ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ରୁଦ୍ର ପ୍ରସାଦ ବରାଡ଼ (୨୭)।
ସୂଚନା ଅନୁସାରେ, ଅଭିଯୁକ୍ତ ରୁଦ୍ର ପ୍ରସାଦ ଏବଂ ବାଲେଶ୍ଵର ସୋର ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଏକ କମ୍ପାନୀରେ ଏକାଠି କାମ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନେ କିଛି ଦିନ ଧରି ‘ଲିଭ୍-ଇନ୍’ (Live-in) ସମ୍ପର୍କରେ ରହୁଥିଲେ। ରୁଦ୍ର ସଂପୃକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।
କିଛି ଦିନ ପରେ ରୁଦ୍ର ଯୁବତୀଙ୍କୁ ଧୋକା ଦେଇ କୌଶଳ କ୍ରମେ ସେଠାରୁ ଫେରାର ହୋଇ ନିଜ ଗାଁକୁ ପଳାଇ ଆସିଥିଲେ। ଏପରିକି ସେ ଯୁବତୀଙ୍କ ଫୋନ୍ ଉଠାଇବା ମଧ୍ୟ ବନ୍ଦ କରିଦେଇଥିଲେ। ପ୍ରତାରିତ ହୋଇ ଯୁବତୀ ଜଣକ ମଙ୍ଗଳବାର ପାଟପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପାଟପୁର ଆଇଆଇସି (IIC) ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ ୬୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।
ତଦନ୍ତକାରୀ ଅଧିକାରୀ ଏସ.ଆଇ. ସୁଲେମାନ ଭୁଁୟା ଅଭିଯୁକ୍ତ ରୁଦ୍ରଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ। ବୁଧବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଏହାପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଭିଯୁକ୍ତଙ୍କୁ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

