ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ନଭେମ୍ବର ୪ ତାରିଖରେ ଖେଳାଯିବ। ସିରିଜ ଆରମ୍ଭ ହେବାର ଦିନକ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଲାଗୁଛି, ବିସିସିଆଇ ପକ୍ଷରୁ ସ୍ଥିର କରାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜର କାର୍ଯ୍ୟସୂଚୀ ଗିଲଙ୍କୁ ପସନ୍ଦ ଆସିନାହିଁ। ସେ କହିଛନ୍ତି, ସିରିଜ ଆରମ୍ଭ ଦିନିକିଆ ମ୍ୟାଚରୁ ହୋଇଥିଲେ ଭଲ ହୋଇଥାନ୍ତା। ଦିନିକିଆ ଓ ଟେଷ୍ଟ ସିରିଜ ମଧ୍ୟରେ ଟି-୨୦ ସିରିଜ ଖେଳାଯାଇଥିଲେ ଅଧିକ ଭଲ ହୋଇଥାନ୍ତା।
ଆସନ୍ତା ବର୍ଷ ଆଇସିସିର ଦୁଇଟି ବଡ଼ ଟୁର୍ନାମେଣ୍ଟ ଆୟୋଜିତ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଆସନ୍ତା ବର୍ଷ ଜୁନରେ ଖେଳାଯିବ। ସେହିପରି ଦିନିକିଆ ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଆୟୋଜିତ ହେବ। ତେଣୁ ବର୍ତ୍ତମାନ ସମସ୍ତ ଦଳର ଫୋକସ ଟେଷ୍ଟ ଓ ଦିନିକିଆ କ୍ରିକେଟ ଉପରେ ରହିଛି।
ଅକଲାଣ୍ଡରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପୂର୍ବରୁ ଅଧିନାୟକ ଗିଲ କହିଛନ୍ତି ଯେ, ତାଙ୍କ ପାଇଁ ଦିନିକିଆ ଓ ଟେଷ୍ଟ ଉଭୟ ସିରିଜ ଗୁରୁତ୍ୱପୂର୍ଣ୍ଣ। ଯଦି ତାଙ୍କ ହାତରେ ନିଷ୍ପତ୍ତି ନେବାର କ୍ଷମତା ଥାଆନ୍ତା, ତେବେ ଦିନିକିଆ ସିରିଜରେ ସମସ୍ତ ଫିଟ ଖେଳାଳିଙ୍କୁ ଖେଳାଇବାକୁ ସେ ଚାହିଁଥାନ୍ତେ। କିନ୍ତୁ ଏହାପରେ ଦୁଇଟି ଟେଷ୍ଟ ମ୍ୟାଚ ଥିବାରୁ ତାହା ସମ୍ଭବ ହେବ ନାହିଁ।
ଶୁଭମନ ଗିଲ କହିଛନ୍ତି ଯେ, ପ୍ରଥମେ ଦିନିକିଆ ସିରିଜ, ତା’ପରେ ଟି-୨୦ ସିରିଜ ଏବଂ ଶେଷରେ ଟେଷ୍ଟ ସିରିଜ ହୋଇଥିଲେ ଦିନିକିଆ ମ୍ୟାଚଗୁଡ଼ିକରେ ଭାରତ ଏକ ଶକ୍ତିଶାଳୀ ଦଳ ସହ ପଡ଼ିଆକୁ ଓହ୍ଲାଇପାରିଥାନ୍ତା। କିନ୍ତୁ ଦିନିକିଆ ସିରିଜ ପରେ ପରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବାରୁ ଏହା ସମ୍ଭବ ହେବ ନାହିଁ।
ସାଧାରଣତଃ ଆୟୋଜକ ଦେଶର କ୍ରିକେଟ ବୋର୍ଡ ସିରିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥାଏ। ତେବେ ଭ୍ରମଣକାରୀ ଦଳର ବୋର୍ଡର ଅନୁମୋଦନ ପରେ ହିଁ ଏହା ଘୋଷଣା କରାଯାଏ। ଅର୍ଥାତ୍ ନ୍ୟୁଜିଲାଣ୍ଡ ବୋର୍ଡର କାର୍ଯ୍ୟସୂଚୀକୁ ବିସିସିଆଇ ମଧ୍ୟ ଅନୁମତି ଦେଇଛି।
ସୂଚନାଯୋଗ୍ୟ, ୫ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ତିନୋଟି ମ୍ୟାଚରେ ଗିଲ ଅଧିନାୟକତ୍ୱ କରିବେ। କିନ୍ତୁ ଶେଷ ଦୁଇଟି ମ୍ୟାଚରେ ସେ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ଦଳରୁ ବାହାରିଯିବେ। ଏହି ସମୟରେ ଶ୍ରେୟସ ଆୟର ଭାରତୀୟ ଦଳର ନେତୃତ୍ୱ ନେବେ। ଯେଉଁ ଖେଳାଳିମାନେ ଟେଷ୍ଟ ସିରିଜର ଅଂଶ ଅଛନ୍ତି, ସେମାନେ ଶେଷ ଦୁଇଟି ଦିନିକିଆ ମ୍ୟାଚ ଖେଳିପାରିବେ ନାହିଁ।
ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସପର ଫାଇନାଲ ସମୀକରଣକୁ ମଧ୍ୟ ଅଧିନାୟକ ଗିଲ ରୋଚକ ବୋଲି କହିଛନ୍ତି। ଏପର୍ଯ୍ୟନ୍ତ କେଉଁ ଦୁଇଟି ଦଳ ଫାଇନାଲରେ ପରସ୍ପରକୁ ଭେଟିବେ, ତାହା ସ୍ପଷ୍ଟ ହୋଇନାହିଁ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ସିରିଜ ପରେ ଭାରତର ମଧ୍ୟ ଫାଇନାଲରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି।
ଏହାକୁ ନେଇ ଗିଲ କହିଛନ୍ତି ଯେ, ଯଦି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରେ ଏବଂ ଏହାପରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଭଲ ଖେଳେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲରେ ପହଞ୍ଚିବାର ସମ୍ଭାବନା ବଢ଼ିବ।

