ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟଣାଟି ଘଟିଛି ଲାଇକେରା ଥାନା ପାକେଲପଡ଼ା ଓ କର୍ମାପଡ଼ା ଅଞ୍ଚଳରେ । ଯାହା ଏବେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, କର୍ମାପଡ଼ାର ଧର୍ମସିଂ ଖଡ଼ିଆ ନାମକ ଜଣେ ଯୁବକ ରବିବାର ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଉଥିବା ବେଳେ ରାସ୍ତାରେ ହଠାତ୍ ତାଙ୍କ ପାଦ ଏକ ନାଗସାପ ଉପରେ ପଡ଼ିଯାଇଥିଲା। ଫଳରେ ସାପଟି ଫଣା ଟେକି ତାଙ୍କୁ କାମୁଡ଼ି ଦେଇଥିଲା। ତେବେ ପୂର୍ବରୁ ଜଣେ ଗୁଣିଆଙ୍କଠାରୁ ସାପ କାମୁଡ଼ିବା ପରେ ତାକୁ ସଙ୍ଗେ ସଙ୍ଗେ କାମୁଡ଼ି ଦେଲେ ବିଷ ଲାଗେନାହିଁ ବୋଲି ଶୁଣିଥିବା କଥାକୁ ବିଶ୍ୱାସ କରି ଧର୍ମସିଂ ଭୟଭୀତ ଅବସ୍ଥାରେ ସାପଟିକୁ ହାତରେ ଧରି ତା’ର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଫଳରେ ସାପଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଏହାପରେ ଧର୍ମସିଂ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତାଙ୍କୁ ୨୪ ଘଣ୍ଟା ପାଇଁ ଡାକ୍ତରୀ ନିରୀକ୍ଷଣ ରେ ରଖିଛନ୍ତି। ଯୁବକ ଜଣଙ୍କ ବର୍ତ୍ତମାନ ସୁସ୍ଥଥିବା ଗୋବିନ୍ଦପୁର ମେଡିକାଲ ଅଫିସର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ସାପକୁ କାମୁଡ଼ିଲେ ବିଷ ନଷ୍ଟ ହୋଇଯାଏ ବୋଲି ପ୍ରଚଳିତ ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତ ଓ ଅନ୍ଧବିଶ୍ୱାସ। ବିଷଧର ସାପ କାମୁଡ଼ିଲେ ଗୁଣିଆ, ଝାଡ଼ଫୁଙ୍କା କିମ୍ବା ଘରୋଇ ଉପଚାର ଉପରେ ନିର୍ଭର ନ କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ହିଁ ସବୁଠାରୁ ଜରୁରୀ।

