉଚ୍ଚଶିକ୍ଷା ଓ ଉନ୍ନତ ଜୀବନଯାପନ ପାଇଁ ସହରମୁହାଁ। ତେଣୁ ଶୁଷ୍କ ପତ୍ର ଓ ଅନାବନା ଘାସ, ଗଛ ଇତ୍ୟାଦି ପରିପାର୍ଶ୍ୱରେ ଏତେ ବଢ଼ିଗଲାଣି ଯେ ଗାଁ ଓ ଜଙ୍ଗଲ ମଧ୍ୟରେ ଖାଲି ବା ସଫା ଅନ୍ତବର୍ତ୍ତୀ ସ୍ଥାନ ରହୁନାହିଁ, ଯାହାକି ଫାୟାରବ୍ରେକ ଭାବେ କାର୍ଯ୍ୟ କରିଥାନ୍ତା। ଫଳରେ ବଣ-ନିଆଁ ଗାଁରେ ପଶି ପ୍ରଭୂତ କ୍ଷତି ଘଟାଉଛି। ଗ୍ରାମଗୁଡ଼ିକୁ ଅଧିକ ଶ୍ରୀହୀନ କରିଦେଉଛି। ଏହି ଅଭାବନୀୟ ସ୍ଥିତିର ସମାଧାନ ପାଇଁ ସେଠାକାର ଅଗ୍ନିଶମ ବିଭାଗ ଛେଳିପଲ ନିଜ ତରଫରୁ ସଂଗଠିତ କରିଛି। ମେଷପାଳକମାନଙ୍କୁ ନିଜ ବିଭାଗରେ ନିଯୁକ୍ତ କରିଛି।
ଅଗ୍ନିଯୁଦ୍ଧରେ ବିଜୟ ପାଇଁ ଛେଳିଗୁଡ଼ିକ ନିରଳସ ପଦାତିକ ସୈନିକ ପରି କାର୍ଯ୍ୟ କରୁଛନ୍ତି। ତେଣୁ ପଡ଼ୋଶୀ ସ୍ପେନର ଗିରୋନା ଅଞ୍ଚଳରେ ଏଇ ଛେଳିଗୁଡ଼ିକୁ ‘ଗୋଟ୍‌-ଫାୟାର ବ୍ରିଗେଡ’ର ଆଖ୍ୟା ଦିଆଯାଇଛି।
ବାସ୍ତବିକ ଏହି ଛେଳିଗୁଡ଼ିକ ଡଗ୍‌ ସ୍କ୍ବାଡ୍‌ ପରି ଗୋଟ୍‌-ସ୍କ୍ବାଡ୍‌ର ସଦସ୍ୟ। ସେମାନେ ଯୋଦ୍ଧା। ଯୁଦ୍ଧରେ ପ୍ରାଣ ହରାଇଲେ ସେମାନେ ଶହୀଦ ହେବା ପାଇଁ ଯୋଗ୍ୟ। ଆମେ ସାଧାରଣତଃ ଛେଳିମାଂସରେ ବ୍ୟଞ୍ଜନ କରି ଜିହ୍ବାଲାଳସା ମେଣ୍ଟାଉଛୁ। କିନ୍ତୁ ଏବେ ତ ସେ ହେବ ଶହୀଦ। ସେ ବଣନିଆଁରେ ପୋଡ଼ି ମଲେ, ତାକୁ ମର୍ଯ୍ୟାଦାର ସହ କବର ଦେଇ, ତା’ର ପ୍ରତିମୂର୍ତ୍ତି ସ୍ଥାପନ କରିବା ଦରକାର। ଏହା ସ୍ମାରକୀ ହୋଇ ରହୁ। ଆମେ ତାକୁ ବିଭିନ୍ନ ଅବସରରେ ସଲାମ ଦେବା ଠିକ୍‌ ହେବ, ଯେମିତି ଯୁଦ୍ଧରେ ପ୍ରାଣବଳି ଦେଇ ମୃତ୍ୟୁବରଣ କରୁଥିବା ମାନବ-ସୈନ୍ୟଙ୍କୁ ସମ୍ମାନ ଦିଆଯାଉଛି।
ଆମେ ଛେଳିର ଗୁଣାବଳୀ ବିଷୟରେ ଊଣାଅଧିକେ ବେଶ୍‌ ଅବଗତ। କିନ୍ତୁ ଛେଳି ଯେ ବିନା ଜଳରେ ଅଗ୍ନିକାଣ୍ଡକୁ (ପରୋକ୍ଷ ଭାବେ) ପ୍ରତିହତ କରିପାରେ, ଏହା ବିଚିତ୍ର ମନେ ହେଲେ ମଧ୍ୟ ସତ କଥା।
ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri